Unknown

 

 

 

 

 

 

 

 

 

 

 

ମୌନାବତୀ ରାତ୍ରି

ଡକ୍ଟର କୃଷ୍ଣପ୍ରସାଦ ମିଶ୍ର

 

ମୌନାବତୀ ରାତ୍ରି

 

କାଦମ୍ୱିନୀ ! ଥୁଃ ! ନାରୀ, ତୁଚ୍ଛ ନାରୀ ଜଣେ ! ରକ୍ତ ମାଂସର ପିଣ୍ଡୁଳା, ସହରର ଅନେକ ନର୍ତ୍ତକୀ ଗାୟିକାମାନଙ୍କ ମଧ୍ୟରୁ ଜଣେ । ରୂପଜୀବୀ ବାରାଙ୍ଗନା ।

 

ଚୁପ୍‍କର ! ସେ ସାଧାରଣଙ୍କ ପରି ଶରୀର ବିକ୍ରୀ କରେନି-। ସେ ନର୍ତ୍ତକୀ, ସେ ଗାୟିକା-। ସେ ବିକ୍ରୀ କରେ ତାର କଳା । ତୁମକୁ ସେ ଭଲ ପାଉଛି । ତୁମୁକୁ ସେ ଭଲ ପାଏ ବୋଲି ତୁମେ ତାଠୁ ଗୀତ ନାଚ ଛଡ଼ା ଆଉ କିଛି ମଧ୍ୟ ପାଉଛ । ଭଲ ପାଇବା ତ ଭୁଲ ନୁହେଁ । ସେପରି ତ ପ୍ରତ୍ୟେକ ନାରୀ କାହାକୁ ନା କାହାକୁ ଭଲ ପାଏ...

 

କାଦମ୍ୱିନୀର ଦୂତୀ ହୋଇ ଆସିଥିବା ମୌନାବତୀ ରାତ୍ରି ଖିଲ୍‍ ଖିଲ୍‍ ହୋଇ ଘର ଭିତରେ ହସୁଥିଲା ।

 

X X X

 

ସମ୍ପ୍ରତି ଓଡ଼ିଶାର ଶ୍ରେଷ୍ଠ ଗାଳ୍ପିକଙ୍କ ଚଉଦଟି ରୋମାଞ୍ଚକର, ମନସ୍ତାତ୍ତ୍ୱିକ ଗଳ୍ପର ସମାହାର । ପ୍ରତ୍ୟେକ ଗଳ୍ପ ଭିନ୍ନ ସ୍ଥାନର, ପ୍ରତ୍ୟେକଟି ନୂତନ ଭୂମିକାର । ଡକ୍‍ଟର ମିଶ୍ରଙ୍କ ନୂତନ ଶୈଳୀର ଅଧିକାଂଶ ଗଳ୍ପ ବିଭିନ୍ନ ଭାରତୀୟ ଭାଷାରେ ଅନୂଦିତ ଓ ଉଚ୍ଚ ପ୍ରଶଂସିତ ।

 

 

 

 

 

 

 

 

 

 

 

‘ମାଟିର ମଣିଷ’ର ଯଶସ୍ୱୀ ଲେଖକ

ଶ୍ରୀଯୁକ୍ତ କାଳିନ୍ଦୀ ଚରଣ ପାଣିଗ୍ରାହୀ

କରକମଳେଷୁ

 

ଭୂମିକା

 

‘‘ନେପଥ୍ୟେ’’ ପ୍ରକାଶିତ ହେବାର ପୂର୍ଣ୍ଣ ଗୋଟିଏ ବର୍ଷ ପରେ ‘ମୌନାବତୀ ରାତ୍ରି’ ପାଠକମାନଙ୍କ ସମ୍ମୁଖକୁ ଆସୁଛି । ବିଭିନ୍ନ ସମୟରେ ଦିଗନ୍ତ, ନିର୍ଭୀକ, ମୂର୍ଚ୍ଛନା, ଏକାମ୍ର, ପ୍ରଭୃତି ମାସିକ ପତ୍ରିକା ଗୁଡ଼ିକରେ ପ୍ରକାଶିତ ଓ ଅଧିକାଂଶ ଅପ୍ରକାଶିତ କ୍ଷୁଦ୍ର ଗଳ୍ପକୁ ନେଇ ‘ମୌନାବତୀ ରାତ୍ରି’ ।

 

ପୂର୍ଣ୍ଣାଙ୍ଗ ଉପନ୍ୟାସ ଲେଖିବାକୁ ଇଚ୍ଛାଥିଲେ ମଧ୍ୟ ଅଧ୍ୟାପକ ଜୀବନର ବହୁ ଜଞ୍ଜାଳ ଯୋଗୁ ଲେଖି ପାରିଲିନି । ଗ୍ରୀଷ୍ମାବକାଶ ପରେ ହିଁ ଉପନ୍ୟାସ ପ୍ରକାଶ ସମ୍ଭବ ହେବ । ‘ଗୌହାଟୀରେ ଏକ ରାତ୍ରି’ ଗଳ୍ପଟି ସୋମେର୍‍ସଟ୍‍ ମମ୍‍ଙ୍କ ଲିଖିତ ଗୋଟିଏ ଇଂରେଜି ଗଳ୍ପର ଅବଲମ୍ୱନରେ ଲେଖାଯାଇଛି । ଅନ୍ୟ ଗଳ୍ପଗୁଡ଼ିକ ମୌଳିକ ରଚନା ।

 

ବହିର୍ଜଗତର ବୈଚିତ୍ର୍ୟ ପରି ମାନସ ଜଗତର ବୈଚିତ୍ର୍ୟ ବେଳେ ବେଳେ ମନୋମୁଗ୍‍ଧକର, ଅନ୍ୟବେଳେ ଭୟାନକ । ଅନ୍ତରତମ ଜୀବନ—ମାନବର ଅଜ୍ଞାତ ଚେତନା ‘ମୌନାବତୀ ରାତ୍ରି’ ଓ ଅନ୍ୟାନ୍ୟ ଗଳ୍ପଗୁଡ଼ିକର ପ୍ରଧାନ ଉପଜୀବ୍ୟ ବିଷୟ । ସଭ୍ୟତା ଓ ସଂସ୍କୃତିର ସୁନ୍ଦର ଆବରଣ ତଳେ ଲେଖକ ମାନବ ବ୍ୟକ୍ତିତ୍ୱ ଓ ବ୍ୟବହାରର ପରିଚାଳିକା ଶକ୍ତି ଖୋଜିବାକୁ ଚେଷ୍ଟା କରିଛି । ଅଜ୍ଞାତଚେତନା ଲୋକର ଦେବାଦେବୀ, ଗନ୍ଧର୍ବ କିନ୍ନର, ରାକ୍ଷସ ରାକ୍ଷସୀଙ୍କୁ ଶୋଭନ ସାହିତ୍ୟିକ ସୃଷ୍ଟି ଭିତରକୁ ଆଣିବାକୁ ଚେଷ୍ଟାକରି ଲେଖକ ସେମାନଙ୍କପାଇଁ ବହୁ ପରିସ୍ଥିତି, ବହୁ ବିଭିନ୍ନ ଚରିତ୍ର ଓ ନାମର ସର୍ଜନା କରିଛି ।

 

‘ମୌନାବତୀ ରାତ୍ରି’ ପାଠକମାନଙ୍କ ମନୋରଞ୍ଜନ କରିପାରିଲେ ଲେଖକର ଶ୍ରମ ସାର୍ଥକ ହେବ ।

 

ଅଶୋକାଷ୍ଟମୀ

 

ତା ୨୪ । ୩ । ୧୯୬୧

କୃଷ୍ଣ ପ୍ରସାଦ ମିଶ୍ର

Image

 

ସୂଚୀପତ୍ର

 

୧.

ସେହି ଆୟତ ଚକ୍ଷୁ ଯୁଗଳ

୨.

ଶାଢ଼ୀ ଓ ଶରୀର

୩.

ଅନାବୃତ

୪.

ଏକାନ୍ତ

୫.

ଜନପଥ

୬.

ନାରୀ

୭.

ପଙ୍କ ଓ ପଙ୍କଜ

୮.

ନାରକୀ

୯.

ବନ୍ଧୁ ସଞ୍ଜୀବକ

୧୦.

ପରାଜୟ

୧୧.

ପାପର ନୂତନ ସଂଜ୍ଞା

୧୨.

ଗୌହାଟୀରେ ଏକ ରାତ୍ରି

୧୩.

ଉପପତି

୧୪.

ମୌନାବତୀ ରାତ୍ରି

Image

 

ସେହି ଆୟତ ଚକ୍ଷୁ ଯୁଗଳ

 

ମନ୍ଦ ଦୀପାଲୋକ ଅରଣ୍ୟ ଭିତରର ଛୋଟ କୁଡ଼ିଆ ଘରଟିକୁ ଆଲୋକିତ କରୁଥାଏ । ଆଲୋକରେ ଗୃହ ଅଭ୍ୟନ୍ତରର ସବୁ ଜିନିଷ ଉଜ୍ଜ୍ୱଳ ପରିବର୍ତ୍ତେ ବେଶି ଅସ୍ପଷ୍ଟ ହୋଇ ଉଠୁଥାନ୍ତି । ସେହି ଅପାର୍ଥିବ ବିଭୀଷିକାମୟ ପରିସ୍ଥିତି ଭିତରେ ଜଣେ ଯୁବକ କାନ୍ଥକଡ଼କୁ ଲାଗି ବସି ଗୃହର ଦ୍ୱାର ବନ୍ଧଆଡ଼କୁ ବାରମ୍ୱାର ଶଙ୍କିତ ହୃଦୟରେ ଚାହୁଁଥାଏ । କାହାକୁ ଯେପରି ସେ ଅପେକ୍ଷା କରୁଥିଲା । କାନ, ଆଖି, ନାକ—ସମସ୍ତ ଇନ୍ଦ୍ରିୟ ତାର ସଚକିତ ଥିଲେ ସେହି ଆଗନ୍ତୁକଙ୍କ ପ୍ରତୀକ୍ଷାରେ । ତାର ଅପେକ୍ଷାରେ ଗଭୀର ଭୟ ସହିତ ଶାନ୍ତି ଓ ସମାଧାନର ଭାବନା ମିଶ୍ରିତ ଥିଲା-। କାହିଁକି ସେ ଆଗନ୍ତୁକ ଏତେ ବିଳମ୍ୱ କରୁଛନ୍ତି ?

 

ଯୁବକର ପରିଧାନ—ଦାମିକା ଇଂଲିଶ ସର୍ଜକନାର ସୁଟ୍‍ । କିନ୍ତୁ ସୁଟ୍‍ର ବହୁ ଯାଗା ଚିରି ଯାଇଛି ଓ ବ୍ରସିଂ ଅଭାବରୁ ତାହା ଖୁବ୍‍ ମଇଳା ଦିଶୁଛି । ବେକରେ ଟାଇ ନାହିଁ । ଛାତି ଉପରର ଦୁଇ ତିନିଟା ବୋତାମ ଫିଟା । ଦୁଇ ହାତକୁ ଭୂମି ଉପରେ ରଖି ସେ ଦୁଆର ଆଡ଼କୁ ଚାହୁଁ ଥିଲା ।

 

ସମୟ ଗଡ଼ିଯାଉଥିବା ସଙ୍ଗେ ସଙ୍ଗେ ଆଲୋକ ଆହୁରି ନିଷ୍ପଭ୍ର ହୋଇ ଉଠିଲା । ଯୁବକର ଆଖି ବୁଜି ହୋଇ ଯାଉଥିବାବେଳେ କୌଣସି ଭାବନା ପ୍ରବାହର ଧକ୍‍କାରେ ହଠାତ୍‍ ଆଖି ମେଲାଇ ହୋଇଗଲା ଯେପରି । ଆଉ ଦୁଆର ପାଖ କାନ୍ଥରେ ତାକୁ ଦିଶିଲା ଦୁଇଟି ଚକ୍ଷୁ । ଲମ୍ୱା ଦୁଇଟି ଚକ୍ଷୁ—ଚକ୍ଷୁ ଦୁଇଟିକୁ ଦେଖିବାମାତ୍ରେ ଯନ୍ତ୍ରଣାରେ ଯୁବକର ମୁହଁ ବିକୃତ ହୋଇ ଉଠିଲା । ସେ ହାତ ନେଇ ନିଜର ମୁହଁକୁ ଢାଙ୍କି ଦେଲା । ପୁଣି ସେହି ଚକ୍ଷୁ ! ଯାହାକୁ ଦେଖିବନି ଭାବି ସେ ଆଖି ବନ୍ଦ କରି ଦେଇ ବସିଥିଲା କିଛିକ୍ଷଣ ପୂର୍ବେ । ପୁଣି ସେହି ଆୟତ ଚକ୍ଷୁ ଦୁଇଟି ! ଏହି ଚକ୍ଷୁ ଦେଖିବା ଅପେକ୍ଷା ଫାଶି ଖୁଣ୍ଟରେ ଝୁଲିଯିବା ଭଲ, ଇଲେକ୍‍ଟ୍ରିକ୍‍ ଚେୟାରରେ କି ଗ୍ୟାସ ଚେମ୍ୱରରେ ପ୍ରାଣ ଛାଡ଼ିଦେବା ଭଲ ! ମୃତ୍ୟୁ କଦାପି ଏହାଠୁ ବଳି ବେଶି ଯନ୍ତ୍ରଣାଦାୟକ ହୋଇ ନଥିବ, କଦାପି ନୁହେଁ ! (ଯୁବକର ଦଶଟିଯାକ ହାତଆଙ୍ଗୁଠି ମାଟି ଖୋଳି ପକାଉଥାଏ ।) ଯେଉଁ ଚକ୍ଷୁକୁ ନ ଦେଖିବାକୁ ସହରଠୁ ଏତେ ଦୂରକୁ, ଏତେ ନିଘଞ୍ଚ ମାଳ ଅଞ୍ଚଳକୁ ସେ ଚାଲି ଆସିଛି (ପୋଲିସକୁ ଡରିକି ନୁହେଁ !) ସେହି ଚକ୍ଷୁ ଦୁଇଟି ତାକୁ କ୍ଷମା ଦେଇ ନାହାଁନ୍ତି । ପଛରେ ପଛରେ—ନା ନା,—ପଛରେ ନୁହଁ, ସେମାନେ ଆଗରେ ଆଗରେ ତାର ଆସିଛନ୍ତି । ସେଥିପାଇଁ ସେ ବାଟରେ ଝୁଣ୍ଟିଛି, କଣ୍ଟାବୁଦାରେ ପଡ଼ିଛି, ଆଉ ନିଜର ଆଖି ଫୋଡ଼ି ଦେବାକୁ ମଧ୍ୟ ବେଳେ ବେଳେ ସେ ଠିକ୍‍ କରିଛି । ଯାହା ସେ ଦେଖୁଛି ସବୁ ଚକ୍ଷୁମୟ ହୋଇ ଯାଉଛି—ଖାଦ୍ୟ, ପାନୀୟ, ବସ୍ତ୍ର, ଆବାସସ୍ଥଳୀ, ଜଳ, ସ୍ଥଳ, ଆକାଶ, ଦିଗ୍‍ । ସବୁ ଚକ୍ଷୁମୟ ।

 

ବାହାରେ ପତ୍ର ଉପରେ ପାଦଶବ୍ଦ । ନିଶ୍ଚୟ ପୋଲିସ୍‍ । ଭଲ; ଆସୁ ପୋଲିସ୍‍ । ଚକ୍ଷୁ ଦୁଇଟିର ଅତ୍ୟାଚାରରୁ ତ ପରିତ୍ରାଣ ମିଳିବ ।

 

ପୋଲିସ୍‍, ମୁଁ ଏଇଠି, ଏଇ ଘରେ ଅଛି ।

 

—ଚିତ୍କାର କରି ଉଠିଲା ଯୁବକ । ପାଖରେ ଦୀପ ଥିଲା । ଲିଭି ଗଲା । ସମସ୍ତ ଘର ବର୍ତ୍ତମାନ ଅନ୍ଧାର । କିଛି ସମୟ ପୂର୍ବରୁ ଗୃହଟିର ଯେଉଁ କ୍ଷୀଣତମ ରୂପରେଖା ଦୀପାଲୋକ ଯୋଗୁ ତାକୁ ଦିଶୁଥିଲା, ଦୀପ ଲିଭିଯିବା ପରେ ମଧ୍ୟ ତାହା କିଛି ସମୟ ପାଇଁ ସେହି ଆକାର ପ୍ରକାର ନେଇ ଅନ୍ଧକାରରେ ରହିଗଲା । ଅନ୍ଧକାର ହୋଇଛି ବୋଲି ଯୁବକକୁ କିଛି ସମୟ ଯାଏ ଜଣା ପଡ଼ିଲାନି । ସେ ଚିତ୍କାର ତାର ଗଳାରୁ ନିର୍ଗତ ହୋଇ ଆଲୋକ ସହିତ କେଉଁଆଡ଼େ ମିଶିଗଲା, କେଡ଼େ ଚଞ୍ଚଳ କେଜାଣି । ବୋକାଙ୍କ ପରି ଅନ୍ଧକାରକୁ ଚାହିଁ ରହିଥାଏ ସେହି ଯୁବକ । ବାହାରେ ପୁଣି ପତ୍ର ଖସ୍‍ଖସ୍‍ ଶୁଭୁଛି । ପୋଲିସ୍‍ ବି ହୋଇପାରନ୍ତି । ବନ୍ୟ ପଶୁ ବି ହୋଇପାରେ । ଯୁବକର କାନ ସତର୍କ ହୋଇ ଉଠିଥାଏ ।

 

କୁଡ଼ିଆ ବାହାରେ କଥାଭାଷାର ଶବ୍ଦ । ଦୁଇଜଣ ଯେପରି ଚାପା କଣ୍ଠରେ କଥାବାର୍ତ୍ତା ହେଉଛନ୍ତି । ପୋଲିସ୍‍ର ଲୋକ !

 

ଭିତରେ କେହି ଅଛନ୍ତି ?

 

ସ୍ତ୍ରୀ କଣ୍ଠ । ଯୁବକ କୌଣସି ସ୍ୱରଶବ୍ଦ ନକରି ଅପେକ୍ଷା କରି ରହିଲା । ବାହାରେ ପୁଣି ଅସ୍ପଷ୍ଟ କଥା, ଘରଭିତରକୁ ବୁଝା ନପଡ଼ି ମଧ୍ୟ ଶୁଣାଯାଉଥାଏ । ଦୁଆରକୁ ଠିଆମେଲା କରି ଅନ୍ଧକାର ଭିତରକୁ କେହି ପଶି ଆସିଲେ । ଯୁବକର ଆଖି ଅନ୍ଧକାରକୁ ଅଭ୍ୟସ୍ତ ହୋଇ ଆସିଥାଏ । ଦୁଇଜଣ ହେବ, ଆଘ୍ରାଣରେ ଜାଣିଲା ସେ ଦୁଇଜଣଯାକ ନାରୀ । ନାରୀ ଦୁଇଜଣ ଫୁସ୍‍ଫାସ୍‍ ହେଲେ—

 

ଏହି ଭିତରୁ ଆମେ ଚିତ୍କାର ଶୁଣିଥିଲେ ?

 

ହଁ !

 

ତାହାଲେ, କେହି ନାହାନ୍ତି କିପରି ! ଭୂତପ୍ରେତଙ୍କ ଆବାସସ୍ଥଳୀ ନୁହେଁ ତ !!

 

ନାଁ, ନାଁ !

 

ଭାରି ଜୋରରେ ପ୍ରତିବାଦ କଲା ଜଣେ ।

 

ଆଚ୍ଛା, ଡିଆସିଲି ଥିବ, ଲଗାଇଲୁ ।

 

ବୁଜୁଳା ଖୋଜି ଡିଆସିଲ୍‍ ବାହାର କରିବାକୁ ଚେଷ୍ଟା କଲେ ଆଗନ୍ତୁକା ଦୁହିଙ୍କ ମଧ୍ୟରୁ ଜଣେ । ଯୁବକ ଆଉ ଚୁପ୍‍ ରହିବା ଉଚିତ ମନେ ନକରି ଗମ୍ଭୀର କଣ୍ଠରେ ଆଦେଶ ଦେଲା—

 

ଆଲୁଅ ଲଗାଇବାକୁ ଚେଷ୍ଟା କରନି, ମୁଁ ଏ କୁଡ଼ିଆ ଭିତରେ ଆଲୋକ ଚାହେଁନି ।

 

ଅନ୍ଧକାର ଭିତରେ ସେ କୁଡ଼ିଆରେ ଯୁବକର ଶବ୍ଦ ବଡ଼ ଭୟଙ୍କର ଶୁଭିଲା । କୁଡ଼ିଆ ଆଲୋକିତ ହେଲାନି । ଆଗନ୍ତୁକା ଦୁଇଜଣ କୌଣସି କଥା ନକହି ଚୁପ୍‍ ହୋଇ ଠିଆ ହୋଇ ରହିଲେ ଦୁଆର ପାଖରେ । ଦୁଆର ସେହିପରି ମେଲାଥାଏ । ସେମାନେ ବହୁସମୟ ଧରି ଠିଆ ହେବାପରେ ଯୁବକ କହିଲା—ସେଠି ବସିଯାଅ । ହିଂସ୍ର ଜନ୍ତୁ ଆସି ପାରନ୍ତି, ଦୁଆରକୁ ମଧ୍ୟ ବନ୍ଦ କରିଦିଅ ।

 

ଦୁଆର ବନ୍ଦ ହୋଇଗଲା ଓ ସେମାନେ ବସିଲେ ।

 

ତୁମେମାନେ କେତେଜଣ ?

 

ଦୁଇଜଣ ।

 

ଖୁବ୍‍ ଡର ଲାଗୁଛି ?

 

ସେପଟୁ କିଛି ଉତ୍ତର ଆସିଲାନି ।

 

ଭଦ୍ର ମହିଳା ?

 

ପୁଣି ନିରୁତ୍ତର ।

 

କୁଆଡ଼େ ଯାଉଥିଲ ?

 

ଘାଟୀ ପାର ହେଉ ହେଉ ରାତି ହୋଇଗଲା ।

 

ସାଙ୍ଗରେ କେହି ପୁରୁଷ ଲୋକ ନାହାଁନ୍ତି କିପରି ?

 

ନିରୁତ୍ତର ।

 

ଚୁପ୍‍ ରହିଲେ ଚଳିବନି, ଉତ୍ତର ଦେବାକୁ ହେବ । ତୁମେମାନେ କିଏ ? ମାଳଅଞ୍ଚଳରେ ଏକୁଟିଆ କୁଆଡ଼େ ଯାଉଥିଲ ?

 

ଆଦେଶରେ ନିଷ୍ଠୁରତା ବାରିପାରି ଆଗନ୍ତୁକା ଦୁଇଜଣ ପରସ୍ପର ଆଡ଼କୁ ଘୁଞ୍ଚିଆସିଲେ ।

 

ଝିଅ ମୋର ସ୍ୱାମୀ ଦ୍ୱାରା ପରିତ୍ୟକ୍ତା । ତାକୁ ଆଣିବାକୁ ମୁଁ ଘାଟୀ ସେପାରି ଗାଁକୁ ଯାଇଥିଲି ।

 

ପରିତ୍ୟକ୍ତା ପୁଣି ଯୁବକ ଅନ୍ୟମନସ୍କ ହୋଇ ଉଠିଲା । କଣ ଆଉ ସେ କହିବାକୁ ଯାଉଛନ୍ତି ତାହା ଶୁଣିବାକୁ ତାର ଧୈର୍ଯ୍ୟ ରହିଲାନି । ସେ କହିଲା—ପରିତ୍ୟକ୍ତା ଯଦି, ପରିତ୍ୟକ୍ତା ଯୋଗ୍ୟ କୌଣସି କାର୍ଯ୍ୟ ସେ କରିଥିବେ । ସ୍ତ୍ରୀପୁରୁଷ କଳହରେ ସର୍ବଦା ସ୍ତ୍ରୀ ହିଁ ଦୋଷୀ । ଘର ଭିତରେ ରହିବାକୁ ସ୍ତ୍ରୀମାନେ ଅନିଚ୍ଛୁକ । ପୁରୁଷ ପ୍ରତିଷ୍ଠିତ କୌଣସି ସଂସ୍ଥା ଉପରେ ସେମାନଙ୍କର ଆସ୍ଥା ନ ଥାଏ । ପ୍ରକାଶ୍ୟରେ ତ କିଛି କହିପାରିବେନି, ସେଇଥିପାଇଁ ବାଜେ ଆଳ ନେଇ ସେମାନେ କଳହ ସୃଷ୍ଟି କରିଥାନ୍ତି ।

 

କିନ୍ତୁ ମୋ ଝିଅ.....

 

ଚୁପ୍‍ କର । ଯାହା କହିବାକୁ ଯାଉଛ, ମୁଁ ଜାଣେ । ବାଜେ କଥାବାର୍ତ୍ତା ହେଲେ ମୋ ମୁଣ୍ଡ ବଥାଏ । ମୁଁ ଶୋଉଛି । ଏଇଠି ଡିବି ଓ ଡିଆସିଲ୍‍ ରହିଲା । ଲାଇଟ୍‍ ଲଗାଇବନି, ନିହାତି ଜରୁରୀ ନହେଲେ । ତେବେ ନିହାତି ଜରୁରୀ କଥା ସୃଷ୍ଟି ହେଲେ ମୋତେ ଉଠାଇଦବ ।

 

ସେମାନଙ୍କ ଆଡ଼କୁ ଡିଆସିଲି ଓ ଡିବି ଠେଲିଦେଇ ଯୁବକ ଅନ୍ଧାର ଭିତରେ ଶୋଇବାର ଉପକ୍ରମ କଲା । ଆଗନ୍ତୁକା ଦୁଇଜଣ ଜାଣିପାରିଲେ କୁଡ଼ିଆ ଭିତରେ ଚିତ୍‍ ହୋଇ ଯୁବକଟି ଶୋଇଗଲା । ସେମାନେ ସେହିପରି ବସିଥାନ୍ତି । ଆଉ ଯୁବକ ଜଣକ ଅନ୍ଧକାରରେ ଆଖିବୁଜି ଶୋଇବା ବାହାନା କରି ଭାବୁଥାଏ । ଭାବୁଥାଏ—ମଣିଷ ଇଚ୍ଛା ନକରି ମଧ୍ୟ ପାପ କାହିଁକି କରେ ? ବା ଏପରି କାର୍ଯ୍ୟ କାହିଁକି କରେ ଯାହାକୁ ସମାଜ ପାପ ବୋଲି ଘୋଷଣା କରିଛି ! ନିଜର ଇଚ୍ଛା ସ୍ୱାତନ୍ତ୍ର୍ୟରେ ମଣିଷ ପାପ କରେ, ନାଁ ପରିସ୍ଥିତି ଦ୍ୱାରା ପରାଭୂତ ହୋଇ ? ନିଜର ଅନୁଭୂତିରୁ ସେ ଜାଣିପାରିଛି, ଜୀବନରେ ଯାହା ଯାହା ପାପ କାର୍ଯ୍ୟ ସେ କରିଛି ସବୁ ନିଜର ଅନିଚ୍ଛାରେ । ସେଦିନ...କେବେ କଣ ସେ ଭାବିଥିଲା କୌଣସି ମଣିଷ ସେ ହତ୍ୟା କରି ପାରିବ ବୋଲି ! ହତ୍ୟା କରିବା ଅନୁଚିତ, ମହାପାପ ବୋଲି କଣ ସେ ଭଲକରି ଜାଣିନି ! ଆଗେ ଅନ୍ୟମାନେ ମଣିଷ ମାରିବା ଖବର ଶୁଣି ସେ କେଡ଼େ ଆଶ୍ଚର୍ଯ୍ୟ ହେଉ ନଥିଲା ! କିନ୍ତୁ ସେହି ଲୋକ ସେ, ସେଦିନ ଯେ ମଣିଷ ମାରିପାରିଲା, ମାରିପାରିଲା ଜଣେ ନାରୀଙ୍କୁ ଯେ କିଛିଦିନପରେ ତାର ଅଙ୍କ ମଣ୍ଡନ କରିଥାନ୍ତେ ! ସବୁ ତ ନିଧାର୍ଯ୍ୟ ହୋଇଯାଇଥିଲା, ସମସ୍ତେ ସେମାନଙ୍କୁ ସ୍ୱାମୀ ସ୍ତ୍ରୀ ବୋଲି ଭାବି ନେଇଥିଲେ, ବାକି ଥିଲା ସାମାଜିକ ସଂସ୍କାର ଯାହା, ପୁରୋହିତଙ୍କ ମନ୍ତ୍ରୋଚ୍ଚାରଣ । କାହିଁକି ସେ ତାର ପତ୍ନୀ ହେବାକୁ ଯାଉଥିବା ପ୍ରେୟସୀଙ୍କୁ ମାରିଦେଲା ? କଣ ଥିଲା ଦୋଷ ତାଙ୍କର ? ଦୋଷ ଭିତରେ ସେ ଦିନେ ସନ୍ଧ୍ୟାରେ ଫେରିବାବେଳେ ଦେଖିଲା, ସୁମିତ୍ରା ପାରାପେଟ୍‍କୁ ଆଉଜି ରାସ୍ତାକୁ ଚାହିଁଥିଲେ, ଆଉ ରାସ୍ତା ଉପରୁ ଦୁଇଜଣ ଭଦ୍ରବ୍ୟକ୍ତି ତାଙ୍କଆଡ଼କୁ ଚାହିଁ କଣ କଥା ହେଉଥିଲେ । ସେ ଦୂରରେ ଏହି ଦୃଶ୍ୟ ଦେଖି ଠିଆହୋଇ ପଡ଼ିଲା; କିନ୍ତୁ ପାଞ୍ଚ ସାତ ମିନିଟ ଯାଏଁ ସେହି ଭଦ୍ରଲୋକ ଦୁଇଜଣ ରାସ୍ତା ଉପରେ ଠିଆ ହୋଇ ରହିଲେ ଓ ପାରାପେଟ୍‍କୁ ଆଉଜି ଥିଲେ ଅଯତ୍ନ ଭାବେ ସୁମିତ୍ରା । କଥା ଭିତରେ ଏତିକି; କିନ୍ତୁ ମାସକ ପରେ କଥା ବଢ଼ି ବଢ଼ି ଏପରି ଆକାର ଧାରଣ କଲା ଯେ...

 

ଦିନେ ତାଙ୍କ ଘର ଛାତ ଉପରେ ଦୁହେଁ ପ୍ରେମାଳାପ କରୁ କରୁ ସେ ନିଷ୍ଠୁର ହୋଇ ପଡ଼ିଲା, ଆଉ ସେଦିନର ଦୃଶ୍ୟ, ମାରଓ୍ୟାଡ଼ି ଶେଠ ଦୁଇଙ୍କ ମୁରୁକି ହସା ଦେଇ ଅଶ୍ଳୀଳ ସଙ୍କେତ ମନେ ପଡ଼ି ତା ଶରୀରରେ ଘୃଣାଜନିତ ଲୋମାଞ୍ଚ ସୃଷ୍ଟି କଲା । ବିକୃତ ଭାବନାରେ ବୁଡ଼ିରହି ସେ କୋମଳ କଣ୍ଠରେ ମିତାଙ୍କୁ ପଚାରିଲା—

 

ମୋତେ ଖୁବ୍‍ ଭଲ ପାଉଛ ମିତା, ନୁହେଁ !

 

ଉଁ ? ହଁ !

 

ମୋତେ ଛାଡ଼ି ବଞ୍ଚି ପାରିବନି ?

 

ନାଁ—ସେ କୋଳ ଉପରୁ ମୁଣ୍ଡ ହଲାଇଲେ । ସେହିପରି ଆଖିବୁଜି ତାର କୋଳରେ ମିତା ଶୋଇଥାନ୍ତି । ବିବାହ ବାକି ଥାଏ ଆଉ ପନ୍ଦରଦିନ କି କୋଡ଼ିଏ ଦିନ । ଦୁଇ ପରିବାରରେ ବିପୁଳ ଆୟୋଜନ, ହର୍ଷ, ଉତ୍ସାହ !

 

ତୁମେ ଭୁଲ୍‍ କରିଛ ମିତା, ସେଥିପାଇଁ ତୁମେ ଦଣ୍ଡ ପାଇବା ଉଚିତ ।

 

କ୍ଷଣକପାଇଁ ମିତା ଆଶ୍ଚର୍ଯ୍ୟ ହୋଇ ଆଖି ମେଲାଇ ସଙ୍ଗେ ସଙ୍ଗେ ଆଖି ବନ୍ଦ କରି ସମ୍ମତି ପ୍ରକାଶ କଲେ । ପଚାରିଲେନି ସେ ଥରେ ହେଲେ କି ଦୋଷ ତାଙ୍କର, କାହିଁକି ସେ ଦଣ୍ଡ ପାଇବେ । ଏଡ଼େ ବିଶ୍ୱାସ ଥିଲା ମିତାଙ୍କର ତା ଉପରେ ।

 

ଦଣ୍ଡ ପାଇଁ ପ୍ରସ୍ତୁତ ?

 

ଉଁ ? ହଁ ।

 

ଦେଖ, ଦଣ୍ଡ ଭୟଙ୍କର ହୋଇପାରେ । ଖୁବ୍‍ ଯନ୍ତ୍ରଣାପ୍ରଦ । ସେତେବେଳେ ତୁମେ ଯଦି ପ୍ରତିବାଦ କର, ତେବେ ମୋର ଅନ୍ତରାତ୍ମା ଦୁଃଖିତ ହେବ ।

 

ନାଁ, ନାଁ,—ମୃଦୁକଣ୍ଠରେ ମିତା କହିଲେ—ଯାହା ଦଣ୍ଡ ଦେବାକୁ ଇଚ୍ଛା ଦେଇପାର ।

 

ଦୋଷ କଣ ପଚାରୁନ !

 

ବିଚାରକ ସବୁବେଳେ ନିରପେକ୍ଷ, ସେ ଦୋଷ ବିନା ଦଣ୍ଡଦେବା କଥା ଉଠାନ୍ତେ କାହିଁକି-?

 

ମିତାଙ୍କ କଥାରେ ବିହ୍ୱଳ ହୋଇ ଝୁଲିପଡ଼ି ସୁରଥ ତାଙ୍କର ଆୟତ ଚକ୍ଷୁ ଉପରେ ଚୁମା ଦେଲା—ଦୁଇ ଭ୍ରୂ ଉପରେ ।

 

ଦଣ୍ଡ ?—ହସିଲେ ମିତା ।

 

ନାଁ, ନାଁ, ଅପେକ୍ଷା କର । ଦେଖ, ଆଉଥରେ ଭାବିନିଅ ।

 

କଣ ଭାବିବି ପ୍ରିୟତମ ? ତୁମ କୋଳଠୁ ମୋ ପାଇଁ ଆଉ ଅଧିକା ସୁରକ୍ଷିତ ଜାଗା କେଉଁଠି ଅଛି ?

 

ନାଁ । ତେବେ ଦଣ୍ଡ ?

 

ପ୍ରିୟତମଠୁ ଦଣ୍ଡ ଆଶୀର୍ବାଦ ବନ୍ଧୁ ! ସବୁ ପାପ ତାହାଦ୍ୱାରା ଧୋଇ ହୋଇଯାଏ ।

 

ତାହେଲେ ଆଖି ବୁଜ ।

 

ସୁମିତ୍ରା ଆଖି ବୁଜିଲେ । ସେତେବେଳେ ସ୍ମିତହାସ ତାଙ୍କ ଅଧରକୁ ଅଳ୍ପ ମେଲାଇ ଦେଇଥାଏ । ସେ ସୁରଥର ଦୁଷ୍ଟାମୀକୁ ଅପେକ୍ଷା କରୁଥାନ୍ତି ।

 

ଆଉ ସେହି ସମୟରେ ସୁରଥର ହୃଦୟରେ କେଡ଼େ ଦ୍ୱନ୍ଦ୍ୱର ବାତ୍ୟା ବହୁ ନଥିଲା ! ସେ କଣ ଇଚ୍ଛା କରୁଥିଲା ତାହା କରିବା ପାଇଁ, ଯାହା ସେ ସେତେବେଳ କଲା ? କିଏ ତାକୁ ବାଧ୍ୟ କଲା ? ନିଶ୍ଚୟ କୌଣସି ପ୍ରବଳ ଶକ୍ତି ତାକୁ ବାଧ୍ୟ କରିଛି ସେହି ଅମାନୁଷିକ କାର୍ଯ୍ୟ କରିବା ପାଇଁ । ନଚେତ୍‍ ତା ସମ୍ଭବ କିପରି ହେଲା ?

 

ଶାଢ଼ୀର କାନିଟାକୁ ସୁମିତ୍ରାଙ୍କ ବେକ ଉପରେ ଖେଳିଲା ପରି ସୁରଥ ପକାଇଦେଇ ହସିଲା; କିନ୍ତୁ ସେତେବେଳେ ଆଖିବୁଜି ଦଣ୍ଡକୁ ଅପେକ୍ଷା କରୁଥାନ୍ତି ସୁମିତ୍ରା । ସୁରଥର ହସକୁ ସେ ଦେଖି ପାରିଲେନି । ଧୀରେ ଧୀରେ ସ୍ତନ ଉପରୁ ହାତନେଇ ସୁରଥ ମିତାଙ୍କ ବେକ ଉପରେ ହାତଦେଲା । ତାପରେ ମୃଦୁଭାବେ ଚାପ ଦେଲା ସେ । ହସୁଥାନ୍ତି ସେହିପରି ମିତା ।

 

କଷ୍ଟ ହେଉଛି ?

 

ନାଁ—

 

ଆଉ ଅଳ୍ପ ଚାପ । ଚନ୍ଦ୍ରକିରଣ ପଡ଼ି ସୁମିତ୍ରାରଙ୍କର ଗୋରାମୁହଁଟାର ସୌନ୍ଦର୍ଯ୍ୟ ସେଦିନ ଅପରିସୀମ ହୋଇ ପଡ଼ିଥାଏ । ବେକ ଉପରେ ଚାପ ବଢ଼ୁଛି, କିନ୍ତୁ ସୁମିତ୍ରା ହସୁଛନ୍ତି, ସୁରଥର ନୂଆ ଖେଳରେ । ହଠାତ୍‍ ସୁମିତ୍ରା ଚାହିଁଦେଲେ ଚାପ ବଢ଼ୁଥିବା ବେଳେ କଣ ବୁଝିପାରିଲେ ଯେପରି, କଣ ଯେପରି ତାଙ୍କର ଉନ୍ମିଳିତ ଚକ୍ଷୁ ସୁରଥକୁ ପଚାରିବାକୁ ଯାଉଥିଲା । ଯୁଗଳ ଚକ୍ଷୁରେ ଆଶ୍ଚର୍ଯ୍ୟର ଚିହ୍ନ, ପରମ ବେଦନାର ଚିହ୍ନ, ସାରା ସଂସାର ପ୍ରତି ତୀବ୍ର ଅଭିମାନର ଚିହ୍ନ ପ୍ରତିଫଳିତ ହୋଇ ଯାଇଥାଏ । ହାତଯୋଡ଼ିକଯାକ ଟେକି ହୋଇ ଆସୁଥିଲା ତାଙ୍କର ପ୍ରତିବାଦ କରିବା ପାଇଁ, ସୁରଥର ଏହି ଅପ୍ରତ୍ୟାଶିତ କାର୍ଯ୍ୟରେ । କିନ୍ତୁ କଣ ମିତା ଭାବିଲେ କେଜାଣି, କି ସେହି ସମୟରେ ଚାପ ତୀବ୍ର ହୋଇଯାଇଥିଲା—ସଅପଟି ଉପରେ ହାତଯୋଡ଼ିକ ପଡ଼ିଗଲା ଓ ସୁରଥକୁ ଚାହୁଁ ଚାହୁଁ ସୁମିତ୍ରା ପ୍ରାଣ ଛାଡ଼ିଦେଲେ ।

 

ସୁରଥ ମିତା ମରିଯିବାପରେ ମିତାଙ୍କୁ ମାରିବା ଅନ୍ୟାୟ ହୋଇଛି ଭାବି ଅନୁତାପ କଲା-। ସେହି ଛାତ ଉପରେ ସେ ମିତାଙ୍କ ଶବ ଉପରେ ଅଜସ୍ର ଚୁମ୍ୱନ ଢାଳିଦେଇ କାନ୍ଦିଲା; କିନ୍ତୁ ଶେଷରେ କେହି ଦେଖିବା ପୂର୍ବରୁ ସେ ଚାଲିଗଲା ଦୂରକୁ, ବହୁ ଦୂରକୁ । ଚାଲି ଯାଉଥିବା ବେଳେ ସେ ପ୍ରତି ମୁହୂର୍ତ୍ତରେ ଅନୁଭବ କରୁଥାଏ ଯେ ସେ ଦୁଇଟି ଜିନିଷଠୁ ମୁକ୍ତି ପାଉନି—ମିତାଙ୍କ ବେଦନାଭରା ଚକ୍ଷୁ ଓ ପୋଲିସ୍‍ । ସହରଠୁ ସହରକୁ ଯାଇଚି ସେ । ରାତ୍ରିକ ଭିତରେ ଦୁଇତିନିଥର ହୋଟେଲ୍‍ ବଦଳାଇଛି । ସବୁ ସମୟରେ ସୁମିତ୍ରାଙ୍କ ଅଳଙ୍କାରଗୁଡ଼ାକ ତାକୁ ସାହାଯ୍ୟ କରିଛନ୍ତି—ବଡ଼ ବଡ଼ ହୋଟେଲ୍‍ରେ ରହିବାରେ, କୌଣସି ରୋଜଗାର ନ ଥାଇ ମନମୁତାବକ ଚଳିବାରେ, ଦୀର୍ଘ ଛଅମାସ ଧରି । କିନ୍ତୁ ମିତା ସେଦିନ ସାରା ସଂସାରର ସବୁତକ ଅଳଙ୍କାର ପିନ୍ଧିନଥିଲେ, ତେଣୁ ସୁରଥର ପାଣ୍ଠି କ୍ରମେ ସରି ଆସୁଥିଲା । ସେଥିପାଇଁ ସେ ସହର ଛାଡ଼ି ବର୍ତ୍ତମାନ ଗାଁକୁ ଆଶ୍ରୟ କରିଛି । ଜନପଥ ପରିବର୍ତ୍ତେ ବନପଥକୁ ଆଶ୍ରୟ ନେଇଛି । ତଥାପି ପୋଲିସ୍‍ ଓ ଚକ୍ଷୁ ଦୁଇଟିର ଦୌରାତ୍ମ୍ୟରୁ ମୁକ୍ତି ମିଳିନାହିଁ । ଶିକାରୀ କୁକୁର ପରି ସେମାନେ ତାର ପଛରେ ଲାଗିଛନ୍ତି । ବେଳେ ବେଳେ ଏପରି ପଳାତକ ଜୀବନଯାପନ କରିବା ଅପେକ୍ଷା ପୋଲିସ୍‍ ଆଗରେ ଯାଇ ଧରାଦେବା ସୁଖକର ମନେ ହୋଇଛି । କଣ ଜୀବନଟାଯାକ ଏପରି ଦଉଡ଼ି ଦଉଡ଼ି କଟିବ ? ଅନ୍ୟାନ୍ୟ ଲୋକଙ୍କ ପରି କେବେହେଲେ ସେ ସାଧାରଣ ଜୀବନଯାପନ କରିପାରିବନି ? କିଏ ତାକୁ ବାଧ୍ୟ କଲା ଏପରି ହେବାକୁ, କାହିଁକି ସେ ସନ୍ଦେହ କରି ମିତାଙ୍କୁ ମାରିଲା, କଣ ଦୋଷଥିଲା ବିଚାରୀର ! କିନ୍ତୁ କଣ ଗୋଟିଏ ଦୁର୍ବଳ ମୁହୂର୍ତ୍ତର କିଛି କ୍ଷମା ନାହିଁ ? ସବୁ କଥା ସ୍ୱପ୍ନ ପରି ଉଭେଇ ଯାନ୍ତାନି, ମିତାଙ୍କୁ ମାରିବା ପୂର୍ବର ଦିନଗୁଡ଼ାକ ଫେରି ଆସିଲେ କେଡ଼େ ଭଲ ହୁଅନ୍ତାନି ? ପୁଣି ସେ ଜୀବନକୁ ଆରମ୍ଭ କରନ୍ତା, ପରିଷ୍କାର କରି ଆଉ ଭୁଲ ନକରି, ଭାବାବେଗରେ ବହି ନ ଯାଇ । ମିତା ଯଦି କୌଣସି ମାରଓ୍ୱାଡ଼ି ଯୁବକକୁ ଚାହିଁବାକୁ ଭଲ ପାଇଲେ, ତାର ସେଥିରେ କଣ ଯାଏ ଆସେ । ସେ ମିତାଙ୍କୁ ଛାଡ଼ିଦେଇ ମଧ୍ୟ ସୁଖମୟ ଜୀବନଯାପନ କରିପାରେ । ଜୀବନଟା କେଡ଼େ ମୂଲ୍ୟବାନ୍‍-! ଥରେ ଗଲେ ତାହା କେବେ ଫେରିଆସେନି, ଅଥଚ ପୋଲିସ୍‍ଗୁଡ଼ାକ ତାକୁ ପାଇଲେ ମାରିଇ ଦେବେ, କଣ ସେ କରିବ ! କଣ ସେ କରିବ ? ଓଃ ! ଓଃ ! ସୁରଥ ଯନ୍ତ୍ରଣାରେ କୁଡ଼ିଆ ଭିତରେ ଗଁ ଗଁ ହେଲା । ବେଳେ ବେଳେ ତାର ମନେ ହୋଇଛି, ସେ କଥା ସେ କେବେ କରିନି, ସବୁ ମିଛ, ସ୍ୱପ୍ନ ସେ ଦେଖିଥିଲା, ସବୁ ମିଛ, ତାର ରୁଗ୍‍ଣ ମନୋଭାବର କଳ୍ପନା । ହୁଏତ ସେକେଣ୍ଡ୍ ସୋ ସିନେମାରୁ ଫେରି ସେ କଣ ଗୁଡ଼ାଏ ଖାଇ କ୍ୟାରମ୍‍ ଖେଳିସାରି ଶୋଇଛି—ଆଉ ସବୁଥିର ସମ୍ମିଳିତ ପ୍ରଭାବ ତାକୁ ମିଳୁଛି ବର୍ତ୍ତମାନ—ତୀବ୍ର ଦୁଃସ୍ୱପ୍ନ ।

 

କିନ୍ତୁ କିଛି ଦୁଃସ୍ୱପ୍ନ ନୁହେଁ, ସବୁ ନିଷ୍ଠୁର ସତ୍ୟ । ସୁମିତ୍ରାଙ୍କର ମୁଦି ତାର ଆଙ୍ଗୁଠିରେ । ଅନ୍ୟାନ୍ୟ ଅଳଙ୍କାରସବୁ ବିକ୍ରୀବାକ୍ରୀ ହୋଇ ଚାଲିଗଲାଣି, ସେଇ ମୁଦିଟି ଛଡ଼ା ।

 

ରାତ୍ରିର ନୀରବତା ତାକୁ ଚରମ ଜଣାପଡ଼ିଲା । କୁଡ଼ିଆ ବାହାରେ ଝିଙ୍କାରୀର ଶବ୍ଦ । ଦୂରରୁ ବାଘର ଗର୍ଜ୍ଜନ ମଧ୍ୟ ଶୁଭୁଛି । କଣ ସେ ଚାହୁଁଛି । ଧଡ଼ପଡ଼ ହୋଇ ଉଠି ବସିଲା ସୁରଥ । କେତେ ସମୟ ହେଲା ଶୋଇପଡ଼ିଥିଲା ସେ ! ଦୋଷୀ କଣ ଏପରି ନିଶ୍ଚିନ୍ତ ହୋଇ ଶୋଇବା ଉଚିତ । ସେ ଦୁଇଜଣ ଆଗନ୍ତୁକା କେଉଁଆଡ଼େ ଗଲେ, ଚାଲିଗଲେ କି ? ସେମାନେ ପୋଲିସ୍‍ର ଗୁପ୍ତଚର ନୁହଁନ୍ତି ତ !

 

ଅଣ୍ଡାଳି ଅଣ୍ଡାଳି ଡିବି ଲଗାଇଲା ସୁରଥ । ତେଲ ନାହିଁ, ତେଣୁ ଭଲଭାବେ ଡିବି ବେଶି ସମୟ ଜଳିବାର ଆଶା ନାହିଁ । ସେ କୁଡ଼ିଆରେ ଦୁଇଦିନ ପୂର୍ବରୁ ସେ ଆସି ରହିଛି । କିଏ କେବେ ଆସି ରହିଥିଲା କେଜାଣି, ଡିବିଟିଏ ତା ପାଇଁ ସତେ ଯେପରି ଛାଡ଼ି ଯାଇଥିଲା ।

 

ନାରୀ ଦୁଇଜଣ ଶୋଇ ପଡ଼ିଛନ୍ତି । ଅଳ୍ପ ଡେଙ୍ଗୀ ଜଣକ, ଯେ ସ୍ୱାମୀଙ୍କଦ୍ୱାରା ପରିତ୍ୟକ୍ତା ହେବେ, ଚିତ୍‍ ହୋଇ, ସମ୍ପୂର୍ଣ୍ଣ ନିଶ୍ଚିନ୍ତ ହୋଇ । ନିଦ୍ରାବସ୍ଥାରେ ଶରୀରର ଅଙ୍ଗପ୍ରତ୍ୟଙ୍ଗର ଭାବଭଙ୍ଗୀରୁ ମଣିଷର ଆନ୍ତରିକ ବ୍ୟକ୍ତିତ୍ୱ କିଛି ଜଣାପଡ଼େ । ସୁରଥ ଜାଣିଲା ପରିତ୍ୟକ୍ତା ଯୁବତୀ ଜଣକ କେବଳ ନିଶ୍ଚିନ୍ତ ପ୍ରକୃତିର ନୁହନ୍ତି, ବଡ଼ ବେଶି ପୁଂଶ୍ଚଳୀ ମଧ୍ୟ । ସବୁ ଇଚ୍ଛା ତାଙ୍କର ପୂର୍ଣ୍ଣ ହେଉଥିବ ନିଶ୍ଚୟ । ଦ୍ୱିତୀୟ ନାରୀ ପ୍ରୌଢ଼ା, କାନ୍ଥଆଡ଼କୁ ମୁହଁ କରି ଶୋଇଥିଲେ, ତାଙ୍କର ସହିତ ସୁରଥ ପ୍ରଥମେ କଥାବାର୍ତ୍ତା ହୋଇଥିଲା । ବୟସ ଚାଳିଶ ପାଖାପାଖି ହେବ । ଦୁହେଁ କିନ୍ତୁ ଅଳଙ୍କାରରେ ଲଦି ହୋଇଥିଲେ । ଧନ୍ୟ କହିବ ନାରୀର ଅଳଙ୍କାର ପ୍ରତି ଲୋଭକୁ । ସୁମିତ୍ରା ସେହିପରି ଗୁଡ଼ାଏ ଅଳଙ୍କାର ଲଗାଇବାକୁ ଭଲ ପାଉଥିଲେ । ନାରୀ ଦୁହିଁଙ୍କର ଅଳଙ୍କାରକୁ ସୁରଥ ଚାହୁଁ ଥିବାବେଳେ କିପରି କେଜାଣି ଡିବିଟି ଦପ୍‍କରି ହୋଇ ଲିଭିଗଲା ।

 

ସକାଳ ହେବାର ସବୁ ଉପକ୍ରମ ଆକାଶରେ ବ୍ୟାପୀ ଗଲାଣି । ଘାଟୀର ବହୁ ଦୂରରେ, ପର୍ବତର ଏକ ଅସାଧାରଣ ପଥରେ ଯାଉଥିବା ବେଳେ ସୂର୍ଯ୍ୟଙ୍କ ଆଗମନର ସଙ୍କେତ ପାଇ ସୁରଥ ଭୂମିରେ ଆଣ୍ଠୋଇ ପଡ଼ି ବସିପଡ଼ିଲା । ଚକ୍ଷୁରୁ ତାର ଅନର୍ଗଳ ଅଶ୍ରୁ ବହି ଯାଉଥାଏ, ରୁଦ୍ଧ ବେଦନାରେ ଆକାଶକୁ ସମ୍ୱୋଧନ କରି ସେ ପଚାରିଲା—ପ୍ରାର୍ଥନା କଲା—

 

ସବୁ ରାତ୍ରିର ସକାଳ ଅଛି ପ୍ରଭୁ ତମ ସୃଷ୍ଟିରେ, ମୋର ରାତ୍ରିର ଅବସାନ ନାହିଁ ? ସବୁବେଳେ କଣ ପାପ କରୁଥିବି, ଗୋଟିଏ ପରେ ଗୋଟିଏ ? ଜାଣି ଜାଣି । ପ୍ରଭୁ, ମୋତେ ଅବସର ଦିଅ, ମୁଁ ଥରେ ହେଲେ ତୁମର କୃପା ପାଏ, ଭଲ ହେବାକୁ । ମୋତେ ତୁମେ କାହିଁକି ବାଧ୍ୟ କରୁଛ ମଣିଷ ପରେ ମଣିଷ ମାରିବାକୁ । ଅବସନ୍ନ ମୁଁ, ମୁଁ ଦୁଖୀ—ମୋତେ ପାପରୁ ମୁକ୍ତି ଦିଅ ! ଭଗବାନ... !

 

ସୁରଥର ପ୍ରାର୍ଥନାର ଗୁଞ୍ଜନ ବନଭୂମିରେ ଘୂରି ବୁଲୁଥିବା ବେଳେ ତେଣେ କୁଡ଼ିଆଟିରେ ଦୁଇଟି ନାରୀଙ୍କର ଅଳଙ୍କାର ଶୂନ୍ୟ ମୃତ ଦେହ ଚାରିପାଖେ ପିମ୍ପୁଡ଼ିଧାର ଲାଗିବା ଆରମ୍ଭ ହୋଇ ଯାଇଥାଏ ।

Image

 

ଶାଢ଼ୀ ଓ ଶରୀର

 

ମୁଁ ତୁମକୁ ପଚାରୁଛି, ସଂସାରରେ ସୁଖୀ ଲୋକ ଅଛନ୍ତି ? ନା, ସମସ୍ତେ ଅଭିନୟ କରୁଛନ୍ତି, ନିଜର ହଜାରେ ଜଳାପୋଡ଼ା କରୁଥିବା ଘା’କୁ ଲୁଚାଇବା ପାଇଁ ରେୟନ ସୁଟ୍‍ ବା ବାଙ୍ଗାଲୋର ସିଲ୍‍କ ଶାଢ଼ୀର ଅନ୍ତରାଳରେ ? ସତରେ କି ଆପ୍ରାଣ ଚେଷ୍ଟା ଲୋକଙ୍କର ନିଜକୁ ସୁଖୀ ବୋଲି ପ୍ରମାଣ ଦେବାକୁ, ନିଜକୁ normal ବୋଲି ଅନ୍ୟ ମନରେ ଧାରଣା ଦେବାକୁ ! ମୋର ରୋଗ ନାହିଁ, ମୋ ମନରେ କୌଣସି ପ୍ରକାର ବିକାର ନାହିଁ, Complexities, ଅବସେସନ୍‍ସ ସବୁଥିରୁ ମୁଁ ଶୂନ୍ୟ, ଘରେ ମୁଁ ଯାହା ଖାଇବା କଥା ଖାଏ, ଯାହା ପିଇବା କଥା ପିଏ; ଶାରୀରିକ, ମାନସିକ, ଆତ୍ମିକ ସବୁଆଡ଼ୁ ମୁଁ ପୂର୍ଣ୍ଣ....ତୁମେ ମୋତେ ଭୁଲ ବୁଝନି କେତନ, ବଡ଼ ଦାର୍ଶନିକ ତୁମେ, ଯୁକ୍ତିରେ ମୁଁ କଣ ତୁମକୁ କେବେ ପାରନ୍ତି କି ? କିନ୍ତୁ ବୁଝ, ବୁଝିବାକୁ ଚେଷ୍ଟା କର, ସଂସାରରେ ସୁଖ ନାହିଁ, ପ୍ରେମ ନାହିଁ ବୋଲି ମୁଁ କହୁନାହିଁ, ମୁଁ ଖାଲି କହୁଚି କେଉଁଠି ଅଛି ମୋତେ କହ, ଦେଖାଇଦିଅ । ସ୍ୱାମୀଟିଏ ରୋଗିଣୀ ସ୍ତ୍ରୀର ଶେଯ ପାଖରେ କେତେ ରଜନୀ ବିନିଦ୍ର କାଟି ଦେଇଛି, ପ୍ରାଣ ଦେଇଛି—, ଆହା କେଡ଼େ ଭଲ କଥା । ଶୁଣିବାମାତ୍ରେ ହୃଦୟରେ ପୁଲକ ଆସୁଛି, ସାତ୍ୱିକ ସୁଖର ଲହଡ଼ି ଅଙ୍ଗସାରା ଖେଳି ଯାଉଛି । କିନ୍ତୁ ଟିକିଏ ରହ, ରୋଗିଣୀ ସ୍ତ୍ରୀର ଶେଯ ପାଖରେ ବସି ସ୍ୱାମୀ କଣ କଣ ଚିନ୍ତା କରୁଥିଲା କହି ପାରିବ ? ସେପରି ତ ଯେ କୌଣସି ଲୋକକୁ ଟଙ୍କା ଦେଲେ ସେ ଦଶ ରାତି ଚେତା ରହି ତମର ସେବାଶୁଶ୍ରୂଷା କରିବାକୁ ରାଜି ହୋଇଯିବ, ନୁହେଁ ? ସ୍ତ୍ରୀଟିଏ ସ୍ୱାମୀକୁ ଭଲ ପାଇ ସ୍ୱାମୀର ଅନୁପସ୍ଥିତିରେ ମଧ୍ୟ ପ୍ରଲୋଭନରୁ ବଞ୍ଚି ରହୁଛି, ଶାରୀରିକ ସୁବିଧାରୁ ନୁହେଁ—ମାନସିକ ଆକର୍ଷଣ କଥା ମୁଁ କହୁଛି—କେଡ଼େ ଭଲ କଥା । ଶୁଣିବାମାତ୍ରେ ଅନ୍ତରାତ୍ମା ଉଲ୍ଲସିତ ହୋଇ ଉଠୁଛି । କିନ୍ତୁ ମୋତେ କହିଦିଅ ସେପରି ସ୍ତ୍ରୀ କିଏ, ତାର ପରିଚୟ ଦିଅ....ତୁମେ ହସୁଛ, ମୁଁ ସିନିକ୍‍, ମୁଁ ସ୍କେପଟିକ୍‍ ହୋଇଗଲିଣି ବୋଲି । ତୁମେ ହସ, ମୋର ଆପତ୍ତି ନାହିଁ । କିନ୍ତୁ ତୁମ ପାଖରେ ବସାଇ ଯେଉଁ ଆଦର୍ଶବାଦ ମୋତେ ତୁମେ ଶିଖାଇଥିଲ ତା ନିରାଟ ମିଛ, ଶୁଦ୍ଧ କଳ୍ପନା ବୋଲି ମୁଁ ଜାଣିସାରିଛି । ବହି ପଢ଼ି ନୁହେଁ, କାହାରିଠୁ ଶୁଣି ନୁହେଁ, ଅନୁମାନ ଆଉ ଶବ୍ଦକୁ ମୁଁ ପ୍ରମାଣ ବୋଲି ମାନୁନି । ପ୍ରତ୍ୟକ୍ଷ ଜ୍ଞାନ । ବୁଝିଲ, ପ୍ରତ୍ୟକ୍ଷ ଅନୁଭୂତି । ମୋର ଇନ୍ଦ୍ରିୟମାନେ ମୋତେ ଏ ସବୁ ବିଷୟରେ ପ୍ରତ୍ୟକ୍ଷ ଜ୍ଞାନ ଦେଇଛନ୍ତି । ଶରୀରରୁ ରକ୍ତ ନିଗାଡ଼ି ନିଗାଡ଼ି ମୁଁ ସତ୍ୟ ଶିଖିଛି, ଦେଖିଛି ଓ ଅନୁଭବ କରିଛି । ତୁମର ସେଠି କଣ ହୁଏ ମୁଁ ଜାଣେନା—କିନ୍ତୁ ତୁମ ଛଡ଼ା ଯଦି ଅନ୍ୟାନ୍ୟ ଲୋକ ସେଠି ଥିବେ ତାହେଲେ ଏଠି ଯାହା ଘଟୁଛି ସେଠି ଠିକ୍‍ ସେୟା ଘଟିଥିବ, ମୁଁ କଳ୍ପନା କରି ପାରୁଛି । ଗଭାରେ ଫୁଲପେନ୍ଥାକ ଲଗାଇ ଦେଉ ଦେଉ ତୁମେ ମୋତେ ହଠାତ୍‍ ତୁମ ଆଡ଼କୁ ବୁଲାଇ ନେଇ କହିଥିଲ—କୁମୁଦ, ଗୋଟିଏ ଅନୁରୋଧ କରିବି, ରକ୍ଷା କରିବ ?

 

ଅନୁରୋଧ ନିହାତି ଅପ୍ରତ୍ୟାଶିତ ଥିଲା । ଫୁଲ ଗୁଞ୍ଜୁ ଗୁଞ୍ଜୁ ହଠାତ୍‍ ଅନୁରୋଧ । ଚପଳ ଭୂମିକାରେ ଗାମ୍ଭୀର୍ଯ୍ୟର ଅବତରଣ । ମୁଁ ଆଶ୍ଚର୍ଯ୍ୟ ହୋଇ ଚାହିଁରହିଲି ।

 

ଆଦର୍ଶବାଦକୁ କେବେ ଭୁଲିଯିବନି । ଦୁନିଆର ଅନ୍ଧକାର ସହିତ କେବେ ସନ୍ଧି କରିଯିବନି । ଆମର ଉଦଘୋଷକୁ ସ୍ମରଣ ରଖିଥିବ—ସଂଘର୍ଷ, ଚିରନ୍ତନ ସଂଘର୍ଷ । ଜଗତରେ ଜଣେ କିଏ ରହିବ—ଆମେ ରହୁ ବା ଅନ୍ଧକାର ।

 

ମୁଁ ସ୍ୱୀକାର କରିଥିଲି । କାରଣ ତୁମର ସବୁ କଥାକୁ ସ୍ୱୀକାର କରିଯିବା ମୋର ଅଭ୍ୟାସରେ ପଡ଼ିଯାଇଥିଲା । ତୁମେ ନିଆଁକୁ ଡେଇଁବାକୁ କହିଥିଲେ, ମୁଁ ଭାବୁଛି, ମୁଁ ଡେଇଁ ପଡ଼ିଥାନ୍ତି । କିନ୍ତୁ ସେହି କ୍ଷଣକ ସ୍ୱୀକୃତି ଯୋଗୁ, ଆଦର୍ଶବାଦିନୀ ହୋଇ ରହିବାର ଚେଷ୍ଟା ଯୋଗୁ କେତେ କଷ୍ଟ ମୁଁ ପାଇଛି ଜାଣ, ତୁମେ ଜାଣ !!

 

ଆରେ ଦେଖ, କିପରି ଅମାନିଆ ହୋଇ ଲୁହଗୁଡ଼ାକ ଗଡ଼ି ପଡ଼ୁଛି, ଆଉ କୋହ ଉଠୁଛି-

 

ବାପାଙ୍କ କଥା ନ ମାନି ମୁଁ ଅବିବାହିତ ରହିଲି । ଅବିବାହିତ ରହିବାର କାରଣ ତୁମେ ବୁଝୁଥିବ । ଘରେ ବାଧ୍ୟ କରୁଥାନ୍ତି, ବାହାରୁ ପରାମର୍ଶ ଆସୁଥାଏ, ବନ୍ଧୁମାନେ ମନର କଥା ଜାଣିବାକୁ ଚେଷ୍ଟା କରୁଥାନ୍ତି । ମୁଁ.. କିନ୍ତୁ ମୋ ବିଚାରରେ ଅବିଚଳିତ ରହିଛି—ମୁଁ ବାହା ହେବିନି, ହେବିନି ।

 

ସମାଜ କଣ କହିବ ? ଜ୍ଞାତି ବନ୍ଧୁବାନ୍ଧବମାନେ କଣ କହିବେ ?

 

ସେମାନେ ମୋର ବ୍ୟବହାର, ଚରିତ୍ରକୁ ବିଚାର କରିବେ, ବିବାହ ସମ୍ୱନ୍ଧରେ ସେମାନଙ୍କର କିଛି କହିବାର ଅଧିକାର ନାହିଁ ।

 

ବାପା ଗମ୍ଭୀର ହୋଇ ଚାଲିଗଲେ । ବଡ଼ ମା ହେବେ ଜଣେ, ଖିଙ୍କାରି ହୋଇ ଆସି କହିଲେ—

 

—ଦାଣ୍ଡରେ ଯେତେବେଳେ ପାପଗର୍ଭ କରି ବୁଲିବୁ ?

 

(ମୁଁ ଆଉ ପାପଗର୍ଭ ! ତୁମର ଶିଷ୍ୟା, ତୁମର ପ୍ରେମିକାର ପାପଗର୍ଭ !! କିନ୍ତୁ କେତନ ଶୁଣ, ଶୁଣ ଆହୁରି କେତେ କଥା ଅଛି ।)

 

—ସେପରି ସମୟ ଆସିବନି । ତା ପୂର୍ବରୁ କୁମୁଦ ମରିଯିବ ।

 

—ଦେଖିବୁ ଲୋ, ଆମେ ବି ବେଳେ ଟୋକୀ ଥିଲୁ ।

 

ବିଭାଘର ବନ୍ଦ ହୋଇଗଲା, ଆଉ ମୁଁ ଶିକ୍ଷୟିତ୍ରୀ ହେବାପାଇଁ ଟ୍ରେନିଂ ନେଲି । ସେହି ଦିନୁ ମୋର ଦୁର୍ଦ୍ଦିନ ଆରମ୍ଭ ହେଲା । ଆଉ ବର୍ତ୍ତମାନ ସେହି ଦୁର୍ଦ୍ଦିନ ଓ ଦୁର୍ନାମର ଜାଲ ମୋର ଶରୀର, ମନ ଆଉ ଆତ୍ମାକୁ ଏପରି ଛନ୍ଦି ଦେଇଛି ଯେ ମୁକ୍ତିର ଆଉ କୌଣସି ସମ୍ଭାବନା ନାହିଁ—ସମୁଦ୍ରକୂଳରେ ମୁଁ ଏକ ବଡ଼ ମାଛ ହୋଇ ପଡ଼ିଛି, ଆଉ ଯିଏ ଆସୁଛି ସିଏ ମୋତେ ଦେଖି ଦେଇ ମୋ ଉପରେ ଟୀକା ଟିପ୍‍ପଣୀ କରି ଚାଲିଯାଉଛି । ଆଉ ଏସବୁ ମୂଳରେ ତୁମର ଆଦର୍ଶବାଦ, ତୁମେ !

 

ଦେଖ, ଦେଖ, ତୁମ କୁମୁଦ ଏପରି କେବେ ରାଗି ପାରୁଥିଲା ? କିନ୍ତୁ ଆଜି ଦେଖ, ଦି ମୁଠାରେ କିପରି ମୁଠେ ମୁଠେ ବାଲି । ଦୁର୍ଗାଙ୍କର ଶକ୍ତି ଯଦି ଥାନ୍ତା, ପୃଥିବୀ ପ୍ରଳୟ କରି ଦିଅନ୍ତି, ଧ୍ୱଂସ କରି ଦିଅନ୍ତି, ପୋଡ଼ି ଜାଳି ଦିଅନ୍ତି ।

 

ଆଚ୍ଛା, କୌଣସି ସ୍କୁଲର ଶିକ୍ଷୟିତ୍ରୀ ହେବା ମାନେ କଣ ସର୍ବସାଧାରଣଙ୍କ ସମ୍ପତ୍ତି ହୋଇଯିବା ? ତୁମେ ପରା କହିଥିଲ ସ୍ତ୍ରୀଲୋକମାନେ ଯଦି ବିବାହ ଛଡ଼ା ଆଉ କିଛି କରିବାକୁ ଚାହାନ୍ତି ତା ହେଲେ ଶିକ୍ଷୟିତ୍ରୀ ହୁଅନ୍ତୁ । ତୁମେ କିନ୍ତୁ ସେତେବେଳେ କଣ ଜାଣିଥିଲ, ଶିକ୍ଷୟିତ୍ରୀ ବୋଇଲେ ସାଧାରଣଙ୍କ କଣ ଧାରଣା । ସହରର ଶିକ୍ଷୟିତ୍ରୀ ସହରର ‘ନଗର—ବଧୂ’, ଛୋଟକାଟର ଆମ୍ରପାଲୀ । ସହରର ଯେତେଠି ଥଟ୍ଟା ତାମସା ହେବ ଆମକୁ କେନ୍ଦ୍ର କରି, ରୂପ ଚର୍ଚ୍ଚା ହେଲେ ହେବ ଆମରି । ସହରର କାନ୍ଥମାନଙ୍କରେ ଆମକୁ ନେଇ ଲୋକଙ୍କ ଅବ୍େସନ୍‌ସ, complexities, ଲିବିଡ଼ୋ ଟରପେଡ଼ୋ ପରି ଫୁଟିବ । ସତରେ କଣ ଆମେ ?

 

କହିଥିଲ ନା ତୁମେ, ଦୁଇ ଜଣ ଲୋକ କଥାବାର୍ତ୍ତା ହେଲାବେଳେ ସତ ଦୁଇଅଣା ଛାଡ଼ି ଦେଲେ ଆଉ ବାକୀ ଚଉଦଅଣା ମନଗଢ଼ା କଳ୍ପନା, ଦିବାସ୍ୱପ୍ନ, ଇଚ୍ଛା ପରିପୂରଣ, କାନମା ଓ ଅତିଶୟୋକ୍ତି ? କିନ୍ତୁ କେତେ ଲୋକ ସେକଥା ବୁଝନ୍ତି ? ଫଳରେ ହୁଏ ଅପବାଦର ସୃଷ୍ଟି, ଏକ ମହାଭୟଙ୍କର ଜାଲ, ଯାହା ଥରେ ଗୁଡ଼ାଇ ହୋଇଗଲେ ଆଉ ଫିଟେନା । ମୋତେ ନେଇ ସହରରେ କ’ଣ କ’ଣ କଥାବାର୍ତ୍ତା ହୁଅନ୍ତି ଲୋକେ, ତୁମେ ଜାଣ ? ଗୋଟିଏ ରାତିକୁ କୁଆଡ଼େ ମୁଁ ପଚାଶ ଟଙ୍କା ନିଏ । ଦୁଇଥର ମୋର ଗର୍ଭପାତ ହୋଇଛି ! ସବୁ ସତ୍ତ୍ୱେ ମୁଁ ଫ୍ରିଜିଡ଼୍‍, ପ୍ରେମ ଉଦାସିନୀ, ରୁଗ୍‍ଣା । ବିଶ୍ୱାସ କରୁଛ ? ....ତୁମର କୁମୁଦ ସେପରି କେବେ ହୋଇପାରେ? ପାଗଳିନୀଙ୍କ ପରି କଣ ମୁଁ ତୁମକୁ ପଚାରି ଯାଉଛି, ତୁମେ ତ ଅଶରୀରୀ, ସବୁ କଥା ଏକ ସମୟରେ ଦେଖୁଥିବ, ଶୁଣୁଥିବ । କୁହ, ମୋ ନାଁରେ ଘୂରି ବୁଲୁଥିବା ଅପବାଦ ସତ୍ୟ ?

 

ତୁମ ସଙ୍ଗରେ ବକି ବକି ମୋ ମୁଣ୍ଡ କଣ ହୋଇଗଲା । ଏଇ କେତେଦିନ ହେଲା ମୋ ଦେହ ଭଲ ରହୁନି । କେତେ ଯେ ଇଞ୍ଜେକ୍‍ସନ୍‍ ନେଲିଣି, କେତେ କିସମର ଔଷଧ ଖାଇଲିଣି ! ତୁମେ ଉଠିଯାଅନି, ମୁଁ ଟିକିଏ ଶୁଏ, ମୋ ପାଖରେ ତୁମେ ବସିରହ । ତୁମେ ଚାଲିଗଲେ ମୋତେ ଡର ଲାଗିବ । ଭୂତପ୍ରେତଙ୍କୁ ମୁଁ କେତେ ଡରେ ତୁମେ ଜାଣ ।

 

କିଏ ସେ, କିଏ ସେ ବେଳା ? ଅବଦୁଲ୍ଲା ସାହେବ ଡାକୁଛି ? କଣ କହୁଛି, ତିରିଶ୍‍ ଟଙ୍କା-? କହି ଦେ କୁମୁଦ ରାୟ କେବଳ ପଚାଶ ଟଙ୍କାରେ ଜଣକୁ ଗ୍ରହଣ କରେ ରାତିକ ପାଇଁ, ନହେଲେ ଅନ୍ୟ ଜାଗା ଦେଖନ୍ତୁ । ଆଃ, ବିରକ୍ତ କରନା, କାଲି ସକାଳୁ ସକାଳୁ କ୍ଳାସ ଅଛି । ...ବେଳା, ବେଳା, ଶୁଣୁନୁ, କଣ ମରିଗଲୁଣି କି, ପୁଅଟା ସେ ଘରେ କାନ୍ଦୁଛି, ତାକୁ ଟିକିଏ ତୁନିକରି ଦେଉନୁ । ବିସ୍କୁଟଦୁଇଟା ଦେଇଦେବୁ । ଆଉ ଦେଖ୍‍ ଝିଅକୁ ଭଲକରି ଘୋଡ଼ାଇ ଦେବୁ, ଯେଉଁ ମଶା ! କି ମଶା ଏ ସହରରେ କେଡ଼େ ଜଲ୍‍ଦି ମୁଁ ଭୁଲିଯାଏ ମ, ସେ ଅଫିସରଙ୍କ ବସାକୁ ଯିବାକୁ ଆଜି ତାଗିଦା ଥିଲା, ମୁଁ ବସି ରହି ବାରଆଡ଼ୁ କଣ ଭାବୁଛି ! କିନ୍ତୁ ଗୋଟିଏ କଥା...କିଛି ଯଦି ନ ଦିଏ । ହୁଁ, ମୁଁ କଣ ଖାଲି ଅର୍ଥ ପାଇଁ ଲାଳାୟିତ, ଅର୍ଥ ବେଶି ଲୋକ ବିରକ୍ତ କରି ପାରିବେନି ବୋଲି ଏକ ପ୍ରତିବନ୍ଧକ; ବାସ୍ତବରେ ଲୋଡ଼ା ବହୁ ଜନ, ବହୁ ବିଭିନ୍ନର ମାଧୁର୍ଯ୍ୟ... ।

 

ଓଃ, କେଡ଼େ ଜୋରରେ ନିଦଟା ଭାଙ୍ଗି ଗଲାମ । ଭୁସ୍‍ ଭୁସ୍‍ କରି ଲରିଟା ଚାଲିଯାଉଛି, ସେଇ ଯୋଗୁ ବୋଧେ । ଛାତିଟା ଧପ୍‍ ଧପ୍‍ ହେଉଛି ହଠାତ୍‍ ନିଦ ଭାଙ୍ଗି ଯିବାରୁ ।

 

ତୁମେ କେତନ ! ସେତିକିବେଳୁ ଏ ଯାଏଁ ବସିଛ ? ମୁଁ କେତେ ସମୟ ଶୋଇ ପଡ଼ିଲି-? ବହୁତ ସମୟ ? କଣ, ମୋଟେ ସାତ ଆଠ ମିନିଟ ହେବ । ହଁ ଆଜିକାଲିତ ସେହିପରି ହେଉଛି, ବାରମ୍ୱାର ନିଦ ଆସୁଛି କିନ୍ତୁ କେଉଁ ଥରକ ହେଲେ ଭଲ କରି ନୁହେଁ । ଶୋଇବା ପୂର୍ବରୁ ତୁମକୁ କଣ କହୁଥିଲି....ମୋ ଦୁଃଖ କଥା ?

 

କେତନ ?

 

କୁମୁଦ ଧଡ଼ପଡ଼ ହୋଇ ଶେଯରୁ ଉଠି ବସିଲେ । ମୁହଁ ତାଙ୍କର ଆଶଙ୍କାରେ ପରିପୂର୍ଣ୍ଣ, ଆୟତ ଚକ୍ଷୁ ଦୁଇଟି ବଡ଼ ବଡ଼ ।

 

ଶୋଇ ପଡ଼ । ଏତେ ଉତ୍‍କଣ୍ଠିତ ହୁଅନି । ଦେହ ଖରାପ ହେବ ।

 

କେତନ ? ଶୋଇଥିବା ଅବସ୍ଥାରେ ମୁଁ କଣ ପ୍ରଳାପ କରୁଥିଲି ? ବକୁଥିଲି ? କିଛି କହୁଥିଲି ?

 

କିଛି ନୁହେଁ, ଶୋଇ ପଡ଼ ।

 

କିଛି ସମୟ ପାଇଁ ନୀରବତା । କୁମୁଦ ଯେପରି କିଛି ଭାବୁଥିଲେ ।

 

କେତନ ! କେତନ !

 

ହଠାତ୍‍ ଆର୍ତ୍ତ ଚିତ୍କାରରେ ଚାରିଆଡ଼ ଥରିଗଲା ।

 

କେତନ ! ଚାଲିଯାଅନି । ଫେରିଆସ । ପ୍ଳିଜ୍‍ ଫେରିଆସ । ଶୋଇଥିବା ଅବସ୍ଥାରେ ମୁଁ ଯାହା କହିଥିଲି ସବୁ ମିଛ, ସବୁ ମିଛ । ମୋତେ ସନ୍ଦେହ କରନା । ମୁଁ ତୁମର, ତୁମର । ମୁଁ କଳୁଷିତା ନୁହେଁ, ବ୍ୟଭିଚାରିଣୀ ନୁହେଁ । ସ୍ୱପ୍ନକଥା କଣ କେବେ ସତ ! ସ୍ୱପ୍ନରେ କଣ ବକି ଯାଇଥିବି । ଫେରିଆସି, ପ୍ଳିଜ୍‍ ।

 

ଶୋଇପଡ଼, ଶୋଇପଡ଼ ।

 

ମାନସିକ ଚିକିତ୍ସାଳୟର ଗୋଟିଏ କୋଠରୀରେ ରୋଗିଣୀଟିଏକୁ ଜଣେ ଡାକ୍ତର ଶୁଆଇ ପକାଇବାକୁ ଚେଷ୍ଟା କରୁଥିଲେ ।

 

ଦୁଇଥର ଗର୍ଭପାତ ପରେ ମାନସିକ ବିକୃତିର ଚିକିତ୍ସା ପାଇଁ ରୋଗିଣୀ ହାସପାତାଳକୁ ଆସିଥିଲା ।

Image

 

ଅନାବୃତ

 

ହଠାତ୍‍ ତା ରୁମ୍‍ର କବାଟକୁ କିଏ ଧଡ଼୍‍ ଧଡ଼୍‍ କଲା । ରାଜେନ୍ଦ୍ର ଦଉଡ଼ା ଖଟଉପରେ ଆତଙ୍କିତ ହୋଇ ବସି ପଡ଼ିଲା—ସଚକିତ ତାର ଦୃଷ୍ଟି, ବିସ୍ଫାରିତ ତାର ନେତ୍ର, ଦୁଆରର ସାନ୍ଧ୍ରତା ଭେଦି ସତେ ଯେପରି ଆରପଟେ ହେଉଥିବା କଥା ସବୁକୁ ସେ ଦେଖି ପାରିବ । ହୃଦୟର ସ୍ଫନ୍ଦନ ବଢ଼ି ଚାଲିଛି, ସମସ୍ତ ଶରୀରରେ ରୋମାଞ୍ଚ ।

 

କିଏ ?

 

ରୁମ୍‍ ଭିତରେ ମଶା କାମୁଡ଼ିବେନି ବୋଲି ହୋଟେଲ୍‍ର ଫ୍ୟାନ୍‍କୁ ସେ ଖୋଲି ଦେଇଛି । ଘର୍‍ ଘର୍‍ ଶବ୍ଦର ଅବିରାମ ଗହଳିରେ କିଏ ? ସମ୍ୱୋଧନ ତାର ଖୁବ୍‍ ଜଲ୍‍ଦି ବୁଡ଼ିଗଲା, ପାଣିରେ ଅଙ୍କା ଗାର ପରି କି ଶୂନ୍ୟରେ ଅଙ୍କା ଚିତ୍ର ପରି । ଅପେକ୍ଷା କଲା ସେ ଶରୀରକୁ ସହସ୍ର କାନରେ ପରିଣତ କରି ଦେଇ ସେହି କେତେକ୍ଷଣ—ଛୋଟ ବଡ଼ ସବୁ ଶବ୍ଦକୁ ଗୋଟାଇ ନେବାକୁ ସେ ପ୍ରସ୍ତୁତ ଥିଲା ଯେପରି ।

 

ଫ୍ୟାନ୍‍ର ଘର୍‍ ଘର୍‍ ଶବ୍ଦ ଛଡ଼ା ଆଉ କିଛି ଶୁଣାଯାଉନି । ଅବୟବର ଉତ୍ତେଜନା ଶିଥିଳ ହୋଇ ଆସିଲା । ମନକୁ ମନ କେହି ନୁହେଁ, କେତେ ଭୟ କରୁଛି ସେ କହି ରାଜେନ୍ଦ୍ର ଖଟ ଉପରେ ଗଡ଼ି ପଡ଼ିଲା । ଦଉଡ଼ା ଖଟ ଉପରେ ସେ ବେଡ଼ିଂକୁ ମେଲାଇ ଦେଇଛି । ଅଳ୍ପ ଓସାରର ଜଣିକିଆ ବେଡ଼ିଂ—ମଝିରେ ମଝିରେ ଚମଡ଼ା ସହିତ କଣ୍ଟା ଲାଗିଛି, ବେଡ଼ିଂକୁ ବୁଜିଲା ବେଳେ ଭଲ ଭାବେ ବୁଜି ହେବ ବୋଲି । ବେଡ଼ିଂର ଦୁଇ ପଟ ଗାମୁଛା, ବହି, ଢାଳ ଇତ୍ୟାଦି ଯୋଗୁଁ ଫୁଲି ଉଠିଛି ବେଶି-। ଉଚ୍ଚ ତକିଆରେ ସେ କେବେ ମୁଣ୍ଡ ଦେଇ ଶୁଏନି । କିନ୍ତୁ ବେଡ଼ିଂର ମୁଣ୍ଡ ପାଖ ସୀମାନ୍ତ ଦୁଇ, ତିନୋଟି ତକିଆ ମୋଟାଠୁଁ ବଡ଼ ହୋଇଛି । ଆଉ ସେ ସେଇଥିରେ ମୁଣ୍ଡ ଦେଇ ଶୋଇଛି । ଗୋଟିଏ ରାତ୍ରି ବୋଲି ସେ କିଛି ମନେ କରିନି । ତଥାପି ବେକକୁ କାଟୁଛି ।

 

ସେଇଥିପାଇଁ ସେ ଘର ଛାଡ଼ି କୁଆଡ଼େ ଯାଏନି । କଣ ଦରକାର ବାବା ଜାଜାବର ପରି ଏତେ ବୁଲିବା ! କିନ୍ତୁ ପରିସ୍ଥିତି ! ଭାଗ୍ୟ ! ଆସିବାକୁ ହୋଇଛି ତାକୁ ସେହି ଅପରିଚିତ ସହରକୁ । ଷ୍ଟେସନଠୁଁ ଚଢ଼ିବାବେଳୁ ତାର ଛାତି କାହିଁକି ଦବି ଦବି ଯାଇଛି । ଯିବା ତାର ବନ୍ଦ ହୋଇଯାନ୍ତା ହେଲେ, କିଛି ଅଲୌକିକ ଘଟଣା ଘଟନ୍ତା, ଦାସିଆ ବାଉରୀ ହାତରୁ ଜଗନ୍ନାଥେ ନଡ଼ିଆ ଖାଇଲା ପରି, ବା ପୁଅ ମୁଣ୍ଡ କାଟି ରାନ୍ଧିବା ପରେ ପୁଅ ପୁଣି ଫେରି ଆସିବା ପରି । ଦୂର ସହରକୁ ଯାତ୍ରା ପୁଣି ଏକ ବିରାଟ ଟ୍ରଙ୍କ୍ ସହିତ ! ଏତେ ବଡ଼ ଟ୍ରଙ୍କ୍‌ ! କୁଲି ହଇରାଣ କରିବ—କେତେ ମାଗିବ କେଜାଣି—ଅଚିହ୍ନା ସହରର ଅଚିହ୍ନା କୁଲି—ଭୀମକାୟ ଶରୀର—ଦାଢ଼ିମୁଚ୍ଛ—ବଡ଼ ସହରର କୁଲି ବୋଲି ନିଜକୁ ଭାରୀ ଚାଲାଖ୍‍ ମନେ କରୁଥିବ । ଟିକିଏ ବେଶି ପଇସା ନେଇଯିବା ପରେ ପଛରେ ଆଖି ମରାମରି ହୋଇ ନିଶ ସାଉଁଳିବେ—ନିପଟ ମଫସଲି ଥିଲା । ଟ୍ରେନ୍‍ ରେ ଏହି ସବୁ ଦୁଶ୍ଚିନ୍ତା ଯୋଗୁ ଶୋଇବାକୁ ଚେଷ୍ଟା କରି ମଧ୍ୟ ରାଜେନ୍ଦ୍ର ଶୋଇ ପାରିଲାନି ।

 

ବାରଟା ବେଳେ ଗାଡ଼ି...ଷ୍ଟେସନରେ ପହଞ୍ଚିଲା । ଗାଡ଼ି ଷ୍ଟେସନ୍‍ରେ ପୂରା ସ୍ଥିର ନ ହେଉଣୁ କୁଲି, କୁଲି ବୋଲି ସେ ଝରକାରେ ମୁହଁ ଗଳାଇ ହାଉଳି ଖାଇବାକୁ ଲାଗିଲା । କୁଲି, କୁଲି, କୁଲି—ଗାଡ଼ିର ଅନ୍ୟାନ୍ୟମାନେ ମଧ୍ୟ କୁଲିକୁ ଡାକୁଥିଲେ । କିନ୍ତୁ ଏ କ’ଣ ! କୌଣସି କୁଲି ତା ପାଖକୁ ଆସୁ ନାହାନ୍ତି । ଯିଏ ଗାଡ଼ି ଭିତରକୁ ଆସୁଛନ୍ତି ସେ ଅନ୍ୟ ଲୋକର ସାମାନ୍‍ ଧରି ଚାଲି ଯାଉଛନ୍ତି । କେହି ତାର ଜିନିଷ ନେବେନି କି ? ଏହିପରି ହେଉ ହେଉ ଗାଡ଼ି ତ ଛାଡ଼ି ଦେବ ! ସାହାସ କରି ରାଜେନ୍ଦ୍ର ଗୋଟିଏ କୁଲିର ହାତକୁ ସ୍ପର୍ଶ କରି ଡାକିଲା । ଦୁସରା କୁଲି ଦେଖିଏ, ଏ କଥା କହିବା ବେଳେ ସେ ହସି ଦେଇଥିଲା କି କଣ ନିଷ୍ପ୍ରଭ ମୁହଁରେ ହଉ କହି ରାଜେନ୍ଦ୍ର ବୁଲି ପଡ଼ିଲା—ଭୋ କରି କାନ୍ଦିବାକୁ ଇଚ୍ଛା ହେଉଥିଲା ତାର ।

 

ଦୁଆରେ ଏଥର ଜୋରରେ କରାଘାତ । ଚମକିଲା ପରି ରାଜେନ୍ଦ୍ର ବସିଲା । ନିଶ୍ଚୟ କିଏ ଡାକୁଛି । କି ଦୁର୍ଦ୍ଦିନରେ ସେ ଘରଛାଡ଼ି ଆସିଥିଲା ।

 

ବାରଟା ରାତି—ଦୋକାନବଜାର ବନ୍ଦ ହୋଇଯାଇଛି । କେଉଁ ଗଳିରେ ରିକ୍‍ସାବାଲା ନେବ କୁଆଡ଼େ ଯାଇ ପହଞ୍ଚିବ କିଛି ଠିକଣା ଅଛି ? ରାସ୍ତା ବତୀ ଗୁଡ଼ିକରୁ ବଲ୍‍ବଗୁଡ଼ିକ ନିଷ୍ପ୍ରଭ ଦୃଷ୍ଟିରେ ସବୁଆଡ଼କୁ ଦେଖୁଥାଆନ୍ତି । ଗଳା ପରିଷ୍କାର କରି ରାଜେନ୍ଦ୍ର କହିଲା—

 

ଭଲ ଅଥଚ ଶସ୍ତା ହୋଟେଲ୍‍ ଦେଖି ଚାଲ୍‍ ।

 

ଠିକ୍‍ ହୈ, ଘବରାଇଏ ମତ୍‍ ।

 

ଘବରାଇଏ ମତ୍‍ !! ଆରେ, ରିକ୍‍ସାବାଲା ବି ତା’ର ମନକଥା ଜାଣି ପାରୁଛି । ଦାନ୍ତ ଚିପିଲା ରାଜେନ୍ଦ୍ର ।

 

ରାଜପଥରେ ଅନେକ ଦୂର ଯିବା ପରେ ଦୁଇ ତିନୋଟି ଗଳି ଟପି ଗୋଟିଏ ଦୋମହଲା କୋଠା ପାଖରେ ରିକ୍‍ସା ଠିଆ ହେଲା । ଅନୁଜ୍ଜ୍ୱଳ ବଲ୍‍ବ, ହୋଟେଲର ଚାରିଆଡ଼େ ଆତଙ୍କ, ସତ୍ୟାନାଶ ଓ ଅମଙ୍ଗଳର ସଙ୍କେତ ଦେଉଥାଆନ୍ତି । ଖଲି ପତରର କୁଢ଼, ଛେଳି ହାଡ଼ ଓ ଅନ୍ୟାନ୍ୟ ଆବର୍ଜନା ହୋଟେଲ ଭିତରକୁ ପଶିବା ବାଟରେ ହୋଇଥାଏ । ରାଜେନ୍ଦ୍ର ଓହ୍ଲାଉ ଓହ୍ଲାଉ ରିକ୍‍ସାବାଲା କହିଲା—ହମ୍‍କୋ ଛୁଟି ଦିଜିଏ ବାବୁଜୀ ।

 

କିତ୍‍ନା ଲୋଗେ ?

 

ଚାର୍‍ ରୂପୟା ।

 

ଏଁ ? ଛ ଅଣା ପଇସାର ବାଟକୁ ଚାରି ଟଙ୍କା ! ରାଜେନ୍ଦ୍ର ଭୟରେ ଭୟରେ ଯୁକ୍ତିତର୍କ କରିବାକୁ ଆରମ୍ଭ କଲା । ଏତେ କମ୍‍ ବାଟକୁ ଏତେ ପଇସା ! ଅସମ୍ଭବ ! ଏହି ସମୟରେ ଜୋତା ଠକ୍‍ ଠକ୍‍ ଠକ୍‍ କରି ହୋଟେଲର ମ୍ୟାନେଜର ତଳକୁ ଆସି (ଲୋକଟା କୋଠା ଉପରୁ ତଳକୁ ଚାହିଁଥିଲା ନା କଣ ! ତାର ଖୁବ୍‍ ଛୋଟ ଛୋଟ ଆଖି ଓ ଉପର ଭ୍ରୂଲତା ପାଖରେ ଏଭରେଷ୍ଟ ଶୃଙ୍ଗ ପରି କପାଳର ଉଠାଣ) ମଧ୍ୟସ୍ଥ ହୋଇ କହିଲା ତିନିଟଙ୍କା ଦେଇ ଦିଅନ୍ତୁ । ଏତେ ରାତିରେ ଆସିଛି ।

 

ମ୍ୟାନେଜରକୁ ଦେଖିବା ମାତ୍ରେ ଗୋଟିଏ କଥା ରାଜେନ୍ଦ୍ର ମୁଣ୍ଡରେ କାହିଁକି ବାରମ୍ୱାର ଆବୃତ୍ତି ହେବାକୁ ଲାଗିଲା । ଭୁଲ କରିଛି ସେ ଏ ହୋଟେଲକୁ ଆସି, ଭୁଲ କରିଛି, ଭୁଲ କରିଛି । ଫେରିଯିବ କି ? କିନ୍ତୁ ଆଉ କିପରି ଫେରିଯିବ !

 

ଜିନିଷପତ୍ର ସହ ସିଡ଼ିରେ ଚଢ଼ୁଥିବା ବେଳେ ପଛରେ ଶୁଣିଲା—ରିକ୍‍ସାବାଲା କହୁଚି—ବାବୁ, ଆଚ୍ଛା ବକ୍‍ରୀ ଲାୟା ହୈ । କମିଶନ୍‍ ଦିଜିଏ ।

 

ରାଜେନ୍ଦ୍ରର କଲିଜା ସୁଦ୍ଧା ଥରିଗଲା ।

 

ହୋଟେଲର ଘର—ଛୋଟିଆ ଛୋଟିଆ ପାରାଘର ପରି ବଖରା ଗୁଡ଼ିକ । ଦଉଡ଼ା ଖଟ ଗୋଟେ, ଟେବୁଲଟିଏ—ଗୋଟିଏ ବଡ଼ ହଲ୍‍କୁ ସରୁ ସରୁ ପାତଳା କାନ୍ଥଦ୍ୱାରା ସେହି ସବୁ ଛୋଟିଆ ଛୋଟିଆ ରୁମ୍‍ ରେ ପରିଣତ କରାଯାଇଛି । ସବୁ ରୁମ୍‍ ରେ ଫ୍ୟାନ୍‍ ।

 

ଶୋଇବାର କିଛି ସମୟ ହେବ, ଫ୍ୟାନ୍‍ ବୁଲିବାରୁ ଫର୍‍ଫାର୍‍ କଣ ଗୁଡ଼େ ରୁମ୍‍ ରେ ଉଡ଼ିବାକୁ ଲାଗିଲେ—ଶେଯ ମଧ୍ୟ କଣ୍ଟାପରି ଲାଗିଲା ରାଜେନ୍ଦ୍ର ବ୍ୟସ୍ତ ହୋଇ ଲାଇଟ ଲଗାଇ ବେଡ଼ସିଟ୍‍କୁ ଚାହିଁଦେବା ମାତ୍ରେ ତା ପାଟିରୁ ଅନାୟସରେ ବାହାରି ପଡ଼ିଲା—ଓଃ ।

 

ପ୍ରାୟ ତିରିଶ୍‍ ପଇଁ ତିରିଶ୍‍ ହେବ ଛାରପୋକ ଶେଯ ମଝିରୁ ଜଲଦି ଜଲଦି ଶେଯକଡ଼କୁ ପଳାଇ ଯାଉଥିଲେ । କାନ୍ଥରେ ଚାରିପାଞ୍ଚଟା ଅସରପା ।

 

କାଲି ପରୀକ୍ଷା—ସାରା ଭାରତର ଛାତ୍ରମାନଙ୍କ ସହ ପ୍ରତିଯୋଗିତା । ଭଲ ନିଦ ଆଜି ହୋଇଥିଲେ କାଲି ଯାହା ହୋଇଥାନ୍ତା । କଣ କରିବ ସେ ରୁମ୍‍ ଭିତରେ ଟେବୁଲ, ଚଉକି, ଖଟ ସବୁ ଜାଗା ମାଡ଼ି ବସିଛନ୍ତି । ତଳେ ଗଡ଼ିପଡ଼ିବାକୁ ବି ଜାଗା ନାହିଁ । ଖଟ ଉପରେ କିପରି ଶୋଇବ-। ଜାଣୁଥିବ ଓଡ଼ଶମାନେ କିପରି ରକ୍ତ ଶୋଷୁଛନ୍ତି—ଶୋଇ ପାରିବ ସେ । ହ ନିଦ ହୋଇଯିବା ପରେ ଖାଇଥାନ୍ତେ ତା ହେଲେ ଭିନ୍ନକଥା—କି ଦୁର୍ଯ୍ୟୋଗ ।

 

ଓଡ଼ଶଗୁଡ଼ାକ ଖଟ କଡ଼କୁ ଯାଇ ଲୁଚି ସାରିଥାନ୍ତି । ରାଜେନ୍ଦ୍ର ଲାଇଟ୍‍ ଲିଭାଇ ଖଟ ଉପରକୁ ଗଲା । ଅନ୍ଧାରକୁ ଚାହିଁଥାଏ । ବୋଧେ ଓଡ଼ଶମାନେ ମଧ୍ୟ ଅନ୍ଧାର ହୋଇଗଲା ବୋଲି ଜାଣି ସାରିବେଣି । ଏକ ଦୁଇ...ଫ୍ୟାନ୍‍ର ସର୍‍ ସର୍‍ । ଛାରପୋକମାନଙ୍କର ବୁଦ୍ଧି ଅଛି । ଧର ଭଲ ଜାଗା ଭାବି, ବେଶି ଅନ୍ଧାରିଆ ଜାଗା ଭାବି ନାକ କି କାନ ଭିତରେ ଯଦି ଗୋଟେ କି ଦୁଇଟା ପଶିଯାନ୍ତି ! ଧଡ଼୍‍କିନା ରାଜେନ୍ଦ୍ର ଉଠି ବସିଲା । କିନ୍ତୁ ତୁଳା ପାଇବ କୋଉଠୁ କାନରେ ଦବାକୁ । ନା, ସେହିପରି ଶୋଇପଡ଼ିବ ।

 

ଟିକିଏ ଉଠିଲେ—ବାହାରୁ ଏଥର ଜୋରରେ ଶୁଭିଲା ।

 

ଏଥରକ ସନ୍ଦେହ ନାହିଁ ନିଶ୍ଚୟ କେହି ଜଣେ ଡାକୁଛନ୍ତି । ରାଜେନ୍ଦ୍ର ଲାଇଟ୍‍ ଲଗାଇ ଦୁଆର ଖୋଲିଲା । ବାରଣ୍ଡାରୁ ଆଲୁଅ ଲଭିଯାଇଛି, ରୁମ୍‍ର ଆଲୋକରେ ଯାହା କିଛି ତାହା ଆଲୋକିତ ହେଉଥିଲା ।

 

ଆପଣଙ୍କ ସୁରାଇରେ ପାଣି ଥିବ । ଅନୁଗ୍ରହ କରି ଗ୍ଳାସେ ପାଣି ଦେବେ ?

 

କିଏ, ଚିତ୍ରା !

 

ରାଜେନ୍ଦ୍ରବାବୁ !!

 

ତୁମେ !

 

ଆପଣ !

 

ଆସ ଆସ ଭିତରକୁ ଆସ ।

 

ଏଠି କିପରି ?

 

ଚିତ୍ର ଯାଇ ଚଉକିରେ ବସିଲେ, ରାଜେନ୍ଦ୍ର ଖଟ ଉପରେ ।

 

ଓଃ, ଈଶ୍ୱରଙ୍କୁ ସହସ୍ର ସହସ୍ର ଧନ୍ୟବାଦ । ମୁଁ ବଞ୍ଚିଗଲି । ଆପଣ ନ ଥିଲେ ସତ କହୁଛି ଡରି ଡରି ମୁଁ ମରି ଯାଇଥାନ୍ତି । ମୁଁ ତ ରାତିସାରା ଏହି ରୁମ୍‍ ରେ ରହିବି ଆପଣଙ୍କ ପାଖରେ । ଆପଣ ତଡ଼ିଲେ ବି ଯିବିନି ।

 

ତୁମେ କିନ୍ତୁ କହୁଥିଲ ଆଈ. ଏ. ଏସ୍‍. ପରୀକ୍ଷା ଦବନି ବୋଲି ।

 

ଘରେ ଠେଲିପେଲି ପଠାଇଲେ, ଆଉ କଣ କରନ୍ତି । ଆପଣ ଏ ହୋଟେଲରେ ଅଛନ୍ତି ବୋଲି ଜାଣିଥିଲେ ମୁଁ ଏତେ ଡରି ନଥାନ୍ତି ।

 

ମୁଁ ତ ଆଜି ଆସିଲି ।

 

ମୁଁ ସକାଳୁ ଆସିଲିଣି । ବାବା କି ହୋଟେଲ ଏ !

 

ଡରିବାର କଣ ଅଛି ? ଏତେ ଡରିବ ଯଦି ପୁଣି ଆଇ. ଏ. ଏସ୍‍. ଅଫିସର କଣ ହବ ?

 

ଆମେ ଝିଅପିଲା ବହୁତ ଡରୁ । ବଡ଼ ଆଶ୍ଚର୍ଯ୍ୟ ଲାଗେ ଆପଣମାନଙ୍କ ଧୈର୍ଯ୍ୟ ଓ ସାହସ ଦେଖିଲେ ।

 

କେବେ ଆଗରୁ ଘରଛାଡ଼ି ବାହାରକୁ ଆସି ନ ଥିଲ ବୋଧେ !

 

ନା ।

 

ସେଇଥି ପାଇଁ ।

 

ଆପଣ ?

 

ମୁ ମଧ୍ୟ ପ୍ରଥମ କରି ଆସୁଛି, ତେବେ ସବୁଠି ତ ଆମରି ଭଳିଆ ମଣିଷ ଅଛନ୍ତି, ଛାନିଆ ହେବାର କଣ ଅଛି ?

 

ଅଚିହ୍ନା ଲୋକ ଦେଖିଲେ ଭୟ ଲାଗେ ନା ?

 

ଭୟ କାହିଁକି ଲାଗିବ ? କଣ ସେମାନେ କରିବେ ?

 

ସୁନ୍ଦର ହସ ହସିଲା ରାଜେନ୍ଦ୍ର, ମଲ୍ଲୀକଢ଼ ପରି ତାର ଦାନ୍ତ ।

 

ହୁଏତ ସେମାନେ ଆମକୁ ଦେଖି ଛାନିଆ ହେଉଥିବେ । ତୁମେ ଏତେ ଡରକୁଳୀ ବୋଲି ମୋର ଧାରଣା ନ ଥିଲା । ସେଇଥିରେ କଲେଜ ଇଉନିଅନର ପ୍ରେସିଡେଣ୍ଟ୍ ।

 

ଛାଡ଼ନ୍ତୁ ସେ କଥା, ଆପଣ ଶୋଇବେ ?

 

ହଁ, ନ ଶୋଇଲେ କିପରି ଚଳିବ । କାଲି ପରୀକ୍ଷା ।

 

ଓଃ ! ତା ହେଲେ ଆପଣ ଶୁଣନ୍ତୁ, ମୁଁ ଚଉକିରେ ବସିଛି ।

 

ନା, ନା କାଲି ପରୀକ୍ଷା, ତୁମେ ରାତିସାରା ଅନିଦ୍ର ରହିବ ? ଚାଲ, ମୁଁ ତୁମକୁ ଛାଡ଼ି ଆସେ ତୁମ ରୁମରେ ।

 

ପ୍ଳିଜ୍‍ ରାଜେନ୍ଦ୍ର ବାବୁ, ରାତିରେ ମୋ ରୁମରେ ମୋତେ ଏକୁଟିଆ ରହିବାକୁ କୁହନ୍ତୁନି ।

 

କିନ୍ତୁ ତୁମକୁ ମୋ ରୁମରେ ଦେଖିଲେ କିଏ କଣ ଭାବିବ କହିଲ ? ଧର ହଠାତ୍‍ କିଏ ଉଠି ପଡ଼ିବ ହୋଟେଲର ଚାକରବାକରଙ୍କ ମଧ୍ୟରୁ ।

 

ଯିଏ ଯାହା ଭାବୁ ପଛେ ।

 

ଚିତ୍ରା ଅବୁଝା ହୁଅନି । ରାଜେନ୍ଦ୍ର ଉଠି ଠିଆହେଲା । ଚିତ୍ରା ଉଠୁ ନ ଥିଲା, ରାଜେନ୍ଦ୍ର ତାର ହାତକୁ ଧରି ଉଠାଇଲା ବାଧ୍ୟ କରି ।

 

ରାଜେନ୍ଦ୍ର ବାବୁ ପ୍ଳିଜ୍‍...

 

ନୋ, ନୋ, ନୋ...

 

ଚିତ୍ରାକୁ ନେଇ ତା ରୁମ୍‍ ରେ ଛାଡ଼ି ଦେଇ ଆସୁଥିବା ବେଳେ ଆକସ୍ମିକଭାବେ ରାଜେନ୍ଦ୍ରର ଦୃଷ୍ଟି ପଡ଼ିଗଲା ଟେବୁଲ୍‍ ଉପରେ ଟିକ୍‍ ଟିକ୍‍ କରୁଥିବା ‘ଜାଜ୍‍’ ଘଡ଼ି ଉପରେ । ଛାତି ଧକ୍‍କିନା ରହିଗଲା ରାଜେନ୍ଦ୍ରର । ମାତ୍ର ତିନିଟା ବାଜିଛି । ଆହୁରି ଦୁଇ ଘଣ୍ଟା ଅଛି, ରାତ୍ରି ପାହିବାକୁ-! ଆହୁରି ଦୁଇ ଘଣ୍ଟା । ନିଷ୍ପଲକ ହୋଇ ତା ଆଖି ଟେବୁଲ୍‍ ଉପରେ ଲାଖି ରହିଲା । ତ୍ରସ୍ତା ଚିତ୍ରା ଖଟ ଉପରେ ବସି ତାକୁ ଚାହିଁ ରହିଥିଲା ବେଧେ । କଣ କହିବାକୁ ଚାହୁଁଛି ସେ । ହଠାତ୍‍ ବୁଲିପଡ଼ି ରାଜେନ୍ଦ୍ର ଚଉକି ଉପରେ ବସି ପଡ଼ିଲା—ଦେଖୁଛି, ଟେବୁଲ୍‍ ଉପରେ ବହୁତ ପ୍ରକାରର ବହି ଗଦାଇଛ । କି ବହି ସେ ସବୁ ?

 

ଏ ସବୁ ବହି ତ ଆପଣଙ୍କ ପାଖେ ଅଛି ।

 

ମୋର ? ନା ।

 

ରାଜେନ୍ଦ୍ର ଟେବୁଲ୍‍ ଉପରେ ଥିବା ବହିକୁ ଖେଳେଇବାକୁ ଲାଗିଲା—ଆରେ ବାଃ, ଏ ସବୁଥିରୁ କୌଣସି ବହି ମୋପାଖରେ ନାହିଁ ।

 

ଗୋଟିଏ ବହି ନେଇ ରାଜେନ୍ଦ୍ର ତାକୁ ପଢ଼ିବାକୁ ଆରମ୍ଭ କଲା । ଯେପରି ପଢ଼ିବାରେ ତାର ଆଗ୍ରହ ନାହିଁ, ଖାଲି କୌତୂହଳ ଯୋଗୁ ସେ ପଢ଼ୁଛି । ତା ଆଡ଼କୁ ଚିତ୍ରା ଚାହିଁଥିବା ସେ ଅନୁଭବ କରୁଥାଏ । ରାଜେନ୍ଦ୍ର ସେ ବହି ରଖି ଦେଇ ଆଉ ଗୋଟିଏ ବହି ଉଠାଇଲା....ପୁଣି କିଛିକ୍ଷଣ । ତା ପରେ ଆଉ ଗୋଟିଏ ବହି...ଆଉ କିଛିକ୍ଷଣ...ଆଉ ଗୋଟେ...ଆଉ କିଛି କ୍ଷଣ...ହଠାତ୍‍ ରାଜେନ୍ଦ୍ରର ମନେ ହେଲା ବହୁ ସମୟ ଯାଏଁ ଚିତ୍ରା ତାକୁ ପଦେ ହେଲେ କଥା ନ କହି ସେହିପରି ବସିରହିଛି । ବୁଲି ଚାହିଁଲା ସେ—ଦୁଆର ମେଲା ଥିଲା । ଆକାଶର ସବୁଆଡ଼େ ସକାଳର ଆଲୋକ—ଚିତ୍ରା ଖଟ ଉପରେ ନିଶ୍ଚିନ୍ତ ହୋଇ ଶୋଇଯାଇଛି—କେତେବେଳଠୁ କେଜାଣି ।

 

ଆଶ୍ୱସ୍ତିର ଏକ ଦୀର୍ଘନିଃଶ୍ୱାସ ଛାଡ଼ି ରାଜେନ୍ଦ୍ର ଦୁଆର ଆଉଜାଇ ଆଣି ଅଳସ ପଦରେ ତା ରୁମ୍‍କୁ ଫେରି ଆସିଲା ।

Image

 

ଏକାନ୍ତ

 

ବେଳେ ବେଳେ କାହାଠୁ କୌଣସି କଥା ଶୁଣୁ ଶୁଣୁ ତା କଥା କହିବାର ଭଙ୍ଗୀରୁ ବା କଥାରେ ଅନ୍ତର୍ନିହିତ ଥିବା ଶକ୍ତିରୁ କି କୌଣସି କାରଣ ଯୋଗୁ କଥାଟା ସତ କି ମିଛ ସଙ୍ଗେ ସଙ୍ଗେ ଜଣା ପଡ଼ିଯାଏ । ଯେପରି ସେ କେବଳ କଥାତ କହିନି, କଥା ସତ କି ମିଛ ତାହା ମଧ୍ୟ କହି ଦେଇଛି ଆଉ ଅକାଟ୍ୟ ପ୍ରମାଣ ଦେଇ । ଅଥଚ ବାସ୍ତବରେ ସେ କଥା ଟିକଇ କହିଥିବ । ଆଉ ସବୁଠୁ ଆଶ୍ଚର୍ଯ୍ୟ ହେବାପାଇଁ ଅବକାଶ ଆସେ ଯେତେବେଳେ ଏହି ସ୍ୱତଃ ସତ୍ୟ ପରି ଜଣାପଡ଼ୁଥିବା କଥା ପ୍ରକୃତରେ ମିଛ ହୋଇଥାଏ କି ମିଛ ହୋଇଯାଏ । ନିଶ୍ଚୟ ଏପରି କହିପାରି ମିଛକୁ ସତ୍ୟ ପରି ପ୍ରତୀତି ଦେଇପାରିବା ଏକ ଆର୍ଟ ।

 

ଶରତ୍‍ କଥା ଶୁଣିବା ମାତ୍ରେ କ୍ଷଣକପାଇଁ ବ୍ରଜକିଶୋର ମୁହ୍ୟମାନ ହୋଇଗଲା—ହଠାତ୍‍ ଯେପରି କିଏ ତାର ଶ୍ୱାସପ୍ରଶ୍ୱାସ ଯନ୍ତ୍ରକୁ ତା ଶରୀର ଭିତରୁ କାଢ଼ିନେଲା ଏବଂ ସେ ମରିଗଲା । ତର୍କ ମଝିରେ ମର୍ମସ୍ଥଳୀ ପ୍ରତି ସେ ଆଘାତ କରିଛି ଜାଣିଜାଣି, ଆଉ କି ବିଶ୍ୱାସରେ ସେ ସେପଦକ କଥା କହିଛି ଯେପରି ତାହା ତା ଜିଭରୁ ଆସୁନି, ମନରୁ ଆସୁନି, ଆତ୍ମା ବାକ୍ୟହୋଇ ବହି ଯାଉଛି । ଯେପରି ସେ କଥାକୁ ସେ ବନ୍ଧୁତା ଦୃଷ୍ଟିରୁ କେବେ କହି ନ ଥିଲା, ଲୁଚାଇ ରଖିଥିଲା ଆତ୍ମାର ଅଭ୍ୟନ୍ତରରେ, ହୃଦୟର ସାତସିନ୍ଦୁକରେ । ଆଉ ଆଜି ବାଧ୍ୟହୋଇ, ବ୍ରଜକିଶୋରର ଆସ୍ପର୍ଦ୍ଧା ଅସହ୍ୟ ହେବାରୁ ସେ କହି ଦେଇଛି...ନା, ନା, ନା, କହି ହୋଇ ଯାଇଛି । କହି ହୋଇ ଯାଉଥିବାବେଳେ ତାର ନିଜର ଆନ୍ତରିକ ସାଧୁତା, ସଚ୍ଚରିତ୍ରତା ଯୋଗୁ, ଅଶୋଭନୀୟ କଥା ଜଣେ ବନ୍ଧକୁ କହି ଦେଉଥିବାରୁ, ତା ଗୋରା ତକ୍‍ତକ୍‍ ମୁହଁ ଲାଲ୍‍ ପଡ଼ିଯାଉଛି, ଲାଲ୍‍, ଖୁବ୍‍ ଲାଲ୍‍ ।

 

ଦୁହେଁ ଯୁକ୍ତି କରୁଥିଲେ । ନ୍ୟାୟଶାସ୍ତ୍ରର ମାପକାଠି ଅନୁସାରେ ନୁଁହ, କୌଣସି ଲଜିକ୍ ନମାନି (ଦୁହେଁ ଥିଲେ ସିମ୍ୱଲିକ୍‍ ଲଜିକ୍‍ର ଛାତ୍ର, ଆଉ ବ୍ରଜକିଶୋର ଅପେକ୍ଷା ଶରତ୍‍ ଥିଲା ବେଶି ମେଧାବୀ) ସେ କହି ଯାଉଥିଲା ଅନର୍ଗଳ, ଆଉ ବ୍ରଜକିଶୋର ମଧ୍ୟ କହି ଯାଉଥିଲା ଅବିରତ । ହଷ୍ଟେଲ୍‍ ରେ ବ୍ରଜକିଶୋର ରୁମ୍‍ । ବ୍ରଜକିଶୋର ଖଟ ଉପରେ ବସିଥାଏ, ବ୍ରଜକିଶୋର ଚେୟାରରେ ସେ ବେଶି ସମୟ ବସି ପାରିବନି ବୋଲି ଫୁଲ୍‍ ପ୍ୟାଣ୍ଟକୁ କାଢ଼ି ବ୍ରଜଠୁ ଧୋତି ନେଇ ପିନ୍ଧିଛି—ଟେବୁଲରେ ସେ ଖାଇଥିବା ଜଳଖିଆର ଅବଶିଷ୍ଟାଂଶ ଆହୁରି ରହିଛି... ସ୍ନେହାଳାପରୁ ‘ରୋମିଓ ଜୁଲିଏଟ୍‍’ ପିକ୍‍ଚର୍‍ ର କଥା ଆରମ୍ଭ ହେଲା । ବ୍ରଜ ମ୍ୟାଟିନି ଶୋ ପିକ୍‍ଚର ଦେଖି ଫେରିଥାଏ ।

 

ପିକ୍‍ଚର ଭଲ ଲାଗିଲା ? ଗୋଡ଼କୁ ଖଟ ଉପରେ ରଖୁ ରଖୁ ଶରତ୍‍ ପଚାରିଲା ।

 

ହଁ ।

 

ଏ ପ୍ରଶ୍ନ ପୂର୍ବରୁ ପ୍ରେମ ସମ୍ୱନ୍ଧରେ ଉତ୍ସାହିତ ହୋଇ ବ୍ରଜ କ’ଣ କହୁଥିଲା, ମଝିରେ ଶରତ୍‍ର ଏଇ ପ୍ରଶ୍ନ । ବ୍ରଜର ଉତ୍ସାହ କିନ୍ତୁ ଭାଙ୍ଗି ନ ଥାଏ ।

 

ସେଥିରେ ଗୋଟାଠି ଅଛି...ସତରେ ନାୟକ ନାୟିକାଙ୍କୁ ଅଭିନୟ ଓ ଡାଇରେକ୍‍ଟର୍‍ଙ୍କୁ ଡାଇରେକ୍‍ସନ୍‍ ପାଇଁ ପ୍ରଶଂସା କରିବାକୁ ହେବ । ଦେଖୁ ଦେଖୁ ତ ମୋର ଅନ୍ତରାତ୍ମା ବାହାବା କରି ଉଠିଲା...ଭଲ ପାଇବା, ଏହି ଆଦର୍ଶକୁ ଏପରି ଫୁଟା ଯାଇପାରେ ! ଇଟ୍‍ ଇଜ୍‍ ରିଅଲି ଓ୍ୟାଣ୍ଡରଫୁଲ୍‍-! ଜୁଲିଏଟଠୁ ରୋମିଓ ବିଦାୟ ନେଉଛି । ହୁଏତ ଆଉ ଦେଖା ହୋଇ ପାରିବନି । କାନ୍ଥର କୋଣକୁ ଆଉଜି ନାୟିକା ଠିଆ ହୋଇଛି—ଅବଶ୍ୟମ୍ଭାବୀ ବିଦାୟର ଅସହ୍ୟ ଦୁଃଖକୁ କଳ୍ପନା କରି ପ୍ରିୟ କାତର ହୋଇ ବିଦାୟ ମୁହୂର୍ତ୍ତରେ ଆଣ୍ଠୁ ମାଡ଼ି ବସିପଡ଼ିଛି ତଳେ—ପ୍ରିୟା କୋଳରେ ସେ ମୁହଁକୁ ଗୁଞ୍ଜିଦେଇଛି ବ୍ୟସ୍ତ ହୋଇ, ଦୁଇକର ତାର ନାୟିକାର କଟୀକୁ ବେଷ୍ଟନ କରିଛି । ପ୍ରିୟର ଏପରି ହତୋତ୍ସାହ ଓ ପ୍ରେମ ପ୍ରଦର୍ଶନରେ ନାୟିକା ତଳୁ ପ୍ରିୟକୁ ଉଠାଇବାକୁ ଚେଷ୍ଟା କରି ଝୁଙ୍କି ପଡ଼ିଛି । ସାର୍ଥକତାର ଶିହରଣ—ପ୍ରେମିକର ଆତ୍ମସମର୍ପଣରେ ସମର୍ପିତା ଯେପରି ସବୁ କିଛି ଫେରି ପାଇଛି...ତେଣୁ ନୟନଯୁଗଳରେ ତାର ଏକ ଅପୂର୍ବ ଜ୍ୟୋତି...ପ୍ରକାଶ...

 

ବ୍ରଜକିଶୋର ଆଉ କ’ଣ କହିବାକୁ ଯାଉଥିଲା, ଶରତ୍‍ଠୁ ନାୟକର ପୋଜ୍‍ ଓ କାର୍ଯ୍ୟ ନେଇ ସେତେବେଳେ ଏପରି ଏକ ଅଶ୍ଲୀଳ ଓ ଅଭଦ୍ର ମନ୍ତବ୍ୟ ଶୁଣିଲା ଯେ ତା ବାକି କଥା ବାହାରୁ ବାହାରୁ ରହିଗଲା କାନମୁଣ୍ଡା ଲାଲ୍‍ । ସେ ସ୍ତବ୍‍ଧ ହୋଇ ବସି ରହିଲା । ମନ୍ତବ୍ୟରେ ଚରମ ବାସ୍ତବତା ଓ ଚରମ ଅଶ୍ଳୀଳତା ଥିଲା । ଜିନିଷଟାର ଏପରି ଏକ ଦିଗ ଥାଇପାରେ ବୋଲି ବ୍ରଜ ଶତ ଚେଷ୍ଟାସତ୍ତ୍ୱେ କେବେହେଲେ କଳ୍ପନା କରି ପାରି ନଥାନ୍ତା । ସକ୍‍ରୁ ଅଳ୍ପ ମୁକ୍ତି ମିଳିବା ପରେ ବ୍ରଜ କହିଲା—ହସିବାକୁ ଚେଷ୍ଟା କରୁ କରୁ ।

 

ଆଜି ଆଉ ଗୋଟିଏ ସତ୍ୟ ମୋର ଉପଲବ୍‍ଧି ହେଲା । ସବୁ ମଣିଷଙ୍କ ଅନ୍ତରାତ୍ମା ସମାନ ନୁହେଁ । ଗୋଟିଏ ବହିକୁ ଆମେ ଦୁହେଁ ପଢ଼ିଲେ ବା ଗୋଟିଏ କଥାକୁ ଆମେ ଦୁହେଁ ଶୁଣିଲେ ମଧ୍ୟ ଦୁହିଙ୍କ ପାଇଁ ତାର ଅର୍ଥ ଭିନ୍ନ ଭିନ୍ନ ହୋଇପାରେ । ହୁଏତ ତୁ ମୋ କଥାକୁ ବୁଝୁଛୁ; କିନ୍ତୁ ତୁ କିପରି ବୁଝୁଛୁ କେଜାଣି, ବୋଧେ ଯେଉଁ ଅର୍ଥରେ ତୁ ବୁଝିବୁ ବୋଲି ଭାବି ମୁଁ କହୁଛି ସେଇ ଅର୍ଥରେ ନୁହଁ । କୌଣସି ଦୁଇ ଜଣଙ୍କ ମଧ୍ୟରେ ବୋଧେ ଭାବ ବିନିମୟ ଅସମ୍ଭବ ।

 

ଏତିକି କହୁ କହୁ ବ୍ରଜ ଚୁପ୍‍ ହୋଇଗଲା । ସେ ଯାହା କହୁଥିଲା ତାହାର ନିଷ୍ଠୁରତା, ବ୍ୟାପକତା ହଠାତ୍‍ ମନରେ ନାଚିଯିବାରୁ ତା ଦେହ ହେମାଳ ମାରିଗଲା । କେତେ ଭୟଙ୍କର କଥା ସତେ, ଯଦି ତା କଥା ସତ୍ୟ ହୋଇଥାଏ । କେହି କା କଥା ବୁଝୁନି, ସମସ୍ତେ ଏକ ଏକ ଏକାନ୍ତ ଜୀବ-। ଅଥଚ କେଡ଼େ ଚେଷ୍ଟା ପ୍ରତ୍ୟେକଙ୍କର ନିଜର ଭାବନା, ସ୍ନେହ, ପ୍ରେରଣା ଇଚ୍ଛା ଅନ୍ୟକୁ ଜଣାଇ ଦେବାପାଇଁ !! ଟ୍ରେନ୍‌ରେ କାଚ ଝରକା ସବୁ ପଡ଼ିଥିବ, ହଠାତ୍‍ କମ୍ପାଟମେଣ୍ଟ୍ ଭିତରୁ ଦେଖିବ ପ୍ଳାଟଫର୍ମରେ ଝରକାଠୁ ଦୁଇ ଇଞ୍ଚ ମାତ୍ର ଛାଡ଼ି ତୁମର ଅତି ପ୍ରିୟ, ଅତି ପରିଚିତ କେହି ଚାଲି ଯାଉଛନ୍ତି ଯାହାକୁ ଭେଟିବା ପାଇଁ ତୁମେ ବର୍ଷ ବର୍ଷ ଧରି ଅପେକ୍ଷା କରିଛ । ତୁମେ ଗଦ୍‍ଗଦ୍‍ ହୋଇ ଡାକିବ— ! ଅଥଚ ସେ ଦୁଇ ଇଞ୍ଚ ମାତ୍ର ବ୍ୟବଧାନରେ ରହି ମଧ୍ୟ ନିଜ ଭାବନାରେ ବ୍ୟସ୍ତ ରହି ଚାଲି ଯାଉଥିବେ ।

 

ତୁ କହିବାକୁ ଚାହୁଁ, ମୁଁ ନୀରସ, ମୁଁ ଭଲ ପାଇବା କ’ଣ ଜାଣେନି ! ସେଥିପାଇଁ ତୋର ରସାଳ କଥାଗୁଡ଼ିକୁ ମୁଁ ବୁଝି ପାରୁନି ।

 

ହଠାତ୍‍ ଶରତ୍‍ ଗର୍ଜି ଉଠିଥିଲା । ବ୍ରଜ ଜୁଳୁ ଜୁଳୁତା ଆଡ଼କୁ ଚାହୁଁଥାଏ, କଥାର ଅର୍ଥ ବୁଝିବାକୁ ଚେଷ୍ଟାକରି ।

 

କାରଣ ମୁଁ କବିତା ଲେଖିନି, ମୁଁ ଉପନ୍ୟାସ ପଢ଼େନି, ମୁଁ ଦୁଇ ଆଉ ଦୁଇକୁ ଚାରି କୁହେ-

 

ଦୁଇ ଆଉ ଦୁଇ ବାଇଶି ମଧ୍ୟ ହୋଇପାରେ ।

 

ବ୍ରଜକଥା ବନ୍ଧୁର ଉତ୍ତେଜନାରେ ଇନ୍ଧନ ହେଲା ।

 

ତୁ ନିଜ ବିଷୟରେ କ’ଣ ଭାବୁ ?

 

ମାନେ ?

 

ମାନେ ବିଶ୍ୱବିଦ୍ୟାଳୟରେ ତୁଇ ଗୋଟିଏ ଲୋକ ଯା’କୁ ଝିଅମାନେ ଭଲପା’ନ୍ତି, ତୁ ଭାରି ସୁନ୍ଦର । ତୁଇ ଏକା ପ୍ରେମ କ’ଣ ଜାଣୁ !

 

କେତେବେଳେ କହିଲି ?

 

ସେ ଧାରଣା ମନରେ ଅଛି ବୋଲି ତ ଏତେ ଗର୍ବ, ଏଡ଼େ ନିରର୍ଥକ ଆତ୍ମବିଶ୍ୱାସ ।

 

ସତକଥା ନିରାଟ ସତକଥାକୁ ତୁ ଆବୃତ୍ତି କରୁଛୁ । କେବଳ ଝିଅ ନୁହଁ ପୁଅଝିଅ ସମସ୍ତେ, ଯେ କେହି ମୋର ପରିଚୟର ପରିସରକୁ ଆସିଛନ୍ତି, ଦୁଇ ସେକେଣ୍ଡ୍ ପାଇଁ ହେଉନା କାହିଁକି, ସମସ୍ତେ ମୋତେ ଭଲ ପାଇଛନ୍ତି, ମନେ ରଖିଛନ୍ତି । ମୋର ବ୍ୟକ୍ତିତ୍ୱର କୌଣସି କାରଣ ଯୋଗୁ ହେଉ, ମୋତେ ଥରେ ଦେଖି କେହି ଭୁଲି ଯାଇନି, ସେମାନଙ୍କ ମନରେ ମୁଁ ସ୍ନେହ ପ୍ଳାବିତ ସ୍ମୃତି ହୋଇ ରହି ଯାଇଛି । (ବନ୍ଧୁକୁ ବେଶି ଚିଡ଼ାଇବା ପାଇଁ ବ୍ରଜ ଅନର୍ଗଳ କହି ଚାଲିଥାଏ) ସେହି ଦୃଷ୍ଟିରୁ ମୁଁ ଅସାମାନ୍ୟ, ବିରାଟ—

 

ହିଂସ୍ର ଦୃଷ୍ଟିରେ ବ୍ରଜ ଆଡ଼କୁ ଚାହିଁ ଶରତ୍‍ ଚେୟାରରୁ ଉଠିଗଲା । କଥା ତ ନୁହଁ ସମସ୍ତ ଘୃଣା ଯେପରି ପୁଞ୍ଜୀଭୂତ ହୋଇ ବ୍ରଜ ଉପରେ ପଡ଼ିବାକୁ ଲାଗିଲା—

 

ମେଗାଲୋମାନିଆ ରୋଗୀ, ଧୂର୍ତ୍ତ, ସ୍ୱାର୍ଥାନ୍ଧ । ସବୁ ବନ୍ଧୁମାନେ ତୋର ଏଇକଥା ପଦକ ଶୁଣନ୍ତେ କି ! ତୋତେ ସମସ୍ତେ ଭଲପା’ନ୍ତି ? ନା ? ନା ?

 

ତାପରେ ସେ ହସିଲା କୌଣସି ଘଟଣାକୁ ଯେପରି ମନେ ପକାଇ ଏକ ବିଦ୍ରୂପଭରା, ତାତ୍ସଲ୍ୟକରା ହସ ।

 

କାହିଁକି କେଜାଣି, କୌଣସି ଘଟଣା ଘଟିଯିବ ବୋଲି ଆଶଙ୍କା କରି କୌଣସି ଅପ୍ରିୟ ସତ୍ୟକଥା କାନରେ ପଡ଼ିଯିବ ଭାବି, ବ୍ରଜକିଶୋରର ମୁହଁ କଳା ପଡ଼ିଗଲା, ଆଖିର ଜ୍ୟୋତି, ମୁହଁର ଉତ୍ସାହ କ୍ଷୟ ହୋଇଗଲା । ନିଜର ମୃତ୍ୟୁକୁ ଯେପରି ସେ ନିଜ ସମ୍ମୁଖରେ ଦେଖୁଥିଲା । ଯେପରି ବାଧ୍ୟ କରି କେହି ତାକୁ ଏକ ବିସ୍ତୃତ, ନୀରବ,ନିସ୍ପନ୍ଦ, ନିର୍ଜ୍ଜନ ଜାଗାରେ ଏକାକୀ କରି ଛାଡ଼ି ଚାଲିଯାଉଛି ନୀ...ର...ବ, ନି...ସ୍ପ...ନ୍ଦ, ନି...ର୍ଜ୍ଜ...ନ, ଜା...ଗା....ରେ, ସଂପୂର୍ଣ୍ଣ ଏକାକୀ ।

 

ଶରତ୍‍ର ତୀବ୍ର ଦୃଷ୍ଟି ବ୍ରଜକିଶୋରର ଭାବାନ୍ତରକୁ ଲକ୍ଷ୍ୟ କରୁଥାଏ ।

 

କ’ଣ କହିଲୁ, ସ୍ପଷ୍ଟ କହ, ସ୍ପଷ୍ଟ କହ ।

 

ଅଜଣାରେ ବ୍ରଜକିଶୋରର ପାଟିରୁ ଅସ୍ପଷ୍ଟ କ’ଣ ଧ୍ୱନି ବାହାରି ଯାଇଥିଲା ।

 

ପଚାରିଛୁ ? ଏତେ ବନ୍ଧୁଙ୍କ ଭିତରୁ କାହାଠୁ ବୁଝିବାକୁ ଚେଷ୍ଟା କରିଛୁ ? ଜାଣିଛୁ, ସେମାନେ ତୋ ପଛରେ କ’ଣ କଥାବାର୍ତ୍ତା ହୁଅନ୍ତି, ତୋ ଉପରେ କ’ଣ ଟୀକା ଟିପ୍‍ପଣୀ କରନ୍ତି, ତୋ ବିଷୟରେ କ’ଣ ତାଙ୍କର ମତାମତ ? ତୁ ସ୍ୱାର୍ଥପର, ନିପଟ ସ୍ୱାର୍ଥପର । ପରକଥା ଭାବିବାକୁ ତୋର ସମୟ ଅଛି ? ଜାଣୁ ? ଜାଣୁ ? ଜାଣୁ କ’ଣ ମାଧବନ୍‍ କହୁଥିଲା, ତୋର ପ୍ରିୟ କମ୍ରେଡ଼, ଆଉ ନାୟାର, ଆଉ ମିସ୍‍ ମଞ୍ଜୁଳା ? ସମସ୍ତଙ୍କ ନା ଗଣିବାକୁ ସମୟ କାହିଁ—

 

ସେ ଖୁବ୍‍ ଜଲ୍‍ଦି ଜଲ୍‍ଦି ଆଉ ଖୁବ୍‍ ଉତ୍ତେଜନାରେ କହି ଚାଲି ଥିବାରୁ କିଛି ପରିଷ୍କାର ଶୁଭୁ ନଥାଏ; କିନ୍ତୁ କୌଣସି ଅଦ୍ଭୁତ ଉପାୟରେ ବ୍ରଜକୁ ସବୁ ବୁଝା ପଡ଼ି ଯାଉଥାଏ । କ’ଣ କହିବାକୁ ଚାହୁଁଛି ସେ—କ’ଣ ? ନିଶ୍ଚୟ ସେୟା; ନିଶ୍ଚୟ ସେଇ କଥା । ତାହେଲେ କଣ ପିଲାଦିନୁ ଯେଉଁକଥା ତା ହୃଦୟରେ ବହୁବାର ପ୍ରତିଧ୍ୱନିତ ହୋଇଛି—ପ୍ରତିଥର ପ୍ରତିଧ୍ୱନି ପରେ ଭୀତତ୍ରସ୍ତ ହୋଇ ଯେଉଁ କଥାକୁ ସେ ଘୋଡ଼ାଇ ପକାଇବାକୁ ଇଚ୍ଛା କରିଛି, ନ ଶୁଣିବା ପାଇଁ ପ୍ରାର୍ଥନା କରିଛି, ଯେଉଁ କଥାଠୁ ଦୂରରେ ରହିବା ପାଇଁ ରାଜନୀତି, ଉପନ୍ୟାସ ଆଉ ଅସଂଖ୍ୟ ତରୁଣୀଙ୍କ ବନ୍ଧୁତା... । ସେ ତ ଭାବିଥିଲା ତା ମନକଥା କେହି ଜାଣନ୍ତିନି, ତାହା ତାର ପୂରାପୂରି ବ୍ୟକ୍ତିଗତ ବିଭ୍ରାନ୍ତି, ତେଣୁ...ତେଣୁ...ମିଛ, କଳ୍ପନା ମାତ୍ର । କିନ୍ତୁ ଏ କ’ଣ...ତାର ଆତ୍ମା ତ କହୁଛି ଯେ ବନ୍ଧୁ ଜାଣି ସାରିଲାଣି...ସେଇକଥା କହିବାକୁ ସେ ଯାଉଛି, ସେଇକଥା । କହିଲା, କହିଲା..

 

ତୋତେ କେହି ଭଲ ପା’ନ୍ତିନି । କେହି ନୁହଁ । ହଁ, ତୋତେ ଡରନ୍ତି, ତୋତେ ସମ୍ମାନ ଦେଖାନ୍ତି; କିନ୍ତୁ ଭଲ ପାଇବା... । ବୁଝୁଛୁଟି ଭଲ ପାଇବା କ’ଣ ? ହୃଦୟ ଦେଇ ଦେବା, ନିଜର ବୋଲି ଭାବିବା...ତୋ ଉପସ୍ଥିତିରେ ପୁଲକର ଶିହରଣ...କୌଣସି ଝିଅ ନୁହେଁ ।

 

...କହିଦେଲା । ଠିକ୍‍ ସେଇକଥା । ତାହେଲେ ତା’ ତା ମନର କେବଳ ବିଭ୍ରାନ୍ତି ନୁହଁ, ସତ୍ୟ । ସତରେ ତାକୁ କେହି ଭଲ ପା’ନ୍ତିନି ।

 

ଚୋଟ ବାଜିଥିଲା । ମୁଣ୍ଡ ତ କଟି ଯାଇଛି । ବିକଳରେ କବନ୍ଧଟା ଥରେ ନାଚିଗଲା—

 

ଭୟ ବିନୁ ହୋଇ ନ ପ୍ରୀତି...ରାମଚରିତମାନସର ଉଦ୍ଧୃତାଂଶ; ବ୍ରଜ କିନ୍ତୁ ନିଜ କଥାକୁ ବିଶ୍ୱାସ କରୁ ନ ଥିଲା ସେତେବେଳେ ।

 

ଥୁଃ । ଆହୁରି ତୁ ଯୁକ୍ତି କରୁଛୁ ।

 

ଶରତ୍‍ ବିଜେତା ଦର୍ପରେ ପ୍ୟାଣ୍ଟ ପାଲଟିବାକୁ ଲାଗିଲା । ରୁମ୍‍ ଭିତରେ ନୀରବତା । ବନ୍ଧୁଙ୍କର ପ୍ୟାଣ୍ଟ୍ ପାଲଟିବାର ସମସ୍ତ କାର୍ଯ୍ୟକଳାପକୁ ବ୍ରଜ ଚୁପ୍‍ଚାପ୍‍ ଲକ୍ଷ୍ୟ କରୁଥାଏ ।

 

ତୋର ଚିଠି...ମୁଁ ଯାଉଛି ।

 

ଚିଠି ଦୁଇଟିକୁ ଟେବୁଲ ଉପରେ ଫୋପାଡ଼ି ଦେଇ ଶରତ୍‍ ଚାଲିଗଲା । ଧୀରେ ବ୍ରଜ ଉଠିଲା । ହଷ୍ଟେଲ ବାରଣ୍ଡାରେ ବନ୍ଧୁମାନଙ୍କର ପାଟି । କ’ଣ ପ୍ରୟୋଜନ । ଦୁଆର କିଳି ଦେଲା ସେ-। ସଂସାର ! ତୋଫାନ ସରି ଯାଇଛି । ବଗିଚା ଉଜୁଡ଼ି ଗଲେ ମଧ୍ୟ ସେଥିରେ କ’ଣ ଏକ ଶାନ୍ତି ନାହିଁ-। ଲାଗୁଛି ଯେପରି ସବୁଆଡ଼ ଶୂନ୍‍ଶାନ୍‍ । ଖଟ ଉପରେ ଶୋଇ ଟେବୁଲ୍‍ ଉପରୁ ଚିଠି ନେଇ ପଢ଼ିବାକୁ ଆରମ୍ଭ କଲା ସେ । କିଛିତ କରିବାକୁ ହେବ । ଛାତିରେ ସେ ଦୁର୍ବଳତା ଅନୁଭବ କରୁଥିଲା-

 

ମାନନୀୟ,

 

ତିନିମାସ ହୋଇଗଲା, ଚିଠିଟିଏ ଦେଲେନି । ଆପଣ ଚିଠି ନ ଦେବାରୁ ମୁଁ ମଧ୍ୟ ଚିଠି ଦେବା ବନ୍ଦକରି ଦେଇଥିଲି । ଛୁଟିରେ ଭାଇ ଆସିଲେ, ଅଥଚ ଆପଣ ଆସି ଟିକିଏ ବୁଲିଯିବା ହୋଇ ପାରିଲାନି । ହଁ, କାହିଁକି ଆସିବେ...

 

ବାକି ପଢ଼ିବାକୁ ଧୈର୍ଯ୍ୟ ନ ଥିଲା । ବନ୍ଧୁଙ୍କ ଘରୁ ତାଙ୍କର ବଡ଼ ଭଉଣୀ ସ୍ୱପ୍ନା ଲେଖିଛନ୍ତି-। ବ୍ରଜକିଶୋର ତକିଆ ତଳେ ଚିଠିଟିକୁ ରଖି ଆଖିବୁଜି କ’ଣ ଭାବିବାକୁ ଚେଷ୍ଟାକଲା । ଏହି ସମୟରେ ଦୁଆରେ ଠକ୍‍ ଠକ୍‍ ।

 

କ’ଣ ବ୍ରଜବାବୁ, ଆଜି ଏଡ଼େ ଜଲ୍‍ଦି ଶୋଇ ପଡ଼ିଲେ ?

 

ଆଉ ଜଣେ ଘନିଷ୍ଠ ବନ୍ଧୁ । ପୁଣି ଯୁକ୍ତି । ପୁଣି ଘଣ୍ଟାଏ । ହୁଏତ ତାପରେ ପୁଣି ଆଉ ଜଣେ...ଆଉ ଜଣେ...କିଛିଦିନ ପରେ ଆଉ ଗୋଟେ ଚିଠି...ଆଉ ଗୋଟେ ।

 

ଦୁଆରେ ଠକ୍‍ ଠକ୍‍ ଶବ୍ଦ ବଢ଼ି ଚାଲିଛି ।

Image

 

ଜନପଥ

 

ଦିନେ । ଆକାଶରୁ ଅନ୍ଧାର ଆହୁରି ଲିଭିନି । ବାହାରକୁ ଚାହିଁଲେ ସ୍ପଷ୍ଟ କିଛି ଆକାର ଜଣା ପଡ଼ୁନି, ତେବେ କିଛି ସମୟ ଧରି ଚାହିଁ ରହିଲେ ନିକଟ ଭବିଷ୍ୟତରେ ଜଣା ପଡ଼ିଯିବାର ଆଶା ସୃଷ୍ଟି ହେଉଛି । ଥଣ୍ଡା ପଡ଼ୁଛି । ଘର ଭିତରେ ବ୍ଳୁବଲ୍‍ବର ନିଷ୍ପ୍ରଭ ଆଲୋକ । ସୂର୍ଯ୍ୟମଣିଙ୍କ ନିଦ କିଛି ସମୟ ହେଲା ଭାଙ୍ଗି ଯାଇଛି । ବିରାଟ ପଲଙ୍କଟା ଉପରେ ସେ ଓ ତାଙ୍କର ସ୍ୱାମୀ ।

 

ଏଣୁତେଣୁ ବାଜେକଥା ଭାବିବା ପରେ ସୂର୍ଯ୍ୟମଣି ସ୍ୱାମୀଙ୍କୁ ଚାହୁଁ ଥିଲେ । —ସୁନ୍ଦର ସୁଗଠିତ ଶରୀର, ପ୍ରଶସ୍ତ କପାଳ, ଉଚ୍ଚ ନାକ, ସୁଦୃଢ଼ ଅବୟବ—ବାହାଘରର ଦଶବର୍ଷ ପରେ ମଧ୍ୟ ସେହି ଦୀପ୍ତିବନ୍ତ ଚେହେରା, ଉଦ୍ଧତ ପ୍ରସନ୍ନ ମୁଖମଣ୍ଡଳ, କିଛି ବଦଳିନି । ସେହିପରି, ଠିକ୍‍ ସେହିପରି । କଲେଜରେ ସେ ଥିଲେ ସୁନ୍ଦର ବୋଲି ପ୍ରସିଦ୍ଧ, ଆଉ ସୂର୍ଯ୍ୟମଣି ଥିଲେ ଖୁବ୍‍ ସୁନ୍ଦର—ଦୁହେଁ ଦୁହିଁଙ୍କୁ ପସନ୍ଦ କରି ବିବାହ କରିଥିଲେ । ସୂର୍ଯ୍ୟମଣିଙ୍କ ମାନସ ଆଖିରେ ସେଦିନର କଥାସବୁ ନାଚିଗଲା । ସ୍ୱାମୀଙ୍କ ଓଠରେ ନିଜ ଓଠକୁ ସେ ଧୀରେ ଯୋଗ କଲେ କ୍ଷଣକ ପାଇଁ । କେଡ଼େ ଭାଗ୍ୟରେ ଏପରି ସ୍ୱାମୀ ମିଳନ୍ତି !

 

ତାଙ୍କର ସାଙ୍ଗସାଥୀମାନେ—କଲେଜରେ ପଢ଼ୁଥିଲେ ବା ଅନ୍ୟଛଳରେ ପରିଚୟ । କେତେ କେତେ ଦାମିକା ଶାଢ଼ୀ ପିନ୍ଧି କଲେଜ ଆସୁ ନ ଥିଲେ ! ନିଜକୁ ସୁନ୍ଦର କରିବାର ଅପରିସୀମ ଚେଷ୍ଟା । ଜସ୍‍ବୀର, ସୁଧା, ହରବିନ୍ଦର କାଉର, ପ୍ରତିମା, ସୁହାସିନୀ.... । ସମସ୍ତେ ଥିଲେ ସୁନ୍ଦର । ସେମାନଙ୍କ ତୁଳନାରେ ସୂର୍ଯ୍ୟମଣି କମ୍‍ ନ ଥିଲେ । ଅନେକ ଅଧ୍ୟାପକ ତ ତାଙ୍କୁ ଜଣେ ବିଖ୍ୟାତ ଅଭିନେତ୍ରୀଙ୍କ ସହିତ ତୁଳନା ମଧ୍ୟ କରୁଥିଲେ (ସେକଥା ସେ ପରେ ଶୁଣି ପାରିଥିଲେ, ଓଡ଼ିଆ ଅଧ୍ୟାପକଙ୍କ ଶାଳୀଙ୍କଠୁ, ଯେ ତାଙ୍କର ଅନ୍ୟତମ ବନ୍ଧୁ) । ହେଲେ ସହୃଦୟତା ରଖି କହିଲେ ଅନ୍ୟମାନେ ମଧ୍ୟ ବେଶ୍‍ ସୁନ୍ଦର ଥିଲେ । କଥା ହେଉଛି ପ୍ରତ୍ୟେକ ଭିନ୍ନ କିସମର । ତୁଳନାଇ ଅନୁଚିତ । କିନ୍ତୁ ସେମାନଙ୍କର ସ୍ୱାମୀମାନେ ! ସୁଧାର ପତି ମାନବରୂପରେ କଙ୍କାଳର ଏକ ଶୋଭାଯାତ୍ରା । ଆଉ ଠିକ୍‍ ଓଲଟା ଜସ୍‍ବିରର ଶିଖ୍‍ ସ୍ୱାମୀ—ଦ୍ୱିତୀୟ କିଙ୍ଗ୍ କଙ୍ଗ୍ । ପ୍ରତିମାର ସ୍ୱାମୀ—କନ୍ଧସଉରାଙ୍କଠୁ ବେଶି କଳା, ଅନୁଚ୍ଚ ବିସ୍ତୃତ ନାକ, ବୋଧେ ଆଇନ୍‍ ଦପ୍ତରର କିରାଣୀ । ଗପସପରେ ସେମାନେ ସବୁ କେତେ ସୁଖସ୍ୱପ୍ନ ଦେଖୁ ନଥିଲେ..ପକ୍ଷୀରାଜ ଘୋଡ଼ା ଉପରେ ବସି ରାଜକୁମାର ଆସିବ, କେତେ ଅଗ୍ନାଅଗ୍ନି ବନସ୍ତ ପାର ହୋଇ, କେତେ ବାଧାବିଘ୍ନକୁ ଡେଇଁ । ପ୍ରେମିକାପାଇଁ ନବନୀତଠୁ ବଳି କୋମଳ ଯାହାର ଶରୀର ହୋଇଥିବ, ଶତ୍ରୁ ପାଇଁ ବଜ୍ରତୁଲ୍ୟ କଠିନ ଶିଳାଖଣ୍ଡ । ସେହିପରି ସୁହାସିନୀ—ତା କଥା ନକହିବାଇ ଉଚିତ । ସୁହାସିନୀ ସହିତ ଏବେ କେବେ ଦେଖା ହୋଇଥିଲା—ରତ୍ନ ପରି ରଙ୍ଗ ଏବେ ବି ତାର ଝଟକୁଛି, ସେହି କଲେଜରେ ପଢ଼ୁଥିବାବେଳର ସୌନ୍ଦର୍ଯ୍ୟ । କିଛି ଊଣା ହୋଇନି । ସେଦିନ ସ୍ୱାମୀଟି ସହିତ ଜନପଥରେ ଯାଉଥିଲା । ଭୁଲ୍‍ ରେ ସୂର୍ଯ୍ୟମଣି ସ୍ୱାମୀଟିକୁ ତାର ନୂଆ ନିଯୁକ୍ତ ଚାକର ବୋଲି ଭାବିନେଇ ଯେଉଁ ଅପଦସ୍ତ ହୋଇଥିଲା ! ନିଜ ସ୍ୱାମୀ ଆଡ଼କୁ ଚାହିଁଲେ ସୂର୍ଯ୍ୟମଣି ।

 

ହଠାତ୍‍ ଭାବନା ପ୍ରବାହ ରୁଦ୍ଧ ହୋଇଗଲା ତାଙ୍କର । ନିର୍ବାକ୍‍ ମନ ଯେପରି କଣ କହିବାକୁ ଚେଷ୍ଟା କରୁଥିଲା; କିନ୍ତୁ ପାରୁ ନ ଥିଲା । ସ୍ୱାମୀଙ୍କ ମୁହଁକୁ ସୂର୍ଯ୍ୟମଣି କଠିନ ଦୃଷ୍ଟିରେ ଚାହିଁ କଣ ଭାବିବାକୁ, କିଛି ବିସ୍ମୃତ କଥା ମନେପକାଇବାକୁ ଚେଷ୍ଟା କରୁଥିଲେ । ସୁହାସିନୀ—ତାର ସ୍ୱୀମୀ...ପତ୍ନୀର ରୂପରାଶି ତୁଳନାରେ ପତିର କଦାକାର ରୂପ ସୂର୍ଯ୍ୟମଣିଙ୍କୁ ଯେପରି କିଛି ମନେପକାଇବାକୁ ବାଧ୍ୟ କରୁଥିଲା । କୌଣସି ଗୁରୁତର କଥା, ତାଙ୍କୁଇ କେନ୍ଦ୍ରକରି । ଆଉ ଅପ୍ରୀତିକର ବୋଲି ତାକୁ ସେ ଚପାଇ ଦେଇଛନ୍ତି । କିନ୍ତୁ କଣ ସେ କଥା ? ...ଭୂମିକମ୍ପର ଗୁରୁ ଗୁରୁ ଶବ୍ଦ ମନର ଅତଳ ଗହ୍ୱରରେ । ଫାଟିବ, ଫାଟିବ, ବର୍ତ୍ତମାନ ଫାଟିବ ଯେପରି ।

 

ଭୂତ ଲାଗିବା ପରି ପଲଙ୍କ ଉପରୁ ଡେଇଁପଡ଼ି ସୂର୍ଯ୍ୟମଣି ଦର୍ପଣ ଆଗରେ ଯାଇ ଠିଆ ହେଲେ । ବ୍ଳୁ ଆଲୁଅରେ ଦର୍ପଣରେ ପ୍ରତିଫଳିତ ତାଙ୍କର ଚେହେରା ଅବାସ୍ତବ, ଭୌତିକ ଜଣା ପଡ଼ୁଥାଏ । କିନ୍ତୁ ନିରାଟ ବାସ୍ତବକୁ ତରାଟି ଦେଖିବାର ଅଦମ୍ୟ ବାସନା—ବଡ଼ ଲାଇଟ୍‍ଟାକୁ ଜଳାଇ ଦେଇ ସୂର୍ଯ୍ୟମଣି ଦର୍ପଣକୁ ଚାହିଁଲେ । ଦର୍ପଣ ଭିତରୁ ଅଟ୍ଟହାସ୍ୟକରି ତାଙ୍କୁ ଯେପରି କିଏ ଉପହାସ କଲା । କାନ୍ଥରେ ସଂଲଗ୍ନ ଛଅଫୁଟ ଲମ୍ୱ ଦୁଇଫୁଟ ଓସାରର ଦର୍ପଣ । ମନ୍ତ୍ରମୋହିତ ପଶୁପରି ସେ ନିଜର ପ୍ରତିଛାୟାକୁ ଜୁଳୁ ଜୁଳୁ କରି ଚାହୁଁ ଥାଆନ୍ତି । ଅମାଙ୍ଗଳିକ ଯାଦୁକରର ଅଶୁଭ କାଉଁରିଆ କାଠି ତାଙ୍କ ଦେହରେ ବାଜିଯାଇଥିଲା ଏକ୍‍, ଦୁଇ, ତିନ୍‍—ତିନୋଟି ସନ୍ତାନର ମା ସେ । କେତେ ସମୟ ସେପରି ସେ ଠିଆହେଲେ କହିହେବନି ନିଦ ଗର ଗର ସ୍ୱରରେ ସ୍ୱାମୀ ପାଟିକଲେ–ବଡ଼ ଲାଇଟ୍‍ କାହିଁକି ଲଗାଇଲ । ଲାଇଟ୍‍ ଲିଭାଅ, ମଣିଷର ପାହାନ୍ତିଆ ନିଦ ଖରାପ କରିଦେଲ-

 

ଚମକି—ତୀବ୍ରଭାବରେ ଚମକି ପଡ଼ି ସୂର୍ଯ୍ୟମଣି ଲାଇଟ୍‍ ଲିଭାଇଦେଲେ । କୌଣସି ଭୁଲ୍‍ କାର୍ଯ୍ୟ କରୁଥିବାବେଳେ ଧରାପଡ଼ିଗଲେ ଯେପରି; କିନ୍ତୁ ସେତିକିବେଳେ ତାଙ୍କର ମନେ ପଡ଼ିଗଲା—ନିର୍ବାକ୍‍ ମନ ଶତଜିହ୍ୱ ହୋଇଗଲା । ସ୍ୱାମୀଙ୍କ ସହିତ ରିକ୍‍ସାରେ ଯାଉ ଯାଉ ଥରେ ସ୍ୱାମୀ କହିଥିଲେ ଏବେ, ଦୁଇ ତିନି ଦିନ ତଳେ କୋମଳ ସ୍ୱରରେ, କିନ୍ତୁ କାହିଁକି କେଜାଣି ସ୍ୱର ଅପ୍ରାକୃତିକ ପରି ଜଣା ପଡ଼ି ଯାଉଥାଏ ।

 

ଜାଣ ମଣି, ଉପାଧ୍ୟାୟ ଆଜି କଣ କହୁଥିଲା ?

 

କଣ ?

 

ତୁମେ କୁଆଡ଼େ ମୋର ବଡ଼ ଭଉଣୀ ପରି ଦିଶୁଛ ।

 

ସତେ ! (ସେତେବେଳେ ସେ କିଛି ବୁଝି ପାରିନଥିଲେ, ଅନ୍ୟ କୌଣସି କଥା ଭାବୁଥିଲେ କି କଣ ।) ତୁମେ କହିଲନି, ତୁମର କେହି ବଡ଼ ଭଉଣୀ ନାହାନ୍ତି, ଆଉ ତୁମର ଭଉଣୀମାନେ ତୁମ ପରି ଦିଶନ୍ତିନି ?

 

ତା କହିବାର ଅର୍ଥ ତୁମେ ମୋଠୁ ବୟସ୍କା ଦିଶୁଛ ।

 

ମାର୍କେଟ୍‍ ହୋଇଯିବାରୁ ଦୁହେଁ ରିକ୍‍ସାରୁ ଓହ୍ଲାଇ ପଡ଼ିଲେ । ସେ ବିଷୟରେ କଥାବାର୍ତ୍ତା ବନ୍ଦ ହୋଇଗଲା ।

 

ସ୍ୱାମୀ ପୁଣି ଘୁଙ୍ଗୁଡ଼ି ମାରି ଶୋଇଲେଣି । ପଲଙ୍କ ପାଖକୁ ଲାଗି ସୂର୍ଯ୍ୟମଣି ଠିଆ ହୋଇଥାନ୍ତି । ଚାହାଁଣୀର ସମାଲୋଚନାରେ ସହସ୍ର ଖଡ଼୍‍ଗ ।

 

କଣ ଇଏ ? ହାତର ଅର୍ଦ୍ଧକୁଣ୍ଡଳୀରେ ମୁଣ୍ଡଥୁଆ ହୋଇଛି । ଆଉ ହାତରେ ମାଂସପେଶୀ ଗୁଡ଼ାକ ଘୃଣାସ୍ପଦ ଭାବରେ ଫୁଲି ଉଠିଛନ୍ତି । ଘୃଣାସ୍ପଦ ଭାବରେ ନୁହଁ ? ବଥ ହେଲାଭଳି ଚାରିଆଡ଼େ ମାଂସପେଶୀର ସ୍ପୂର୍ତ୍ତି । ତୁମ ମନରେ ଘୃଣା ସୃଷ୍ଟି କରିବାପାଇଁ ଯଥେଷ୍ଟ ନୁହେଁ ? ସୂର୍ଯ୍ୟମଣୀଙ୍କ ପେଟଭିତର ଟାଣି ହୋଇଗଲା, ବାନ୍ତି ହେବ ଯେପରି । କଣ ଭାବନ୍ତି ଇଏ କେଜାଣି, ପ୍ରତିଦିନ, ଖରା ନାହିଁ, ବର୍ଷା ନାହିଁ ଦଣ୍ଡବୈଠକ ଅଧଘଣ୍ଟାଏ । ଶରୀର ସୁନ୍ଦର ରହିବ । ପ୍ରତିଦିନ ଅଧଘଣ୍ଟାଏ କରି ବର୍ଷରେ କେତେ ସମୟ ହେଲା ? ବିବାହ ପୂର୍ବ କଥା ବାଦ୍‍ ଯାଉ । ଦଶବର୍ଷ, ବର୍ଷକ ବାର ମାସ, ଦଶବର୍ଷରେ ଶହେକୋଡ଼ିଏ ମାସ, ମାସକ ତିରିଶ ଦିନ, ଶହେକୋଡ଼ିଏ ଗୁଣନ ତିରିଶି । ଛତିଶିଶହ ଦିନ, ଅର୍ଥାତ୍‍ ଛତିଶିଶହ ଅଧଘଣ୍ଟା, ଅର୍ଥାତ୍‍ ଅଠରଶହ ଘଣ୍ଟା । ସେତିକି ସମୟ ଅନ୍ୟ କୌଣସି ଗୁରୁତର କଥାରେ ମନଦେଇଥିଲେ କଣ ନ ହୋଇ ପାରିଥାନ୍ତା ! ପିଲାମାନଙ୍କୁ ଭଲ ଖାଇବାକୁ ମିଳୁନି, ତାଙ୍କର କିନ୍ତୁ ପ୍ରତିଦିନ ଫଳ ଦରକାର, ଫଳ, ରୁଟି ଖାଇଲେ ପେଟ ବଢ଼ିବନି, ଶରୀର ରଙ୍ଗ ରକ୍ତିମ ରହିବ । ସ୍ୱାର୍ଥପର । ମୁହଁ ତୁଳନାରେ ନାକ ଅସ୍ୱାଭାବିକ ରୂପେ ଉଚ୍ଚା ଆଉ ଲମ୍ୱା । ସୁନ୍ଦର ହେବାକୁ ହେଲେ ଅଙ୍ଗସୌଷ୍ଠବ ପ୍ରୟୋଜନ—ସବୁ ଅବୟବ ମଧ୍ୟରେ ଅନୁପାତ, ଶୃଙ୍ଖଳା । ତାର ବିଶେଷ ଅଭାବ ଆଙ୍କରି ଦେହରେ । କାହିଁକି ଯେ ଲୋକ ଆଙ୍କୁ ସୁନ୍ଦର କହୁଥିଲେ ! ଲୋକଟାର ହାତପାପୁଲି, ଆଙ୍ଗୁଠି ବି ଗୋଦର ହେବା ପରି ମୋଟା ମୋଟା ! ଏହାକୁ ଯଦି ସ୍ୱାସ୍ଥ୍ୟ କହନ୍ତି...ମଣିଷ ଦେହ ହେବ, ଜର ନାହିଁ, କାଶ ନାହିଁ, ଚିନ୍ତା ନାହିଁ, କଳ୍ପନା ନାହିଁ—ସବୁବେଳେ କଲ୍‍ଗେଟ୍‍ ପେଷ୍ଟ୍ ରେ ସଫାହୋଇଥିବା ପରି ସୁଢ଼ଙ୍ଗ ଦାନ୍ତ—ପ୍ରସନ୍ନ ମୁଖ ! ପାଦରୁ ମୁଣ୍ଡଯାଏ ଘୃଣାରେ ସୂର୍ଯ୍ୟମଣିଙ୍କ ରୋମାଞ୍ଚ ହୋଇ ଉଠିଲା । କାହିଁକି ସତରେ ରୋଗ ହୁଏନି ଏ ଶରୀରକୁ ! ଶୋଇବା ପୂର୍ବରୁ କଣ କହୁଥିଲେ—

 

କ୍ଳବରେ ମିସେସ୍‍ ରୋମା ଏହାଙ୍କ ସହିତ ନାଚ କରିବାକୁ ବ୍ୟଗ୍ର ଥିଲେ । ମିସେସ୍‍ ଦିଲୀପ୍‍ ଏହାଙ୍କ ଆଡ଼କୁ ବାରମ୍ୱାର ଚାହୁଁଥିଲେ ଆସନ୍ତା ରହିବାର ଖଣ୍ଡଗିରିରେ ପିକ୍‍ନିକ୍‍ ପାଇଁ ଜୁଲିଆ ନିମନ୍ତ୍ରଣ ଦେଇଛନ୍ତି ।

 

ସୂର୍ଯ୍ୟମଣିଙ୍କ ନାସିକା ଫୁଲି ଉଠିଲା । ବୁଢ଼ାବୟସରେ ପ୍ରେମ ଦେଖ ! କୁସ୍ତି କସରତ୍‍, ବେଶ ପୋଷାକ୍‍—କଣ ଲୋକ କହୁଥିବେ । ପୂଜା ନାହିଁ, ପାଠ ନାହିଁ, ପୋଲିସ୍‍ ଅଫିସର୍‍ ବୋଲି ବ୍ରହ୍ମାଣ ଘର ଚୋର ଚଣ୍ଡାଳଙ୍କ ଘରଠୁ ମଧ୍ୟ ହୀନିମାନ୍‍ ହେବ !

 

ଛିଃ ! ସୂର୍ଯ୍ୟମଣି ବ୍ଳୁଲାଇଟ୍‍କୁ ଲିଭାଇ ଦେଇ ଦୁଆରକୁ ଧଡ଼ଧାଡ଼୍‍ କରି ମେଲାଇ ପିଲାଙ୍କ ଘରକୁ ଚାଲିଗଲେ । ସୌନ୍ଦର୍ଯ୍ୟ କଣ ସବୁ ! ସୂର୍ଯ୍ୟମଣିଙ୍କ ମନ ଘୋଷି ହେଉଥାଏ । ପିଲାଙ୍କ ଘର କାନ୍ଥରେ ସରସ୍ୱତୀଙ୍କର ବଡ଼ ଫଟୋ । ଯତ୍ନ ନ ନିଆ ହୋଇ କେତେଦିନରୁ ଧୂଳି ଜମିଛି । ସୂର୍ଯ୍ୟମଣି ଫଟୋଟିକୁ ପଣତ କାନିରେ ଝାଡ଼ିଦେଲେ । କ୍ଷଣଭଙ୍ଗୁର ଜୀବନରେ ଈଶ୍ୱରଙ୍କ କଥା ମଣିଷ କାହିଁକି ଭୁଲିଯାଏ ? କେଡ଼େ ଅଜ୍ଞାନ ଅନ୍ଧକାରରେ ସେ ଘାଣ୍ଟି ହେଉ ନ ଥିଲେ ଆଜିଯାଏଁ ! ଆଜିଠୁ ସେ ନିତି ପୂଜାପାଠ କରିବେ । ପିଲାଗୁଡ଼ାକ ମଧ୍ୟ କଣ ଭାବୁଥିବେ, ସେମାନଙ୍କୁ ଏକୁଟିଆ ଗୋଟେ ଘରେ ଛାଡ଼ି ଦେଇ ସେ ଶୋଉଥିଲେ ତାଙ୍କ ପାଖରେ ! ଛିଃ, ଛିଃ ।

 

ବଡ଼ପୁଅକୁ ଖଟରେ ଝଙ୍କାଉ ଝଙ୍କାଉ ସୂର୍ଯ୍ୟମଣି ଟେବୁଲ୍‍ ଉପରେ ଥୁଆ ହୋଇଥିବା ଦର୍ପଣକୁ ପୁଣି ଥରେ ଚାହିଁଦେଲେ ।

Image

 

ନାରୀ

 

ଧୂଳିର ଲହଡ଼ିରେ ଠେଲି ହୋଇ ମୁଁ ରାସ୍ତାକଡ଼ରେ ଥିବା ସେହି ଘରଭିତରକୁ ପଶିଗଲି-। ନାକ କାନ ଆଖି—ସବୁଥିରେ ପୋଷେ ପୋଷେ ନାଲି ଧୂଳି ଭର୍ତ୍ତି; ଚାହିଁ ହେଉନି, ବ୍ୟାକୁଳ ହୋଇ କୌଣସି ଉପାୟରେ ବାଲିଝଡ଼ରୁ ମୁକ୍ତ ହେବାପାଇଁ ଆଖିବୁଜି ଯେଉଁ ଘର ପ୍ରଥମେ ମିଳିଲା ସେହି ଘରେ ପଶିଯିବା କଥା । ମୁଁ କବାଟରେ ବାଡ଼େଇ ହୋଇଯାଇ ଜୋରରେ ଦୁଇତିନିଥର ଧଡ଼ଧାଡ଼୍‍ କରି ଜଞ୍ଜିର ପିଟିଦେଲି; କିନ୍ତୁ କବାଟ ଯେତେ ଚଞ୍ଚଳ ଫିଟିବ ଓ ମୋତେ ଆଶ୍ରା ମିଳିବ ବୋଲି ଭାବିଥିଲି ତାହା ହେଲାନି । ହୁଏତ ଗୃହମାଲିକ ମୋର ବ୍ୟାକୁଳତା ବୁଝୁନଥିଲେ କିମ୍ୱା ଘରଭିତରର କୌଣସି ରୁମ୍‍ ରେ ଝରକାଦୁଆର ଦେଇ ସେ ଧୂଳିଝଡ଼ରୁ ନିଜକୁ ରକ୍ଷା କରୁଥିଲେ ।

 

କିଛିସମୟ ପରେ ଝଡ଼ ଅବସାନ ହୋଇଗଲା । ଆଖିପତା ତଳ ଉପର କରିସାରିବା ପରେ ଚାହିଁବାକୁ ମୁଁ ସକ୍ଷମ ହେଲି । ଆଗରେ ଦୁଆର ସେହିପରି ବନ୍ଦ । ଆକାଶ ମେଘାଚ୍ଛନ୍ନ । ସମୟ ମୋଟେ ଦିନ ଦୁଇଟା ହେଲେ ମଧ୍ୟ ସନ୍ଧ୍ୟା ଆଗତ ପ୍ରାୟ ପରି ମନେ ହେଉଥାଏ । ଟ୍ରାଃ, ଟ୍ରାଃ ଶବ୍ଦକରି ଦୁଇଟା ଘୋଡ଼ାଗାଡ଼ି ଆଗପଛ ହୋଇ ଜୋରରେ ରାସ୍ତା ଉପରେ ଚାଲିଗଲେ । ସେହି କୁଖ୍ୟାତ ନଗରୀକୁ ପ୍ରଥମ କରି ମୁଁ ପଦାର୍ପଣ କରିଥାଏ । ନିହାତି ଖିଆଲୀ ହୋଇ—ସହରଟାରେ ଗ୍ରୀଷ୍ମକାଳଟା କଟା ଯାଉ, ମନ୍ଦ କଣ !

 

ଧୂଳିଝଡ଼ ସରି ଯାଇଥିବାରୁ ଦୁଆରମୁହଁରୁ ମୁଁ ଫେରିଯିବାକୁ ଉପକ୍ରମ କରୁଥିବା ବେଳେ ହଠାତ୍‍ ଦୁଆର ଫିଟିଗଲା, ସମ୍ପୂର୍ଣ୍ଣ ନୁହେଁ, ଦୁଇଅଙ୍ଗୁଳ ହେବ ଏବଂ ସେହି ଦୁଇ ଅଙ୍ଗୁଳ ଫାଙ୍କ ଦେଇ ମୁଁ ଦେଖି ପାରିଲି—କଳା ମିଚିମିଚି, ହାତୀ କାନ ପରି ବଡ଼ କାନ, ଉପର ଦାନ୍ତ ଦୁଇଟା ଅବାଧ୍ୟ ହୋଇ ଉପରକୁ ବାହାରି ଆସିଛନ୍ତି, ଜଣେ ପ୍ରୌଢ଼ା ସ୍ତ୍ରୀ । ପର ମୁହୂର୍ତ୍ତରେ ସେ ମୋତେ ପଚାରୁଥିବା ଜଣାପଡ଼ିଲା—କାହାକୁ ଖୋଜୁଛନ୍ତି ?

 

କାହିଁକି କେଜାଣି ଦୁଆରର ଦୁଇଆଙ୍ଗୁଳ ଫାଙ୍କ ପରିବେଶ ଭିତରେ ମୋତେ ସ୍ୱାଗତ କରୁଥିବା ସେହି ସ୍ତ୍ରୀ ମୋର ଆତ୍ମାକୁ ଅହେତୁକ ଭାବେ ଭୟଗ୍ରସ୍ତ କରି ଦେଲା ।

 

ଭୁଲ୍‍ ହୋଇଗଲା । —କହି ଫେରି ଆସିବାକୁ ବସିଛି, ଭିତରୁ କେହି ଜଣେ ରୁକ୍ଷ ଗଳାରେ ଗର୍ଜ୍ଜନ କଲେ—ଯମ୍‍ନା, କିଏ ?

 

ବାବୁ, କହୁଛନ୍ତି ଭୁଲ୍‍ ହୋଇଗଲା । ପଳାଉଛନ୍ତି ।

 

ପଳାଉଛନ୍ତି ? ଧର୍‍ ଧରିଥା !

 

କଣ୍ଠସ୍ୱର ସରିଛି କି ନାହିଁ କିଛି ଭାବିବା ପୂର୍ବରୁ ବାୟୁ ମଣ୍ଡଳ ଶହେ ଦୁଇଶ, ଲକ୍ଷେ କି ଦୁଇଲକ୍ଷ ଆଲସେସିଆନ୍‍ ମହାବଳଙ୍କ ଗର୍ଜ୍ଜନରେ ପ୍ରତିଧ୍ୱନିତ ହୋଇ ଉଠିଲା, ସମସ୍ତେ ମୋ ଆଡ଼କୁ ଝପଟି ଆସୁଥିଲେ, ଧନୁରୁ ତୀର ଖସିବା ପରି, ଆଉ ଦୁଆରଟା ସେମାନଙ୍କୁ ପ୍ରତିବନ୍ଧକ ନହେବା ପାଇଁ ସମ୍ପୂର୍ଣ୍ଣ ମେଲା ହୋଇ ଯାଇଥାଏ । କ୍ଷଣକ ପାଇଁ ଘରଭିତରର କିଛି ଅଂଶ ମୁଁ ଦେଖିପାରିଲି; କିନ୍ତୁ ତା ପରେ ଲସେସିଆନଙ୍କୁ ଦେଖି ମୋ ଆଖି ବୁଜି ହୋଇଗଲା । କିଛି ସମୟ ପାଇଁ ମୋ ଜୀବନ ଯେପରି ଚାଲି ଯାଉଥିଲା ।

 

ଆପଣ କିଏ ?

 

ମୁଁ ଆଖି ଖୋଲି ଦେଖେ—ଜଣେ ଦୀର୍ଘକାୟ ବପୁବାନ୍‍ ବ୍ୟକ୍ତି ମୋତେ ରୁକ୍ଷଭାବେ ଚାହିଁ ପଚାରୁଛନ୍ତି ମୋର ପରିଚୟ । ମୋର ଚାରିକଡ଼େ ସୁବଆଡ଼ର ରାସ୍ତାକୁ ରୁନ୍ଧି ପାଞ୍ଚ ଛଅଟା କୁକୁର ମୋତେ ଚାହିଁ ସତର୍କ ହୋଇ ଠିଆ ହୋଇଛନ୍ତି । ଭଦ୍ରବ୍ୟକ୍ତିଙ୍କୁ ପରିଚୟ ଦେଇ କିପରି ଅବସ୍ଥାରେ କିପରି ଆକସ୍ମିକ ଭାବେ ତାଙ୍କର ଦ୍ୱାରସ୍ଥ ହୋଇଛି ତା ମଧ୍ୟ ବୁଝାଇଦେଲି । ବୁଝାଉଥିବା ବେଳେ ଦେଖିଲି ତାଙ୍କ ମୁଖରେ କଠୋରତା କ୍ରମେ କ୍ରମେ କୋମଳ ହୋଇ ଆସୁଛି ।

 

କ୍ଷମା କରିବେ, ଆପଣଙ୍କୁ ମୁଁ ଅନ୍ୟ ଲୋକ ବୋଲି ଭାବିଥିଲି । ଆପଣ ପ୍ରବାସୀ, ଶିକ୍ଷିତ, ମୋର ଅତିଥି । ଭିତରକୁ ଆସନ୍ତୁ । ଯମ୍ନା ! ମାଙ୍କ ଡାକି ଆଣିବୁ ଯା’ତ । ଘର ଭିତରକୁ ପ୍ରବେଶ କରିବା ପୂର୍ବରୁ ବହୁ ଭାବନା ମୋ ମନଭିତରେ ଖେଳିଗଲା । ମନେହେଲା ଯିବା ହୁଏତ ଠିକ୍‍ ହେଉନାହିଁ । ଯେଉଁ ଲୋକ ଏଡ଼େ ଚଞ୍ଚଳ ରାଗି ଏତେ ଜଲଦି ଶାନ୍ତ ହୋଇଯାଇପାରେ ତାକୁ ପୁଣି ରାଗିବାକୁ କେତେ ସମୟ ଲାଗିବ ! ସହରରେ କେହି ଚିହ୍ନାପରିଚୟ ଲୋକ ନାହାନ୍ତି । ଘର ଭିତରଟା ମଧ୍ୟ ଅସାଧାରଣ ଅସାଧାରଣ ଲାଗୁଥାଏ ।

 

ମୋର ମାନସିକ ଦ୍ୱନ୍ଦ୍ୱ ବୁଝିପାରିଲେ କି କଣ ଭଦ୍ରବ୍ୟକ୍ତି ମୋତେ ଘରଭିତରକୁ ପ୍ରାୟ ଠେଲି ଠେଲି ନେଇଗଲେ । ସେ କହି ଚାଲିଥାନ୍ତି—ଶଶୀ ବାହାରକୁ ଆସିଲ, ଅତିଥି ଆସିଛନ୍ତି, ଦେଖ । ଶଶୀ...ଏହିପରି ଚାରି—ପାଞ୍ଚଥର କହିବା ଭିତରେ ଆମେ ବଗିଚା ପାର ହୋଇ ଡ୍ରଇଁ ରୁମ ଭିତରକୁ ପଶି ସାରିଥାଉ । କିନ୍ତୁ ଚାକରାଣୀ ଯମ୍ନା ବାରଣ୍ଡାରେ ମୋତେ ଜୁଳୁଜୁଳୁ କରି ଚାହିଁବା ଛଡ଼ା ଆଉ କୌଣସି ତୃତୀୟ ଲୋକ ମୁଁ ଦେଖି ପାରୁ ନଥାଏ ଯାହାଙ୍କ ନାମ ଶଶୀ ହୋଇପାରେ । ମୋତେ ବଡ଼ ଭୟ ଲାଗିଲା । ମେଘୁଆପାଗର ଥଣ୍ଡା ପବନ ଓ ଭୟ ମିଶି ମୋର ଲୋମାଞ୍ଚ ସୃଷ୍ଟି କରୁଥାନ୍ତି ।

ଆପଣଙ୍କୁ ଏହି ମେଘାଚ୍ଛନ୍ନ ଅପରାହ୍ନରେ କଣ ଖାଇବାକୁ ଭଲ ଲାଗିବ ? ଚା’ ନିଶ୍ଚୟ ! ଯମ୍ନା ! ଚା’ । ମାଙ୍କୁ କହିଦେବୁ ନିଜେ ଧରି ଆସିବେ । ବସନ୍ତୁ !

କୁସନ୍‍ ପକା ଚେୟାରରେ ମୋତେ ପାଖରେ ବସାଇ ସେ ବସିଲେ । ତାଙ୍କର ନିଜର ପରିଚୟ ଦେଲେ । ସେ କୌଣସି କାମ କରନ୍ତିନି । ବିସ୍ତର ଜମିବାଡ଼ି...ବହୁ ଖ୍ୟାତନାମା କମ୍ପାନୀର ସେୟାର୍‍ ହୋଲ୍‍ଡ଼ର । ଲକ୍ଷ୍ନୌବିଶ୍ୱବିଦ୍ୟାଳୟରୁ ନୃତତ୍ୱ ଶାସ୍ତ୍ରରେ ଏମ୍‍. ଏ. । ସେଇଠି ପଢ଼ୁଥିବା ବେଳେ ସେ ପ୍ରେମ କରି ବିବାହ କରିଛନ୍ତି । ଭାରି ସୁଖୀ ଦାମ୍ପତ୍ୟ ଜୀବନ । ପତ୍ନୀ ତାଙ୍କୁ ଦେବତା ପରି ଜ୍ଞାନ କରନ୍ତି ।

ମୁଁ ତାପରେ ମୋର ସୁବିସ୍ତୃତ ପରିଚୟ ଦେଲି । ମୁଁ ମୋର ପରିଚୟ ଦେଉଥିବା ବେଳେ ଯମ୍ନା ଚା’ କିଛି ବିସ୍କୁଟ ଧରି ଆସିଲା । ଆଳାପ ଜମି ଉଠିଲା । ଅପରିଚିତ ଥିବାରୁ ଯେଉଁ ଶଙ୍କା ପ୍ରଥମେ ସୃଷ୍ଟି ହୋଇଥିଲା ତାହା ଧୀରେ ଧୀରେ ଅପସାରିତ ଗଲା ! କିନ୍ତୁ ଯମ୍ନା ମଝିରେ ମଝିରେ ଆସିବା ଛଡ଼ା ଆଉ କୌଣସି ଲୋକର ସ୍ୱର ଶବ୍ଦ ମଧ୍ୟ ମୁଁ ଶୁଣୁ ନଥାଏ । କାହିଁକି କେଜାଣି ଗୃହସ୍ୱାମୀଙ୍କ ପତ୍ନୀଙ୍କୁ ଦେଖିବାକୁ ବଡ଼ ବେଶି ଇଚ୍ଛୁକ ହୋଇ ମୁଁ ଅପେକ୍ଷା କରୁଥାଏ । ମୋର ମନକଥା ତାଙ୍କ ମନରେ ପ୍ରତିଫଳିତ ହେଲା କି କଣ ସେ ଯମ୍ନାକୁ କହିଲେ—ମାଙ୍କୁ ଡାକିଦେ ! ଏତେ ଡ଼େରି କେଣ ହେଉଛି ! କଣ ଭିତରେ କରୁଛନ୍ତି ?

ତାପରେ ସେ ମୋ ଆଡ଼କୁ ବୁଲିପଡ଼ି ହସି ହସି କହିଲେ—(ଆଉ ସେତିକିବେଳେ ଭଦ୍ରବ୍ୟକ୍ତିଙ୍କ ବୟସ ପ୍ରତି ମୁଁ ସଚେତନ ହୋଇଗଲି । କିପରି କେଜାଣି !) —କେବଳ ଆପଣ ନୁହଁନ୍ତି । ମୋର ଅନ୍ତରଙ୍ଗ ବନ୍ଧୁମାନଙ୍କ ପାଖରେ ମଧ୍ୟ ଶଶୀଙ୍କର ବ୍ୟବହାର ଯୋଗୁ ବହୁବାର ମୁଁ ତାଙ୍କୁ ଭର୍ତ୍ସନା କରିଛି । ଯେତେ ଡାକିଲେବି, ଡ୍ରଇଁ ରୁମକୁ ଆସିବେନି । ଏଣେ ବନ୍ଧୁମାନଙ୍କର ଜିଦ୍‍ ଶଶୀ ନିଜ ହାତରେ ଚା’, ପାନ ସେମାନଙ୍କୁ ନ ଦେଲେ ସେମାନେ ନଖାଇ ଉଠିଯିବେ, ତେଣେ ଶଶୀ ପୂରା ଓଢ଼ଣାପକା ହିନ୍ଦୁ ବଧୂ ସାଜିବାକୁ ଦୃଢ଼ ପ୍ରତିଜ୍ଞ । ବାରଓଷା ତେରପର୍ବ । ନାଇଲନ୍‍ କି ପତଳା ଶାଢ଼ୀ ପିନ୍ଧିବେ ନାହିଁ । ସିନେମାତ କେବେ ନୁହଁ । ତାଙ୍କ ମତରେ ସିନେମା ଯିବା ପୂରା ଅନୁଚିତ । ମାର୍କେଟିଂ କରିବାକୁ ଯଦି ଇଚ୍ଛା ହେବ, ରାତି ନଅଟା ପରେ ବାହାରିବେ, ମୋଟରରେ ଆଉ ମୋତେ ଧରି । ମୁଁ ସାଥିରେ ନଥିଲେ ଘରୁ ପଦାକୁ କେବେହେଲେ ଗୋଡ଼ ବାହାରିବନି । ଆପଣ ମୁଣ୍ଡ ପିଟିଦିଅନ୍ତୁ । ପୃଥିବୀ ପ୍ରଳୟ ହେଉ ।

ଭଦ୍ରବ୍ୟକ୍ତିଙ୍କ କଥାରେ, ନିହାତି ବ୍ୟକ୍ତିଗତ କଥାରେ, ଅଶ୍ୱସ୍ତି ଅନୁଭବ କରୁଥାଏ । ଯେପରି ନିଜେ ମୁଁ କୌଣସି ଗର୍ହିତ କାର୍ଯ୍ୟରେ ଧୀରେ ଧୀରେ ଲିପ୍ତ ହୋଇଯାଉଛି । ସେହିପରି ମନେ ହେଉଥାଏ । ରହି ରହି ରୋମ ଟାଙ୍କୁରି ଉଠୁଥାଏ ।

ଆପଣ ଜାଣନ୍ତି ? —ସେ ମୋ କାନ୍ଧକୁ ସ୍ପର୍ଶକରି ପଚାରିଲେ ।

ନାଁ—ମୋ ମୁଖରୁ ବାହାରିଗଲା ।

ଶଶୀ ମନସ୍ତତ୍ତ୍ୱରେ ଅନର୍ସ ଗ୍ରାଜୁଏଟ୍‍ ।

ଆଚ୍ଛା !

ରୁହନ୍ତୁ, ମୁଁ ତାଙ୍କୁ ଯାଇ ଡାକିଆଣେ । ଆପଣତ ବିଦେଶୀ, ଆପଣଙ୍କୁ ଲାଜ କରିବାରେ କଣ ଅଛି ! ଆପଣ ଟିକିଏ ବସିଥାନ୍ତୁ ।

ଭଦ୍ରବ୍ୟକ୍ତିଙ୍କ ସହ ଯମ୍ନା ମଧ୍ୟ ଭିତରକୁ ଚାଲିଗଲା ।

 

ସେମାନେ ଚାଲିଯିବା ପରେ ମୁଁ ନୀରବରେ ବସି ଚିନ୍ତା କରୁଛି, ଏହି ସମୟରେ ହଠାତ୍‍ ଝରକା ଦେଇ ମୋତେ କେହି ଠାରିବା ପରି ମନେ ହେବାରୁ ସେ ଆଡ଼କୁ ଚାହିଁଲି । ଛାତି ମୋର ଦପ୍‍ କରି ରହିଗଲା । ଜଣେ ଯୁବତୀ ମୋତେ ସତରେ ଡାକୁଥିଲେ । ତାଙ୍କର ଆଖି ଦୁଇଟି ତଳେ ବହୁ ବିନିଦ୍ର ରଜନୀ ବା କ୍ରମାଗତ ଗଭୀର ଚିନ୍ତାର ସୁସ୍ପଷ୍ଟ ଚିହ୍ନ । ଶରୀରରେ ସୁନ୍ଦରୀ ହେବାର ସମସ୍ତ ଦାବୀ ଥିବା ସତ୍ତ୍ୱେ ଯୁବତୀଙ୍କ ଶରୀରରୁ ସୌନ୍ଦର୍ଯ୍ୟ ଅପସୃୟମାନ ଅବସ୍ଥାରେ ଥିବାପରି ଜଣାଗଲା । ମୁଣ୍ଡରେ ଓଡ଼ଣା ଦେଇ ସେ ମୋତେ ଡ଼ାକୁଥିଲେ । ମୁଁ ମନ୍ତ୍ରମୁଗ୍‍ଧ ପରି ତାଙ୍କର ଠାରିବା ଅନୁଯାୟୀ କୌଣସି ସ୍ୱରଶବ୍ଦ ନକରି ତାଙ୍କୁ ଅନୁସରଣ କରିବାକୁ ଲାଗିଲି । ମୋତେ ଆସୁଥିବା ଦେଖି ସେ ବାରଣ୍ଡାର ଗୋଟିଏ କୋଣକୁ ଚାଲିଯାଇ ନିହାତି ଆତ୍ମୀୟ ପରି କହିଲେ—

 

ଦେଖନ୍ତୁ, ଆପଣ ଏ ସହରର ଲୋକପରି ଜଣାଯାଉ ନାହାନ୍ତି । ସେଥିପାଇଁ ଏହି ଘର ଭିତରକୁ ଚାଲିଆସିଲେ । ନ ହେଲେ ଯେଉଁମାନେ ଏଇ ସହରର ଲୋକ, ସେମାନଙ୍କ ଭିତରୁ କେହି ଏଠାକୁ କେବେ ଆସନ୍ତିନି ! ସେମାନେ ନ ଆସିବା ପାଇଁ ତ ଏତେ ଆଲସେସିଆନ୍‍ କୁକୁର, ଆଉ ଏହି ମେଘନାଦ ପାଚେରୀ । ମୁଁ ଆପଣଙ୍କ ସହିତ ପୂର୍ବରୁ ଚିହ୍ନା ପରିଚୟ ନଥାଇ ସବୁକଥା କିପରି କହିଦେଉଛି ବୋଲି ଆପଣ ଆଶ୍ଚର୍ଯ୍ୟ ହେଉଥିବେ । କିନ୍ତୁ ମୋର ବିବାହ ପରେ ବୋଧେ ଆପଣ ପଞ୍ଚମ ପୁରୁଷ ହେବେ, ଯାହାଙ୍କ ସହିତ ମୁଁ କଥାବାର୍ତ୍ତା କରିଛି । ଅନ୍ୟ ଲୋକ ସହିତ ସୁଖଦୁଃଖ ହେବାକୁ କା’ର ଇଚ୍ଛା ହୁଏନି ! ମୋର ପିତା ଓ ଅନ୍ୟ ଦୁଇଜଣ ଭଦ୍ରବ୍ୟକ୍ତିଙ୍କୁ ଛାଡ଼ିଦେଲେ ବିବାହ ପରେ ମୁଁ ସ୍ୱାମୀଙ୍କ ଛଡ଼ା ଅନ୍ୟ କାହାରି ସହିତ କଥାବାର୍ତ୍ତା କରିନାଇଁ । ଏଇ ସହରର ଦୁଇଜଣ ଭଦ୍ରଲୋକ, ସ୍ୱାମୀଙ୍କର ଚିହ୍ନା ହେବେ, ଥରେ ଘରଭିତରକୁ ପଶି ଆସିଥିଲେ । ସେତେବେଳେ ସେ ଅଳ୍ପ ସମୟପାଇଁ କୁଆଡ଼େ ବାହାରକୁ ଯାଇଥାନ୍ତି । ତାଙ୍କରି ଅନୁପସ୍ଥିତରେ ମୁଁ ଭଦ୍ରବ୍ୟକ୍ତି ଦ୍ୱୟଙ୍କୁ ଡ୍ରଇଁ ରୁମ୍‍ରେ ବସାଇ ଅଭ୍ୟର୍ଥନା କରିଥିଲି । କାରଣ ମୁଁ ଜାଣିଥିଲି ସେମାନେ ସ୍ୱାମୀଙ୍କର ବନ୍ଧୁ, ତାଙ୍କ ସହିତ ବିଶ୍ୱବିଦ୍ୟାଳୟରେ ପଢ଼ୁଥିଲେ । ଆମେ ତିନିହେଁ ଡ୍ରଇଁ ରୁମ୍‍ ରେ ବସି ତାଙ୍କୁ ଅପେକ୍ଷା କରୁଛୁ, ଗପ କରୁଛୁ, ସେ ଫେରି ଆସିଲେ । ତାପରେ ଯାହାହେଲା, ଆପଣ ଶୁଣିପାରିବେନି, ମୁଁ ମଧ୍ୟ କହିବା ଉଚିତ ନୁହେଁ । ଆପଣ ଯେତେ ଜଲ୍‍ଦି ପାରନ୍ତି ଚାଲି ଯାଆନ୍ତୁ, କେଉଁ ମୁହୂର୍ତ୍ତରେ ସେ ହିଂସ୍ର ହୋଇ ଉଠିବେ ତାର କୌଣସି ଠିକଣା ନାହିଁ ।

 

କିନ୍ତୁ ସେ ତ ମୋ ଆଗକୁ ଆସିବାପାଇଁ ଆପଣଙ୍କୁ ଡାକୁଥିଲେ ।

 

ମିଛରେ । ନିଜକୁ ନର୍‍ମାଲ୍‍, ସ୍ୱାଭାବିକ ପ୍ରକୃତିର ବୋଲି ପ୍ରମାଣ ଦେବାକୁ । ମୁଁ ଯଦି ସତରେ ଆସିଥାନ୍ତି ତାହେଲେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥାନ୍ତା ।

 

କିନ୍ତୁ କାହିଁକି...

 

ହେଇ ସେ ଆସିଲେଣି, ଆପଣଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିଲେ ମୋତେ ସେ ଜୀବନରେ ରଖିବେ ନାହିଁ । ଯାଆନ୍ତୁ ।

 

ଯାଆନ୍ତୁ କହି ଯୁବତୀ ଜଣକ ମୋତେ ଠେଲିଦେଇ କେଉଁଆଡ଼େ ଅଦୃଶ୍ୟ ହୋଇଗଲେ-। ମୁଁ ଡ୍ରଇଁ ରୁମ୍‍ ଭିତରକୁ ଫେରିଆସିଲି । ସେତେବେଳେ ଡ୍ରଇଁ ରୁମରେ କେହି ନ ଥାନ୍ତି । କେଉଁଠି କିପରି ସେ ଯୁବତୀ କାହାକୁ ଦେଖି ମୋତେ ଠେଲିଦେଇ ଚାଲିଗଲେ ମୁଁ ବୁଝି ପାରିଲିନି । କିଏ ସେ ? କେହି ତ ନାହାଁନ୍ତି !

 

କିନ୍ତୁ ଏହି ସମୟରେ ଭଦ୍ରବ୍ୟକ୍ତି କେଉଁଆଡ଼ୁ ଆସି ରୁମ୍‍ ଭିତରେ ଠିଆ ହେଲେ । ମୁଖମୁଦ୍ରା ବଜ୍ର ପରି କଠୋର । ପେଣ୍ଟ୍ ପକେଟରେ ହାତ ଦୁଇଟା ପଶିଥାଏ । ମୁହଁରେ ପାଇପ୍‍ । ମୁଁ ତାଙ୍କୁ ଦେଖିବାମାତ୍ରେ ଠିଆ ହୋଇ ପଡ଼ିଲି । ଦୁହେଁ ଠିଆହୋଇ ରହିଲୁ । କଠିନ ଭାବେ ମୋତେ ସେ କିଛି ସମୟ ଚାହିଁବା ପରେ କହିଲେ, ଗଭୀର କୂଅ ଭିତରୁ ତାଙ୍କର କଥା ଆସିବାପରି ଜଣାଯାଉଥାଏ—

 

ତାହେଲେ ତୁମେ ସବୁ ଜାଣି ସାରିଲଣି !

 

କଣ ?

 

ଯେ ମୁଁ ପାଗଳ । ମୋ ସ୍ତ୍ରୀକୁ ଅନ୍ୟ ପୁରୁଷମାନଙ୍କଠୁ ଲୁଚାଉଛି । କାହା ସଙ୍ଗରେ କଥାବାର୍ତ୍ତା ହେବାକୁ ଦେଉନି । ଘର ଚାରିପାଖେ ପାଚେରୀ ବୁଲାଇ ଦେଇଛି କେହି ଦେଖି ପାରିବେନି ବୋଲି । ମୁଁ ସଂଶୟୀ । ସ୍ତ୍ରୀ ପ୍ରତି ମୋର ବିଶ୍ୱାସ ନାହିଁ ।

 

ନାଁ ତା ! ଆପଣ କଣ କହୁଛନ୍ତି । ମୁଁ ତ ଡ୍ରଇଁ ରୁମ୍‍ ରେ ବସିଛି ଆପଣଙ୍କୁ ଅପେକ୍ଷା କରି-। ଆପଣ ଆପଣଙ୍କ ଧର୍ମପତ୍ନୀଙ୍କୁ ଆଣି ମୋ ସହିତ ଚିହ୍ନା ପରିଚୟ କରାଇଦେବେ ବୋଲି ଭିତରକୁ ଗଲେନି ?

 

ମିଥ୍ୟାବାଦୀ !

 

ମୁନିବ୍‍ ସହ ତାଳ ମିଳାଇ ଆଲସେସିଆନ୍‍ କୁକୁର ଗୁଡ଼ିକ ମଧ୍ୟ ଭୁକି ଉଠିଲେ ସେହି ସମୟରେ ।

 

ଦେଖନ୍ତୁ, ଆପଣ ଓ ଆପଣଙ୍କ ସ୍ତ୍ରୀଙ୍କ ପୂରାପୂରି ବ୍ୟକ୍ତିଗତ କଥାରେ ମୁଁ ପଡ଼ିବାକୁ ଚାହେଁନି । ମୋତେ ଅନୁମତି ଦିଅନ୍ତୁ, ମୁଁ ଯାଏ ।

 

ମୋ ବିଷୟରେ ଆପଣଙ୍କ ମତ କଣ, ମୁଁ ଜାଣିପାରେ ?

 

ଘଣ୍ଟାଏ ହବନି ପରିଚୟରେ କିପରି ଧାରଣା ସଂଗ୍ରହ କରିବି, ମତ ଦେବି ? ଧାରଣା ପାଇଁ ବହୁଦିନର ପରିଚୟ ଆବଶ୍ୟକ—ମୁଁ ଠିଆ ହୋଇପଡ଼ି କହିଲି ।

 

ଅନ୍ୟମାନଙ୍କୁ ମୋ ବିଷୟରେ କଣ କହିବେ ?

 

କିଛି ନୁହେଁ । ଆପଣଙ୍କ ଉଦାରତା, ବ୍ୟବହାରର ପ୍ରଶଂସା କରିବି ବା ଆପଣଙ୍କ ଘରକୁ ଜମାରୁ ଆସିନି ସେହିପରି ବ୍ୟବହାର କରିବି ।

 

ତୁମେ ମୋତେ ଥଟ୍ଟା କରୁଛ ଯୁବକ ! (କ୍ରୋଧରେ ସେ ‘ଆପଣ’ ସମ୍ୱୋଧନରୁ ‘ତୁମେ’ କୁ ଆସିଗଲେ ।) ମୁଁ ସବୁ ବୁଝିସାରିଲିଣି । ମୁଁ ବୋକା ନୁହେଁ । ତୁମପରି ମୁଁ ମଧ୍ୟ ବିଶ୍ୱବିଦ୍ୟାଳୟର ଜଣେ କୃତବିଦ୍‍ ଛାତ୍ର । ମୋର ବ୍ୟକ୍ତିଗତ ଲାଇବ୍ରେରୀ ଦେଖିଲେ ତୁମେ ଆଶ୍ଚର୍ଯ୍ୟ ହୋଇ ଯିବ । ପୃଥିବୀର ଏପରି କୌଣସି ବିଷୟ ନାହିଁ ଯେଉଁ ବିଷୟରେ କିଛିନା କିଛି ବହି ରଖିନି, ପଢ଼ିନି । ମୋର ଯଥେଷ୍ଟ ସାଧାରଣଜ୍ଞାନ ଅଛି ଓ ମୁଁ ବୁଝିପାରୁଛି ତୁମେ ମୋତେ ଥଟ୍ଟା କରୁଛ । ମୁଁ ଜାଣେ କୌଣସି ସ୍ତ୍ରୀ ଗୃହଭିତରେ ପଡ଼ି ରହିବାକୁ ଭଲ ପାଇବନି । ପ୍ରତ୍ୟେକ ଲୋକ ବୁଲିବାକୁ, ଦେଖିବାକୁ, ବହୁ ଲୋକଙ୍କସହ କଥାବାର୍ତ୍ତା କରିବାକୁ ଭଲପାଆନ୍ତି । କୌଣସି ସ୍ତ୍ରୀ ସେଥିରୁ କିପରି ବ୍ୟତିକ୍ରମ ହେବେ ? ମୁଁ ବୁଝୁଛି । ମୁଁ ବୋକା ନୁହଁ । ମୋତେ ମଧ୍ୟ ଭଲ ଲାଗୁନି ପାଗଳ, ସଂଶୟୀ ବୋଲି ବିଖ୍ୟାତ ହେବାକୁ । ଜୀବନରେ କେତେ ଆକାଂକ୍ଷା ଥିଲା, କେତେ କଥା କରି ଦେଖାଇବାକୁ, କିଛି ହୋଇପାରିଲାନି, ଜୀବନର ଅର୍ଦ୍ଧେକାଂଶ ପ୍ରାୟ ଚାଣ୍ଡାଳୁଣୀକୁ ଜଗି ଜଗି ଗଲା-। ବାକି ଅଧକ ମଧ୍ୟ ସେହିପରି ଯିବ । ତୁମ ଆଗରେ ସବୁ କଥା ବୁଝାଇ କିଛି ଲାଭ ନାହିଁ । ତୁମେ ଖୁବ୍‍ ଜଲ୍‍ଦି ସ୍ତ୍ରୀମାନଙ୍କ କଥାରେ ଭାସିଯିବା ପରି ଜଣାଯାଉଛ । ହଉ, ତୁମେ ଯାଇପାର । ମୋର ବ୍ୟକ୍ତିଗତ କଥା ଜାଣିବାକୁ ତୁମେ କିଏ ? ପ୍ଳିଜ୍‍ ଗେଟ୍‍ ଆଉଟ ।

 

ଆଲସେସିଆନ୍‍ କୁକୁର ଗୁଡ଼ିକ ବି ତୀବ୍ରଭାବେ ରୁକି ଉଠିଲେ । ପ୍ରଭୁର ପ୍ରତ୍ୟେକ ଭାବ ସହିତ ସେମାନେ ପରିଚିତ ଥିବାପରି ଜଣାଗଲା । ମୁଁ ବାରଣ୍ଡାକୁ ଚାହିଁ ଦେଖେ ଚାକରାଣୀ ଯମ୍ନା ମୋତେ ଅପେକ୍ଷା କରୁଛି । ବାଟ କଢ଼ାଇନେବା ପାଇଁ । ମୁଁ କିଛି ନ କହି ମୂଢ଼ ପରି ଉଠି ଯମ୍ନା ସହିତ ଦୁଆର ପାଖକୁ ଗଲି । ରାସ୍ତା ଉପରକୁ ଆସିବା ପୂର୍ବରୁ ପୁଣି ଥରେ ବୁଲି ନମସ୍କାର ପାଇଁ ହାତ ଉଠାଇବାକୁ ଗଲାବେଳେ ଦେଖିଲି—

 

ଭଦ୍ରବ୍ୟକ୍ତି ନିଜର କେଶକୁ ଟାଣୁଥିଲେ, ସିମେଣ୍ଟ କାନ୍ଥ ଦେହରେ ମୁଣ୍ଡ ପିଟୁଥିଲେ । ଆଉ ତାଙ୍କରି ପାଖରେ ତାଙ୍କର ଧର୍ମପତ୍ନୀ ତାଙ୍କୁ ସ୍ନେହାଲିଙ୍ଗନ କରି ସେହିପରି ନିଷ୍ଠୁର କାର୍ଯ୍ୟରୁ ବାରଣ କରିବାକୁ ଚେଷ୍ଟା କରୁଥିଲେ ।

 

ମୁଁ ଫେରି ଆସିଲି । ପଛରେ ଯମ୍ନା ଜୋର୍‍ ରେ ଦୁଆର କିଳିଦେଲା ।

Image

 

Unknown

ପଙ୍କ ଓ ପଙ୍କଜ

 

ଢାକା

………………୧୯୪୭

 

ପ୍ରିୟତମ,

 

ସାଷ୍ଟାଙ୍ଗ ପ୍ରଣାମ ଗ୍ରହଣ କରିବ । ହିନ୍ଦୁସ୍ଥାନ୍‍ ଚାଲିଯାଇ ତୁମେ ବୋଧହୁଏ ମୋତେ ସମ୍ପୂର୍ଣ୍ଣ ଭୁଲିଗଲଣି । ତୁମଠୁ ଗୋଟିଏ ହେଲେ ଚିଠି ପାଇନି । ସେଥିପାଇଁ ପରା କହୁଥିଲ, ମୋତେ ଜୀବନଠୁ ବେଶି ଭଲ ପାଉଛ ବୋଲି ! ଶୁଣିଛି କଟକ ଗଲେ ଲୋକ ଅଟକି ଯାଆନ୍ତି । ସେଠାକାର ସ୍ତ୍ରୀମାନେ ସୁନ୍ଦର ପୁରୁଷ ଦେଖିଲେ ମନ୍ତ୍ର କରି ବଶୀଭୂତ କରି ରଖନ୍ତି ! ମୋର ପୂର୍ବ ଚିଠି ସବୁ ପାଇଛ ନା ନାହିଁ ? ଏଠାର ଗଣ୍ଡଗୋଳ ସରି ଆସିଲାଣି; କିନ୍ତୁ ଜିନିଷପତ୍ରର ଦାମ ଖୁବ୍‍ ମହଙ୍ଗା ହୋଇଛି । ତୁମେ ଯିବାପରେ ଯାହାସବୁ ଏଠି ଘଟିଗଲା ତାର ବିସ୍ତାର ବର୍ଣ୍ଣନା କରି ଆଗରୁ ଲେଖିଥିଲି, ବୋଧେ ସେ ଚିଠି ତୁମେ ପାଇନ । ସଂକ୍ଷେପରେ ସବୁ ପୁଣି ଲେଖୁଛି । ଏଥରକ ଯେପରି ନିଶ୍ଚୟ ଉତ୍ତର ଦେବ । ମୋ ରାଣ ।

 

ମନେଥିବ, ତୁମେ ଯିବା ପୂର୍ବଦିନ ପୂର୍ଣ୍ଣମୀ ହୋଇଥିଲା । ବୁଢ଼ୀ ମା ଶିବ ମନ୍ଦିରକୁ ଯାଇଥିଲେ । ତୁମେ ମୁଁ ସାରା ଘରଟାରେ ଏକୁଟିଆ । କଣ ତୁମେ ପଢ଼ୁଥିଲ, ମୁଁ ତୁମକୁ ଯାଇ କହିଲି—‘‘ଶୁଣୁଛ, ସାରା ମହଲାରେ କଣ ସବୁ ଟୁପୁରୁ ଟାପୁରୁ ହେଉଛନ୍ତି ।’’

 

ତୁମେ ମୋ କଥାରେ ଧ୍ୟାନ ନ ଦେଇ ସେହିପରି ପଢ଼ି ଚାଲିଥାଅ—‘‘ସମସ୍ତେ କହୁଛନ୍ତି ଖୁବ୍‍ କମ୍‍ ଦିନ ଭିତରେ ଭାରି ହଣାକଟା ଲାଗିବ । ପୃଥିବୀ ପ୍ରଳୟ ହୋଇଯିବ । ମୁସଲମାନମାନେ ହିନ୍ଦୁଙ୍କୁ ମାରି ସାରା ଭାରତକୁ ପାକିସ୍ଥାନ କରିଦେବେ । ସେଇଥିପାଇଁ କୁଆଡ଼େ ମୁସଲମାନ ବସ୍ତୀରେ ପ୍ରତିଦିନ ରାତି ବାରଟା ପରେ ଲାଠି, ଛୁରୀ, ପ୍ରଭୃତି ଖେଳ ଚାଲିଛି । ମସ୍‍ଜିଦ୍‍ ରେ ନିୟମିତ ଭାବେ ନମାଜ ହେଉଛି, ମୁଲ୍ଲାମାନେ ବକ୍ତୃତା ଦେଉଛନ୍ତି ।

 

‘‘ମୋତେ ଭାରି ଡର ଲାଗୁଛି ଅନ୍ୟ କେଉଁଠିକି ଚାଲ ଚାଲିଯିବା । ଗଣ୍ଡଗୋଳ ସରିଲେ ଆସିବା ।’’

 

ମୋର ମୁହଁ ଶେତା ପଡ଼ିଯାଇଥାଏ । ସତରେ ସେତେବେଳେ ମୋ ଦେହରେ ରକ୍ତ ନ ଥାଏ । ଛାତି ଦୁଲ୍‍ ଦୁଲ୍‍ ହୋଇ ପଡ଼ୁଥାଏ ଉଠୁଥାଏ । ମୋର ହୃଦୟର ଭାବକୁ କିପରି ତୁମକୁ ବୁଝାଇବି ମୋ ପାଇଁ ସମସ୍ୟା ହୋଇ ଉଠିଥାଏ ।

 

ସବୁ ଶୁଣି ମୁରୁକି ହସି ତୁମେ କହିଲ—‘‘ମୁଁ ଥିବାଯାଏଁ ତୁମର କୌଣସି କଥାପାଇଁ ଡରିବା ଦରକାର ନାହିଁ, ମୋ ଉପରେ ସବୁ ଛାଡ଼ିଦେଇ ତୁମେ ନିଶ୍ଚିନ୍ତ ହୋଇ ରହ । ’’

 

ମୁଁ ତଳେ ଆଣ୍ଠେଇପଡ଼ି ତୁମ କୋଳଉପରେ ମୁହଁ ରଖି ହଠାତ୍‍ କାହିଁକି କାନ୍ଦିଲି । କୋଳରୁ ଜମା ମୁହଁ ବାହାର କରୁ ନ ଥାଏ । ପ୍ରଥମେ ତୁମେ କିଛି ଜାଣିପାରିଲନି; କିନ୍ତୁ କାନ୍ଦିବା ଦେଖି ବ୍ୟସ୍ତ ହୋଇପଡ଼ି ମୋତେ ଉଠାଇଲ, ଲୁହ ପୋଛିଦେଇ ମୁହଁରେ ଚୁମା ଦେଇ କହିଲ–‘‘ଦେଖୁଛି ତୁମେ ବଡ଼ ବେଶି ଡରି ଯାଇଛ । ମଣିଷ ପ୍ରତି ଅବିଶ୍ୱାସ କରିବାରୁ ତୁମର ଡର ସୃଷ୍ଟି ହୋଇଛି । ମୁସଲମାନମାନଙ୍କୁ ଡରିବାର କାରଣ କଣ ? ମୁସଲମାନ ହେଲେ ବୋଲି କଣ ସେମାନେ ମଣିଷ ନୁହଁନ୍ତି ? ମଣିଷ ପ୍ରତି ମଣିଷର ମମତା ନାହିଁ ? ଆଉ କାହାକୁ ବା ତମେ ଡରୁଛ-? ପାଖ ସାହୀର ଲତିଫ୍‍ ? ଯିଏ ଆସି ହଜାର ଥର ଆମ ଘରେ ଚା ଜଳଖିଆ ଭୋଜି ଖାଇଯାଇଛି-। ଦଶହରା ଦିନ ଯିଏ ଆସି ଦୁର୍ଗାଙ୍କ ପାଖରେ ଭୋଗ ଯାଚେ । କରୀମ୍‍ ? ଯିଏ ମାଂସ ଦିଏ ପ୍ରତି ରବିବାର ଦିନ ? କେଡ଼େ ବିନୀତ ଶାନ୍ତଶିଷ୍ଟ ଲୋକ ସେ ତୁମେ ଜାଣ । ଦିନରେ ଯେତେଥର ଦେଖିବ ସେତେଥର ସଲାମ୍‍ ପକାଉଥିବ । ମାମୁଦ୍‍, ଜାଫ୍ରୁଲ୍ଲା, ନାଜିର୍‍......କାହାକୁ ଡରିବା ! ସମସ୍ତଙ୍କ ସହିତ ସମ୍ୱନ୍ଧ ଅଛି । ସମସ୍ତେ ଭାଇ ପରି । ଦେଖ, ମଣିଷକୁ ଏତେଟା ଅବିଶ୍ୱାସ କଲେ ଚଳି ପାରିବାନି ।’’

 

ତୁମେ ମୋତେ ଧୈର୍ଯ୍ୟ ଦେଲ । ଆଉ ମୋର ଡରଭୟକୁ ସମ୍ପୂର୍ଣ୍ଣ କରି ଦୂର କରିଦେବା ପାଇଁ ଛାତ ଉପରକୁ ନେଇ ମୋତେ ଆଶ୍ୱାସନା ଦେଲ । ଉପରେ ପୂର୍ଣ୍ଣ ଚନ୍ଦ୍ର, ତଳେ ଆମେ ଦୁହେଁ, କ୍ଷଣକ ଭିତରେ ମୋର ସବୁ ଡର ଆଶଙ୍କା କେଉଁଆଡ଼େ ଦୂର ହୋଇଗଲା ।

 

ତୁମ ଦେହରୁ ଝାଳ ବୋହୁଥାଏ । ମୁଁ ହସି ହସି ତୁମ ଦେହରୁ ଝାଳ ପୋଛୁଥିବା ବେଳେ ହଠାତ୍‍ ଗମ୍ଭୀର ହୋଇଗଲି । ‘‘କଣ ହେଲା—ଏତେ କଥା ପରେ ବି ତୁମ ମନରେ ଦୁଃଖ ! ’’

 

‘‘ତୁମେ କାଲି କଟକ ଯାଆନି ।’’

 

‘‘ପୁଣି କଣ ହେଲା ?’’

 

‘‘ଲତିଫ୍‍କୁ ମୋତେ ବଡ଼ ଡର ଲାଗୁଛି । ଆଜି ରାସ୍ତା ଉପରୁ ବହୁ ସମୟ ଧରି ସେ ମୋ ଆଡ଼କୁ ଚାହୁଁ ଥିଲା । ମୁଁ ତାକୁ ଦେଖି ନ ଥିଲି । ହଠାତ୍‍ ଚାହିଁଦେବା ବେଳକୁ ଦେଖେ ସେ ମୋ ଆଡ଼କୁ କିପରି ପ୍ରକାରେ ଚାହିଁଛି । ମୁଁ ଦଉଡ଼ି ବାରଣ୍ଡା ଉପରୁ ଘରଭିତରକୁ ଚାଲି ଆସିଲି; ବାର କଳ୍ପନା ମନକୁ ଆସିଲା ।’’

 

ତୁମେ ବିରକ୍ତରେ କହିଲ—‘‘ଲତିଫ୍‍ କଥା ଭାବିବାକୁ ଏଇ ସମୟ ଥିଲା । ଅନ୍ୟମାନଙ୍କ ନାରେ ଏଣୁତେଣୁ କହିବାକୁ ତୁମେ ସବୁବେଳେ ଭଲପାଅ ।’’

 

ତୁମେ ରାଗିଗଲ, ଆଉ ତାପରେ ଯେତେ ମନାକଲେ ମଧ୍ୟ ନ ମାନି କଟକ ଚାଲିଗଲ । ହଁ ଭଉଣୀକୁ ଛାଡ଼ି କିପରି ରହିପାରିଥାନ୍ତ । ସ୍ତ୍ରୀ କେତେ ମିଳିବେ । କିନ୍ତୁ ମା ପେଟର ଭଉଣୀ ତ ଗୋଟିଏ । କଅଣ ହେଲା, ଭଉଣୀ ଟାଇଫଏଡ଼୍‍ରୁ ଭଲ ହେଲାଣି ? ଚିଠିରେ ଲେଖିବ । ତାଙ୍କର ସ୍ୱାମୀ ତାଙ୍କୁ ଆଉ ନିର୍ଯ୍ୟାତନା ଦେଉ ନାହାଁନ୍ତି ତ ?

 

ହଁ, ତୁମେ ଜାଣ, ତା ଆର ଦିନଟାଯାକ ତୁମେ ରାଗିବାରୁ ମୁଁ ଓପାସ୍‍ ଥିଲି ! ତୁମେ କିଛି ଜାଣିନ, ମୁଁ କେତେ କାନ୍ଦିଛି ! ଏବେ, ବୁଝୁଛି, ଯାହା ହବାର ଥାଏ ତାକୁ କେହି ଅନ୍ୟଥା କରିପାରେନି ।

 

ତୁମେ ଯିବାର ଚାରି ପାଞ୍ଚଦିନ ପରେ । ସବୁ ଦୁଆର ଝରକା ଦେଇ ଆମେ ଶୋଇଥାଉ-। ତଥାପି ରାତିରେ ନିଦ ହଉନଥାଏ । ଟିକିଏ ଖୁଡ଼୍‍ କିନାହେଲେ ନିଦ ଭାଙ୍ଗି ଯାଉଥାଏ । ହଠାତ୍‍ ଭାରି ଜୋରରେ ଦାଣ୍ଡ ଦୁଆରକୁ କିଏ ଧଡ଼୍‍ଧଡ଼୍‍ କଲା । ବୁଢ଼ୀମା ଓ ମୁଁ ତୁମ ଖଟରେ ଶୋଇ ଥାଉ । ଶବ୍ଦ ଶୁଣି ମୁଁ ଡରରେ ତଳକୁ ଓହ୍ଲାଇ ପଡ଼ିଲି । ସେତେବେଳେ କିପରି କେଜାଣି ମୋର ସମସ୍ତ ବଳବୁଦ୍ଧି କୁଆଡ଼େ ଲୋପ ହୋଇଗଲା । କେଉଁ ଆସନ୍ନ ବିପଦର ଛାୟା ମୋ ଉପରେ ଯେପରି ପଡ଼ି ସମ୍ମୋହନ ପ୍ରଭାବର କାର୍ଯ୍ୟ କରୁଥାଏ । ମୁଁ ମୂକ ପଶୁ ପରି ବୁଢ଼ୀମାଙ୍କ ପଛେ ପଛେ ଯାଉଥାଏ । ବୁଢ଼ୀମା ଝରକାବାଟେ ଦାଣ୍ଡ ଦୁଆରକୁ ଚାହିଁଲେ ।

 

‘‘କିଏ ?’’

 

‘‘ମୁଁ ଲତିଫ୍‍ ।’’

 

‘‘ଆରେ ଲତିଫ୍‍ ! ପୁଅ, ମୁଁ ଭାରି ଡରି ଯାଇଥିଲି । କେତେକଣ ଭାବନା ମୋ ମନକୁ ଆସି ସାରିଥିଲା । ଅବେଳରେ କିପରି ପୁଅ ? ରହ ମୁଁ ଦୁଆର ଖୋଲୁଛି । ’’

 

ବୁଢ଼ୀ ଠୁକୁର ଠୁକୁରୁ ଯାଇ ଦୁଆର ଖୋଲିଦେଲେ । ମୁଁ କିଛି ଦୂରରେ ଠିଆ ହୋଇଥାଏ-। ସବୁ ବୁଝି ଯେପରି ମୁଁ କିଛି ବୁଝୁ ନଥାଏ ।

 

‘‘ବାପ, କଣ.....’’

 

ବୁଢ଼ୀଙ୍କ ବାକି କଥା ମୁହଁରେ ରହିଗଲା । ଗୋଟିଏ ଚୋଟରେ ତାଙ୍କ ମୁଣ୍ଡ ତଳେ ଧପ୍‍କରି ଛିଟ୍‍କି ପଡ଼ିଲା । ବୁଢ଼ୀଙ୍କ ମୁଣ୍ଡ ତଳେ ପଡ଼ିଛି, ମୋର ବୁଦ୍ଧି ଫେରି ଆସିଲା । ମୁଁ ଶୋଇବା ଘର ଆଡ଼କୁ ଦଉଡ଼ି ଗଲି; କିନ୍ତୁ ଲତିଫ୍‍ ପଛେ ପଛେ ଆଉ ଦୁଇ ତିନି ଜଣ କିଏ ଆସୁଥିଲେ । ସେମାନଙ୍କ ଭିତରୁ ଜଣେ ପବନବେଗରେ ଦଉଡ଼ିଯାଇ ମୋ ବାଟ ଓଗାଳି ଦେଲା ।

 

ତାପର ଘଟଣା ବର୍ଣ୍ଣନା କରି ଲାଭ ନାହିଁ । କିଛିଦିନ ପରେ ଲତିଫ୍‍ ସହିତ ମୋର ନିକା ହୋଇଗଲା ।

 

ଯେତେ କଥାଏ ଏ ଯାଏଁ ଲେଖିଲି ସେ ସବୁ ପୂର୍ବଚିଠିରେ ବିସ୍ତାର ପୂର୍ବକ ଲେଖିଥିଲି । ସେ ଚିଠି ତୁମେ ପାଇଛ କି ନାହିଁ କେଜାଣି ! ପାଇ ନଥିବ ଆଶଙ୍କା କରି ପୁଣି ଏଚିଠିରେ ସବୁ କଥା ଲେଖିଲି । ସବୁ ପଢ଼ିସାରି ମୁଁ କେତେଦୂର ଦୋଷୀ ଆଉ ତୁମର ଦୋଷ କେତେ ବିଚାର କରିବ । ତୁମେ ଯଦି ମୋର ପରିସ୍ଥିତିରେ ଥାଆନ୍ତ କଣ କରିଥାନ୍ତ ତା ମଧ୍ୟ ଲେଖିବ ।

 

ମୋର କୌଣସି ଖୋଜ ଖବର ନ ପାଇ ତୁମେ ନିଶ୍ଚୟ ବିଶେଷ ଚିନ୍ତିତ ଥିବ । ଭଲକରି ଖାଉଥିବ ପିଉଥିବ କି ନାହିଁ ସନ୍ଦେହ । ମୋ ରାଣ, ଦେହପା’ର ଯତ୍ନ ନେବ । ମୋ ପାଇଁ ଆଦୌ ଚିନ୍ତିତ ହେବନି । ଲତିଫ୍‍ ମିଆଁଙ୍କ ପାଖରେ ମୁଁ ପରମ ସୁଖରେ ଅଛି । ସେ ମୋତେ ଯେପରି ଭଲ ପାଉଛନ୍ତି ତା କୌଣସି ସ୍ତ୍ରୀ ଅନୁଭବ ବିନା ବିଶ୍ୱାସ କି କଳ୍ପନା କରିପାରିବନି । ଅନ୍ୟ କୌଣସି ସ୍ତ୍ରୀକୁ ସେ ଆଡ଼ ଆଖିରେ ମଧ୍ୟ ଚାହୁଁ ନାହାନ୍ତି, ଗଣ୍ଡଗୋଳ ବେଳେ ଅନ୍ୟମହଲାରୁ ପରମ ସୁନ୍ଦର ସ୍ତ୍ରୀ ମିଳୁଥିଲେ ମଧ୍ୟ (ଶ୍ୟାମ ବନ୍ଦୋପାଧ୍ୟାୟଙ୍କ ପତ୍ନୀ ମାଧବିକା ଓ ତାଙ୍କର ଝିଅ ରୀତା—ରୀତାକୁ ପରା ତମେ ମୋତେ ବିବାହ କରିବା ପୂର୍ବରୁ କୁଆଡ଼େ ଭଲ ପାଉଥିଲ ! ତମ ମତରେ ସେ ପରା ଭାରି ସୁନ୍ଦର ! କହୁ ନଥିଲ, ସେ ଥରେ ତୁମ ସହିତ କଥା ହେଉଥିବା ବେଳେ କିପରି ତାର କେଶକୁ ପାଖରେ ବନ୍ଧାଯାଇଥିବା ବାଛୁରୀଟା ଚୋବାଉଥିବା ବେଳେ ତୁମେ ଯାଇ ଝିଙ୍କି ତାର କେଶକୁ ବାହାର କଲ, ଆଉ ସେ କେଶ ଯାକରେ ଫେଣ ଲାଗିଥିବାରୁ ସେ ପୁଣି ଗାଧୋଇବାକୁ ଚାଲିଗଲା !) ଲତିଫ୍‍ ଅନ୍ୟମାନଙ୍କୁ ସେମାନଙ୍କୁ ନେଇଯିବାକୁ ଅନୁମତି ଦେଇଥିଲେ । ତେଣୁ ମୋ ପାଇଁ ତୁମେ ଆଦୌ ଭାବିବନି । ହଁ ଲତିଫ୍‍ ମିଆଁ କହୁଥିଲେ, ତୁମେ ଇନ୍ଦ୍ର ପାଖକୁ ଚିଠି ଲେଖ ସେ ଏଠାକୁ ଚାଲି ଆସୁ । ତୁମ ସହିତ ତାଙ୍କର କୌଣସି କଳହ ନାହିଁ । ଗଣ୍ଡଗୋଳ ସମୟରେ ବହୁ କଥା ଘଟେ ଯାହାକୁ ଶାନ୍ତି ସମୟରେ ଭୁଲିଯିବା ଉଚିତ । ସେଠି ଧର୍ମାନ୍ତର ଗ୍ରହଣ କରି ଏଠାକୁ ଚାଲିଆସ । ସୁନ୍ଦର ଝିଅଟେ ମଧ୍ୟ ତୁମପାଇଁ ମୁଁ ବାଛି ରଖିଛି । ଲତିଫ୍‍ ମିଆଁଙ୍କ ଭଉଣୀ ମମତାଜ । ମୁଁ ତାର ପାଦ ଆଙ୍ଗୁଳିକୁ ସରି ହେବିନି । ହିନ୍ଦୁ ଧର୍ମରେ କଣ ଅଛି ? ଗୋରୁ, ମାଙ୍କଡ଼, ଗଛ, ପୂଜା କରିବା ଅପେକ୍ଷା ଏକ ଈଶ୍ୱର ଆଲ୍ଲାଙ୍କୁ ପ୍ରାର୍ଥନା କରିବା ଭଲ ନୁହେଁ ?

 

ତୁମର ଦେହପା, କିପରି ଅଛି ? ମଜାରେ ଥିବ । ଏଠି ଆମେ ଆର୍ଥିକ କଷ୍ଟ ଭୋଗ କରୁଛୁ । ସବୁ ଜିନିଷର ଦରଦାମ ଏତେ ବେଶି ଯେ ଯେତେ ରୋଜଗାର କଲେ ମଧ୍ୟ ଅଣ୍ଟୁନି । ଗୋଟିଏ ଅନୁରୋଧ କରିବି, କିଛି ମନା କରିବନି, କିଛି ଟଙ୍କା ପଠାଇ ପାରିବନି ? ସୁବିଧା ହେବ ଯଦି ଚେଷ୍ଟା କରିବ । ଲତିଫ୍‍ର ସିଲେଇ ମିଶିନି ଗୋଟେ ଖରାପ ହୋଇ ଯାଇଛି । ଗୋଟାକରେ କେତେ ରୋଜଗାର ହେବ ? ଯାହାବା ଅଣ୍ଟନ୍ତା କେତେଦିନ ହେଲା ମୋତେ କି ଖରାପ ରୋଗ ହୋଇଛି ଯେ ଯେତେ ଚିକିତ୍ସା କଲେ ବି ଭଲ ହୋଉନି । ରୋଗ କଥା କହିଲେ ଲତିଫ୍‍ ଖିଙ୍କାରୀ ଗୋଡ଼ାଉଛି, ବିରକ୍ତ ହେଉଛି । କିଛି ଟଙ୍କା ପଠାଇ ପାରନ୍ତନି ? ଲତିଫ୍‍ମିଆଁଙ୍କୁ ନ ଦେଖାଇ ଏ ଚିଠି ଲେଖୁଛି ।
 

। ଇତି ।

ତୁମର ଦାସୀ

ସରୋଜ

 

 

ଦିଲ୍ଲୀ

……………….୧୯୪୭

 

ପ୍ରିୟ ଇନ୍ଦ୍ରଜିତ୍‍,

 

ଢାକା ଗଣ୍ଡଗୋଳରେ ତୋର ଇହଲୀଳା ଶେଷ ହୋଇଛି ବୋଲି ମୁଁ ଅନୁମାନ କରି ତୋ ପାଖକୁ ଚିଠି ଦେଉ ନଥିଲି । ହଠାତ୍‍ ରବିବାର ଷ୍ଟେଟସ୍‍ମ୍ୟାନ୍‍ ରେ ତୋର ଲିଖିତ ପ୍ରବନ୍ଧ ପଢ଼ି ଆଶ୍ୱସ୍ଥ ହେଲି । ଈଶ୍ୱରଙ୍କୁ ସହସ୍ର ଧନ୍ୟବାଦ । ବର୍ତ୍ତମାନ କେଉଁଠାରେ ତୁ ଡେରା ପକାଇଛୁ ଜଣା ନଥିବାରୁ ‘ଷ୍ଟେଟ୍‍ସ୍‍ମ୍ୟାନ୍‍’ ସମ୍ପାଦକଙ୍କ ଠିକଣାରେ ଚିଠି ଦେଉଛି । ଢାକାରେ ତ ନିଶ୍ଚୟ ନଥିବୁ ! ଆଶା ଚିଠି ଠିକ୍‍ ସମୟରେ ତୋ ପାଖରେ ପହଞ୍ଚିବ, ଅନୁରୋଧ ଯେତେ ଜଲ୍‍ଦି ସମ୍ଭବ ଉତ୍ତର ଦେବୁ ।

 

ସାମ୍ପ୍ରଦାୟିକ ଗଣ୍ଡଗୋଳର ଝାସ ତୋ ଦେହରେ ବାଜିନି ତ ? ଷ୍ଟେଟ୍‍ସ୍‍ମ୍ୟାନ୍‍ କାଗଜରେ ପ୍ରକାଶିତ ହୋଇଥିବା ତୋର ପ୍ରବନ୍ଧରୁ ସେହିପରି କିଛି ମନେ ହେଉଛି । ସାମ୍ପ୍ରଦାୟିକ ଦଙ୍ଗାହେଙ୍ଗାମକୁ ରୁଣ୍ଡୀଭୂତ ଜନତାର ମନସ୍ତତ୍ତ୍ୱରେ ପକାଇ ବୁଝାଇବାକୁ ଚେଷ୍ଟା କରିଛୁ । କେତେଜଣ ନେତାଙ୍କ ବ୍ୟକ୍ତିଗତ ଆକାଂକ୍ଷା ଆସ୍ପର୍ଦ୍ଧା ସହ ବାକି ଲୋକଙ୍କ ସରଳ ହୃଦୟ ଓ ନିର୍ଦ୍ଧୁମ ବୋକାମୀ ମିଳିତ ହୋଇ ସାମ୍ପ୍ରଦାୟିକତା ସୃଷ୍ଟ ବୋଲି ତୋର ଯୁକ୍ତି । ଏହିସବୁ ଯୁକ୍ତିଜାଲରୁ ଜାଣୁଛି, ଈଶ୍ୱର ତୋତେ ନିରାସକ୍ତ, ନିରପେକ୍ଷ ହୋଇ ଲେଖିବା ସୌଭାଗ୍ୟ ଦେଇଛନ୍ତି, ତୋ ଦେହ ପୂର୍ବବଙ୍ଗର ପ୍ରଜ୍ଜ୍ୱଳିତ ନିଆଁରେ ଜଳି ଯାଇନି । ଈଶ୍ୱରଙ୍କ ପାଖରେ ନତଜାନୁ ହୁଅ । କଲିକତା କାଳୀଙ୍କୁ ବୋଦା ଯା’ଚେ । କିନ୍ତୁ ଏଡ଼େ ନିରପେକ୍ଷ ହୋଇ ରହିବା ସଭିଙ୍କ ଭାଗ୍ୟରେ ଜୁଟିନି । ଅନ୍ୟର ଦୁଃଖରେ ମଣିଷ ଦାର୍ଶନିକ ଚର୍ଚ୍ଚା କରେ; କିନ୍ତୁ ନିଜର ଦୁଃଖ ବେଳେ ? କାନ୍ଦେ ଖବର କାଗଜରେ ସମ୍ୱାଦ ପଢ଼ିବା—ବିଂଶାଧିକ ଦୁର୍ବୃତ୍ତଙ୍କ ଦ୍ୱାରା ଧର୍ଷିତ ହୋଇ ଜଣେ ହିନ୍ଦୁ ଯୁବତୀ ଅତ୍ୟଧିକ ରକ୍ତସ୍ରାବ ଯୋଗୁ ପ୍ରାଣତ୍ୟାଗ କରିଛନ୍ତି, ଆଉ ନିଜ ଗାଁରୁ ସମ୍ବାଦ ପାଇବା—ତୁମର ପତ୍ନୀ ଡାକା ମେଲ୍‍ ରେ ଆସୁଥିବାବେଳେ ଆନ୍‍ସାରମାନଙ୍କ ଦ୍ୱାରା ଅପହୃତା ହୋଇଛନ୍ତି—ଏକା କଥା ନୁହଁ ! ମୁଁ ମୋର ଅନୁଭୂତିରୁ କହୁଛି । ଆଜି ମୋର ଘର ନାହିଁ, ଦ୍ୱାର ନାହିଁ, ବାପା ମା ନାହାନ୍ତି, ଭଉଣୀ ନାହିଁ, ମୁଁ ଆଶ୍ରୟପ୍ରାର୍ଥୀ ହୋଇ ଦିଲ୍ଲୀକୁ ଆସିଛି । ଲାହୋରରେ ମୋର କଣ ନଥିଲା ? ତୁ ଭାଉଜଙ୍କ ସହିତ ଲାହୋରରେ ଆସି ଆମ ଘରେ ରହିଛୁ । ସବୁ ଦେଖିଛୁ । ବର୍ଣ୍ଣନା କରି କିଛି ଲାଭ ନାହିଁ; କିନ୍ତୁ ଆଜି ! ସେତିକି ନୁହଁ, ମୁଁ ଆଖିରେ ଯାହା ଦେଖିଛି ତା ଶୁଣିଲେ ତୋର ନିରପେକ୍ଷ ଦର୍ଶନ ଦୋହଲିଯିବ, ଆଉ ପ୍ରବନ୍ଧ ଲେଖିପାରିବୁନି, ଫଳତଃ ପାଠକମାନଙ୍କ ପତ୍ର ସ୍ତମ୍ଭରେ ଆଉ ବାହାବା, ଧନ୍ୟବାଦ ତୋତେ ମିଳିବ ନାହିଁ ।

 

ମାନୁଛି, ତୋର ବିଶ୍ଳେଷଣ ଅନେକ ଦୂର ଯଥାର୍ଥ । ବ୍ୟକ୍ତିଗତ ଭାବେ ଯାହାକୁ କୌଣସି ଲୋକ କେବେହେଲେ କରିବ ବୋଲି ଭାବି ନ ଥିବ ତା ସମୂହରେ ପଡ଼ିଗଲେ କରିଦେବା ଅସମ୍ଭବ ନୁହେଁ । ମୁଁ କେମ୍ୱ୍ରିଜ୍‍ରୁ ଏମ୍‍. ଏସ୍‍ସି. ! କେଡ଼େ ସମ୍ଭ୍ରାନ୍ତପରିବାରର ପ୍ରତିନିଧି ମୁଁ, କେଡ଼େ ଉଚ୍ଚଶିକ୍ଷିତ ! ସାଧାରଣ ଅବସ୍ଥାରେ, ବ୍ୟକ୍ତିଗତ ଭାବେ ମୁଁ କଣ, ମୋର ପ୍ରକୃତିର ପରିଚୟ ମୋର ବନ୍ଧୁମାନେ, ଛାତ୍ରମାନେ ଜାଣନ୍ତି । ଗତାନୁଗତିକ ଧର୍ମ ପ୍ରତି ମଧ୍ୟ ମୋର ସେପରି କିଛି ଆସ୍ଥା ନାହିଁ-। ନହେଲେ ଶିଖ୍‍ ପରିବାରରେ ଜନ୍ମ ହୋଇ କିଏ ପ୍ରତିଦିନ ଦାଢ଼ୀ ଖିଅର ହୁଏ ? କିନ୍ତୁ ସମୂହମନସ୍ତତ୍ତ୍ୱର ପ୍ରଭାବରେ ଆସି ମୁଁ ଯାହା କରିଛି ତା ବର୍ତ୍ତମାନ ଭାବିଲେ ମୋର ଲୋମାଞ୍ଚ ହୋଇଯାଉଛି ଭୟରେ, ଆଶ୍ଚର୍ଯ୍ୟରେ, ନିଜପ୍ରତି ଘୃଣାରେ । ମୁଁ—ଉଦମ ସିଂ ଏମ୍‍. ଏସ୍‍ସି (କ୍ୟାମ୍ୱ୍ରିଜ) ତାହା କରିଛି ବୋଲି ବିଶ୍ୱାସ ହେଉନି । ହୁଏତ ଆଉ କିଏ ହୋଇପାରେ, ମୁଁ ନୁହଁ କିମ୍ୱା ମୁଁ ଭିତରେ ଆଉ ଗୋଟିଏ ମୁଁ ଅଛି ଯେ ଏହିଭଳି ବିକୃତ ପରିସ୍ଥିତି ଖୋଜି ଆତ୍ମ ପ୍ରକାଶ କରେ । ବିଶ୍ୱାସ କରିବୁନି ତୁ ଏହା ଲେଖିବା ବେଳେ ନିଜ ପ୍ରତି ଘୃଣା ଆସୁଛି । ସାରା ଶରୀରକୁ ଟିକିଟିକି କରି କାଟି ଫୋପାଡ଼ି ଦବାକୁ ଇଚ୍ଛା ହେଉଛି, ରଡ଼ ନିଆଁକୁ ଡେଇଁପଡ଼ି ଆତ୍ମହତ୍ୟା କରିବାକୁ ଇଚ୍ଛା ହେଉଛି ।

 

ତୁ, ଭାଉଜ ଲାହୋରକୁ ଆସିଥିବା ବେଳେ, ମନେଥିବ, ଦିନେ ସକାଳେ ଆମେ ତିନିହେଁ ଗପକରୁଛେ, ଦଳେ ଝିଅ ଡ୍ରଇଁ ରୁମ୍‍ ଭିତରକୁ ପଶି ଆସିଥିଲେ । ସେମାନଙ୍କ ସହ ମୁଁ ତୁମ ଦୁହିଙ୍କର ପରିଚୟ ମଧ୍ୟ କରାଇ ଦେଇଥିଲି । ସେମାନେ ସମସ୍ତେ ମୋର ଛାତ୍ରୀ, ଇଣ୍ଟରମିଡ଼ିଏଟ୍‍ର ଦ୍ୱିତୀୟ ବର୍ଷରେ ପଢ଼ୁଥାନ୍ତି । କଣ ବୁଝିବାକୁ ଆସୁଥିଲେ । ଆଉ ସେହି ଦଳଭିତରେ ଯେ ହଠାତ୍‍ ବାରି ହୋଇ ପଡ଼ୁଥିଲା—ସମସ୍ତେ ହୋ ହୋ ହୋଇ ହସି ଘର ଭାଙ୍ଗି ପକାଉଥିବା ବେଳେ ସେ ଚୁପ୍‍ଚାପ୍‍ ଠିଆହୋଇ ଚାହୁଁଥାଏ—ସମସ୍ତେ ମୋତେ ବେଢ଼ି ପଢ଼ାଘରକୁ ପଶିବାବେଳେ ଯେ ଭାଉଜଙ୍କ ପାଖରେ ବସି ଖୁବ୍‍ ମୃଦୁକଣ୍ଠରେ କଣ ପଚାରିଲା—ଯାହାକୁ ଦେଖି ଭାଉଜ, ଆଉ କେହି ନୁହେଁ, ସରୋଜ ଭାଉଜ କହିଲେ—‘‘କେଡ଼େ ସୁନ୍ଦର, କେଡ଼େ ସୁଶୀଳ !’’ —ସେଇ ତରୁଣୀ, ମୋର ପ୍ରିୟ ଛାତ୍ରୀ—ତାର ନାଁ ମନେ ପଡ଼ୁଛି ? —ସଲୀମା, ସଲୀମା !! ମୋତେ ଓ ତାକୁ କେନ୍ଦ୍ର କରି କଲେଜ ଡେସ୍କମାନଙ୍କରେ ଛାତ୍ରମାନେ ବାରକଥା ଗାରଉଥିଲେ, ଅପବାଦ ସୃଷ୍ଟି କରୁଥିଲେ । ବଡ଼ ବିଚିତ୍ର ତାର ଚରିତ୍ର, ଯେତିକି ଶାନ୍ତ ସେତିକି ବିଦ୍ରୋହୀ ଥିଲା ସେ, ଯେତିକି ଭୀରୁ ସେତିକି ସାହାସୀ । ସବୁ ଅପବାଦ, ଧମକ ବେନାମୀ ଚିଠି ସତ୍ତ୍ୱେ ମୋ ପ୍ରତି ତାର ବ୍ୟବହାରର କୌଣସି ପରିବର୍ତ୍ତନ ହୋଇ ନ ଥିଲା । ସପ୍ତାହରେ ଥରେ ଘରକୁ ଆସିବ ଅନ୍ୟମାନଙ୍କୁ ସାଙ୍ଗରେ ନେଇ ପଢ଼ା ବୁଝିବା ପାଇଁ ଓ କଲେଜରେ ପ୍ରଥମ ଦେଖାରେ ହସି ହସି ସୁପ୍ରଭାତ ଜଣାଇବ ।

 

ବର୍ତ୍ତମାନ ତୁ ସେ ଝିଅକୁ ମନେ ପକାଇ ପାରୁଥିବୁ ।

 

କଲେଜ ମିଟିଂରୁ ଫେରୁ ଫେରୁ ରାତି ବାରଟା ଉପରେ ହୋଇ ଯାଇଥାଏ । ଭୟ, ଆଶଙ୍କା, କଳ୍ପନାରେ ହୃଦୟ ମୋର ପଡ଼ୁଥାଏ ଉଠୁଥାଏ । ସମସ୍ତ ସହର ଗଣ୍ଡଗୋଳ ପାଇଁ ସରଗରମ୍‍ ହୋଇ ରହିଥାଏ । ଲାଇଟ୍‍ଗୁଡ଼ାକ ସେଦିନକୁ ନିଷ୍ପ୍ରଭ ହୋଇ ଉଠିଥାନ୍ତି । ସବ୍‍ଜି ମଣ୍ଡିପାର ହୋଇ ମୁଁ ଆନାର୍‍ କଲୀ ଆଡ଼କୁ ମୁହାଁଇଛି କେତେଜଣ ଲୋକ ଜୀବନ ବିକଳରେ ଦଉଡ଼ି ଦଉଡ଼ି ମୋ ପାଖ ଦେଇ ଚାଲିଗଲେ । ଆରମ୍ଭ ହୋଇଗଲା ବୋଲି ମୁଁ ଜାଣିଲି । ପଛରୁ ଆଲ୍ଲା ହୋ ଆକବରର ବଜ୍ର ଗର୍ଜ୍ଜନ ! ରାସ୍ତା ଭୟଙ୍କର ଲାଗୁଥାଏ । ମୁଁ ଗୋଟିଏ ଦୋକାନ ଖୁମ୍ୱ ପଛରେ ଲୁଚିଗଲି । ପୁଣି ଦଉଡ଼ିବା ଶବ୍ଦ । ଖମ୍ୱ ପଛଆଡ଼ୁ ସବୁ ମୁଁ ଦେଖୁଥାଏ । ଗଳି ଭିତରକୁ ଯୁବତୀ ଜଣେ କାତର ହରିଣୀ ପରି ଦଉଡ଼ି ଆସିଲା । ଦଉଡ଼ିବା ଭଙ୍ଗୀରୁ ତାର ଜଣାପଡ଼ୁଥାଏ, ସେ ସମ୍ପୂର୍ଣ୍ଣ ପରିଶ୍ରାନ୍ତ ଆଉ ଯେପରି ଦଉଡ଼ିବାକୁ ଶକ୍ତି ନାହିଁ ! ଯୁବତୀଟି ଗଳି ମଝିରେ ହୋଇଥିବ କି ନାହିଁ ପଛରୁ ଦଳେ ମୁସଲମାନ ଯୁବକ ଆସି ତାକୁ ଘେରିଗଲେ । ମୋର ଆଖି ଆଗରେ—ଆଉ ତୁ ଜାଣୁ ସେ ଯୁବତୀଟି କିଏ ? ମୋର ଭଉଣୀ ଅମୃତ । କିଛି ସମୟ ପରେ ଖମ୍ୱ ଆଢ଼ୁଆଳରୁ ମୁଁ ବାହାରି ଲୁଚି ଲଚି ଚାଲି ଯାଉଥିବାବେଳେ ବେଦନାପୂର୍ଣ୍ଣ ଗଁ ଗଁ ଶବ୍ଦ ଶୁଣି ଯୁବତୀଟି ବଞ୍ଚିଛି ଜାଣି ତା ପାଖକୁ ଯାଇ ଦେଖେ—ଅମୃତ, ମୋର ଭଉଣୀ ! ତାପରେ ଆଉ କଣ ଥାଏ ? କ୍ୟାମ୍ୱ୍ରିଜର ଏମ୍‍. ଏସ୍‍ସି. ହଜିଗଲା, ଚବିଶି ପଚିଶି ବର୍ଷର ଶିକ୍ଷା, ସଂସ୍କୃତି, ସଭ୍ୟତା ପଛରେ ରହିଗଲେ । ମୁଁ ଉଦ୍‍ଭ୍ରାନ୍ତ ହୋଇ ଶିଖ୍‍ ସମୂହ ଭିତରେ ମିଶିଗଲି—ତୋଟି ଫଟାଇ ପାଟିକଲି—ବାହ୍‍ ଗୁରୁଜୀ କି ଫତହ୍‍ ! ବାହ୍‍ ଗୁରୁଜୀ କି ଖାଲ୍‍ସା ! ଉଦଘୋଷର ପୁନରାବୃତ୍ତି କରି ଆମେ ମୁସଲମାନ ମାନେ ରହୁଥିବା ଅଞ୍ଚଳ ଆଡ଼କୁ ମୁହଁଇଲୁ । ଖଣ୍ଡା ବିରୁଦ୍ଧରେ ଖଣ୍ଡା—ରକ୍ତ ରକ୍ତ ଲୋଡ଼େ !

 

ମୁହଲ୍ଲା ଆରମ୍ଭରେ ସାମାନ୍ୟ ପ୍ରତିରୋଧ ହୋଇଥିଲା । କିନ୍ତୁ ଶିଖ୍‍ ଯେତେବେଳେ ଉଦ୍‍ଭ୍ରାନ୍ତ ହୁଏ ସେତେବେଳେ ଜଣେ ସେ ଦଶଜଣର ସମକକ୍ଷ ହୋଇଥାଏ । ମୁହଲ୍ଲା ଭିତରେ ଦଶପନ୍ଦର ହୋଇ ସବୁଘରେ ଆମେ ପଶିଗଲୁ । ଆଉ ଆଶ୍ଚର୍ଯ୍ୟ କଥା ମୁଁ ପଶିଯାଇଥିଲି ନବାବ୍‍ ଅହମ୍ମଦ୍‍ ଖାଁ ବଶୀର ରାୟବାହାଦୂର୍‍ଙ୍କ ଦ୍ୱିତଳ ପ୍ରାସାଦରେ, ମୋ ସହିତ ଆଉ ସାତ ଆଠଜଣ ଉଦ୍‍ଭ୍ରାନ୍ତା ଦୁଆର ପାଖରେ ଠିଆହୋଇ ନବାବ୍‍ ବନ୍ଧୁକ ଟେକିଲା—ଜଣେ ଦୁଇଜଣ ଭୂତଳଶାୟୀ ହେଲେ । କିନ୍ତୁ କେତେ ସମୟ ପାଇଁ ସେ ଲଢ଼ନ୍ତା ? ନବାବ୍‍ ଶବ ଉପରେ ଚଢ଼ି ଆମେ ଘର ଭିତରେ ପାଞ୍ଚଜଣ ପଶିଲୁ । ପଶୁ ଆଘ୍ରାଣ କରି ଶିକାର ଜାଣିବା ପରି ଆମ ଭିତରୁ ଜଣେ ଓ୍ୱାଡ଼ରୋବ୍‍ ଭିତରୁ ସଲୀମାକୁ (ସେଇ ମୋର ପ୍ରିୟ ଛାତ୍ରୀ !) ଝିକି ଝିକି ଆଣିଲା ।

 

ତୁ ଜାଣିପାରୁଥିବୁ କିଏ ନେତୃତ୍ୱ ନେଇଥିଲା ସେଦିନ ସେଇ ନବାବ୍‍ ଗୃହରେ । ଆଉ ଜାଣୁ, ସଲୀମା—ନାରୀର ସମସ୍ତ ସର୍ବସ୍ୱ ଲୁଟି ହେଉଥିବା ବେଳେ ମୋର ବି ପାଳି ପଡ଼ିଥିଲା—ମୋତେ ଜୁଳୁ ଜୁଳୁ କରି ଖାଲି ଚାହିଁଥାଏ, ମୋ ଭିତରେ କଣ ଯେପରି ସେ ଖୋଜୁଥାଏ—ଶେଷରେ ମୋତେ ଚାହିଁ ଚାହିଁ ସେ ପ୍ରାଣ ଛାଡ଼ିଦେଲା ?

 

ନାଁ—ତୁ କୌଣସି କଥା ବୁଝିବୁନି—ଷ୍ଟେଟସ୍‍ମ୍ୟାନ୍‍ ରେ ପ୍ରବନ୍ଧ ଲେଖି ଚାଲେ । ତୋର ଦର୍ଶନ ଲୋକ ପଢ଼ିବାବୁ ପସନ୍ଦ କରୁଛନ୍ତି । କିନ୍ତୁ ମୋ ହାତରେ ଯଦି ଶକ୍ତି ଥାଆନ୍ତା ତାହାହେଲେ ସବୁ ଧର୍ମକୁ ମୁଁ ଲୋପ କରି ଦିଅନ୍ତି ଗୋଟିଏ ଫୁତ୍କାରରେ—ଦରକାର ନାଇଁ ଏ ଧର୍ମ—ମାନବ ମାନବ ଭିତରେ ଏହି ରୁଗ୍‍ଣ ଅଭିଶପ୍ତ ଭୟଙ୍କର ପ୍ରାଚୀର । ମାନବକୁ ଦେବତା କରିବା ପରିବର୍ତ୍ତେ ଏହା ପଶୁ କରିଛି—ବିଭତ୍ସ ଭୟଙ୍କର ପଶୁ ।

 

ମୋର ଉତ୍ତେଜନା ବଢ଼ି ଯାଇଛି ଇନ୍ଦ୍ର, ଆଉ ଲେଖି ପାରୁନି । ପାଗଳ ନହୋଇ ମୁଁ ପ୍ରକୃତିସ୍ଥ ହୋଇ କିପରି ରହିଛି, ଭାବି ମୋତେ ଆଶ୍ଚର୍ଯ୍ୟ ଲାଗୁଛି, କାହାଯୋଗୁ ସାମ୍ପ୍ରଦାୟିକ ଗଣ୍ଡଗୋଳ ହେଲା, କାହିଁକି ହେଲା ? କିଏ ଉତ୍ତର ଦେବ ? ମୋର ଭଉଣୀ କାହିଁ ? ଆଉ ମୋର ପ୍ରିୟ ଛାତ୍ରୀ କାହିଁ ? ଯେଉଁ ବିଭତ୍ସ କାର୍ଯ୍ୟରେ ମୁଁ ନେତୃତ୍ୱ ନେଇଥିଲି ସେଥିପାଇଁ ଈଶ୍ୱରଙ୍କୁ କି ଉତ୍ତର ଦେବି ? ଆଉ ସଲୀମା ? ମୁଁ ତାକୁ ବଳାତ୍କାର କରୁଥିବା ବେଳେ ମୋ ଆଖି ଭିତରକୁ ଚାହିଁ କଣ ସେ ଖୋଜୁଥିଲା ?

 

ମୋର ମାନସିକ ଅବସ୍ଥା ତୁ ବୁଝିବୁନି । ତୁ ଅନୁଭବ କରିନାହୁଁ । ସବୁକଥା ତୋତେ କୌତୂହଳଉଦ୍ଦୀପକ ସମ୍ୱାଦ ଛଡ଼ା ଆଉ କିଛି ପ୍ରତୀତ ହେବନି । ନିଆଁ ବାହାରେ ଠିଆ ହୋଇଥିବା ଲୋକ ନିଆଁରେ ଜଳୁଥିବା ଲୋକର ବ୍ୟଥା କଣ ବୁଝିବ ? ହଉ, ରହୁଛି, ଭାଉଜଙ୍କୁ ମୋର ସ୍ନେହ ଓ ପ୍ରଣାମ ଦେବୁ ।

 

ବି. ଦ୍ର—ପ୍ରବନ୍ଧ ତୋର ଭଲ ହୋଇଥିଲା ! Congratulations !

 

ତୋର

ସ୍ନେହାଧୀନ

ଉଦମ

Image

 

ନାରକୀ

 

ସତେଇଶ ଅଠେଇଶ ବର୍ଷର ଅନୁଭୂତି ଥାଇ ମଧ୍ୟ ସେଦିନ କୌଣସି ବିଶେଷ ଘଟଣା ଘଟିବ ବୋଲି ଅବନୀ ଜାଣିପାରି ନ ଥିଲା । ଭବିତବ୍ୟର କୌଣସି ସୂଚନା ତାକୁ ଆଦୌ ମିଳି ନ ଥିଲା । (କେଡ଼େ ଆଶ୍ଚର୍ଯ୍ୟ ! ଗତାନୁଗତିକ ଜୀବନରେ ସତେ କେତେବଡ଼ ବ୍ୟତିକ୍ରମ !) କିନ୍ତୁ ସକାଳେ ଉଠିବା ପରେ ସବୁ ନିୟମାନୁକ୍ରମେ ଚାଲିଥିଲା—ଝରକା ଖୋଲି ଦବାରେ ପୂର୍ବଦିଗରେ ସୂର୍ଯ୍ୟ ଉଇଁବା ସହ ହଷ୍ଟେଲ୍‍ ପଛଆଡ଼ର ଗହମକ୍ଷେତ ଦୃଷ୍ଟିପଥକୁ ଆସିଲା । ଗହମ କ୍ଷେତର କଡ଼େ କଡ଼େ ଶସ୍ତା ନାଲି କସ୍ତା ପିନ୍ଧି ଚାରି ପାଞ୍ଚ ଜଣ ଭରାଯୌବନା ତରୁଣୀ ଘାସ ସଂଗ୍ରହରେ ବ୍ୟସ୍ତ । (ସେଇ ଚାରି ପାଞ୍ଚ ଛଅ ଜଣଙ୍କୁ ସେ ପ୍ରତିଦିନ ଦେଖେନି ?) ହଷ୍ଟେଲ୍‍ଠୁ ମାଇଲେ ଖଣ୍ଡେ ଦୂରରେ ସେମାନଙ୍କ ଗାଁ । (ସେମାନେ ସେଦିନ ନ ଆସିଥାନ୍ତେ ବା ତା ହେଲେ ସେଦିନର ବିଶିଷ୍ଟତା ବିଷୟରେ ସେ ସଚେତନ ହୋଇ ଯାଇଥାନ୍ତା । କିନ୍ତୁ ତା ହେଲାନି !) ବାଥରୁମର ପାଇପରୁ ପାଣି ମଧ୍ୟ ଗବ୍‍ ଗବ୍‍ ହୋଇ ବାହାରେ, ସବୁଦିନ ପରି—ଆଉ ଗାଧୋଇ ସାରିବା ପରେ ଖଟ ଉପର ଗଦିରେ ଝରକା ଆଡ଼କୁ ମୁହଁକରି ଶୀର୍ଷାସନ ।

 

ତାପରେ କ୍ୟାଣ୍ଟିନରେ ଲହୁଣୀ ସହିତ ଦୁଇଟି ସ୍ଲାଇସ୍‍, ଅଣ୍ଡା, କପେ ଚା । କିଛି ସମୟ ପାଇଁ ଅଧ୍ୟୟନ । ଏକାଗ୍ରତା ସହିତ ତାପରେ କଲେଜ । ସନ୍ଧ୍ୟାବେଳୁ କଲେଜରୁ ଫେରି ସାଇକେଲ୍‍ ରେ ସହର ବୁଲା, ବନ୍ଧୁମିଳନ, ଲୋକ ଗହଳିରେ ନିଜକୁ ହଜାଇ ଦେବାର ମଧୁର କ୍ରିୟା—ସହରକୁ ଯାଉ ଯାଉ ଅଧବାଟ ହୋଇଥିବ, ସାଇକେଲ୍‍ ଆଗ ଚକରୁ ପମ୍ପ ସରିଯିବା କିନ୍ତୁ ଟାୟାର, ଟିଉବ୍‍ର ବୟସ ଦୃଷ୍ଟରୁ ସେଦିନ ଅବନୀ ପାଇଁ ତା ମଧ୍ୟ ଆଶ୍ଚର୍ଯ୍ୟଜନକ ନ ଥିଲା । ଆଗରୁ ସେପରି ବହୁବାର ହୋଇଛି । ସାକକେଲ୍‍ ଦୋକାନରେ ସାଇକେଲ୍‍କୁ ମରାମତି ପାଇଁ ଦେଇ ଦେଇ ସାଇକେଲ୍‍ ରିକ୍‍ସାରେ ପୁଣି ନିରୁଦ୍ଦେଶ୍ୟ ଯାତ୍ରା—ଚଲାଓ ! କିଧର୍‍ ମତ୍‍ ପୁଚ୍ଛୋ ! ଘୁମେଙ୍ଗେ ! ରାସ୍ତା ଉପରେ ଯାଉ ଯାଉ ସମସ୍ତଙ୍କ ଉପରେ ଦୃଷ୍ଟି, ଅଥଚ କାହା ମୁହଁ ଉପରେ ପ୍ରକୃତରେ ନୁହଁ । ନିଜ ଭାବନାରେ ନିଜେ ମସ୍ତ !

 

ସନ୍ଧ୍ୟା ! ରିକ୍‍ସା ବୁଲାଇ ବୁଲାଇ ଆଣି ସାଇକେଲ ଦୋକାନ ପାଖରେ ଠିଆହୁଏ । ସାଇକେଲ୍‍ ଆଗଚକରେ ପ୍ୟାଚ୍‍ ପଡ଼ି ପମ୍ପ୍ ଦିଆସରିଛି । କିନ୍ତୁ ହଷ୍ଟେଲ୍‍କୁ ଫେରିବାକୁ ବେଳ ହୋଇନି । ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଫେରିବାରେ ଲାଭ କଣ ? ପଢ଼ି ହେବନି, ଏକାଗ୍ରତା ଆସିବନି, ରାତିରେ ନିଦ ହେବନି । ସାଇକେଲ୍‍ ରେ କିଛି ବାଟ ଗଡ଼ିଯାଇ ଅବନୀ ଭାବିବାକୁ ଲାଗେ । ଅଧ୍ୟାପକ ସୂର୍ଯ୍ୟକାନ୍ତଙ୍କ ଘରକୁ ଗଲେ କିପରି ହୁଅନ୍ତା ? (ସେପରି ଭାବନା କାହିଁକି ଆସିଲା ? ସନ୍ଧ୍ୟାବେଳେ ବିଶେଷ କରି ସନ୍ଧ୍ୟାବେଳର ସେଇ ସମୟରେ ସୂର୍ଯ୍ୟକାନ୍ତ କ୍ଳବ୍‍କୁ ଚାଲିଯାଆନ୍ତି, ଅବନୀ ଭଲ କରି ଜାଣେ !)

 

ଦେଖାଯାଉ । ଭାଗ୍ୟ ପରୀକ୍ଷା କରି ନିଆଯାଉ । ଘେରାଏ ବୁଲି ଆସିବାରେ କ୍ଷତି କଣ-! ସୂର୍ଯ୍ୟକାନ୍ତ କ୍ଳବ୍‍କୁ ନ ଯାଇ ଥାଇପାରନ୍ତି । ସବୁଦିନ କ୍ଳବ୍‍କୁ ଯାଉଥିବେ, ମଣିଷ ଶରୀର ହୋଇ କିଛି ବ୍ୟତିକ୍ରମ ହୋଇନଥିବ, ତାର କଣ ମାନେ ଅଛି ?

 

ସନ୍ଧ୍ୟା ଆହୁରି ଘନୀଭୂତ ହୋଇ ଆସିଲାଣି । ସୂର୍ଯ୍ୟକାନ୍ତଙ୍କ ଘରେ ପହଞ୍ଚୁ ପହଞ୍ଚୁ ରାତି ପ୍ରାୟ । (ଶ୍ୱାସପ୍ରଶ୍ୱାସ ତାର ପ୍ରଖର ହୋଇଗଲା ସୂର୍ଯ୍ୟକାନ୍ତଙ୍କ ଫାଟକ ଖୋଲୁଖୋଲୁ । ସାଇକ୍ଳିଂ କରି ଆସିବାରେ ଯେଉଁ ଶାରୀରିକ ପରିଶ୍ରମ ତାରି ଫଳ ।)

 

ପୂଜାରୀ ! ପୂଜାରୀ !

 

ନିର୍ମଳମନରେ ସାଇକେଲ୍‍ ଟିଣ୍‍ଟିଣ୍‍ କରି ବାରଣ୍ଡା ତଳେ ଠିଆ ହୋଇ ଅବନୀ ଡାକିଲା-। ବାରଣ୍ଡା ଉପରକୁ ସେ ଚଢ଼ୁନି । ବର୍ତ୍ତମାନ ଦେଖା ନଗଲେ ମଧ୍ୟ ଘର ଭିତରେ କୁକୁର ଅଛି । ଫିଟା ଥାଇପାରେ । ତଳେ ଥାଇ ଡାକିବା ଭଲ ।

 

ପୂଜାରୀ ! ପୂଜାରୀ !

 

ଘର ଭିତରର ଅଧିକାଂଶ ବଖରାରେ ଆଲୁଅ । ବାହାର ବାରଣ୍ଡାରେ କିନ୍ତୁ ଆଲୁଅ ଜଳୁନି, ଦୁଇଟା ଚାକରରୁ କାହାର ସାକ୍ଷାତ ନାହିଁ, ପୂଜାରୀ ବି କୁଆଡ଼େ ଗଲା ? ଘର ଭିତରର ଆଲୋକ ବାରଣ୍ଡାକୁ ଆସୁନି ।

 

ପୂଜାରୀ ?

 

ଫେରିବାକୁ ମନସ୍ଥ କରି ଶେଷଥର ପାଇଁ ଡାକିଦେଇ ଅବନୀ ସାଇକେଲ୍‍ ବୁଲାଇବା ଉପରେ । ସେହିସମୟରେ ଘରଭିତରୁ ବାରଣ୍ଡାକୁ ସୂର୍ଯ୍ୟକାନ୍ତଙ୍କ ଝିଅ ଆସିଲେ । କଲେଜରେ ପଢ଼ନ୍ତି । ମହିଳା କଲେଜ । ଥରେ ଅଧେ ଅବନୀ ତାଙ୍କ ସହିତ କଥାବାର୍ତ୍ତା ହୋଇଛି । (କିନ୍ତୁ ଦେଖି ସେ ନର୍ଭସ୍‍ କାହିଁକି ହୋଇଯାଉଛି, ଦୁଇଥର ଛେପ ଢୋକି ସାରିଲାଣି ।) ବଡ଼ ବେଶି ସୁନ୍ଦର ଆଉ ବଡ଼ ବେଶି ଗମ୍ଭୀର ଯୁବତୀ; ଦେଖାହେଲେ ନମସ୍କାର ଆଦାନପ୍ରଦାନ ହୁଅନ୍ତି । ଥରେ କୌଣସି କଥାନେଇ ସୂର୍ଯ୍ୟକାନ୍ତଙ୍କ ଉପସ୍ଥିତିରେ ଦୁହିଁଙ୍କର ଯୁକ୍ତି ହୋଇଯାଇଥିଲା । ପୂରା ସରଗରମ୍‍ । ସେହିଦିନୁ ତାର ଧାରଣା ହୋଇଯାଇଛି ସୂର୍ଯ୍ୟକାନ୍ତଙ୍କ ଅଲ୍ୟଳୀ ଝିଅଟି ନିହାତି ଚାଲାକ୍‍ ବୋଲି । ତାତ୍କାଳିକ ପୃଥିବୀ ସମସ୍ୟା ଉପରେ ଗଭୀର ଅଧ୍ୟୟନ ତାଙ୍କର । (ତାକୁ ଦେଖି ସେ କିଞ୍ଚିତ୍‍ ଚମକି ଗଲେ ? ଅନ୍ଧାର ଭିତରେ ଅବନୀକୁ ସେହିପରି କିଛି ଜଣା ପଡ଼ିଲା) ।

 

ନମସ୍କାର ! —ବାରଣ୍ଡାକୁ ଆସି ସେ ନମସ୍କାର କଲେ

 

ନମସ୍କାର ।

 

ଉପରକୁ ଆସନ୍ତୁ ।

 

ବାରଣ୍ଡା କଡ଼କୁ ସାଇକେଲ୍‍ ଆଉଜାଇ ଦେଇ ଅବନୀ ପାହାଚରେ ଗୋଡ଼ ଦେଲା । ଚାରୋଟି ପାହାଚ । ବାରଣ୍ଡା ଉପର ଭଲ କରି ଦିଶୁନି । ଚଢ଼ୁଚଢ଼ୁ ସେ ପଚାରିଲା—

 

ବାରଣ୍ଡାଟା ଅନ୍ଧାର ?

 

ବଲବ୍‍ ଫ୍ୟୁଜ୍‍ ହୋଇଯାଇଛି । ବସନ୍ତୁ !

 

ଅବନୀ ବସିଲା । ବସିବା ମାତ୍ରେ ଉଦ୍‍ଗ୍ରୀବ ହୋଇ ବଡ଼ ପାଟିରେ ସେ କହିବାକୁ ଲାଗିଲା—ଡକ୍‍ଟର ସୂର୍ଯ୍ୟକାନ୍ତଙ୍କ ସହ ବହୁତ କାମ ଥିଲା । (ଅଦ୍ଭୁତ ଉପାୟରେ ସେ ଜାଣିସାରିଲାଣି ସୂର୍ଯ୍ୟକାନ୍ତ ଘରେ ନାହାଁନ୍ତି ବୋଲି !) ମୁଁ ଆସିଥିଲି ବୋଲି କହିଦେବେ । ଆପଣଙ୍କର ଆଉ କଣ ଚାଲିଛି, ପରୀକ୍ଷା କେବେ ?

 

ସେହିପରି ବଡ଼ପାଟିରେ ଉତ୍ତର ମିଳିଲା—

 

ସକାଳୁ କୁଆଡ଼େ ଯାଇଛନ୍ତି, ଆଜି ଫେରିବେ କି ନାହିଁ ସନ୍ଦେହ । କଣ କାମ ଥିଲା, କିଛି ବୁଝିବାକୁ ? ଓହୋ ! ନିମନ୍ତ୍ରଣ ! ହଉ କହିଦେବି, କିଛି ପଢ଼ୁନି, ଖାଲି ଶୋଇ ଶୋଇ ସମୟ ଯାଉଛି, ଆପଣ ଆସିବା ପୂର୍ବରୁ ପ୍ରବନ୍ଧ ଲେଖୁଥିଲି, ପରୀକ୍ଷା ପାଖରେ, ଆରମାସ ଅଠର ।

 

ପରୀକ୍ଷା ଏବେ ସରିଥିଲା, ପୁଣି ପରୀକ୍ଷା ! ଏଡ଼େ ଜଲ୍‍ଦି ! କଣ କଲେଜ ନା ଘୋଡ଼ା, ପିଲାଙ୍କୁ ପଢ଼ିବା ପାଇଁ ସମୟ ଦେଲେ ହେବନା, ଖାଲି ପରୀକ୍ଷା, ପରୀକ୍ଷା !! ସବୁଠି ବିଶୃଙ୍ଖଳା ! ଚାଇନିଜ୍‍ ହୋଟେଲ୍‍ ନୂଆ ଖୋଲିଚି, ଖାଇଲଣି କେବେ ଯାଇ, ଭାରି ଭିଡ଼ ହୋଇଚି ।

 

ନା, ଯାଇନି । ସାଙ୍ଗ କେହି ମିଳୁ ନାହାନ୍ତି । ଭଲ ଦଉଚି ? ବେଙ୍ଗ, ଅଜଗର, ସାପ, ଝିଟିପିଟି ? ମୋର ବାନ୍ତି ହୋଇଯିବ ସେଠାକୁ ଗଲେ । ଆପଣମାନେ ଫେସନ୍‍ ନାଁରେ କିପରି ସବୁତକ ଅଖାଦ୍ୟ ହଜମ କରନ୍ତି ବୁଝି ହୁଏନା । ତା ବାଦେ ଚାଇନିଜ୍‍ ଦୋକାନକୁ ଯିବା ଦେଶଦ୍ରୋହ ନୁହେଁ ?

 

ସେତେବେଳକୁ ବାରଣ୍ଡାର ଅନ୍ଧକାରକୁ ଅବନୀ ଅଭ୍ୟସ୍ତ ହୋଇ ଗଲାଣି । ସମ୍ମୁଖସ୍ଥ ଚେୟାର ଉପରେ ବସିଥିବା ଯୁବତୀଙ୍କର କେଉଁଠି ନାକ କେଉଁଠି ନୟନ, କେଉଁଠି ବେକ, କେଉଁଠି କେଉଁଠି କଣ କଣ ଅଳ୍ପ ବହୁତ ତାକୁ ଦିଶିଲାଣି । ଅଳ୍ପ ଦୃଶ୍ୟରୁ ବାକି କଥା ଅନୁମାନ କରି ହେଉଛି-

 

କଥା କଣ, ତୁମ ଘରେ ଆଜି ସ୍ୱରଶବ୍ଦ ନାହିଁ ? ଚାକର ବାକର...

 

ବାପାଙ୍କ ସହ ମା ଓ ଦୁଇଜଣ ଚାକର ଯାଇଛନ୍ତି । (ଏତକ କହିସାରି କ୍ରମଶଃ ଉଚ୍ଚସ୍ୱରରେ) ଚାଇନିଜ୍‍ ଜୋତା ପିନ୍ଧିବେ, ଚାଇନିଜ୍‍ ହୋଟେଲରେ ଖାଇବେ—ଚାଇନିଜ୍‍ ଆପଣଙ୍କ ଉପରେ ଆକ୍ରମଣ କରିବେ ନାହିଁ ତ ଆଉ କିଏ କରିବ ?

 

କିଛି ଉତ୍ତର ନ ଦେଇ ଅବନୀ ସୂର୍ଯ୍ୟକାନ୍ତଙ୍କ ଯୁବତୀ ଝିଅ ଆଡ଼କୁ ଚାହିଁଲା । ଉଷା ମଧ୍ୟ (ସୂର୍ଯ୍ୟକାନ୍ତଙ୍କ ଯୁବତୀ ଝିଅ) କଥା ବନ୍ଦ କରିଦେଇ, ଅବନୀ ଆଡ଼କୁ ଚାହିଁଲେ ।

 

କେତୋଟି ମୁହୁର୍ତ୍ତ ।

 

ଘରେ କେହି ନାହାନ୍ତି ? —ଖୁବ୍‍ ଚାପା ଗଳାରେ ଅବନୀ ପଚାରିଲା, ସେତେବେଳକୁ ସେ ଚଉକୀରୁ ଉଠି ଉଷାଙ୍କ ଆଖପାଖ ।

 

ନାଁ—ଉଷାଙ୍କ ସ୍ୱରରେ କମ୍ପନ ।

 

ଅବନୀ ହାତ ଧରିଲା ତାଙ୍କର । (ଉଷାଙ୍କ ହାତ ଥରୁଥିଲା ! କେଡ଼େ ଉଷ୍ଣ !)

 

କଣ ?—ସୂର୍ଯ୍ୟକାନ୍ତଙ୍କ ଯୁବତୀଝିଅ ପଚାରିଲେ ।

 

ମୁହଁକୁ ମୁହଁ ପାଖକୁ ନେଇଯାଇ କଣ ଗୁଡ଼ାଏ ଗଦ୍‍ଗଦ୍‍ ହୋଇ ଅବନୀ କହିବାକୁ ଲାଗିଲା, ନିରର୍ଥକ, ଅସ୍ପଷ୍ଟ ଆଉ ଅନର୍ଗଳ । ଉଷାଙ୍କ ପ୍ରଶ୍ନର ସେ ଉତ୍ତର ଦେଉଥିଲା ।

 

X X X

 

ରାସ୍ତାରେ ଫେରିବା ବେଳେ ! ଆଶ୍ଚର୍ଯ୍ୟ ହେଉଥାଏ ସେ, ଖୁବ୍‍ ଆଶ୍ଚର୍ଯ୍ୟ ! କିପରି ସମ୍ଭବ ହେଲା ? କିପରି ହେଲା ? ମୋଟେ ଦୁଇ ତିନି ଥରର ଦେଖା । ପୁଣି ନିହାଏତି ଗମ୍ଭୀର ଓ ନିହାଏତି ଚାଲାକ୍‍ ଝିଅ ?

 

ସହସା ସମସ୍ତ ଆଶ୍ଚର୍ଯ୍ୟର ବାତାବରଣକୁ ଚିରିଦେଇ ବିଜୁଳି ପରି ତା ମନରେ ନାଚିଗଲା—ଦୋଷ ତାର ଆଦୌ ନାହିଁ, ଘଟଣା ଆଦୌ ଅପ୍ରତ୍ୟାଶିତ ନୁହେଁ । ମହିଳାଙ୍କ ସମସ୍ତ ଗମ୍ଭୀର, ଦାର୍ଶନିକ, ବିଦୂଷୀ ଆଚରଣ ସତ୍ତ୍ୱେ ଆନ୍ତରିକ ସ୍ୱରୂପ ତାଙ୍କର ତା ମାନସଦର୍ପଣରେ ପ୍ରଥମ ଦେଖାଠୁ ପ୍ରତିଫଳିତ ହୋଇ ଯାଇଥିଲା । ତାଙ୍କର ଭ୍ରୂଭଙ୍ଗୀରେ (ସାଧାରଣ ଲୋକେ ଅତ୍ୟଧିକ ବିଦ୍ୱତ୍ତାର ଏକ ଢଙ୍ଗ ବୋଲି ଭାବିବେ ।) ତାଙ୍କର ଯୁକ୍ତି କରିବାବେଳେ ହାତ ହଲାଇବା ଠାଣିରେ (ଯାହା ତାଙ୍କର କଥାରେ ରସ ଓ ପାଣ୍ଡିତ୍ୟ ସୃଷ୍ଟି କରୁଥିଲା ।), ତାଙ୍କର ସବୁ କଥାରେ ବହିରଙ୍ଗ ଅର୍ଥ ଛଡ଼ା ଏକ ଅନ୍ତରଙ୍ଗ ଅର୍ଥ ରହୁଥିଲା । ସେହି ଅର୍ଥ, ସେ ପ୍ରଥମ ଦେଖା, ପ୍ରଥମ କଥାବାର୍ତ୍ତାଠୁ ବୁଝି ଦେଇଥିଲା । ସେଥିରେ ଥିଲା ଗର୍ବିତା ଉଦ୍ଧତ ନାରୀ—ଶଙ୍କାଶୂନ୍ୟ ଦର୍ପିତା ଉଦ୍ଧତ ନାରୀର ଆହ୍ୱାନ-! (କିଛି ବୁଝୁଛୁ ମୂର୍ଖ ? ଆସି ପାରିବ ? ଆସ ଜୀବନକୁ ଉପଭୋଗ କରିବା, ପବନ ମଦିରାକୁ ଆକଣ୍ଠ ପାନ କରିବା ! ସଂସାରରେ ଜନ୍ମ ହେବାର ଚରମ ସାର୍ଥକତା ମୁଁ ଦେବି ତୁମକୁ । ଏପରି ସୁଖ ଯାହାକୁ ତୁମେ କଳ୍ପନା କରି ପାରିବ ନାହିଁ, ଏପରି ଐଶ୍ୱର୍ଯ୍ୟ ଯାହାର ଭୋଗରେ ତୁମେ ସ୍ୱର୍ଗକୁ ମଧ୍ୟ ତୁଚ୍ଛ ମନେ କରିବ ! ସାହସ ଅଛି ? କିଛି ବୁଝୁଛ ? ନା ଅନ୍ୟାନ୍ୟମାନଙ୍କ ପରି ମୋତେ ବିଦୂଷୀ, ସଚ୍ଚରିତ୍ରା, ସ୍ୱାଧୀ ବୋଲି ଭାବୁଛ, ବହିରାବଣରେ ଭାସିଯାଇ !)

 

ଆଉ ସେ ସ୍ୱୀକାର କରିଥିଲା ।

 

ହାତକୁ ଧରି ଅର୍ଦ୍ଧ ଆଲିଙ୍ଗନ ଅବସ୍ଥାରେ ଗଦ୍‍ଗଦ୍‍ ହୋଇ ନିରର୍ଥକ ବହୁତ କଥା କହୁଥିବା ବେଳେ ସେ କହିଥିଲା—

 

ତୁମେ ଆଉ ମୁଁ ସବୁବେଳେ ଅଭିନ୍ନ ! ପ୍ରଥମ ଦେଖାଠୁ ତୁମକୁ ମୁଁ ଚିହ୍ନି ପାରିଥିଲି । ମୋତେ ମଧ୍ୟ ତୁମେ ନିଶ୍ଚୟ ଚିହ୍ନି ପାରିଥିବ । ଆମ ଶରୀରର ଆକୃତି ବଦଳୁଛି, ବିଭିନ୍ନ ଜନ୍ମର ବିଭିନ୍ନ ପିତାମାତାଙ୍କ ସଂଯୋଗ ଯୋଗୁ । କିନ୍ତୁ ପ୍ରକୃତି ଅପରିବର୍ତ୍ତିତ । ପ୍ରାକ୍‍କାଳରୁ ଆମର ବନ୍ଧୁତା-। ନୀତି ନିୟମ, ସଭ୍ୟତା ସଂସ୍କୃତିର କେତେ ବିଚିତ୍ର, କେତେ ଲୋଭନୀୟ, ଆକର୍ଷଣୀୟ ଆବରଣ ଆମ ଉପରେ ଲଦି ଦେବାକୁ ଯୁଗ ଯୁଗ ଧରି ଚେଷ୍ଟା କରାଯାଇଛି । ସଙ୍ଗୀତ ଶୁଣୁ ଶୁଣୁ ଈଶ୍ୱର ବନ୍ଦନା ଶୁଣିବାକୁ ଆମେ ବାଧ୍ୟ ହୋଇଛେ, ଲିପି ପଢ଼ୁ ପଢ଼ୁ ରାମ ସୀତା, ସାବିତ୍ରୀ ସତ୍ୟବାନ୍‍ର କଥା ଆଖି ଉପରେ ମାଡ଼ି ଦିଆଯାଇଛି । ବେଳେ ବେଳେ ସୌନ୍ଦର୍ଯ୍ୟ ପାଇଁ, ଅନ୍ୟ ବେଳେ ବାଧ୍ୟ ହୋଇ, ସଭ୍ୟତା ଓ ସଂସ୍କୃତିର ଆବରଣ ପିନ୍ଧିଛେ—ଅଭିନୟ କରିଛେ—କିନ୍ତୁ ସୁବିଧା ସୁଯୋଗ ପାଇବା—ମାତ୍ରେ ତାକୁ ଫୋପାଡ଼ି ଦେଇ ଅନନ୍ତ ବର୍ଷ ତଳର ମାନବ ମାନବୀ ଯୁଗକୁ ଫେରି ଯାଇଛେ, ଯେଉଁଠି ପୁରୁଷ ଓ ସ୍ତ୍ରୀର ନଗ୍ନ ଶରୀର ଛଡ଼ା ଆଉ ସବୁ ଅଧ୍ରୁବ, ଅସତ୍ୟ । ...ଉଷା ! ପ୍ରତିବାଦ କରନି ! ମୁଁ ! ମୁଁ ! ମୋତେ ଭଲ କରି ଚିହ୍ନ ! ତୁମର ଚିର ସହଚର, ତୁମର ଜନ୍ମାନ୍ତରର ବନ୍ଧୁ—ତୁମେ ନରକ, ମୁଁ ନାରକୀ, ତୁମେ ଅରଣ୍ୟ, ମୁଁ ଆରଣ୍ୟକ, ତୁମେ ଭୋଗ, ମୁଁ ଭୋକ୍ତା.......

 

ବିହ୍ୱଳ ହୋଇ ଅବନୀ ଆକାଶକୁ ଚାହିଁଥିଲା । କେତେବେଳେ ସେ ସାଇକେଲ୍‍ରୁ ଓହ୍ଲାଇପଡ଼ି ରାସ୍ତାଉପରେ ଠିଆ ହୋଇଛି ସେ ଜାଣିନି । ତିନୋଟି ଅକ୍ଷରବିଶିଷ୍ଟ ସହରର ପ୍ରାସାଦ, ରାଜପଥ, ଜନ-ସମୁଦ୍ର, ସଂସ୍କୃତି, ସଭ୍ୟତା—ସବୁ ବୈଶାଖୀ ଝାଞ୍ଜିରେ ଶୁଖିଲା ପତ୍ରପରି ତା ଆଖିଆଗରେ ଉଡ଼ି ଯାଉଥାଆନ୍ତି ।

 

ଅଦୂରରୁ ବ୍ୟାଘ୍ରର ଗର୍ଜ୍ଜନ ଶୁଣା ଯାଉଛି । କେଉଁ ଆଦିମଯୁଗର ପର୍ବତ ଉପତ୍ୟକାରେ ସେ ଦଣ୍ଡାୟମାନ । ହାତରେ ପ୍ରସ୍ତର ନିର୍ମିତ ଅସ୍ତ୍ର ।

Image

 

ବନ୍ଧୁ ସଞ୍ଜୀବକ

—୧—

 

ମୁଁ ମୋର ସ୍ମୃତିରୁ ପୃଷ୍ଠାଏ ଲେଖୁଛି ।

 

ସେତେବେଳେ ମୁଁ ସ୍ନାତୋକତ୍ତର ଶ୍ରେଣୀର ଛାତ୍ର । ଯଶସ୍ୱୀ ଅଧ୍ୟାପକ ଡକ୍‍ଟର ଗଗନ୍‍ ସେନ୍‍ଙ୍କ ବ୍ୟକ୍ତିତ୍ୱରେ ଆକୃଷ୍ଟ ହୋଇ ମୁଁ କଲିକତା ଯାଇଥାଏ । ଡକ୍‍ଟର ଗଗନ ସେନ୍‍ ପୃଥିବୀ ବିଖ୍ୟାତ ପ୍ରାଣୀବିଜ୍ଞାନବେତ୍ତା । ଏବେ କିଛିଦିନ ତଳେ ତାଙ୍କର କାଳ ହୋଇଗଲା । ପଞ୍ଚମ ବର୍ଷରେ ଛାତ୍ର ଛାତ୍ରୀ ହୋଇ ଆମେ ତିରିଶ ଜଣ ନାଁ ଲେଖାଇ ଥାଉ । ପରେ ଆମ ସଂଖ୍ୟା ଏକତିରିଶି ହେଲା । ଆଉ ବର୍ତ୍ତମାନର ସ୍ମୃତି ପୃଷ୍ଠା ସେହି ଏକତିରିଶି ସହପାଠୀଙ୍କ ବିଷୟରେ । ଜାଣେନା; ମୋ ଛଡ଼ା ଅନ୍ୟ ଅଣତିରିଶ ଜଣ ସହପାଠୀ ବର୍ତ୍ତମାନ ତାଙ୍କୁ ମନେ ରଖିଛନ୍ତି କି ନାହିଁ; କିନ୍ତୁ ସେହି ଏକତିରିଶି ବନ୍ଧୁଙ୍କୁ ଭୁଲିବାର ନୁହେଁ । ଦୁଇବର୍ଷର ଅଧ୍ୟୟନ କାଳ ତାଙ୍କରି ଯୋଗୁଁ ବୈଚିତ୍ର୍ୟ ମଣ୍ଡିତ ହୋଇ କଟିଗଲା; କିନ୍ତୁ ଆମେ ପ୍ରତିଦାନରେ ତାଙ୍କୁ ଯାହା ଦେଇଛୁ ତା ଭାବିଲେ ଅନୁତାପ ଆସୁଛି; ନିଜର ମାନବିକତା ଉପରେ ସନ୍ଦେହ ଆସୁଛି । ଅନ୍ୟମାନଙ୍କ ପରି ମୁଁ ତାଙ୍କୁ ପ୍ରକାଶ୍ୟରେ କେବେ ଅନୁଚିତ ବ୍ୟବହାର ଦେଖାଇନି; ତେବେ ଅନ୍ୟମାନଙ୍କ ବ୍ୟବହାରରେ ମୋର ଆନ୍ତରିକ ସ୍ୱୀକୃତି ନିଶ୍ଚୟ ଥିଲା । କାରଣ ମୋର ସେମାନଙ୍କୁ ବାରଣ କରିବାର କ୍ଷମତା ଥିଲେ ମଧ୍ୟ ମୁଁ କେବେ ବାରଣ କରି ନଥିଲି । ବରଂ ପରୋକ୍ଷରେ ଉତ୍ସାହ ଦେଇ ଥିଲି, ଆହୁରି ଆହୁରି ନିଷ୍ଠୁର ହେବାକୁ ପ୍ରବର୍ତ୍ତାଇ ଥିଲି । କିନ୍ତୁ ସବୁ ସତ୍ତ୍ୱେ ମୁଁ ଭାବୁଛି—ସେମାନେ ସମସ୍ତେ କ୍ଷମ୍ୟ—ଏକତିରିଶି ବନ୍ଧୁଙ୍କର ବ୍ୟକ୍ତିତ୍ୱ ଏପରି ଥିଲା ଯାହା ଅନ୍ୟମାନଙ୍କୁ ନିଷ୍ଠୁର ହେବାକୁ ବାଧ୍ୟ କରୁଥିଲା । ଆମ ସମସ୍ତଙ୍କଠୁ ସେ ଚାଲିଚଳନ, କଥାବାର୍ତ୍ତାରେ ଭିନ୍ନ ଥିଲେ, ଭିନ୍ନ କହିଲେ ବି ଠିକ୍‍ ହେବନି, ବିପରୀତ ଥିଲେ । ଈଶ୍ୱରଙ୍କର ସୃଷ୍ଟିରେ ସମସ୍ତେ ଏକାଭଳି ହେବେ ତା କେହି କହୁନି; କିନ୍ତୁ ଆମଠୁ ସେ ଏତେ ଭିନ୍ନ ଥିଲେ ଯେ ଆମେ ତାଙ୍କୁ ଦୁଇଗୋଡ଼ରେ ଚାଲିବାକୁ ପସନ୍ଦ କରୁ ନ ଥିଲୁ କି ସହପାଠିନୀମାନଙ୍କୁ ଆଡ଼କୁ ଅନ୍ୟମାନଙ୍କପରି ଚାହିଁବାକୁ ପସନ୍ଦ କରୁ ନଥିଲୁ । ଆମେ ଚାହୁଁଥିଲୁ (ମୁଁ ସବୁବେଳେ ଗୌଣ ଥିଲି, କେବଳ ମୋର ମାନସିକ ସହାନୁଭୂତି ଯାହା ଥିଲା !) ସେ କ୍ଳାସଭିତରକୁ ଗୁରୁଣ୍ଡି ଗୁରୁଣ୍ଡି ଆସନ୍ତୁ, କୌଣସି ପଶୁ ପରି ଶବ୍ଦ କରନ୍ତୁ—ହମ୍ୱା ବା ମେଁ—ଟେବୁଲ୍‍ ବେଞ୍ଚର ଉପସ୍ଥିତିକି ନିରପେକ୍ଷ ହୋଇ ଲୋକ ଗ୍ରହଣ କରିନେବା ପରି ସହପାଠିନୀମାନଙ୍କ ଉପସ୍ଥିତିକୁ ସେ ଅନାଗ୍ରହ ଭାବେ ଗ୍ରହଣ କରନ୍ତୁ ।

 

ସେହି ଏକତିରିଶି ବନ୍ଧୁଙ୍କର ନାମ ସଞ୍ଜୀବକ ଗଙ୍ଗୋପଧ୍ୟାୟ ।

 

ଆମେମାନେ କ୍ଳାସଭିତରେ ବସି ଗପ କରୁଛୁ; ଅଧ୍ୟାପକ ଆସି ନାହାଁନ୍ତି; ଚମଡ଼ା ଜୋତାକୁ ମଚ୍‍ ମଚ୍‍ କରି କେହି ଜଣେ ଆମ କ୍ଳାସ ଆଡ଼କୁ ଆସିବାପରି ଜଣାଗଲା । ଆମେ ପ୍ରତୀକ୍ଷମାଣ ହୋଇ ରହିଲୁ । ଅପରିଚିତ ମଚ୍‍ ମଚ୍‍ ଶବ୍ଦ କ୍ରମେ ବଢ଼ି ଚାଲିଥାଏ । ହାତରେ କନାର ବସ୍ତାନୀ ଧରି କ୍ଳାସ ଭିତରକୁ ଜଣେ ଯୁବକ ପଶି ଆସିଲେ । ଯୁବକ ବୋଲି କହିବା ଠିକ୍‍ ହେଉନି । କାରଣ ଆମମାନଙ୍କ ତୁଳନାରେ ସେ ଖୁବ୍‍ ବୟସ୍କ ଦିଶୁଥାନ୍ତି । ତାଙ୍କର ଶରୀରରୁ ପ୍ରୌଢ଼ତା, ଆଉ ଅଧିକ ନବଢ଼ିବାର ସବୁ ଲକ୍ଷଣ ଜଣା ଯାଉଥାଏ । ଲଲାଟର ଉପର ଭାଗର କେଶ କ୍ଷୟ ହୋଇ ଆସିଲେଣି, ପଛ ପଟର କେଶ ଅସଂଯତ ହୋଇ ଚୁଟିର ଭ୍ରମ ଦେଉଛନ୍ତି, ପ୍ରଚୁର ଶ୍ମଶ୍ରୁ ଉଠୁଥିବାର ପୂରା ସଙ୍କେତ ଦେଇ ମୁହଁର ଅର୍ଦ୍ଧେକାଧିକ ଭାଗ ଶ୍ୟାମଳ (ସେ ନିଜେ କିନ୍ତୁ ଗୌରାଙ୍ଗ) ବିଶେଷ ପୁଷ୍ଟ ଶରୀର, ଫୁଲ୍‍ପ୍ୟାଣ୍ଟ୍ ପୁଷ୍ଟ ଶରୀର ଯୋଗୁଁ ହେଉ ବା ଦରଜୀର ଦୋଷ ଯୋଗୁ ହେଉ ଯେ କୌଣସି ମୁହୂର୍ତ୍ତରେ ଫାଟି ପଡ଼ିବାପରି ଜଣା ପଡ଼ୁଥାଏ । ପ୍ୟାଣ୍ଟ ଉପରେ ଶସ୍ତା ମାର୍କିନ କନାର ଧଳାସାର୍ଟ, ସାର୍ଟର କଲାର୍‍ ଭିତରେ ମୋଡ଼ି ହୋଇ ପଶିଯାଇଛି ।

 

ମଚ୍‍ ମଚ୍ ଶବ୍ଦ କରି କ୍ଳାସଭିତରକୁ ସେ ପଶି ଆସିଲେ । ମୁହଁରେ ପୂରାପୂରି ଗାମ୍ଭୀର୍ଯ୍ୟ ରଖି ସେ ଆସି ଗୋଟିଏ ଚଉକି ଅଧିକୃତ କରି ନେଇ ବସିଗଲେ । ଆମେ ସମସ୍ତେ ପ୍ରଥମେ ଆଶ୍ଚର୍ଯ୍ୟ ତାପରେ କୌତୂହଳୀ ହୋଇ ତାଙ୍କ ଆଡ଼କୁ ଚାହିଁଲୁ, କେତେଜଣ ଛାତ୍ରୀ ହସ ଘୋଡ଼ାଇବା ପାଇଁ ମୁହଁ ପାଖକୁ ରୁମାଲ୍‍ ନେଲେ । ସବୁ ଦେଖୁଥିଲେ ମଧ୍ୟ କୌଣସି କଥାରେ ବିଚଳିତ ନ ହୋଇ ସେ ମୋତେ ପଚାରିଲେ, ଇଂରାଜୀରେ—କିଛି ପଢ଼ାପଢ଼ି ହେଲାଣି ?

 

ତାଙ୍କର ଇଂରାଜୀ ଉଚ୍ଚାରଣ ଶୁଣିବାମାତ୍ରେକେ କ୍ଳାସରୁ ଜଣେ ଫେଁ କିନା ହସିଦେଲା । କହି ରଖେ, ଆମେମାନେ ସେତେବେଳେ ଇଂରାଜୀରେ ଶୁଦ୍ଧ ଉଚ୍ଚାରଣ ପାଇଁ ନିୟମ କରି ବି. ବି. ସିର ପୋଗ୍ରାମ ଶୁଣୁଥାଉ । ଆଉ ପ୍ରାୟ ଆମମାନଙ୍କ ଭିତରୁ ଅଧିକାଂଶ ସମ୍ପୂର୍ଣ୍ଣ ଶୁଦ୍ଧ ନହେଲେ ମଧ୍ୟ ଭାରତୀୟ ଷ୍ଟାଣ୍ଡାର୍ଡ ଦୃଷ୍ଟିରୁ ଭଲ ଇଂରାଜୀ କହୁଥାଉ । ଡକ୍‍ଟର ସେନ୍‍ ଶୁଦ୍ଧ ଇଂରାଜୀ କହିବା ଓ ଲେଖିବା ଉପରେ ଜୋର ଦେଉଥାନ୍ତି । ଆଗନ୍ତୁକ ଯୁବକଙ୍କ ବ୍ୟକ୍ତିତ୍ୱର ଚିତ୍ର ଯାହା ଆମମାନଙ୍କ ମନରେ ଅସମ୍ପୂର୍ଣ୍ଣ ରହିଥିଲା ତାହା ତାଙ୍କର ଇଂରାଜୀ ଉଚ୍ଚାରଣ ଶୁଣିବା ପରେ ହଠାତ୍‍ ପୂରା ହୋଇଗଲା ଯେପରି ।

 

ନିହାଏତି ହାସ୍ୟକର ପରିସ୍ଥିତିରେ ଗମ୍ଭୀର ରହି ଭଦ୍ରୋଚିତ ଉତ୍ତର ଦେବାର ଅଭ୍ୟାସ ମୋର ଥାଏ । ସେ ମୋ ଆଡ଼କୁ ନିରୁଦ୍‍ବିଗ୍ମ, ଅବିଚଳିତ ଭାବେ ଚାହିଁ ଉତ୍ତରକୁ ଅପେକ୍ଷା କରିଥାଆନ୍ତି । ମୁଁ ପାଞ୍ଚଟା ହେବ ଲେକ୍‍ଚର ହୋଇସାରିଛି କହିବା ପରେ ଯୁବକଙ୍କ ନାମ ପଚାରିଲି-। ଆମ ଦୁହିଙ୍କ କଥା ମନୋଯୋଗ ଦେଇ ଅନ୍ୟମାନେ ଶୁଣୁଥାଆନ୍ତି ।

 

ମୋର ନାମ ସଞ୍ଜୀବକ ଗଙ୍ଗୋପଧ୍ୟାୟ ।

 

ପଞ୍ଚତନ୍ତ୍ରର ସଞ୍ଜୀବକ ? —ଜଣେ ବନ୍ଧୁ ପଛ ବେଞ୍ଚରୁ ହସକୁ ଖୁବ୍‍ ଜୋରରେ ଚାପି ପଚାରିଲେ ! କିଛିଦିନ ପୂର୍ବରୁ ସେହିଗଳ୍ପ କିପରି କେଜାଣି ଆମମାନଙ୍କ ଭିତରେ ଆଲୋଚନାର ବିଷୟ ହୋଇଥିଲା । ତେଣୁ ସଞ୍ଜୀବକ ସହିତ ପଞ୍ଚତନ୍ତ୍ରର ସମ୍ୱନ୍ଧ ଯୋଡ଼ିଦେବା ପରେ ସମସ୍ତେ ଅଟ୍ଟହାସ କରି ଉଠିଲେ । (ପଞ୍ଚତନ୍ତ୍ରରେ କୌଣସି ହୃଷ୍ଟପୃଷ୍ଟ ବଳଦର ନାଁ ସଞ୍ଜୀବକ ।)

 

ତାଙ୍କର ନାମ କିପରି ହାସ୍ୟ ସୃଷ୍ଟି କଲା ବୁଝି ନ ପାରି ସଞ୍ଜୀବକ ଆବାକାବା ହୋଇ ସମସ୍ତଙ୍କ ମୁହଁକୁ ଚାହିଁଲେ । ସେହି ସମୟରେ ଅଧ୍ୟାପକ କ୍ଳାସ ଭିତରକୁ ପଶି ଆସିବାରୁ ସବୁ ଗୋଳମାଳ ବନ୍ଦ ହୋଇଗଲା ।

 

—୨—

 

ତାର ଅଳ୍ପ କେତେଦିନ ପରେ ଦିନେ ଆମେମାନେ ସଞ୍ଜୀବକଙ୍କୁ ଅଧ୍ୟାପକମାନଙ୍କ ବିଶ୍ରାମଗାରରୁ ବାହାରିବା ଦେଖୁ । ମୁହଁରେ ହସ ଲାଗି ରହିଛି; କିନ୍ତୁ ସେହିପରି ଅଶ୍ଳୀଳ ବେଶ, ଅଭଦ୍ର କେଶ ଓ ଗ୍ରାମୀଣ ଶ୍ମଶ୍ରୁ ।

 

ହୟଗ୍ରୀବ ବାବୁ ! ତେଣେ କୁଆଡ଼େ ଯାଇଥିଲେ ?

 

ଗୌରହରି ଭଟ୍ଟାଚାର୍ଯ୍ୟ ପ୍ରଶ୍ନ ପଚାରିଥିଲା । କ୍ଳାସରେ ସବୁଠୁ ଚପଳ ସେ ଥିଲା, ସେହି ଅନୁପାତରେ ମେଧାବୀ ମଧ୍ୟ ।

 

ମୋର ନାଁ ହୟଗ୍ରୀବ ନୁହେଁ ।

 

ଆଉ ?

 

ସଞ୍ଜୀବକ ।

 

ଓଃ ! ମୁଁ ବଡ଼ ଦୁଃଖିତ । କ୍ଷମା କରିବେ । ସଞ୍ଜୀବକ ନାଁ ମୋ ମନ ଭିତରେ ଏହା ଭିତରେ ହୟଗ୍ରୀବ ହୋଇଯାଇଛି । ଛିଃ ! ଷ୍ଟାଫ୍‍ କମନ୍‍-ରୁମ୍‍କୁ କାହିଁକି ଯାଇଥିଲେ ?

 

ଆପଣ ଅଯଥା କୌତୂହଳୀ କାହିଁକି ହେଉଛନ୍ତି ? ନିଜ କାମରେ ମନ ଦିଅନ୍ତୁ ।

 

ଗୌରହରିକୁ ଉତ୍ତରରେ ଚୁପ୍‍ କରିଦେଇ ସମସ୍ତଙ୍କ ଆଗରେ ସଞ୍ଜୀବକ ଜୋତା ମଚ୍‍ ମଚ୍‍ କରି ଚାଲିଗଲେ । ଚାଲିଯିବାବେଳେ ମୁଁ ତାଙ୍କର ଗୋଡ଼କୁ ଚାହିଁଲି । ମଇଳା ମୋଜା ଓହଳି ଜୋତା ଉପରେ ପଡ଼ିଥାଏ । ଜୋତା ସାରା ଧୂଳି । ପ୍ୟାଣ୍ଟ ର ପଛପଟେ କାଳିଦାଗ ।

 

ସଞ୍ଜୀବକ ଚାଲିଯିବାପରେ ଆମମାନଙ୍କ ଭିତରେ ଯୁକ୍ତି ଚାଲିଲା । ଦଳେ କହିଲେ—ସଞ୍ଜୀବକ କଲେଜ ପ୍ରତି ମୂର୍ତ୍ତି ଅପମାନ । ଏହିପରି ବେଶରେ ଏମ୍‍. ଏ. କ୍ଳାସକୁ କେହି ଆସିବା କଲେଜର କର୍ତ୍ତୃପକ୍ଷ, ଛାତ୍ରଛାତ୍ରୀ ସମସ୍ତଙ୍କ ଉପରେ ବ୍ୟଙ୍ଗ, ବିଦ୍ରୂପ, ଅପମାନ !

 

ଆଉ ଦଳେ ପ୍ରଥମ ଦଳର ଯୁକ୍ତିକୁ ହୃଦୟ ଭିତରେ ମାନୁଥିଲେ ମଧ୍ୟ କଥା ଚାଲୁ ରଖିବା ପାଇଁ ବିପରୀତ ସିଦ୍ଧାନ୍ତ ଦେଲେ—କଲେଜ ପାଇଁ ସଞ୍ଜୀବକ ନିହାତି ପ୍ରୟୋଜନୀୟ । ସେ ଆମମାନଙ୍କର ପୂରା ବିପରୀତ । ତାଙ୍କୁ ଦେଖି ଆମେମାନେ କେତେ ପରିଷ୍କାର ଓ ରୁଚି ଅନୁକୂଳ ଡ୍ରେସ୍‍ ବ୍ୟବହାର କରୁଛେ ତାହା ଜଣା ପଡ଼ିବ । କଲେଜ ବାତାବରଣକୁ ବୈଚିତ୍ର୍ୟମୟ କରୁଥିବାରୁ ସେ ପ୍ରୟୋଜନୀୟ । ଆମେ ଅସିସ୍‍ ହେଲେ ସେ ଆଣ୍ଟିଅସିସ୍‍, ତେଣୁ ନିହାତି ପ୍ରୟୋଜନୀୟ ।

 

କିନ୍ତୁ ସେ ମୋତେ ଅପମାନ ଦେଲା । ଷ୍ଟାଫ୍‍ କମନ୍‍ ରୁମ୍‍କୁ ସେ କାହିଁକି ପଶିବ ? ଯେତିକି ସ୍ତରର ଜନ୍ତୁ ସେତିକି ସ୍ତରରେ କାହିଁକି ନ ରହିବ ? ଆମମାନଙ୍କ ସମକକ୍ଷ ପରି ସେ କାହିଁକି ବ୍ୟବହାର କରୁଛି ?

 

ଦେଖ, ଆମେ ନିଷ୍ଠୁର ହୋଇ ଯାଉଛେ । ସେ ମଧ୍ୟ ମଣିଷ, ତାଙ୍କର ମଧ୍ୟ ଆତ୍ମା ଅଛି । ମୁଁ କୃତ୍ରିମ ସହାନୁଭୂତି ଦେଖାଇଲି ।

 

ନାଁ, ତାର ଆତ୍ମା ନାହିଁ—ଅନେକ ଏକାବେଳକେ କହି ଉଠିଲେ । ଚେକାଟେ ଦାର୍ଶନିକ ବହୁ ଆଗରୁ କହି ସାରିଛି ଯେ ପଶୁମାନଙ୍କର ଆତ୍ମା ନ ଥାଏ ।

 

ଭଟ୍ଟାଚାର୍ଯ୍ୟ କହିଲା—ବନ୍ଧୁମାନେ ! ସାବଧାନ ରୁହ । ଯେଉଁ ମଣିଷର ଆତ୍ମା ଥାଇ ମଧ୍ୟ ବାହାରକୁ ଆତ୍ମା ନ ଥିବାପରି ଜଣାପଡ଼େ ସେ ବଡ଼ ବିପଜ୍ଜନକ । ହୟଗ୍ରୀବ—ଓଃ—ପୁଣି ଭୁଲ୍‍ ହେଲା, ସଞ୍ଜୀବକ ଯାହା ଦିଶୁଛି ତାହା ନୁହେଁ । ବହୁ ଗଭୀର ପାଣିରେ ସେ ଥିବାପରି ଜଣା ପଡ଼ୁଛି । ମୁଁ ମୋର ଅପମାନର ପ୍ରତିଶୋଧ ନେବାପାଇଁ ବ୍ୟାକୁଳ । ଆପଣମାନେ ନିଶ୍ଚୟ ରାଜିହେବେ ଯେ ସେହି ହୃଷ୍ଟପୁଷ୍ଟ ବଦଳ ସାରା କଲେଜପାଇଁ ଏକ ଅପମାନ । ସେ ତାର ସ୍ୱଭାବ, ବେଶଭୂଷା ବଦଳାଇ ଦେଉ ବା ଏହି କଲେଜରୁ ଯାଉ ।

 

ଭଟ୍ଟାଚାର୍ଯ୍ୟ ସହ ମୁଁ ଏକମତ । ଇନ୍‍କିଲାବ୍‍ ! —ପ୍ରବୀର କହିଲା ।

 

ଇନ୍‍କିଲାବ୍‍ !! —ସମସ୍ୱରରେ ସମସ୍ତେ ବିଦ୍ରୋହ ଘୋଷାଣ କଲେ ।

 

—୩—

 

ଇନ୍‍କିଲାବ୍‍ର ଏହି ଧ୍ୱନି କିପରି ଯାଇ ସଞ୍ଜୀବକଙ୍କ କାନରେ ବାଜିଗଲା । ସଞ୍ଜୀବକଙ୍କୁ ଆମେ ଚିହ୍ନି ନଥିଲୁ । ତାଙ୍କର ବାହାର ଭିତରେ ବିରାଟ ତଫାତ୍‍ ଯୋଗୁଁ ଅନେକ ତାଙ୍କ ବିଷୟରେ ଭୁଲ୍‍ ଅନୁମାନ କରିଥିଲେ । ଇନ୍‍କିଲାବ୍‍ ଧ୍ୱନି ପରେ ସେ ଷ୍ଟାଫ୍‍ କମନ୍‍ ରୁମ୍‍କୁ ବେଶି ବେଶି ଯିବାକୁ ଲାଗିଲେ, ସେହିପରି ସମସ୍ତଙ୍କ ଆଗରେ । ଲୋକଟା କାହିଁକି ଯାଉଛି କେହି ବୁଝିପାରୁ ନଥିଲେ । ପୁଣି ଏଡ଼େ ଅଶ୍ଳୀଳ ଲୋକଟାକୁ ଅଧ୍ୟାପକମାନେ ଗେଟ୍‍ ଆଉଟ୍‍ କାହିଁକି କରନ୍ତିନି ? ତାଙ୍କର ଉପସ୍ଥିତି ସେମାନଙ୍କୁ ସହ୍ୟ କିପରି ହେଉଛି ?

 

ଆମମାନଙ୍କ ଆଗରେ ସେ ସେହି ପ୍ୟାଣ୍ଟ୍ ସାର୍ଟରେ ମଚ୍‍ମ ଚ୍‍ କରି ଚାଲିଯିବେ, ବେଳେ ବେଳେ ଆମ ଆଡ଼କୁ ଚାହିଁ ଚାହିଁ । ତାଙ୍କ ଚାହିଁବା ମଧ୍ୟ ପ୍ରକାରେ ! ବ୍ୟାଲେ ଡ୍ୟାନ୍‍ସ କରିବାବେଳେ ଯେପରି ଶରୀରର ସବୁ ମାଂସପେଶୀ ବସ୍ତ୍ରଭେଦି ଦିଶୁଥାଏ, ସେହିପରି ତାଙ୍କର ଶରୀରର ସବୁ ମାଂସପେଶୀ ଦିଶୁଥିବ, ନାଚୁଥିବ; ସେ ଚାଲିଯାଉଥିବେ, ମୁହଁକୁ ତଳକୁ ଢାଳି; ତଥାପି ତୁମ ଆଡ଼କୁ ଚାହିଁ ଚାହିଁ ବ୍ୟାଲେ ନର୍ତ୍ତକୀଙ୍କ ଭଳି !

 

ଥରେ ଜଣେ ପଚାରିଲା—ଆଚ୍ଛା, ଲୋକଟାକୁ ଦେଖି ଝିଅପିଲାମାନେ କଣ ଭାବୁଥିବେ-? ତାର ଶରୀର, ଆଚାର ବ୍ୟବହାର, ଉପରେ ସେମାନଙ୍କର ମତ କଣ ?

 

କିନ୍ତୁ ଆପଣମାନେ ଜାଣନ୍ତି ? ସେ ମଧ୍ୟ ଝିଅଙ୍କ ଆଡ଼କୁ ଚାହେଁ ।

 

ଏହିକଥା ଶୁଣି ସମସ୍ତଙ୍କ ଆଖି ବିସ୍ପାରିତ ହୋଇଗଲା । ସମସ୍ତେ କହି ଉଠିଲେ—କଣ-? ତାହାଲେ ସଞ୍ଜୀବକଙ୍କର ମଧ୍ୟ ପ୍ରେମ କରିବା ପାଇଁ ସ୍ପୃହା ଅଛି ? ସେ ମଧ୍ୟ ଭାବୁଛନ୍ତି ଯେ ସେ ପ୍ରେମର ପାତ୍ର ହୋଇ ପାରିବେ ? ସେ ମଧ୍ୟ ଆମରି ପରି ମଣିଷ ? ବଡ଼ ଆଶ୍ଚଯ୍ୟ ! ବଡ଼ ଆଶ୍ଚର୍ଯ୍ୟ-!!

 

ଆଶ୍ଚର୍ଯ୍ୟ ନୁହେଁ, ଅସହ୍ୟ ! ଅସହ୍ୟ !! —ଭଟ୍ଟାଚାର୍ଯ୍ୟ ଚିତ୍କାର କରି ଉଠିଲା ।

 

ଅସହ୍ୟ ? ଦେଖ୍ ଦେଖ୍‍, ସେପଟ ବାରଣ୍ଡା ଆଡ଼କୁ ଟିକିଏ ଚାହାଁ, ତାପରେ ଅସହ୍ୟ କହିବୁ—ପ୍ରବୀର କହିଲା ।

 

ସମସ୍ତେ ଚାହିଁଲୁ । ସୁପ୍ରିୟା ଚୌଧୁରୀ ଭ୍ୟାନିଟି ବ୍ୟାଗ୍‍ ଧରି ମୁରୁକେଇ ହସି ଆସୁଥିଲେ-। ଆଉ ସଞ୍ଜୀବକ ଦୁଇ ହାତକୁ ଟେକି ତାଙ୍କୁ କଣ କହିଯାଉଥିଲେ ଓ ମଝିରେ ମଝିରେ ପ୍ରଭୁ ଗୌରାଙ୍ଗଙ୍କ ପରି ନାଚି ନାଚି ଅଟ୍ଟହାସ୍ୟ କରୁଥିଲେ । ତାଙ୍କର ସେ ନାଚିବା ବଡ଼ ମନମୁଗ୍‍ଧକର ହେଉଥିଲା । ସୁପ୍ରିୟା ଚୌଧୁରୀ ହାଇକୋର୍ଟ ଜଷ୍ଟିସ୍‍ଙ୍କ କନ୍ୟା, କଲେଜରେ ଆକର୍ଷଣର କେନ୍ଦ୍ର । ପରମ ସୁନ୍ଦରୀ !

 

ପ୍ରଥମେ କେହି କିଛି ବୁଝି ପାରିଲେନି । ଭଟ୍ଟାଚାର୍ଯ୍ୟ କିନ୍ତୁ କହିଲା, ଏଥିରେ ଆଶ୍ଚର୍ଯ୍ୟ ହେବାର କଣ ଅଛି ? ମିସ୍‍ ସୁପ୍ରିୟା ପ୍ରତି ରବିବାର ଚିଡ଼ିଆଖାନା ଯାଆନ୍ତି । ମନବିନୋଦନ ସହିତ ସପ୍ତାହଯାକର ଚିନ୍ତା ପଶୁପକ୍ଷୀଙ୍କୁ ଦେଖି ହାଲୁକା ହୋଇଯାଏ । ଏହି ସପ୍ତାହରେ ଚିଡ଼ିଆଖାନା ଯିବା ତାଙ୍କର ପ୍ରୋଗାମ୍‍ ବନ୍ଦ୍ । ବାକି ରହିଲା ହସିବା । ହସ ଲାଗିଲେ କଣ ହସିବା ମନା ? ତମେ ଆମେ ହସିବାନି, ସେପରି ଜଣେ ଆଗରେ ନାଚି ନାଚି ଚାଲିଲେ ?

 

ସେମାନେ ଦୃଷ୍ଟି ପଥରୁ ଲୁଚି ଯାଇଥିଲେ । ତଥାପି ଦୁଇ ବାହା ଟେକି ସଞ୍ଜୀବକଙ୍କ ନାଚିବା ମନେ ପଡ଼ି ଯିବାରୁ ଆମେମାନେ ହସିଲୁ । ପ୍ରକୃତରେ ଦେଖିଲେ, ହସିବାର ବହୁ ଉପାଦାନ ସଞ୍ଜୀବକଙ୍କ ବିଭୋର ନୃତ୍ୟରେ ବା ନୃତ୍ୟପ୍ରାୟ ଅଙ୍ଗଭଙ୍ଗୀରେ ଥିଲା । ତଥାପି ସୁପ୍ରିୟା ଚୌଧୁରୀ ଯେ ସଞ୍ଜୀବକଙ୍କ ସହିତ ବୁଲିଲେ, ହସିଲେ, କଥାବାର୍ତ୍ତା ହେଲେ, ସେହି କଥା ସମସ୍ତଙ୍କ ହୃଦୟରେ ଅସନ୍ତୋଷର ଚିହ୍ନ ସେଦିନ ରଖିଦେଲା ।

 

—୪—

 

ଏହି ଘଟଣାର କିଛିଦିନ ପରେ । ପ୍ରାୟ ମାସେ ଦୁଇମାସ ହୋଇଯିବ । ସେତେବେଳେ କଲେଜ ଜୀବନରେ ସଞ୍ଜୀବକ ଆବଶ୍ୟକ ଅଙ୍ଗ ହୋଇସାରିଲେଣି । ଯେଉଁଦିନ କଲେଜରେ ତାଙ୍କର ବ୍ୟାଲେ ନୃତ୍ୟ ଆମେ ଦେଖୁ ନ ଥିଲୁ ସେହି ଦିନଗୁଡ଼ାକ ଆମକୁ ଖାପଛଡ଼ା ଜଣା ପଡ଼ୁଥାଏ-। ସମସ୍ତେ ତାଙ୍କର ଉପସ୍ଥିତିକୁ ସ୍ୱୀକାର କରି ନେଇଥାଆନ୍ତି । ମଣିଷର ସ୍ୱଭାବ ସେୟା । ସଞ୍ଜୀବକଙ୍କ ବେଶପୋଷାକରେ, କି ତାଙ୍କର ଅଶ୍ୱ ଭଳି ହସିବାରେ କି ହାତୀଙ୍କ ଭଳି ନାଚିବାରେ କୌଣସି ପରିବର୍ତ୍ତନ ହୋଇ ନ ଥାଏ, ବରଂ ତାଙ୍କର ଶରୀର ଦିନକୁଦିନ ବେଶି ବେଶି ପୁଷ୍ଟ ହେଉଥାଏ । ସୁପ୍ରିୟା ଚୌଧୁରୀଙ୍କ ଛଡ଼ା ଅନ୍ୟାନ୍ୟ ଝିଅ ପିଲାଙ୍କ ସହ ତାଙ୍କର ବନ୍ଧୁତା ମଧ୍ୟ ବଢ଼ି ଚାଲିଥାଏ । ସେମାନେ ତାଙ୍କୁ ଖାଇବାକୁ ଦେଇ କଥାବାର୍ତ୍ତା ହେବାକୁ ଡାକି ନିଅନ୍ତି, ସେମାନଙ୍କ ଆଗରେ ଗୁଡ଼ାଏ ଗୁଡ଼ାଏ ରସଗୋଲା, ସିଙ୍ଗଡ଼ା ଜମାଇ ସେ ଅନାବିଳ ଚିତ୍ତରେ ଖାଆନ୍ତି, ତାଙ୍କର ଖାଇବା, ଚାଲିବା, କଥାବାର୍ତ୍ତାରେ ସେମାନଙ୍କ ମନବିନୋଦନ ହେବା ଭଳି ଜଣାଯାଉଥାଏ । ଝିଅପିଲାମାନଙ୍କ ମଧ୍ୟରେ ତାଙ୍କର ଆଦର ଓ ସମ୍ମାନ ଦେଖି ଆମମାନଙ୍କ ଭିତରୁ ଅନେକ ଈର୍ଷା ଅନୁଭବ କଲେ ମଧ୍ୟ ସର୍କସ୍‍ ବଫୁନ୍‍ର ସମ୍ମାନ ସହିତ ତାଙ୍କର ସମ୍ମାନ ତୁଳନୀୟ ଭାବି କେହିହେଲେ ବିଶେଷ ଦୁଃଖିତ ହେଉ ନଥାଉ । ତଥାପି ଆମମାନଙ୍କ ମନରେ କେଉଁଠି ରହି ରହି କଣ୍ଟା ଫୋଡ଼ି ହୋଇ ଯାଉଥାଏ ।

ସବୁ ସତ୍ତ୍ୱେ ସଞ୍ଜୀବକ ମୋ ପ୍ରତି ଆକୃଷ୍ଟ ଥିଲେ । କ୍ଳାସ୍‍ ରେ ସେ ମୋ ପାଖରେ ବସନ୍ତି ଓ ବେଳେ ବେଳେ ତାଙ୍କ ହୃଦୟ କଥା ମୋ ପାଖରେ ଖୋଲନ୍ତି । ଦିନେ ସେ ମୋତେ କହିଲେ—

କ୍ୟାଣ୍ଟିନ୍‍କୁ ଚାଲ ଯିବା ।

ମୁଁ କାର୍ଯ୍ୟ ଥିବା ଆଳ କରି ମନା କଲି । (କହି ରଖେ, ସେଦିନ ମୋ ପାଖରେ ପଇସା ନ ଥିଲା ଓ କଲେଜକୁ ଆସିବା ଦିନୁ ସଞ୍ଜୀବକ ନିଜ ପଇସାରେ କେବେ ଚା’ କପେ ମଧ୍ୟ ଖାଇ ନ ଥିଲେ । ତାଙ୍କୁ ଅନ୍ୟମାନେ ବିଷଦୃଷ୍ଟିରେ ଦେଖୁଥିଲେ ମଧ୍ୟ ଠିକ୍‍ ଖାଇବା ସମୟରେ ସେ ପହଞ୍ଚି ଯାଉଥିଲେ ଓ ବାଧ୍ୟ ହୋଇ ତାଙ୍କୁ ମଧ୍ୟ କିଛି ଅଂଶ ମିଳି ଯାଉଥିଲା । ମୁଁ ମଧ୍ୟ ତାଙ୍କୁ ବହୁବାର ଖାଇବାକୁ ଦେଇଛି ।)

ସେ ବୁଝିପାରି ଗୌରବର ହସ ହସିଦେଇ କହିଲେ—ମୁଁ ଅଛି ! ଡର କଣ ! କ୍ୟାଣ୍ଟିନ୍‍କୁ ଆଗ ଚାଲ; ସେଠି ଦେଖାଯିବ ।

ଯୁଗପତ୍‍ ବିସ୍ମୟରେ ମୁଁ ସଞ୍ଜୀବକଙ୍କ ସହିତ କ୍ୟାଣ୍ଟିନ୍‍ ଆଡ଼େ ଚାଲିଲି । ହଠାତ୍‍ ସଞ୍ଜୀବକ ପଇସା ଖର୍ଚ୍ଚ କରିବାକୁ କିପରି ପ୍ରସ୍ତୁତ ହୋଇଗଲେ ଭାବି ଆଶ୍ଚର୍ଯ୍ୟ ହେଉଥାଏ । ସୂର୍ଯ୍ୟ ଆଜି କେଉଁ ଦିଗରେ ଉଦୟ ହୋଇଛନ୍ତି ! କ୍ୟାଣ୍ଟିନ୍‍ ଭିତରେ ପଶି ସେ ପ୍ରଚୁର ଧ୍ୱନି ଓ ଆଡ଼ମ୍ୱର ସହିତ ହିନ୍ଦୁସ୍ଥାନୀ ବୟ୍‍କୁ ଅର୍ଡ଼ର ଦେଲେ—

ବୟ, ଏକ୍‍ ଏକ୍‍ ସିଙ୍ଗଡ଼ା ଲାଓ !

ଅର୍ଡ଼ର ଦେଇସାରି ଚେୟାରରେ ବସିପଡ଼ି ସେ ଗମ୍ଭୀର ହୋଇ ମୋତେ ବୁଝାଇଲେ—ବାହାରେ ଏଣୁତେଣୁ ଗୁଡ଼ାଏ ଜିନିଷ ଖାଇବାକୁ ମୋତେ ଭଲ ଲାଗେନାହିଁ । ସବୁ ବାଜେ ତେଲରେ ତିଆରି । ଆପଣଙ୍କ ମତ କଣ ?

 

ହଁ । —ମୁଁ ସ୍ୱୀକୃତି ଜଣାଇଲି ।

 

ସିଙ୍ଗଡ଼ା ଆସିଲା । ବଡ଼ ଆଡ଼ମ୍ୱର ସହିତ ସେ ପ୍ରଥମେ ସିଙ୍ଗଡ଼ାକୁ ବହୁ କ୍ଷୁଦ୍ରତମ ଅଂଶରେ ଭାଗ ଭାଗ କରିଦେଲେ । ତାପରେ ଗୋଟିଏ ଗୋଟିଏ ଅଂଶ ସେ ନେଇ ଖାଇବା ଆରମ୍ଭ କଲେ । କ୍ୟାଣ୍ଟିନ୍‍ ମ୍ୟାନେଜରକୁ ଖରାପ ତେଲରେ ସିଙ୍ଗଡ଼ା ପ୍ରସ୍ତୁତ କରିଥିବାରୁ ଗାଳି ମଧ୍ୟ ମଝିରେ ମଝିରେ ଦିଆ ଯାଉଥାଏ । ତାପରେ ସିଙ୍ଗଲ ଚା’ ଦୁଇଟା ପାଇଁ ଅର୍ଡ଼ର ଗଲା । ମହାନ୍‍ ଧୈର୍ଯ୍ୟ ସହିତ ମୁଁ ସବୁ ସହି ଯାଉଥାଏ । କେଉଁ ଦୁର୍ଭାଗ୍ୟକୁ କ୍ୟାଣ୍ଟିନ୍‍କୁ ଆସିଲି ବୋଲି ନିଜକୁ ସମାଲୋଚନା କରୁଥାଏ । ସବୁ ସରିବା ପରେ ଦୁହେଁ ପଡ଼ିଆ ଉପର ଦେଇ ଫେରୁଥିବା ବେଳେ ସେ ମୋତେ ପଚାରିଲେ—

 

ସୁପ୍ରିୟାଙ୍କ ସହିତ ଆପଣଙ୍କର ଭଲ ପରିଚୟ ଅଛି ?

 

କେଉଁ ସୁପ୍ରିୟା ?

 

ଆମରି ଶ୍ରେଣୀର ସୁପ୍ରିୟା ଚୌଧୁରୀ, ଜଷ୍ଟିସ୍‍ ଚୌଧୁରୀଙ୍କର ଝିଅ !

 

ଭଲ ପରିଚୟ ଆଉ କଣ ? ଆପଣଙ୍କ ସହିତ ଯେପରି ଅଛି, ସେହିପରି ।

 

କହିପାରିବେ, ସ୍ତ୍ରୀ ହେବାକୁ ସେ ବେଶି ଉପଯୁକ୍ତ ନା ଆରତି ଚାଟର୍ଜି ?

 

ମୁଁ କିଛି ବୁଝି ପାରିଲିନି । ମୋ ମୁହଁକୁ ଚାହିଁ ସଞ୍ଜୀବକ ବିଜୟର ହସ ହସି ଦେଇ କହିଲେ—ସୁପ୍ରିୟା ଓ ଆରତି ଉଭୟେ ମୋର ପ୍ରେମ ପ୍ରାର୍ଥିନୀ । ପ୍ରକାରାନ୍ତରେ ସେମାନେ ମୋତେ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ମୁଁ କାହାକୁ ହେଲେ କିଛି ମତ ଦେଇନି । ପ୍ରେମ ବିବାହର ମୁଁ ପକ୍ଷପାତୀ ନୁହେଁ । ଯାହାହେବ ବାପମାଙ୍କ ସ୍ୱୀକୃତି ନେଇ ହେବ । ତେବେ ମୁଁ ଭାବିପାରୁନି କାହାକୁ ମୁଁ ଗ୍ରହଣ କରିବା ଠିକ୍‍ ହେବ । ଏ ତ ଆଉ ମୁହୂର୍ତ୍ତକର ଆବେଗ ନୁହଁ, ସାରା ଜୀବନ ପାଇଁ ସ୍ଥାୟୀ ଜିନିଷ । ଆପଣ ମୋର ହିତୈଷୀ ବନ୍ଧୁ ଭାବେ କିଛି ମତାମତ ଦିଅନ୍ତୁ ।

 

ସେତେବେଳକୁ ମୁଁ ଜାଣିସାରିଥିଲି, ସଞ୍ଜୀବକ ଚାଲାକ୍‍ ହେବାକୁ ଚେଷ୍ଟା କରୁଛନ୍ତି । କ୍ଳାସ ଉପରେ ତାଙ୍କର ସଞ୍ଚିତ ରାଗକୁ ସେ ମୋ ଉପରେ ଖର୍ଚ୍ଚ କରିବାକୁ ବସିଛନ୍ତି । ସେଇଥିପାଇଁ ସେ ମୋତେ ଖାଇବାକୁ ଦବାକୁ ଡାକିଥିଲେ, ନହେଲେ ପୂର୍ବଦିଗରେ ସୂର୍ଯ୍ୟ କିପରି ଉଦୟ ହୁଅନ୍ତେ-! ଠିକଣା ଉତ୍ତର ମୁଁ କିଛି ପାଉ ନ ଥାଏ । ଶେଷରେ କହିଲି—ଦେଖନ୍ତୁ ସୁପ୍ରିୟା କି ଆରତି କେହି ହେଲେ ଆପଣଙ୍କର ଉପଯୁକ୍ତ ନୁହନ୍ତି । ସେମାନଙ୍କୁ ବିବାହ କରି ଜୀବନକୁ ନଷ୍ଟ କରି ଦିଅନ୍ତୁନା । ଛାର ଭାରତୀୟ ଝିଅ ଗୁଡ଼ାକ ପଛରେ ଆପଣ କାହିଁକି ପଡ଼ିଛନ୍ତି ? ଆପଣଙ୍କ ପରି ସ୍କଲାର୍‍, ଅକ୍‍ସଫୋର୍ଡ଼ କି ହାର୍ଭାଡ଼ ଯାଇ ସେଇଠୁ ଝିଅ ବାଛିନେବା ଉଚିତ । ତେବେ ଏହିକଥା ଅନ୍ୟମାନଙ୍କୁ ପଚାରିବା, ସେମାନେ କଣ କହୁଛନ୍ତି, ଦେଖିବା ।

 

ନା, ନା, ଅନ୍ୟମାନଙ୍କୁ କାହିଁକି କହିବେ ?—ସଞ୍ଜୀବକଙ୍କ ମୁହଁ କଳାପଡ଼ି ଆସିଲା । ସେ କହିଲେ—ପ୍ଳିଜ୍‍, ଏହି କଥା ଅନ୍ୟମାନଙ୍କ ଆଗରେ କହିବା ଉଚିତ ନୁହେଁ । ସବୁକଥା ଠିକ୍‍ ହୋଇ ଗଲାପରେ ସେମାନଙ୍କୁ ଜଣାଇଲେ ଭିନ୍ନ କଥା । କିଛି ନ ହେଉଣୁ ସେମାନଙ୍କୁ କହିବାମାନେ ଭଦ୍ରମହିଳା ଦୁଇଜଣଙ୍କୁ ଅପମାନିତ କରିବା ।

 

ମୁଁ କିନ୍ତୁ ନମାନି ତା ପରଦିନ କ୍ଳାସ୍‍ ରେ ଅନ୍ୟମାନଙ୍କୁ କହିଦେଲି । କ୍ୟାଣ୍ଟିନ୍‍ ରେ ମୋତେ ଯେଉଁ ଅର୍ଚ୍ଚନା କରାଯାଇଥିଲା ସେଥିରେ ମୁଁ ନିଶ୍ଚିତ ଭାବେ ଅସନ୍ତୁଷ୍ଟ ଥିଲି ।

 

—୫—

 

ସେତେବେଳେ ସଞ୍ଜୀବକ କ୍ଳାସକୁ ଆସି ନ ଥାନ୍ତି । ସୁପ୍ରିୟା ଓ ଆରତିଙ୍କ ବିବାହ ପ୍ରସ୍ତାବ କଥାଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ସଞ୍ଜୀବକଙ୍କ ସହିତ ସୁପ୍ରିୟା, ଆରତିଙ୍କ ପ୍ରେମ-! ବିବାହ !! ତାପରେ ସମସ୍ତେ ମୁରୁକି ମୁରୁକି ହସି କହିଲେ—ବଫୁନ୍‍‍ ! ବଫୁନ୍‍ !! ବିଚାରାକୁ କୌଣସି ଭଦ୍ରମହିଳାତ ବିବାହ କରିବେନି, କହି ବୁଲି ଯାହା ସୁଖ ପାଇବା କଥା ।

 

ତାହେଲେ ବିଚାରା ସୁଖ ପାଉ ! —କେତେଜଣ କୋରସ୍‍ ଆକାରରେ କହୁଥିବାବେଳେ ସଞ୍ଜୀବକ କ୍ଳାସ ଭିତରକୁ ପଶି ଆସିଲେ । ମୁହଁ ତାଙ୍କର ସବୁଦିନଠୁ ବେଶି ଗମ୍ଭୀର । କୌଣସି ବିପଦକୁ ସମ୍ମୁଖୀନ ହେବାକୁ ସେ ଯେପରି ନିଜକୁ ପ୍ରସ୍ତୃତ କରୁ ଥିଲେ । ସେ କ୍ଳାସ୍‍ ଭିତରେ ପାଦ ଦେଇ ନଥିବେ ଦୁଇଜଣ ସହପାଠୀ ଡେଇଁପଡ଼ି ତାଙ୍କ ସହିତ ଦୀର୍ଘସମୟ ଧରି କରମର୍ଦ୍ଦନ କରିବାକୁ ଲାଗିଲେ । ଜମାରୁ ହାତ ଛାଡ଼ୁ ନ ଥାନ୍ତି । ସେ ଆଶ୍ଚର୍ଯ୍ୟର ଭାବ ପ୍ରକଟ କରିବାକୁ ଚେଷ୍ଟାକରି ବେଦନାର ଭାବ ପ୍ରକଟ କରି ପକାଇ ସେମାନଙ୍କ ମୁହଁକୁ ଚାହୁଁ ଥାନ୍ତି ।

 

Congratulations ! ଶୁଣିଲୁ, ସୁପ୍ରିୟା ଆପଣଙ୍କ ପାଇଁ ମୀରା ସାଜିଛନ୍ତି !

 

Congratulations ! ଆରତି ଦେବୀ ଆପଣଙ୍କ ପାଇଁ ଲୟଲା ହୋଇ ଯାଇଛନ୍ତି-!

 

ହାଃ...ହାଃ...ଏଇଥିପାଇଁ ଏତେ Congratulations:—ସଞ୍ଜୀବକ ହସିଦେଇ ନିଜର ସିଟ୍‍ ପାଖକୁ ଯିବାକୁ ଲାଗିଲେ । ଯେପରି କିଛି ହୋଇନାହିଁ, ଦୁଇଜଣ ସ୍ତ୍ରୀ ତାଙ୍କ ପାଇଁ ପାଗଳିନୀ ହୋଇଯିବା ଅତି ସାଧାରଣ କଥା । ସିଟ୍‍ ରେ ବସି ସାରି ସେ କହିଲେ—ଜୀବନରେ ଏପରି ବହୁତ ହୋଇଛି, ଏହା ସବୁ କିଛି ନୂଆକଥା ନୁହଁ । ତେବେ ସୁପ୍ରିୟାତ ପାଗଳିନୀ ହେବାର କିଛି କାରଣ ନାହିଁ, ମୁଁ ତାଙ୍କୁ ବିବାହ କରିବି ବୋଲି ଠିକ୍‍ କରି ସାରିଛି ।

 

ବଢ଼ିଆ ଯୋଡ଼ି ହେବ, ସୁପ୍ରିୟା ସଞ୍ଜୀବକ ! ଓ୍ୟାଣ୍ଡର୍‍ ଫୁଲ୍‍ !—ଭଟ୍ଟାଚାର୍ଯ୍ୟ କହିସାରି ସୁପ୍ରିୟା ସଞ୍ଜୀବକଙ୍କ ଯୋଡ଼ିକୁ କଳ୍ପନା କରି ଗଦ୍‍ଗଦ ହେବାକୁ ଲାଗିଲା ।

 

ରାବଣ ମନ୍ଦୋଦରୀ ! —ଜଣେ କିଏ କହିଲା !

 

ସୁଗ୍ରୀବ ତାରା ! —ଅନ୍ୟଜଣେ ସଂଶୋଧନ କଲା ।

 

ନଳ ଦମୟନ୍ତୀ ! —ପୁଣି ସଂଶୋଧନ ପ୍ରସ୍ତାବ ।

 

ନା, ନା, ତୁମେ କେହି ଅନୁମାନ କରି ପାରୁନ ।

 

ମୁକ୍ରି ଜୋକର୍‍ ଓ ତନୁଜା ସମର୍ଥ;—

 

ବିରାଟ ହସର ଲହଡ଼ି କ୍ଳାସ ଉପରେ କଚାଡ଼ି ହୋଇ ଭାଜିଗଲା ଯେପରି । ହିନ୍ଦୀ ସିନେମାର ମୁକ୍ରି ଜୋକର୍‍ର ରୂପ ଯେତେ ଯେତେ ପରିଷ୍କାର ହୋଇ ସେମାନଙ୍କ କଳ୍ପନାକୁ ଆସୁଥାଏ, ହସର ବେଗ ସେତେ ସେତେ ପ୍ରବଳ ହେଉଥାଏ । ସଞ୍ଜୀବକ ହସରେ ଯୋଗ ନଦେଇ ଗମ୍ଭୀର ହୋଇ, କଠୋର ହୋଇ ବସିଥାନ୍ତି । ମୁଁ ହସୁଥିବା ବେଳେ ମଧ୍ୟ ତାଙ୍କର କଥା ନମାନି କ୍ଳାସରେ କହି ଦେଇଥିବାରୁ ଅନୁତାପ କରୁଥାଏ । କଥା ଏତେଦୂର ଯିବ ବୋଲି ମୋର କଳ୍ପନା ନଥିଲା ।

 

—୬—

 

ସଞ୍ଜୀବକଙ୍କୁ ନେଇ ବହୁ ଘଟଣା ପରେ ଘଟିଲା । ସବୁ ଘଟଣାକୁ ଅନୁମାନ କରା ଯାଇପାରେ । ସବୁଥିରେ ସେ କ୍ଳାସରେ ଅପମାନିତ ହେଉଥିଲେ । ଗୋଟିଏ ପଟେ ସେ, ଅନ୍ୟ ପଟେ କ୍ଲାସର ଛାତ୍ର । ଛାତ୍ରୀମାନେ ପ୍ରକାଶ୍ୟରେ କାହାପଟେ ହେଲେ ନଥିଲେ । ସେମାନେ ପରୋକ୍ଷରେ ତାଙ୍କ ପଟେ ଅଛନ୍ତି ବୋଲି ସଞୀବକ ଭାବୁଥିବା ବେଳେ ଭଟ୍ଟାଚାର୍ଯ୍ୟ କହି ବୁଲୁଥିଲା, ଛାତ୍ରୀମାନେ ତା ପକ୍ଷରେ ଅଛନ୍ତି । ସେମାନେ କେବଳ ଚିଡ଼ିଆଖାନା କି ସର୍କସ୍‍ ଯିବାକୁ ଆଜିକାଲି ପସନ୍ଦ କରୁ ନାହାଁନ୍ତି ।

 

ଫାଇନାଲ୍‍ ପରୀକ୍ଷା ପାଖ ହୋଇଯିବାରେ ବ୍ୟଙ୍ଗ ବିଦ୍ରୂପ ମଧ୍ୟ କମ୍‍ ହୋଇଗଲା । ସଞ୍ଜୀବକଙ୍କ ଜୋତା ମଚ୍‍ ମଚ୍‍କୁ, ବେଶଭୂଷା ଓ ଇଂରାଜୀ ଉଚ୍ଚାରଣକୁ ଆଉ କେହି ମନୋଯୋଗ ଦେଲେ ନାହିଁ । ପଢ଼ାରେ ସମସ୍ତେ ବ୍ୟସ୍ତ ରହିଲେ । ଦିନଗୁଡ଼ାକ କିପରି କଟିଗଲା ଜଣାଗଲାନି । ପରୀକ୍ଷା ସାରି ମୁଁ କଟକ ଫେରି ଆସିବାର ମାସେ ପରେ ଦିନେ ଅପ୍ରତ୍ୟାଶିତ ଭାବେ ଖବର କାଗଜରେ ପଢ଼ିଲି, ଶ୍ରୀ ସଞ୍ଜୀବକ ଗଙ୍ଗୋପାଧ୍ୟାୟ ଫାଷ୍ଟ୍ କ୍ଳାସ ଫାଷ୍ଟ୍ । ପ୍ରଥମେ ମୁଁ ମୋର ଚକ୍ଷୁକୁ ବିଶ୍ୱାସ କଲିନି । ଖବର ଭୁଲ୍‍ ଛପା ହୋଇଛି ବୋଲି ଅନୁମାନ କଲି । ଭଟ୍ଟାଚାର୍ଯ୍ୟ ଦ୍ୱିତୀୟ ଶ୍ରେଣୀ ପାଇଥିବା ବେଳେ ସଞ୍ଜୀବକ ଫାଷ୍ଟ୍ କ୍ଳାସ୍‍ ଫାଷ୍ଟ୍ । କିଛି ବୁଝାଯାଉ ନଥାଏ । ମୁଁ ଦ୍ୱିତୀୟ ଶ୍ରେଣୀ ପାଇଥାଏ । ତାର ଦୁଇତିନିଦିନ ପରେ ଭଟ୍ଟାଚାର୍ଯ୍ୟ ପତ୍ରରେ ଲେଖିଲା—ପୃଥିବୀର ଅଷ୍ଟମ ଆଶ୍ଚର୍ଯ୍ୟ ଆମ ଆଖି ଆଗରେ ଘଟିଗଲା । ଖବର କାଗଜରୁ ସବୁ ଜାଣି ସାରିବଣି ତୁମେ । ସଞ୍ଜୀବକ ବଳଦର ଫାଷ୍ଟ୍ କ୍ଳାସ ଫାଷ୍ଟ୍ କଥା କହୁଛି । ତେବେ ଆଗରୁ ଯେଉଁକଥା କେହି ବିଶ୍ଳେଷଣ କରି ପାରୁ ନଥିଲେ ତା ବର୍ତ୍ତମାନ ଏହି ଘଟଣା ପରେ ବୁଝା ପଡ଼ି ଯାଉଛି—ସଞ୍ଜୀବକର ବାରମ୍ୱାର ଷ୍ଟାଫ୍‍ କମନ୍‍ରୁମ୍‍କୁ ଯିବା । ଶୁଣୁଛି ଲୋକଟା କଲିକତାରେ ରହି ବିଭିନ୍ନ ପରୀକ୍ଷକଙ୍କ ପାଦତଳେ ସାଷ୍ଟାଙ୍ଗ ପ୍ରଣାମ କରି କରି ଗ୍ରୀଷ୍ମ ଛୁଟିଟା କାଟିଦେଲା !

 

ଭଟ୍ଟାଚାର୍ଯ୍ୟର ଚିଠି ପଢ଼ିବାପରେ ମଧ୍ୟ କୌଣସିମତେ ନିଜ ମନକୁ ମୁଁ ବୁଝାଇ ପାରିଲିନି-। ସଞ୍ଜୀବକ ଓ ଫାଷ୍ଟ୍ କ୍ଳାସ୍‍ ! ସଂସାରର ନ୍ୟାୟ ବିଧାନ ଉପରେ ମୋର ଅବିଶ୍ୱାସ ଆସିଲା ! କିନ୍ତୁ ଦିନେ ଏପରି ଏକ ଆଚମ୍ୱିତ କଥା ଘଟିଲା ଯାହାପରେ ମୁଁ ନିଜର ବୁଦ୍ଧି, ବିବେକ ଓ ମଣିଷ ଚିହ୍ନିବା ଶକ୍ତି ଉପରେ ସମ୍ପୂର୍ଣ୍ଣ ଅବିଶ୍ୱାସ କରିବାକୁ ଆରମ୍ଭ କରିଦେଲି । ସୁପ୍ରିୟା ଚୌଧୁରୀଙ୍କ ପିତାଙ୍କଠାରୁ ଏକ ନିମନ୍ତ୍ରଣ ପତ୍ର ଆସିଥିଲା ଯେଉଁଥିରେ କଲିକତାରେ ସୁପ୍ରିୟାଙ୍କ ଶୁଭ ପରିଣୟରେ ମୋତେ ଯୋଗ ଦେବାକୁ ସନିର୍ବନ୍ଧ ଅନୁରୋଧ କରାଯାଇଥିଲା । ବରପାତ୍ର ଥିଲେ—ଚିରଞ୍ଜୀବୀ ବାବୁ ସଞ୍ଜୀବକ ଗଙ୍ଗୋପାଧ୍ୟାୟ, ଏମ୍‍. ଏସ୍‍ସି ।

 

ସ୍ନାତୋକତ୍ତର ଶ୍ରେଣୀର ସହପାଠୀ ସମସ୍ତେ ଆଉ କେବେ ଏକତ୍ରିତ ହୋଇନୁ । (ସେ ସୌଭାଗ୍ୟ କଣ କେବେ ଫେରିଆସେ !) ତେଣୁ ସୁପ୍ରିୟାଙ୍କ ସହିତ ସଞ୍ଜୀବକଙ୍କ ଶୁଭପରିଣୟ ବିଷୟରେ ମୋର ଅନ୍ୟାନ୍ୟ ବନ୍ଧୁମାନଙ୍କ ମତାମତ ମୁଁ ଆହୁରି ଜାଣି ପାରିନି । ଭଟ୍ଟାଚାର୍ଯ୍ୟ ପାଖକୁ ଏହି ଘଟଣାନେଇ ପତ୍ର ମଧ୍ୟ ଦେଇଥିଲି, ତାର ଉତ୍ତର ଆଜିଯାଏଁ ମିଳିବାକୁ ନାହିଁ ।

Image

 

ପରାଜୟ

—୧—

 

ଆଖଣ୍ଡଳ ଦୁର୍ଗର ରାଜଜେମା ବୋହୂ ହୋଇ ଆସି ଯେଉଁଦିନ ମନ୍ଦାରଗଡ଼ରେ ପାଦ ଦିଅନ୍ତି ସେଦିନ ମନ୍ଦାରଗଡ଼ ପାଇଁ ଏକ ପରମ ମହୋତ୍ସବର ଦିନ । ଦୁର୍ଗଦ୍ୱାରଠୁ ରାଜପ୍ରାସାଦ ଯାଏଁ ରାଜପଥରେ ଗୋଟିଏ ବୋଲି ଧୂଳି ଦେଖିବାକୁ ନାହିଁ; ବାରମ୍ୱାର ଜଳବାହକ ଦାସ ଗଣ ରାସ୍ତା ଉପରେ ପାଣି ଛିଞ୍ଚି ତାକୁ ପରିଷ୍କାର ରଖିଛନ୍ତି । ରାସ୍ତାର ଉଭୟ ପାର୍ଶ୍ୱରେ ଚିତ୍ର ବିଚିତ୍ର ମନୋହର ସ୍ତମ୍ଭ, ପତାକାର ଧାଡ଼ି ଓ ମଝି ମଝିରେ ରାଜଭକ୍ତ ପ୍ରଜାମାନଙ୍କଦ୍ୱାରା ନିର୍ମିତ ତୋରଣ । ଦୁର୍ଗର ସମସ୍ତଙ୍କ ଗୃହରେ ସେଦିନ ବହୁ ଅତିଥି, ଅଭ୍ୟାଗତ, ମନ୍ଦାରଗଡ଼ର ମହୋତ୍ସବରେ ଭାଗ ନେବାପାଇଁ ଦୂର ଦୂରାନ୍ତରରୁ ଲୋକେ ଆଗ୍ରହୀ ହୋଇ ଆସିଛନ୍ତି । ରାଜାଙ୍କ ଦ୍ୱାରା ନିମନ୍ତ୍ରିତ ରାଜା, ରାଜପୁରୁଷ ଓ ରାଜତୁଲ୍ୟ ବ୍ୟକ୍ତିଙ୍କ ଛଡ଼ା ପଣ୍ଡିତ, ବ୍ରାହ୍ମଣ, ଧନୁର୍ଦ୍ଧର ରଥୀଙ୍କ ସଂଖ୍ୟା ସହସ୍ରାଧିକ; ସେମାନଙ୍କ ଅଶ୍ୱ ପଦାଘାତ ଓ ରଥଚକ୍ରର ଘିଡ଼ି ଘିଡ଼ି ଶବ୍ଦରେ କାନ ଅତଡ଼ା ପଡ଼ି ଯାଉଛି । ସମସ୍ତଙ୍କ ହୃଦୟରେ ଅପୂର୍ବ ଆନନ୍ଦ, ଅପୂର୍ବ ଉତ୍ସବ ମନୋବୃତ୍ତି । ମଙ୍ଗରେ କର୍ପୂର ଚନ୍ଦନ ବୋଳି ହୋଇ, ଝିନ ଉତ୍ତରୀୟ କାନ୍ଧରେ ଲମ୍ୱାଇ ନାଗରୀକମାନେ ରାଜପଥରେ ଯିବାଆସିବା କରୁଛନ୍ତି । ନଗର ଗହଳି ଦେଖି ସେମାନଙ୍କର ବକ୍ଷ ସ୍ଫୀତ ହୋଇ ଉଠୁଛି, ଯେତେହେଲେ ସେମାନଙ୍କର ନଗରୀ ତ ! ରଥୀ କେହି ଗଲେ ସେମାନେ ରାସ୍ତାର କଡ଼କୁ ହୋଇ ଯାଉଛନ୍ତି ସତ; କିନ୍ତୁ ରଥାରୂଢ଼ ବ୍ୟକ୍ତି ଉପରେ ସହାସ୍ୟ ମନ୍ତବ୍ୟ ଶୁଣାଇ ଦିଆଯାଉଛି; ରଥୀ ସବୁ ଶୁଣି ମଧ୍ୟ ନ ଶୁଣିବା ପରି ଆଜି ସବୁ କ୍ଷମ୍ୟ ଭାବି ଅଶ୍ୱ ପୃଷ୍ଠରେ କଷାଘାତ କରୁଛି । କେହି ତରୁଣୀ ଚାଲିଗଲେ ନିତମ୍ୱଠୁ ଆରମ୍ଭ କରି ଉରଜ ପର୍ଯ୍ୟନ୍ତ ବର୍ଣ୍ଣନା ସମାଲୋଚନା ହୋଇଯାଉଛି, ବେଳେ ବେଳେ କେହି ଚପଳ ଯୁବକ ବାୟୁ ବିଦୀର୍ଣ୍ଣ କରି ଚୁମ୍ୱନ ଶବ୍ଦ ମଧ୍ୟ କରୁଛନ୍ତି ।

 

ଯୁବରାଣୀ ସ୍ୱୟଂପ୍ରଭା ଗଡ଼ରେ ପହଞ୍ଚି ସାରିଛନ୍ତି । ରାଜପଥର ଦୁଇପାର୍ଶ୍ୱରେ ଅଗଣିତ ନାଗରିକ ଠିଆ ହୋଇ ହର୍ଷଧ୍ୱନି କରି ତାଙ୍କୁ ଅଭ୍ୟର୍ଥନା କରିଥିଲେ । ଯୁବାରାଣୀଙ୍କ ସମ୍ମୁଖ ଭାଗରେ ଏକ ସହସ୍ର ଓ ପଶ୍ଚାଦ୍‍ଭାଗରେ ଏକ ସହସ୍ର ଅଶ୍ୱାରୋହୀ ତାଙ୍କର ଅଙ୍ଗରକ୍ଷୀ ହୋଇ ଆଖଣ୍ଡଳ ଦୁର୍ଗରୁ ଆସିଥିଲେ । ତାପରେ ମନ୍ଦାରଗଡ଼ର ଭବ୍ୟସେନା—ପଦାତିକ, ଅଶ୍ୱାରୋହୀ, ରଥାରୋହୀ—ସଂଖ୍ୟା କିଏ କରିବ ! ଜନସମୁଦ୍ରର ସ୍ୱାଗତ ସଜ୍ଜାରେ ପରମପ୍ରୀତ ହୋଇ ସ୍ୱୟଂପ୍ରଭା ଭବିତବ୍ୟର ସୁଖସ୍ୱପ୍ନ ଦେଖୁଥିଲେ—ମନ୍ଦାରଗଡ଼ର ଯୁବରାଣୀ ସେ । ଆଜିଠୁ ଅଖଣ୍ଡ ତାଙ୍କର କ୍ଷମତା ହେବ, ସହସ୍ର ସହସ୍ର ଲୋକଙ୍କ ଜନ୍ମ ଓ ମୃତ୍ୟୁ ତାଙ୍କର ଭ୍ରୂଭଙ୍ଗୀରେ ସଞ୍ଚାଳିତ ହେବ-! ରାଜ୍ୟକୁ ନୂତନ ରୂପ ଦେବେ ସେ, ଇତିହାସରେ ତାଙ୍କର ନାଁ ପରମ ମହୀୟସୀମାନଙ୍କ ମଧ୍ୟରେ ଗଣା ହେବ । ରାଜ୍ୟର ସୀମା ବଢ଼ିବ, ନାଗରିକମାନେ କର ନିୟମିତ ରୂପେ ଦେବେ, ସୈନ୍ୟ ସଂଖ୍ୟା ତ୍ରିଗୁଣିତ ସେ କରିବେ, ସ୍ୱାମୀ ତାଙ୍କର ଚକ୍ରବର୍ତ୍ତୀ....

 

—୨—

 

ଓଢ଼ଣା ଟେକି ଦେଇ ସ୍ୱୟଂପ୍ରଭା ଚାହିଁଲେ । ସ୍ୱାମୀ ଚଉକୀରୁ ଉଠିବାର କୌଣସି ଉପକ୍ରମ କରୁ ନାହାନ୍ତି ।

 

ଆର୍ଯ୍ୟ !

 

ଶଙ୍ଖଧର କଣ ଭାବୁଥିବାବେଳେ ସ୍ୱୟଂପ୍ରଭାଙ୍କ ସମ୍ୱୋଧନରେ ଚମକି ପଡ଼ିଲେ ।

 

ଶୋଇବେନି ଆଜି ?

 

ନାଁ । —ପାଖରେ ପଡ଼ିଥିବା ବହିକୁ ଉଠାଇ ନେଇ ଶଙ୍ଖଧର ଅଧ୍ୟୟନରେ ମନୋଯୋଗ ଦେଲେ । ଟେବୁଲ୍‍ ଉପରେ ଅସଂଖ୍ୟ ଗ୍ରନ୍ଥ ଗଦା ହୋଇଥିଲା । ବହୁ ବିଭିନ୍ନ ଭାଷାର, ବହୁ ବିଭିନ୍ନ ତଥ୍ୟ ନେଇ ।

 

ଆଜିପରା ଦିନରେ ଅଧ୍ୟୟନକୁ ବାଦ୍‍ ଦେଲେ ଚଳନ୍ତାନି ? ଶଙ୍ଖଧରଙ୍କ ବାହୁକୁ ସ୍ୱୟଂପ୍ରଭାଙ୍କୁ ଶରୀର ସ୍ପର୍ଶ କଲା । ସେ ଚଉକୀପାଖକୁ ଚାଲି ଆସିଥିଲେ ।

 

ଆଜିର ବିଶେଷତା କଣ ?

 

ପ୍ରଶ୍ନ ଶୁଣି ସ୍ୱୟଂପ୍ରଭାଙ୍କ ମୁଖମଣ୍ଡଳ ଈଷତ୍‍ ରକ୍ତିମ ହୋଇଗଲା; କିନ୍ତୁ ସେ ଯେପରି ଦୃଢ଼ ପରିକର ହୋଇଥିଲେ ଲଜ୍ଜା ଛାଡ଼ିଦେବାପାଇଁ । ପଲଙ୍କ ପାଖରେ ଦୀର୍ଘସମୟ ଧରି ଅପେକ୍ଷା ପରେ ସେ ସ୍ୱାମୀଙ୍କୁ ତାଙ୍କ ପାଖକୁ ଆସିବା ନ ଦେଖି, ଯାହା ସେ ଚାହୁଁ ଥିଲେ, କଳ୍ପନା କରିଥିଲେ, କିଛି ନ ହେବାର ଦେଖି ସ୍ୱୟଂପ୍ରଭା ସେହି ଲଜ୍ଜାଶୂନ୍ୟ ପଦକ୍ଷେପ ପକାଇବାକୁ ସଂକଳ୍ପ ଚିତ୍ତ ହୋଇଥିଲେ ।

 

ସ୍ୱୟଂପ୍ରଭାଙ୍କୁ ନିରୁତ୍ତର ଦେଖି ଶଙ୍ଖଧର ହସିଲେ । ସ୍ୱୟଂପ୍ରଭା ତାହା ଦେଖିପାରିଲେ ।

 

ଆଜିର ବିଶେଷତା ଆପଣ ଜାଣି ନାହାନ୍ତି ?

 

ବିଶେଷତା ନିଶ୍ଚୟ ଥିବ । କିନ୍ତୁ, ସେ ବିଶେଷତାକୁ ମୋର ସ୍ୱୀକାର ନାହିଁ ।

 

ସ୍ୱୟଂପ୍ରଭା ଆଶ୍ଚର୍ଯ୍ୟ ହୋଇ ସ୍ୱାମୀଙ୍କୁ ତାଙ୍କର ବୁଝିବାକୁ ଚେଷ୍ଟା କରୁଥିଲେ ।

 

ମୋର ଉପସ୍ଥିତି ଆପଣଙ୍କୁ ଭଲ ଲାଗୁନି ?

 

ତାହେଲେ ବିବାହ କରିଥାନ୍ତି କାହିଁକି ?

 

ମୋତେ ବିବାହ କରିବା ପରେ ମୋ ପ୍ରତି ଆପଣଙ୍କର କର୍ତ୍ତବ୍ୟ ସରିଗଲା ?

 

ବିଚାର କରୁଛି ।

 

ସେ କଥା ଆଗରୁ ବିଚାର କରି ନ ଥିଲେ ?

 

କରିଥିଲି । ପରେ ପରିବର୍ତ୍ତନ କଲି ।

 

ସ୍ୱାମୀଙ୍କ ଉତ୍ତର ଶୁଣି ଯୁବରାଣୀ ସ୍ୱାମୀଙ୍କ ମୁହଁକୁ କଠୋର ଦୃଷ୍ଟିରେ ଚାହିଁଲେ । ରାତ୍ର ବଢ଼ି ଚାଲିଥିଲା । ପ୍ରାସାଦ ବାହାରୁ ରହି ରହି ଦ୍ୱାରରକ୍ଷୀଙ୍କ ପଦଚାରଣ ଶବ୍ଦ ଶୁଭୁଛି । ଶଙ୍ଖଧର ବହିର ପୃଷ୍ଠା ପରେ ପୃଷ୍ଠା ଓଲଟାଇ ଚାଲିଥାନ୍ତି । ଚକ୍ଷୁ ତାଙ୍କର ବହିର ଶବ୍ଦ, ବାକ୍ୟ ଉପରେ ନିବଦ୍ଧ ଥାଏ । ସ୍ୱୟଂପ୍ରଭା ତାଙ୍କ ପାଖରେ ତାଙ୍କର ଶରୀରକୁ ଲାଗି ଠିଆ ହୋଇଛନ୍ତି ବୋଲି ସେ ଜାଣିନାହାନ୍ତି ଯେପରି । ଶେଷରେ ଶଙ୍ଖଧରଙ୍କ ଗୋଡ଼ ପାଖରେ ସ୍ୱୟଂପ୍ରଭା ଶୋଇ ପଡ଼ିଲେ, ଜାକିଜୁକି ହୋଇ ।

 

ଯେତେବେଳେ ସ୍ୱୟଂପ୍ରଭାଙ୍କର ନିଦ ଭାଙ୍ଗେ ସେତେବେଳେ ଦୁଇଜଣ ଦାସୀ ତାଙ୍କୁ ବିଞ୍ଚୁଥିଲେ । ସେ ପ୍ରକୋଷ୍ଠରେ ଆଉ କେହି ନ ଥିଲେ । ଦାସୀକୁ ପଚାରିବାରେ ଜଣାଗଲା ଯୁବରାଜ କିଛି ସମୟ ହେଲା ତାଙ୍କର ଅଧ୍ୟୟନ ପ୍ରକୋଷ୍ଠକୁ ଯାଇଛନ୍ତି । ସାରା ରାତି ସେ ସେଇଠି ବସି ପଢ଼ୁଥିଲେ । ଗତରାତ୍ରିର ସବୁକଥା ତାଙ୍କର ଧୀରେ ଧୀରେ ମନେ ପଡ଼ୁଥିଲା । କୌଣସି ଦୋଷ ନ ଥାଇ ସେ ଦଣ୍ଡିତା ହୋଇଛନ୍ତି । ନାରୀର ଚରମ ସୌଭାଗ୍ୟ ଦିବସରେ ସେ ବିଧବା ପରି, ଅଲକ୍ଷ୍ମୀ ପରି ଭୂତଳଶାୟିନୀ ହେଲେ ! ବିବାହ ପରେ, ସ୍ୱାମୀ ତାଙ୍କୁ ଗ୍ରହଣ କରିବେ କି ନାହିଁ, ବିଚାର କରୁଛନ୍ତି ? ସମାଜ ଚକ୍ଷୁରେ ଗ୍ରହଣ କରିସାରି ପୁଣି ବିଚାର ? ମିଛକଥା, ବାହାନା ! ସେ ନିଜେ ତାଙ୍କୁ ବିବାହ କରିବାକୁ ଚେଷ୍ଟା କରି ନ ଥିଲେ ? ତାହେଲେ ବିବାହ ପରେ ଏପରି ବ୍ୟବହାର କାହିଁକି ? ସେ ତ ଅସୁନ୍ଦରୀ ନୁହନ୍ତି, କେବେ ତ ସେ ପୁଂଶ୍ଚଳୀ ନ ଥିଲେ ! ତଥାପି ତାଙ୍କର ଏହି ବ୍ୟବହାର ! ହୃଦୟରେ, ଦୁର୍ବାକ୍ଷତ ରାତ୍ରିରେ କଣ କଣ କହିବେ, କଣ କଣ କରିବେ ତାର କେତେ କଳ୍ପନା ସୃଷ୍ଟି ହୋଇ ନ ଥିଲା; କିନ୍ତୁ ସବୁ କଳ୍ପନା କଳ୍ପନାରେହିଁ ରହିଗଲା । କେବେ ସେ ଭାବିଥିଲେ ଏପରି ହେବ ବୋଲି !

 

ସ୍ୱୟଂପ୍ରଭା ଉଠିବାମାତ୍ରେକେ ଦାସୀମାନେ ବ୍ୟଞ୍ଜନ ବନ୍ଦ କରି ଆଜ୍ଞା ପାଇଁ ପ୍ରସ୍ତୁତ ହୋଇଗଲେ । ସ୍ୱୟଂପ୍ରଭା ସେମାନଙ୍କୁ ଚାଲିଯିବାକୁ ସଙ୍କେତ ଦେଇ ଶଯ୍ୟା ଉପରକୁ ଗଲେ—ପଲଙ୍କ ଉପରର ଶ୍ୱେତଶଯ୍ୟା ତାଙ୍କୁ ସାରାରାତ୍ରି ଅପେକ୍ଷା କରିଥିଲା । ରାଜକୁମାର ଯଦି ପଢ଼ୁଛନ୍ତି ପଢ଼ୁଥାନ୍ତୁ, ସେ ଏକା ଶୋଇବେ ।

 

—୩—

 

ରାଜକୁମାର ଶଙ୍ଖଧର ଅଧ୍ୟୟନାଗାରରେ ବସିଥିଲେ । ଇଷତ୍‍ ହାସ୍ୟ ତାଙ୍କର ମୁଖମଣ୍ଡଳରେ ଲାଗି ରହିଥାଏ । ....ସ୍ୱଂୟପ୍ରଭା ପରମ ସୁନ୍ଦରୀ । ନିଜର ସ୍ତ୍ରୀର ରୂପ କଳ୍ପନା କରି ମଧୁର କଳ୍ପନାରେ ତାଙ୍କର ଲେମାଞ୍ଚ ହେଲା । କ୍ଷୀଣ କଟି...ଉନ୍ନତ ବକ୍ଷ...ଶଙ୍ଖସଦୃଶ ଗ୍ରୀବା... କୁଣ୍ଡଳିତ ଲମ୍ୱା କେଶ...ଶଙ୍ଖଧର ବିଚଳିତ ହୋଇ ଉଠିଲେ । ପିତା—ମାତାଙ୍କର ରୁଚି ପ୍ରଶଂସନୀୟ-। ସେଇମାନେଇ ପ୍ରଥମେ ସ୍ୱୟଂପ୍ରଭାଙ୍କୁ ଦେଖି ବୋହୂ କରିବାକୁ ମନସ୍ଥ କଲେ । ତୈଳଚିତ୍ର (ଯାହାକୁ ସେ ବିବାହ ପୂର୍ବରୁ ଦେଖି ଭଲ ପାଇ ବସିଥିଲେ !) ରେ ଅଙ୍କିତ ମୂର୍ତ୍ତିଠୁ ସ୍ୱୟଂପ୍ରଭା ଶତଗୁଣରେ ଅଧିକ ରୂପବତୀ । ଦକ୍ଷ ଚିତ୍ରକାର ଆଖଣ୍ଡଳ ଦୁର୍ଗରେ ନଥିବା ପରି ମନେ ହେଉଛି; କିନ୍ତୁ ଜୀବନସାରା ସହଧର୍ମିଣୀ କରିବା ବ୍ୟକ୍ତିକୁ, ଯାକୁ ମଣିଷ ଆରାଧ୍ୟା ଦେବୀ କରି ଅନ୍ତରର ଗୋପାନତମ କଥା କହେ, ବିଶ୍ୱାସ କରେ, ଯାହା ପାଖରେ ଶୟନ କରି ସ୍ୱର୍ଗ ଓ ଇନ୍ଦ୍ରପଦକୁ ମଧ୍ୟ ତୁଚ୍ଛ ମନେକରେ, ତାକୁ କଣ ବିନା ପରୀକ୍ଷାରେ ଗ୍ରହଣ କରାଯିବା ଉଚିତ ? ଗୁଣର ପରୀକ୍ଷା ହେବନି ? ଶରୀରର ସୌନ୍ଦର୍ଯ୍ୟ ତ ସବୁ ନୁହେଁ । ମନ୍ଦାରଗଡ଼ର ସିଂହାସନ ଗୁଣବତୀ ନାରୀରତ୍ନ ପାଇଁ ଉଦ୍ଦିଷ୍ଟ । ଯେ କୌଣସି ନାରୀ କେବଳ ଶରୀର ସୌନ୍ଦର୍ଯ୍ୟ ଗର୍ବରେ ସେଠି ବସି ପାରେନା । ...କାଳେ ସ୍ୱୟଂପ୍ରଭା ପରୀକ୍ଷାରେ ଅନୁତୀର୍ଣ୍ଣ ରହିଯିବେ ଭାବି ଶଙ୍ଖଧରଙ୍କ ହୃଦୟ ବେଗରେ ସ୍ପନ୍ଦିତ ହୋଇ ଉଠିଲା; ମୁହଁ ତାଙ୍କର ଶୁଖିଗଲା; କିନ୍ତୁ ସଙ୍ଗେ ସଙ୍ଗେ ନିଜ ମନକୁ ସେ ଧୈର୍ଯ୍ୟ ଦେଲେ । ଯଦି ଗୁଣଶୀଳା ବୋଲି ପ୍ରମାଣିତ ନ ହୁଅନ୍ତି ତାହେଲେ ସ୍ତ୍ରୀ ବୋଲି ଗ୍ରହଣୀୟ ମଧ୍ୟ ନୁହନ୍ତି । ମନ୍ଦାରଗଡ଼ରେ ତାଙ୍କର ରହିବା ଖାଇବା ପାଇଁ ଅସୁବିଧା ହେବନି...କିନ୍ତୁ ସ୍ତ୍ରୀ ! ତା ତାଙ୍କର ପସନ୍ଦ ନ ହେଲେ ଫେରିଯାଇ ପାରନ୍ତି ସେ ବାପଘରକୁ । ତାହାହିଁ ବାଞ୍ଛନୀୟ । ...କିନ୍ତୁ ବ୍ୟର୍ଥ ଚିନ୍ତା ସେ କରୁଛନ୍ତି; ପ୍ରଥମ ରାତ୍ରିର ପରୀକ୍ଷାରେ ସ୍ୱୟଂପ୍ରଭା ଉତ୍ତୀର୍ଣ୍ଣ ହୋଇଛନ୍ତି । ଖୁବ୍‍ କୃତିତ୍ୱର ସହ । ଗତରାତ୍ରିରେ ସ୍ୱୟଂପ୍ରଭାଙ୍କର ବ୍ୟବହାର, କଥାବାର୍ତ୍ତାକୁ ମନେପକାଇ ସନ୍ତୋଷରେ ସ୍ମିତହାସ୍ୟ ଯୁବରାଜଙ୍କ ଅଧରରେ ଖେଳିଗଲା ।

 

ସେହି ସମୟରେ ସ୍ୱୟଂପ୍ରଭା ଦୁଆର ମେଲାଇ ଭିତରକୁ ଆସିବାକୁ ରାଜକୁମାରଙ୍କର ଅନୁମତି ଚାହିଁଲେ । ଗମ୍ଭୀର ହୋଇ ଶଙ୍ଖଧର କହିଲେ—ଆସ ।

 

ସ୍ୱୟପ୍ରଭାଙ୍କ ଶରୀର ଅସୁସ୍ଥ ଜଣା ପଡ଼ୁଥାଏ । ରାତ୍ରିରେ ଭଲ ନିଦ ନ ହୋଇଥିବାଯୋଗୁ ମୁଖ ଅଳ୍ପ ପାଣ୍ଡୁର । ଚକ୍ଷୁ ଦ୍ୱୟ ରକ୍ତିମ ଜଣା ପଡ଼ୁଛି । କିଞ୍ଚିତ ଫୁଲି ଯାଇଛି ମଧ୍ୟ-। ବହୁତ କାନ୍ଦିବା ପରେ ଯେପରି ହେବାର କଥା । ମୁହୂର୍ତ୍ତକ ଭିତରେ ସବୁ ଲକ୍ଷ୍ୟ କରିଦେଇ ଶଙ୍ଖଧର ଆହୁରି ଗମ୍ଭୀର ହୋଇଗଲେ ।

 

ଆପଣଙ୍କ ଶରୀର ଭଲ ଅଛି ତ ? —ସ୍ୱଂୟପ୍ରଭା ମୃଦୁ କଣ୍ଠରେ ପଚାରିଲେ ।

 

ଶରୀର ଖରାପ ହେବାର କିଛି କାରଣ ନାହିଁ ।

 

କାଲି ରାତ୍ରିରେ ଆପଣ ଆଦୌ ଶୋଇ ନାହାନ୍ତି ବୋଲି ଦାସୀ କହୁଥିଲା ?

 

ଠିକ୍‍ କହୁଥିଲା ।

 

ମଣିଷ ଶରୀର ପାଇଁ ନିଦ୍ରା ଓ ବିଶ୍ରାମର ଆବଶ୍ୟକତା ଆପଣ ସ୍ୱୀକାର କରୁନାହାନ୍ତି ?

 

କରୁଛି ।

 

ତେବେ ମୁଁ ଡାକିବା ପରେ ମଧ୍ୟ ଆପଣ ଶୋଇବାକୁ ଆସିଲେ ନାହିଁ ?

 

ତୁମେ କାଲି ନିଦ୍ରା ଓ ବିଶ୍ରାମ ପାଇଁ ଆଗ୍ରହ କରୁଥିଲ ?

 

ସ୍ୱୟଂପ୍ରଭାଙ୍କ ମୁଖମଣ୍ଡଳ ପାଟଳ ହୋଇ ଉଠିଲା ପ୍ରଶ୍ନ ଶୁଣି । ଉନ୍ନତ ବକ୍ଷ ତାଙ୍କର ଦ୍ରୁତ ନିଶ୍ୱାସ ପ୍ରଶ୍ୱାସ ଯୋଗୁ ପଡ଼ୁଥାଏ ଉଠୁଥାଏ । ସେ ବୃଦ୍ଧାଙ୍ଗୁଳୀରେ ଭୂମିରେ ଚିତ୍ର କରିବାକୁ ଲାଗିଲେ-

 

ଆପଣ ଅନ୍ୟ ଶଯ୍ୟାରେ ବିଶ୍ରାମ ନେଇ ପାରିଥାନ୍ତେ । ଆପଣଙ୍କ ସ୍ୱାସ୍ଥ୍ୟ ଅନ୍ୟ ସବୁ କଥାଠୁ ବେଶି ମୂଲ୍ୟବାନ୍‍ ।

 

ମୁଁ ବିଶ୍ରାମ ନେଇନି ବୋଲି କିପରି ଜାଣିଲ ?

 

ସ୍ୱଂୟପ୍ରଭା ହତପ୍ରଭ ହୋଇ ଶଙ୍ଖଧରଙ୍କ ମୁହଁକୁ ଚାହିଁଲେ । —ଆପଣଙ୍କ ମୁହଁରେ ବିନିଦ୍ରା ଓ କ୍ଳାନ୍ତିର ସଙ୍କେତ ଅଛି ।

 

ସେ ସଙ୍କେତ ଅନ୍ୟ କୌଣସି କାରଣ ପାଇଁ ସୃଷ୍ଟି ହୋଇ ପାରେନା ? ଆଉ ମୋ ସ୍ୱାସ୍ଥ୍ୟ ଅନ୍ୟ ସବୁ କଥାଠୁ ମୂଲ୍ୟବାନ୍‍ କିପରି ?

 

ସ୍ୱଂୟପ୍ରଭା କିଛି ଉତ୍ତର ନ ଦେଇ ସେହିପରି ଠିଆ ହୋଇ ରହିଲେ । ଚକ୍ଷୁରୁ ତାଙ୍କର ଅଶ୍ରୁ ଅବିରଳ ବାହାରୁଥାଏ । କଠିନ ଚେଷ୍ଟା କରି ସେ ନିଜର ପ୍ରବଳ ଶୋକକୁ ସଂଯତ କରୁଥାଆନ୍ତି-। କିଛି ସମୟପରେ ସେ ରାଜକୁମାରଙ୍କର ପାଦ ସ୍ପର୍ଶ କରିବାକୁ ଅଗ୍ରସର ହେଲେ । ଶଙ୍ଖଧର ପାଦକୁ ଘୁଞ୍ଚାଇ ଆଣିଲେ । —ତୁମେ ପାଦସ୍ପର୍ଶ କରି ମୋତେ ଅପମାନ ଦେବାକୁ ଭାବୁଛ, ଏହିପରି ପ୍ରତିଶୋଧ ନେବ ?

 

ସ୍ୱଂୟପ୍ରଭାଙ୍କ ରୁଦ୍ଧ ଶୋକ କୂଳ ଲଙ୍ଘିଲା । ସେ ଦଉଡ଼ି ଦଉଡ଼ି ନିଜ ପ୍ରକୋଷ୍ଠକୁ ଚାଲିଗଲେ । ନପୁଂସକ ପ୍ରତିହାରୀ ଆଶ୍ଚର୍ଯ୍ୟ ହୋଇ ଚାହିଁଥାଏ ଯୁବରାଣୀଙ୍କ ଗତିପଥକୁ ।

 

ପ୍ରକୋଷ୍ଠ ଭିତରେ ରାତ୍ରିର ଉତ୍ସବ ପ୍ରଦୀପ ମ୍ଳାନ ହୋଇ ଆସିଛି ।

Image

 

—୪—

 

ଶୟନ କକ୍ଷକୁ ସ୍ୱଂୟପ୍ରଭା ପଶିଯାଉଥିବା ବେଳେ ଅନ୍ତଃପୁରର ପରିଚାରିକା ମସ୍ତକ ନୁଆଁଇ କହିଲା—ରାଜକୁମାର ବନ୍ଧୁମାନଙ୍କୁ ଧରି ଶିକାର କରି ଚାଲିଗଲେ ।

 

ମସ୍ତକ ପରିଚାରିକାର ସେହିପରି ନତ ଥାଏ । ସ୍ୱଂୟପ୍ରଭାଙ୍କୁ ଜଣା ପଡ଼ିଲା ପରିଚାରିକା ଯେପରି ହସୁଛି । ସେଥିପାଇଁ ସେ ସିଧା ହୋଇ ଠିଆ ହୋଉନି ।

 

ସିଧା ହୋଇ ଠିଆହୁଅ । ଏତେ ସମୟ ଧରି ସମ୍ମାନ ଦେଖାଇବାର କଣ ମାନେ ହୁଏ-?

 

ଭୟାର୍ତ୍ତା ହୋଇ ପରିଚାରିକା ସତରେ ଏଥର ବେଶି ଲଇଁଗଲା ।

 

ସିଧା ହୋଇ ଠିଆ ହୁଅ ।

 

ପରିଚାରିକା ମୁହୂର୍ତ୍ତକେ ସିଧାହୋଇ ଠିଆ ହେଲା । ଦଣ୍ଡ ଆଶଙ୍କାରେ ସେ ଥରୁଥାଏ ।

 

କଣ କହିବାକୁ ଚାହଁ ?

 

ଥରି ଥରି ରହି ଦାସୀ ଉତ୍ତର ଦେଲା—

 

ରାଜକୁମାର ମୃଗୟା କରି ଚାଲିଗଲେ ।

 

ସ୍ୱଂୟପ୍ରଭା ଲକ୍ଷ୍ୟ କଲେ, ଗତ ରାତ୍ରିରେ ଯେଉଁ ଦୁଇଜଣ ଦାସୀ ତାଙ୍କୁ ବ୍ୟଞ୍ଜନ କରୁଥିଲେ ସେମାନଙ୍କ ମଧ୍ୟରୁ ସେ ଦାସୀ ଜଣେ ।

 

ହଁ ! ...ଯାଅ !

 

ଦାସୀ ସମ୍ମାନ ଦେଖାଇ ଚାଲିଗଲା । ସ୍ୱଂୟପ୍ରଭା ଶୟନକକ୍ଷରେ ପ୍ରବେଶ କରି ଭିତରୁ ଦୁଆର କିଳିଦେଲେ । ସାରା ପ୍ରକୋଷ୍ଠ ଚନ୍ଦନ କସ୍ତୁରୀ ଗୋଲାପ ଜୁହୀର ସୁଗନ୍ଧିରେ ସୁବାସିତ ହେଉଥାଏ । ପଲଙ୍କ ଉପରେ ଜ୍ୟୋତ୍ସ୍ନା କିରଣ ପରି କୋମଳ ଶ୍ୱେତଶଯ୍ୟା ।

 

ତାଙ୍କର ନାସିକାପୁଟ ଫୁଲି ଉଠିଲା କ୍ରୋଧରେ, ଅଭିମାନରେ । ମୃଗୟା ପାଇଁ ବନ୍ଧୁ ଗହଣରେ ଚାଲିଗଲେ ସେ ! ମଧୁଶଯ୍ୟାର ଦ୍ୱିତୀୟ ଦିନ । ନବ ବିବାହିତା ପତ୍ନୀକୁ ରାଜପ୍ରାସାଦରେ ଛାଡ଼ି ଦେଇ । ଆଜି ଦାସୀ ହସୁଥିଲା । ରାଜପରିବାରରେ ସମସ୍ତେ ଜାଣି ସାରିବେଣି । କାଲି ସମସ୍ତେ ପରିହାସ କରିବେ । ଆଜି ମୃଗୟାରେ ବନ୍ଧୁମାନେ ଜାଣିବେ । ରାଜକୁମାର ନବବିବାହିତା ପତ୍ନୀ ଉପରେ ଅପ୍ରସନ୍ନ, ଅସନ୍ତୁଷ୍ଟ । ପତ୍ନୀ ନିଶ୍ଚେ ଦୂଷିତା ବା ଗୁଣହୀନା । ନ ହେଲେ କୁରୂପା । ମଧୁଶଯ୍ୟାର ଦ୍ୱିତୀୟ ଦିବସରେ ମୃଗୟା ! ଅଶୋଭନତା ! ଚରମ ଅଶୋଭନତା ।

 

ଶଯ୍ୟା ଉପରେ ଯାଇ ସେ ବସିଲେ । ଭ୍ରୂକୁଞ୍ଚିତ ହୋଇ ଉଠିଥାଏ । ବେଶଭୂଷା ହୋଇ ସେ ଆଜି ଆସିଥିଲେ ପୁଣି ପ୍ରତ୍ୟାଖୀତା ହେବାପାଇଁ । କିଛି ଦୋଷ ନଥାଇ ଦଣ୍ଡ । ପୁରୁଷ ବୋଲି ସେ ଯାହା ଇଚ୍ଛା ତା କରିବେ, ସବୁ କ୍ଷମ୍ୟ ।

 

କାନ୍ଥରେ ଶଙ୍ଖଧରଙ୍କର ବିରାଟ ତୈଳଚିତ୍ର ଟଙ୍ଗା ହୋଇଛି । ସ୍ୱର୍ଣ୍ଣରଙ୍ଗ, ଅର୍ଦ୍ଧଚନ୍ଦ୍ରର ଭ୍ରୂ, ପ୍ରଶସ୍ତ ଲଲାଟ, ଅଧର କୋଣରେ ପରିଚିତ ସ୍ମିତ ହାସ । କିନ୍ତୁ ତୈଳ ଚିତ୍ରକୁ ଚାହିଁବା କଣ ପ୍ରୟୋଜନ । ତାଙ୍କୁ ସେ ଦେଖିଛନ୍ତି । ଶଙ୍ଖଧର ଯେପରି ବିଦ୍ୱାନ୍‍, ସେହିପରି ପରାକ୍ରମୀ; ଶରୀରର ପ୍ରତ୍ୟେକ ଅଙ୍ଗ ତାଙ୍କର ପୌରୁଷ ପୂର୍ଣ୍ଣ । କିନ୍ତୁ ଭାଗ୍ୟ ମନ୍ଦ ହେଲେ ନଦୀ ପାର୍ଶ୍ୱରେ ରହି ମଧ୍ୟ ଲୋକ ପିପାସୀ ରହେ !

 

—୫—

 

ରାଜବଧୂ କଇଁ କଇଁ ହୋଇ କାନ୍ଦୁଥିଲେ । ମୃଗୟାରୁ ଫେରିଆସି ମଧ୍ୟ ଶଙ୍ଖଧର ତାଙ୍କୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି । ମୃଗୟାକୁ ଯିବା ପୂର୍ବରୁ ସ୍ୱାମୀଙ୍କର ଦେଖାତ ମିଳୁଥିଲା । ଏବେ ଦେଖା ମଧ୍ୟ ମିଳୁନାହିଁ । ସେ ଆବାସଗାର ପରିବର୍ତ୍ତିତ କରି ଦେଇଛନ୍ତି । ଯେଉଁଠିକି ସ୍ୱୟଂପ୍ରଭା ମଧ୍ୟ ଯାଇ ପାରିବେନି ସେହିପରି ଜାଗାକୁ । ଅନ୍ତଃପୁରର ବାହାରେ । ସିଂହଦ୍ୱାରର ପୂର୍ବ ଦିଗରେ ଅତିଥିମାନଙ୍କ ପାଇଁ ଉଦ୍ଦିଷ୍ଟ ପ୍ରାସାଦରେ ସେ ରହୁଛନ୍ତି । ତାଙ୍କର ଅସଂଖ୍ୟ ଗ୍ରନ୍ଥ, ବାଦ୍ୟଯନ୍ତ୍ର, ଅନ୍ୟାନ୍ୟ ବ୍ୟବହାର୍ଯ୍ୟ ଜିନିଷ ପରିଚାରିକା ମାନେ ଦୁଇଦିନ ଧରି ସେଠାକୁ ବୋହିବାକୁ ଲାଗିଲେ । ପ୍ରତ୍ୟେକଥର ଜିନିଷ ନିଆଯାଉଥିବା ବେଳେ ତାଙ୍କର ଚିତ୍କାର କରି ପ୍ରତିବାଦ କରିବାକୁ ଇଚ୍ଛା ହେଉଥିଲା—ବନ୍ଦକର, ବନ୍ଦକର ଏ ଅତ୍ୟାଚାର ! ମୁଁ ହତଭାଗିନୀ ରାଜ୍ୟରୁ ଚାଲିଯିବାକୁ ପ୍ରସ୍ତୁତ ଅଛି, ରାଜ କୁମାର କାହିଁକି ନିଜ ରାଜ୍ୟରେ ଅତିଥି ହୋଇ ରହିବେ ? କେଉଁ କୁକ୍ଷଣରେ ମୁଁ ଜନ୍ମ ହୋଇଥିଲି, ସ୍ୱାମୀଙ୍କ ସ୍ପର୍ଶ ମଧ୍ୟ ଆଜିଯାଏ ପାଇଲିନି । ଲୋକେ ମୋତେ ଅଦ୍ୱିତୀୟା ସୁନ୍ଦରୀ ବୋଲି କହୁଥିଲେ ! ମୁଁ ମଧ୍ୟ ଭାବି ନେଇଥିଲି କିପରି ଯେ, କୌଣସି ଯୁବକ ମୋତେ ପାଇ ନିଜକୁ ସୌଭାଗ୍ୟଶାଳୀ ମନେ କରିବ । କେଡ଼େ ବଡ଼ ଭୁଲ୍‍ ବିଶ୍ୱାସର ବଶବର୍ତ୍ତୀ ହୋଇ ମୁଁ ଉଦ୍ଧତା ହେଉ ନଥିଲି !

 

—୬—

 

ଅତିଥିଶାଳାରେ ଗବାକ୍ଷ ଦେଇ ଶଙ୍ଖଧର ରାଜପ୍ରାସାଦ ଆଡ଼କୁ ଚାହୁଁଥିଲେ । ପରିଚାରିକା ଆଜି ସମ୍ୱାଦ ଦେଇଛି ରାଣୀ ଦିନକୁ ଦିନ ପାଣ୍ଡୁର, ଦୁର୍ବଳ ହୋଇ ଯାଉଛନ୍ତି । ଦିନକୁ ଥରେ ମାତ୍ର, ମଧ୍ୟାହ୍ନରେ ଖାଇବା ଛଡ଼ା ଅନ୍ୟ ସମୟରେ କେବଳ ପାଣି ପିଇ ସେ ରହୁଛନ୍ତି । ଶଙ୍ଖଧରଙ୍କ ତୈଳଚିତ୍ର ତଳେ ଭୂତଳରେ ସେ ଶୋଉଛନ୍ତି, ବସୁଛନ୍ତି, ସେଇଠିଥାଇ ଯାହା ପ୍ରୟୋଜନ ପଡ଼ୁଛି ଦାସୀମାନଙ୍କ ହାତରେ ମଗାଇ ଦେଉଛନ୍ତି । ....ଶଙ୍ଖଧର ଚଉକିରୁ ଉଠିପଡ଼ି ଆଗାର ଭିତରେ ବୁଲିବାକୁ ଲାଗିଲେ । ସ୍ୱଂୟପ୍ରଭା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ବର୍ତ୍ତମାନ ତାକୁ ଗ୍ରହଣ କରିନେବା ଉଚିତ ହେବ । ତାଙ୍କର ମନଲାଖି ସ୍ତ୍ରୀ ସେ ପାଇଛନ୍ତି । ସ୍ୱଂୟପ୍ରଭା କେବଳ ରୂପବତୀ ନୁହଁ ପରମ ଗୁଣବତୀ ମଧ୍ୟ । ଛଅମାସ ଧରି ଯେ ସ୍ୱାମୀର କୌଣସି କାର୍ଯ୍ୟରେ ପ୍ରତିବାଦ ନ କରି ତପସ୍ୟାରତ ରହିପାରନ୍ତି, ସେ ନିଃସନ୍ଦେହରେ ନାରୀରତ୍ନ । ମନ୍ଦାର ଗଡ଼ର ମହାରାଣୀ ହେବାପାଇଁ ସେ ସମ୍ପର୍ଣ୍ଣ ଉପଯୁକ୍ତ । ....କେତେଦିନ ତଳେ ତାଙ୍କର ମଧୁଶଯ୍ୟା ହୋଇଥିଲା ? କଣ ଭାବିବେ ସ୍ୱଂୟପ୍ରଭା ଯେତେବେଳେ ସେ ସବୁକଥା ଜାଣିବେ; ମିଳନରେ ସେ ଖୁସି ହେବେନି ? ଶଙ୍ଖଧର ତାଙ୍କର କ୍ରୋଧ, ଅଭିମାନ, ସଞ୍ଚିତ ଦୁଃଖକୁ ଦୂର କରି ପାରିବେନି ? ବୁଝାଇ ପାରିବେନି-? ସ୍ତ୍ରୀ ସୁବବେଳେ ସହିଷ୍ଣୁ, କ୍ଷମାଶୀଳ । ସ୍ୱଂୟପ୍ରଭା ତାକୁ କ୍ଷମା ଦେବେ । ଯୁବରାଜଙ୍କ ପ୍ରତ୍ୟେକ ଅଙ୍ଗ ସହସା ସୁଖରେ ରୋମାଞ୍ଚିତ ହୋଇଗଲା । ସେ ସଙ୍ଗେ ସଙ୍ଗେ ଅନ୍ତଃପୁରକୁ ଯିବାକୁ ପ୍ରସ୍ତୁତ ହୋଇଗଲେ । କିନ୍ତୁ ନାଁ—ଅଧୈର୍ଯ୍ୟ ହେବା ଉଚିତ ନୁହେଁ । ଛଅମାସ ଯାଇଛି, ଆଉ ଦିନେ ବେଶି ହେଲେ କ୍ଷତି କଣ ? କାଲି ସୂର୍ଯ୍ୟ ଦର୍ଶନ କରୁଥିବାବେଳେ ସେ ରାଣୀଙ୍କ ପାଖରେ ପହଞ୍ଚିବେ । ସମସ୍ତ ତପସ୍ୟା ତାଙ୍କର ମୂର୍ତ୍ତି ହୋଇ ଆଗରେ ଠିଆ ହୋଇଛନ୍ତି ବୋଲି ସ୍ୱଂୟପ୍ରଭା ଭାବିବେ, ଆଉ ଯୁବରାଜ ନୂତନ ସୂର୍ଯ୍ୟ ସହିତ ନୂତନ ଜୀବନର ଶୁଭ ଦେବେ—ସ୍ୱଂୟପ୍ରଭା, ତାଙ୍କର ପ୍ରିୟତମାଙ୍କୁ ଆଲିଙ୍ଗନ କରି । କାଲି ! ଶଙ୍ଖଧର କାନ୍ଧରୁ ଉତ୍ତରୀୟ ବାହାର କରି ପରିଚାରକ ହାତକୁ ବଢ଼ାଇ ଦେଲେ, କଟିବନ୍ଧ ଫିଟାଇ ଦେଇ ପୁଣି ଚଉକି ଉପରକୁ ଗଲେ । ପରିଚାରକ ଯୁବରାଜଙ୍କୁ ଘଡ଼ିକିଘଡ଼ି ମନ ପରିବର୍ତ୍ତନରେ ଆଶ୍ଚର୍ଯ୍ୟ ହେଉଥାଏ ।

 

—୭—

 

ଶଙ୍ଖଧର ରାଜପ୍ରାସାଦକୁ ବାହାରିବାକୁ ଉଦ୍ୟତ । ଅଙ୍ଗ ତାଙ୍କର ସ୍ଫୁରିତ ହେଉଛି । ଅଶ୍ୱ ବଲ୍‍ଗା ଧରି ପରିଚାରକ ଅପେକ୍ଷା କରିଛି । ଦଶଜଣ ଅଶ୍ୱାରୋହୀ ଶରୀର ରକ୍ଷୀ ମଧ୍ୟ ପ୍ରସ୍ତୁତ । ଅଧିକାଂଶ ନାଗରିକ ଶଯ୍ୟା ମଧ୍ୟ ଛାଡ଼ି ନାହାନ୍ତି । ଉଷାର ବାଲ୍ୟ କାଳ । ....ସ୍ୱଂୟପ୍ରଭା ! ସତୀ ! ସ୍ୱଂୟପ୍ରଭା—ଶଙ୍ଖଧରଙ୍କ ସମସ୍ତ ଶରୀର ମିଳନ ପାଇଁ ବ୍ୟାକୁଳ ହୋଇ ଉଠୁଥାଏ—ମୋର ରାଣୀ-! ପ୍ରିୟତମା, ସ୍ୱଂୟପ୍ରଭା ଅଧମ ସ୍ୱାମୀକୁ କ୍ଷମାକର ! ମୁଁ ଆସୁଛି । ଶଙ୍ଖଧର ଅଶ୍ୱର ବଲ୍‍ଗା ଧରିଲେ । ଦୂରରୁ ଅନେକ ସୈନିକଙ୍କ ଅଶ୍ୱପଦାଘାତ ଶୁଣାଯାଉଛି ।

 

ରାଜକୁମାର !

 

ଚାହୁଁ ଚାହୁଁ ଅଶ୍ୱାରୋହୀ ଦଳେ ଶଙ୍ଖଧରଙ୍କ ପାଖରେ ଉପସ୍ଥିତ ହେଲେ, ଅନ୍ତଃପୁରରକ୍ଷୀ ସେମାନେ । ସେନାନାୟକ କହୁଥିଲେ ।

 

କୁହ—କ୍ରୁଦ୍ଧିତ ହୋଇ ଶଙ୍ଖଧର ପଚାରିଲେ ।

 

ଯୁବରାଜ... !

 

କୁହ !

 

ଯୁବରାଣୀ ଅନ୍ତଃପୁରରେ ନାହାନ୍ତି ।

 

ଶଙ୍ଖଧରଙ୍କୁ କିଛି ବୁଝା ଗଲାନି ।

 

କଣ କହିଲ ?

 

ଯୁବାରାଣୀ ଅନ୍ତଃପୁରରେ ନାହାନ୍ତି । ପରିଚାରିକା ଖବର ଦେବା ମାତ୍ରେ ମୁଁ ଆପଣଙ୍କ ପାଖକୁ ଆସିଛି । ମୋତେ କ୍ଷମା କରନ୍ତୁ ଯୁବରାଜ, ମୁଁ ନିର୍ଦ୍ଦୋଷ ।

 

—୮—

 

ରାଜ୍ୟବାସୀ ଶୋକାକୁଳ ହେଲେ, ଦୁଃଖରେ ସେମାନଙ୍କର ହୃଦୟ ଫାଟିଗଲା; ବହୁ ଜନରବ ସୃଷ୍ଟି ହେଲା, ରାଜ୍ୟରେ ଅନ୍ୟରାଜ୍ୟରେ, ଶତ୍ରୁ ଛାଉଣୀରେ । କିନ୍ତୁ ମନ୍ଦାର ଗଡ଼ର ନାଗରିକମାନଙ୍କ ଆଶ୍ଚର୍ଯ୍ୟର ସୀମା ରହିଲାନି ଯେତେବେଳେ ଶଙ୍ଖଧର ସ୍ୱଂୟପ୍ରଭାଙ୍କୁ ଖୋଜିବା ପାଇଁ ଜଣେହେଲେ ସୈନ୍ୟ କୌଣସିଆଡ଼େ ପଠାଇଲେନି ।

 

କେବଳ ରାତ୍ରିରେ, ଗଭୀର ରାତ୍ରିରେ କେହି କେହି ପ୍ରତିହାରୀ ଯୁବରାଜଙ୍କ ଶୟନ କକ୍ଷ ନିକଟରେ ଶୁଣନ୍ତି—

 

ସ୍ୱଂୟପ୍ରଭା, ତୁମେ ହାରିଗଲ । ତୁମେ ମଧ୍ୟ ଅନ୍ୟମାନଙ୍କ ପରି ବୋଲି ମୁଁ ଜାଣି ନଥିଲି । ମୋର ପ୍ରିୟତମା, ତୁମେ ମଧ୍ୟ ହାରିଗଲ !

Image

 

ପାପର ନୂତନ ସଂଜ୍ଞା

 

ଗଙ୍ଗାଧର ଗୃହରେ ସମସ୍ତଙ୍କର କୋଷ୍ଠୀ ଦେଖି ସାରିଥାଏ । ବାରଣ୍ଡାରେ ବେତ ଚଉକିଗୁଡ଼ାକ ଉପରେ ଦରଆଉଜା ହୋଇ ଗୃହସ୍ୱାମୀ, ଗୃହକର୍ତ୍ତୀ ଓ ଅନ୍ୟାନ୍ୟମାନେ ବସିଥାଆନ୍ତି-। ସେ ବିଭିନ୍ନ ଜାତକ ଉପରେ ଦେଇଥିବା ମନ୍ତବ୍ୟ ଉପରେ ଆଲୋଚନା ଟୀକାଟିପ୍‍ପଣୀ, ପ୍ରଶଂସା ଚାଲିଥାଏ । ଗୃହ ସମ୍ମୁଖରେ ଥିବା ଝଙ୍କାଳିଆ ଗଛଗୁଡ଼ା କିଛି ସମୟ ଚାହିଁବାପରେ ଡି. ଏମ୍‍. ସାହେବ କହିଲେ, ପାଟିରୁ ସିଗାରେଟ୍‍ର ଧୂଆଁ ବାହାରୁଥାଏ—ବଡ଼ ଆଶ୍ଚର୍ଯ୍ୟ କଥା ! ଏତେ କମ୍‍ ବୟସରେ ଫଳିତ ଜ୍ୟୋତିଷ ଉପରେ ତୁମର ଏତେ ପାଣ୍ଡିତ୍ୟ ଓ ଅର୍ନ୍ତଦୃଷ୍ଟି କିପରି ଆସିଲା ! ଆଜି ତୁମେ ଯାହା ଫଳାଫଳ କହିଲ ସେଥିରୁ ପ୍ରାୟ ପଞ୍ଚସ୍ତରୀ ପରସେଣ୍ଟ୍ ସତ ହୋଇଛି । ଆଉ ପଞ୍ଚସ୍ତରୀ ପରସେଣ୍ଟ୍ ସତ କିଛି କମ୍‍ ନୁହେଁ ! ସେପରି ତ ଯେ କୌଣସି ବିଜ୍ଞାନ ଅପୂର୍ଣ୍ଣ ।

 

ଦାମିକା ସିଲ୍‍କ ଶାଢ଼ୀ ବକ୍ଷ ଉପରୁ ଖସି ପଡ଼ୁଥିବା ବେଳେ ଗୃହକର୍ତ୍ତୀ ସେଆଡ଼କୁ ନଜର ନ ଦେଇ ମତଦେଲେ । ଗଙ୍ଗାଧର ଦେଖିଲା ଡ଼ି. ଏମ୍‍. ସାହେବଙ୍କ ପତ୍ନୀଙ୍କର ଯୌବନର ମଧ୍ୟାହ୍ନ ଆହୁରି ବିତିନି—ସବୁ କଥା ଠିକ୍‍ ହେଲା । ଅନୁଭୂତି ଅଭାବରୁ ଯାହା ବା ଛୋଟ ଛୋଟ ଭୁଲ ହୋଇଛି ସେଗୁଡ଼ାକ ଧରି ବସିଲେ ତୁମେ ନିଶ୍ଚୟ ଜଣେ ପ୍ରସିଦ୍ଧ ଜ୍ୟୋତିଷଜ୍ଞ ହେବ ।

 

ଡିଷ୍ଟ୍ରିକ୍‍ ମାଜିଷ୍ଟେଟ୍‍ ପ୍ରଶ୍ନବାଚକ ଦୃଷ୍ଟିରେ ପତ୍ନୀଙ୍କ ଆଡ଼କୁ ଚାହିଁଲେ, ତାଙ୍କ ଦୃଷ୍ଟରେ ସମ୍ଭବତଃ କଡ଼ା ତାଗିତା ଥିଲା—ବକ୍ଷ ଉପର ଲୁଗାକୁ ସମ୍ଭାଳ !

 

ଭାନୁ କେସ୍‍ ରେ ! —ସ୍ତ୍ରୀ ଉତ୍ତର ଦେଲେ ଲୁଗା ସଜାଡ଼ୁ ସଜାଡ଼ୁ ।

 

ଭାନୁ କେସ୍‍ ରେ ଗଙ୍ଗାଧର ଭୁଲ କଣ କହିଛନ୍ତି ?

 

ତୁମେତ ଭାନୁକୁ ଭଲ ପାଅନି, ତାର ଛାଇ ସୁଦ୍ଧା ତୁମକୁ ଖରାପ ଲାଗେ । ଜ୍ୟୋତିଷ ପଣ୍ଡିତଙ୍କ କଥାରେ ତୁମେ ରାଜି ହୋଇଯିବା ସ୍ୱାଭାବିକ ।

 

ସାହେବ ସ୍ତ୍ରୀଙ୍କ ବାଚାଳତାକୁ ଧ୍ୟାନ ନ ଦେଇ ଗଙ୍ଗାଧର ଆଡ଼କୁ ଝୁଙ୍କିପଡ଼ି କହିଲେ, ସିଗାର୍‍ ଧୂଆଁ ଭିତରେ ଚକ୍ଷୁ ଦ୍ୱୟ ଆକର୍ଷଣୀୟ ଜଣାଯାଉଥାଏ—ଯୁବକ, ତୁମକୁ ମୁଁ ମୋର ଆଶୀର୍ବାଦ ଦେଉଛି । କ୍ୱଚିତ ତୁମପରି ବୁଦ୍ଧିମାନ୍‍ ଯୁବକ ମୁଁ ଜୀବନରେ ଦେଖିଛି ! ବ୍ରାହ୍ମଣ ତୁମେ ! ଅର୍ଥ, ଯଶ କୌଣସି କଥା ପ୍ରତି ଧ୍ୟାନ ନ ଦେଇ ତୁମେ ଜ୍ଞାନ—ଚର୍ଚ୍ଚା କରି ଚାଲ । ଭୟଶୂନ୍ୟ, ଶଙ୍କାଶୂନ୍ୟ ହୋଇ ତୁମେ ଆଜି କହି ପାରିଲ ସହସ୍ର ଟଙ୍କା ଦେଇଥିଲେ ବି କୌଣସି ଜ୍ୟୋତିଷ ପଣ୍ଡିତ ତା କହି ପାରିଥାନ୍ତା କି ନାହିଁ ସନ୍ଦେହ । ବାଃ ! ବାଃ ! ତୁମର ମଙ୍ଗଳ କାମନା ମୁଁ କରୁଛି ।

 

ପୁଣି ସାହେବ ଭାବାବିଷ୍ଟ ହୋଇଗଲେ । ଚକ୍ଷୁ ତାଙ୍କର ଆକାଶରେ ଉଇଁଥିବା ଏକମାତ୍ର ତାରକାକୁ ଦେଖୁଥାଏ ।

 

ଗଙ୍ଗାଧର ନିଜକୁ ଭାଗ୍ୟବାନ ମନେ କରୁଥାଏ । ସାଧାରଣ ସଂସ୍କୃତ ଟୋଲ୍‍ର ଜଣେ ଛାତ୍ର ସେ, ବ୍ୟାକରଣରେ ଶାସ୍ତ୍ରୀ ଉପାଧି ପାଇଁ ସେ ସହରକୁ ଆସିଛି । ଜ୍ୟୋତିଷରେ ସେପରି ଜ୍ଞାନ ତାର ନାହିଁ । ସର୍ବାର୍ଥ ଚିନ୍ତାମଣି, ଶ୍ରୀନିବାସ ଦୀପିକା, ବୃହତ୍‍ ପାରାଶରୀ ହୋରା, ଏହିପରି ବହି କେତୋଟି ପଢ଼ି ଯାହା ତାହାର ଜ୍ୟୋତିଷ ଜ୍ଞାନ । ସେଥିରେ ସେ ଆଜି ରାଜକୀୟ ସମ୍ମାନ ପାଇଛି ସହରର ସର୍ବୋଚ୍ଚ ଅଫିସରଙ୍କ ଘରେ । ସମସ୍ତେ ତାକୁ ପ୍ରସନ୍ନ କରିବାକୁ ତତ୍ପର, ସାହେବ, ତାଙ୍କର ସ୍ତ୍ରୀ, ଯୁବତୀ ଝିଅ । ଅବଶ୍ୟ ବିନା କାରଣରେ କିଛି ହୁଏନି । ଚାରୋଟି ରସଗୋଲା ବିନିମୟରେ ସେ ଯାହା ପରିଶ୍ରମ କରିଛି ତାହା ଅନ୍ୟ କୌଣସି ଜ୍ୟୋତିଷ ପଣ୍ଡିତ କରିବାକୁ ଅନ୍ୟୂନ ପଚାଶଟଙ୍କା ମାଗିଥାନ୍ତା; କିନ୍ତୁ ତଥାପି ସେ ସେଥିରେ ସନ୍ତୁଷ୍ଟ । କେଡ଼େ ବଡ଼ଲୋକ ଘରେ ସେ ସମ୍ମାନ ପାଇନି । ନିଜ ହାତରେ ତାଙ୍କର କନ୍ୟା ସୁଜାତା ରସଗୋଲା ଆଣି ତାକୁ ଦେଇଛନ୍ତି । ସାହେବଙ୍କ ପତ୍ନୀ ତାଙ୍କୁ ବିଞ୍ଚି ଦେଇଛନ୍ତି ଖାଇବା ବେଳେ । ଅର୍ଥ କଣ ହେବ, ଏତେ ସମ୍ମାନ ଆଗରେ ।

 

ଆଉ କିଛି ସମୟ କଥାବାର୍ତ୍ତା କରି ଗଙ୍ଗାଧର ଯିବାକୁ ଉଦ୍ୟତ ହେଲା । ସାହେବଙ୍କ ପତ୍ନୀ କିନ୍ତୁ ତାକୁ ଛାଡ଼ିବାକୁ ନାରାଜ୍‍ । ମାଜିଷ୍ଟ୍ରେଟ୍‍ କ୍ଲବକୁ ବାହାରିଗଲେଣି । କ୍ଲବରେ ଅନ୍ୟାନ୍ୟ ଅଫିସର ବନ୍ଧୁମାନଙ୍କ ଆଗରେ ତାର ପ୍ରଶଂସା ସେ ଆଜି ନିଶ୍ଚୟ କରିବେ । ଗଙ୍ଗାଧର ସେମାନଙ୍କ ଘରୁ ମଧ୍ୟ ସେମାନଙ୍କ ଦ୍ୱାରା, ସେମାନଙ୍କ ଧର୍ମପତ୍ନୀ ମାନଙ୍କ ଦ୍ୱାରା କୋଷ୍ଠୀ ଦେଖିବାକୁ, ହାତ ଦେଖିବାକୁ ଓ ବହୁ ସମୟରେ କୋଷ୍ଠୀ ଥିଲେ ମଧ୍ୟ ହାତ ଦେଖିବାକୁ ନିମନ୍ତ୍ରିତ ହେବ ।

 

ସାହେବଙ୍କ ପତ୍ନୀଙ୍କ ନୂଆ ଝୁଙ୍କ, ସେ ଗଙ୍ଗାଧରଠୁ ଜ୍ୟୋତିଷ ବିଦ୍ୟା ଶିଖିବେ । ଗଙ୍ଗାଧର ସୁବିଧା ହେଲେ ଆସିବ କହି ଉଠିଗଲା । ବହୁ ସମୟ ଧରି ଗପି ଗପି ତାକୁ ବିରକ୍ତ ଲାଗୁଥାଏ । ବିରକ୍ତ ଲାଗୁଥାଏ ଲୋକର ନିଜ ପ୍ରଶଂସା ଅନ୍ୟ ମୁଖରୁ ଶୁଣିବାର ପ୍ରବୃତ୍ତି ଦେଖି । ଦଶ ଥର ହେବ ସେ ସାହେବଙ୍କୁ କହିଥିବ—ଆପଣ ଦୁଇ ବର୍ଷ ମଧ୍ୟରେ ଆହୁରି ଉଚ୍ଚ ସ୍ଥାନକୁ ଯାଉଛନ୍ତି, ବେଶି କ୍ଷମତା, ବେଶି ଟଙ୍କା, ବେଶି ଅୟସ । ପୁଣି ଯେତେବେଳେ ସେ ତାଙ୍କୁ କହିଛି, ଆପଣ ଏହି ଦୁଇ ବର୍ଷ ଭିତରେ କୌଣସି ନୃତ୍ୟ ଗୀତ ଜାଣିଥିବା ସୁନ୍ଦରୀ ସ୍ତ୍ରୀର ସମ୍ପର୍କରେ ଆସିବେ, ସେତେବେଳେ ଡି. ଏମ୍‍. ସାହେବଙ୍କ ଆଖି ଖୁସିରେ ଦମି ଉଠିଥିଲା । ସେ ସବୁ କଥାକୁ ହୃଦୟରେ ବିଶ୍ୱାସ କରୁଥିଲେ ମଧ୍ୟ ତା କିପରି ହେବ କହି ସେହି କଥା ଉପରେ ଯୁକ୍ତି କରିଥିଲେ । ସବୁ ମନେ ପକାଇ ଗଙ୍ଗାଧର ହସିଲା । ହସି ହସି ସେ ଟୋଲ୍‍ ରାସ୍ତାରେ ଫେରୁଥାଏ ।

ପଛରୁ କେହି ଆସିବା ସେ ଶୁଣିଲା । ଡି. ଏମ୍‍. ସାହେବଙ୍କ ଘରେ ତାଙ୍କର ପତ୍ନୀଙ୍କ ପାଖରେ କେହି ଜଣେ ଯୁବକ ବସିଥାଏ । କାହିଁକି କେଜାଣି ତା ବିଷୟରେ ଗଙ୍ଗାଧର ଆଦୌ କୌତୂହଳୀ ହୋଇ ନ ଥିଲା କି କେହି ତାର ପରିଚୟ ତାକୁ ଦେଇ ନଥିଲେ । ତେଣୁ ସମସ୍ତଙ୍କ ହାତ ଦେଖିଥିଲେ ମଧ୍ୟ ତା ହାତ ଦେଖିବାକୁ ସେ ଆଗ୍ରହ ପ୍ରକାଶ କରି ନ ଥିଲା । ସେହି ଯୁବକ ଧଇଁ ସଇଁ ହୋଇ ତା ଆଡ଼କୁ ଆସୁଥିବା ଦେଖି ଗଙ୍ଗାଧର ରହିଗଲା ।

କଣ ?

ଆପଣ ବଡ଼ ଜୋରରେ ଚାଲୁଛନ୍ତି !

କଣ କଥା ?

ଚାଲନ୍ତୁ ମୁଁ ଆପଣଙ୍କୁ ଟୋଲ୍‍ ପାଖରେ ଛାଡ଼ିଦେଇ ଆସେ ।

ଦୁହେଁ ଚାଲିଲେ ଗୋଟିଏ ଗୋଟିଏ ।

ଆପଣ ଭାନୁ ଉପରେ ବଡ଼ ଖରାପ ମତାମତ ଦେଲେ ?

ଭାନୁ ?

ଯାହା ଜାତକ ସାହେବଙ୍କ ଜାତକ ପରେ ପରେ ଦେଖିଥିଲେ ।

ଓଃ, ହଁ ! ଜାତକରେ ଯାହା ଦେଖିଲି, କହିଲି !

ଆପଣ ଜାଣନ୍ତି, ଭାନୁ ମୁଁ ।

ଆଚ୍ଛା ! —ଗଙ୍ଗାଧର ଆଶ୍ଚର୍ଯ୍ୟ ହେଲା—କ୍ଷମା କରିବେ ଆପଣ ଅନୁପସ୍ଥିତ ଅଛନ୍ତି ଆପଣଙ୍କ ଉପରେ ବହୁତ କଥା କହିଦେଇଛି । କିଛି ମନେ କରିବେନି । ଜାଣିଥିଲେ ସେପରି କହି ନଥାନ୍ତି । କାହାରି ମନରେ ଦୁଃଖ ଦେବା ମୋର ଲକ୍ଷ୍ୟ ନୁହେଁ ।

ଆପଣ କିଛି ନ ଲୁଚାଇ ସବୁ ସତ କହିବେ ବୋଲି ମୋର ପରିଚୟ ଆପଣଙ୍କୁ ନ ଦେବାକୁ ଘରେ ସମସ୍ତଙ୍କୁ କହିଥିଲି । ସେଥିପାଇଁ ଆପଣ କିଛି ଭାବନ୍ତୁନି ।

ଦୁହେଁ ଚାଲୁଥାନ୍ତି ।

ଆପଣ କହିଥିଲେ ମୁଁ ପାପୀ ? ଧର୍ମର ସବୁ ବିପରୀତ କାର୍ଯ୍ୟ କରିବି ?

ହଁ, କହିଥିଲି ।

କିନ୍ତୁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ମୁଁ ମୋ ଜୀବନରେ ଅନ୍ୟମାନଙ୍କ ତୁଳନାରେ ଆଦୌ ପାପ କରିନି । ମୁଁ ମିଛ କହେନି, ହିଂସା କରେନି, ପରଶ୍ରୀକାତର ନୁହେଁ, ଗର୍ବଅହଙ୍କାର ମୋର ନାହିଁ । ବାବା ପାପ କରୁଛନ୍ତି ମୁଁ ଜାଣେ, ଆପଣ ପାପ କରୁଥିବେ, ସଂସାରରେ ବହୁ ଲୋକ ପାପ କରୁଛନ୍ତି; କିନ୍ତୁ ମୁଁ ପାପୀ ନୁହେଁ; କିନ୍ତୁ ଆପଣ କୁହନ୍ତୁ, ମୋତେ କେଉଁ ଅର୍ଥରେ ଆପଣ ପାପୀ କହିଥିଲେ । ନିଶ୍ଚୟ ଜାତକରୁ କିଛିହେଲେ ଜାଣିଥିବେ । କିପରି ପାପ ?

ଗଙ୍ଗାଧର କୌତୂହଳୀ ହୋଇ ସାଥିରେ ଚାଲୁଥିବା ଯୁବକକୁ ଚାହିଁଲା ଭଲ କରି । ଡେଙ୍ଗା ଓ ପତଳା ଶରୀର ସରୁ, ଅଣ୍ଟା, ଚଉଡ଼ା ଛାତି, ଖୁବ୍‍ ଗୋରା—ସାହେବଙ୍କ ପରି । କେଶର ରଙ୍ଗ ମଧ୍ୟ ଅଳ୍ପ କହରିଆ.....ଭାନୁ !

ଭାନୁବାବୁ, ଆପଣ ଚରିତ୍ରହୀନ ।

ଅର୍ଥାତ୍‍ ବ୍ୟଭିଚାରୀ, ଲମ୍ପଟ, ପରଦାରକ ?

ହଁ ।

ନୁହଁ, ନୁହଁ, ନୁହଁ । ଆପଣଙ୍କ ଗଣନା ଭୁଲ୍‍, ମୁଁ ସେହି ଅର୍ଥରେ ମଧ୍ୟ ପାପୀ ନୁହଁ । ଈଶ୍ୱରଙ୍କ ଶପଥ କରି କହୁଛି ମୁଁ ପାପୀ ନୁହଁ । ଅଥଚ ମୁଁ ପ୍ରଥମରୁ ଜାଣେ ଆପଣ ମୋତେ ପାପୀ କହିବା ବେଳେ ଏହି ଅର୍ଥରେ ମୋତେ ପାପୀ କହିଛନ୍ତି । ....ମରି ଯାଇଥିବା ଲୋକକୁ ଆଉ ଥରେ ମାରି ଦିଆଯାଇ ପାରେ ?

ନାଁ ।

ସେହିପରି ଥରେ ଚରିତ୍ରହୀନା ସ୍ତ୍ରୀ ଆଉଥରେ ଚରିତ୍ରହୀନା ହୋଇପାରେ ?

ଗଙ୍ଗାଧର ଉତ୍ତର ଦେବାକୁ ଦୋଦୋପାଞ୍ଚ ହେଲା । ପରିଷ୍କାର ସେ ସବୁକଥା ବୁଝିଛି ବୋଲି ତାକୁ ଜଣା ପଡ଼ୁନଥାଏ । ଭାନୁ ସାଧାରଣ ଚେତନ ଅବସ୍ଥାରେ ରହିଥିବା ବିଷୟରେ ମଧ୍ୟ ତାର ସନ୍ଦେହ ସୃଷ୍ଟି ହୋଇ ଯାଇଥାଏ ।

ମୁଁ କୌଣସି ଚରିତ୍ରବତୀକୁ ଚରିତ୍ରହୀନା କରି ନାହିଁ । ତା ମୋର ନିୟମ ବିରୁଦ୍ଧ । ସେପରି ସ୍ତ୍ରୀମାନଙ୍କୁ ଦୂରରୁ ସାଷ୍ଟାଙ୍ଗ ପ୍ରଣାମ; କିନ୍ତୁ ଥରେ ଚରିତ୍ର ଖରାପ ହୋଇଯିବା ପରେ ସେପରି ସ୍ତ୍ରୀଙ୍କୁ ଭୋଗ କରିବାରେ କ୍ଷତି କଣ ? ସତୀ ସ୍ତ୍ରୀଙ୍କୁ ସ୍ଖଳନ କରିବା ପାପ; କିନ୍ତୁ ଅସତୀର ପୁଣି ସ୍ଖଳନ କଣ ? ତାହେଲେ ଅସତୀମାନଙ୍କ ସହିତ ସଂପୃକ୍ତ ହେଲେ ପାପ କିପରି ହେଲା ।

ବିଜୟୋଲ୍ଲାସରେ ଭାନୁର ଛାତି ଫାଟି ପଡ଼ୁଥିବା ପରି ମନେ ହେଉଥାଏ । ନିଜ ଯୁକ୍ତିରେ ସେ ପରମପ୍ରୀତ ହୋଇଥାଏ । ଗଙ୍ଗାଧର ଅର୍ଦ୍ଧପାଗଳ ଭାବି ଭାନୁକୁ କଣେଇ ଚାହିଁଲା ।

ତାହେଲେ, ଆପଣ କେଉଁ ସାହସରେ ମୋର ବାବା ମୋର ମାଙ୍କ ଆଗରେ କହିଲେ ଯେ ମୁଁ ପାପୀ, ମୋର କାର୍ଯ୍ୟକଳାପ ନୀତିଧର୍ମ ବିରୁଦ୍ଧ, ସବୁ ଧାର୍ମିକ ଲୋକେ ମୋତେ ଘୃଣା କରିବେ, ମୁଁ କୁଳାଙ୍ଗାର । ବାବାମାଙ୍କ ମନକୁ ଆଜି ଆପଣ ଦୂଷିତ କରିଦେଇ ଆସିଛନ୍ତି । କାହିଁକି ? ଆପଣ ଭଣ୍ଡ ! ପ୍ରତାରକ ! କେତେଦିନ ହେଲା ଜ୍ୟୋତିଷବିଦ୍ୟା ଶିଖିଲେଣି ?

ଭାନୁର ସହସା ବ୍ୟବହାର ପରିବର୍ତ୍ତନରେ ଗଙ୍ଗାଧର ଆଶ୍ଚର୍ଯ୍ୟ ହେଲା ।

ଆପଣ କେବଳ ବ୍ୟଭିଚାରୀ ନୁହନ୍ତି, ମଦ୍ୟପି ମଧ୍ୟ ! ନାକରେ ଧୋତି କୁଞ୍ଚ ଦେଇ ଗଙ୍ଗାଧର ଘୁଞ୍ଚିଗଲା । ଭାନୁ ମୁହଁ ପାଖକୁ ମୁହଁ ଆଣି କଥା କହିବାରେ ସେ ଉତ୍କଟ ଗନ୍ଧ ବାରି ପାରିଥାଏ ।

ଆଉ ତୁମେ ନିହାତି ବୋକା ନୁହଁ, ପୂରା ଟୋଲ୍‍ ପଣ୍ଡିତ ମଧ୍ୟ ! ନ ମାଂସ ଭକ୍ଷଣେ ଦୋଷ, ନ ମଦ୍ୟେ ନଚ ମୈଥୁନେ...ତୁମକୁ ଯାହା ଆଜି ମୋତେ ସଂସ୍କୃତ ଶ୍ଳୋକ ଶୁଣାଇବାକୁ ପଡ଼ିଲା । କିଛି ମନେ କରିବନି ପଣ୍ଡିତ, କିନ୍ତୁ ତୁମେ ଓ ତୁମପରି ଲୋକ ମୋଠୁ ବେଶି ପାପୀ । ପରିସ୍ଥିତି ପାଇନ ବୋଲି ଭଲ ହୋଇ ଅଛ । ପରିସ୍ଥିତି ପାଇଲେ, ସୁବିଧା ସୁଯୋଗ ମିଲିଲେ ତୁମ ଭଳି ଲୋକ ସବୁ କରି ପାରିବେ । କିନ୍ତୁ ମୁଁ—ହଜାରେ ସୁଯୋଗ ମିଳିଛି, ପଣ୍ଡିତ ! ସେପରି ସ୍ତ୍ରୀ ତୁମର ଆଖି ତପସ୍ୟା କଲେ ବି ଦେଖିବନି, କିନ୍ତୁ ମୁଁ ମୋ ନୀତିରୁ ବଦଳିନି । ଜୀବନରେ ଅନେକ ସତୀ ସ୍ତ୍ରୀ ଆସିଛନ୍ତି । କିନ୍ତୁ ସମସ୍ତଙ୍କୁ ଗୋଟିଏ ପ୍ରଶ୍ନ—ବର୍ତ୍ତମାନ ସୁଦ୍ଧା ତୁମେ ପବିତ୍ର, ସତୀ ? ପ୍ଳିଜ୍‍, ଗେଟ୍‍ଆଉଟ୍‍ ! ଭାନୁ ତୁମ ପାଇଁ ନୁହଁ । ତୁମେମାନେ ଭାନୁ ପାଇଁ ଅସ୍ପୃଶ୍ୟ । —ତୁମେ ଦୂଷିତା-? ଆସ ! ଭାନୁ ତୁମର ଦାସ, କ୍ରୀତଦାସ । ...ଗୁଡ଼୍‍ବାଇ ପଣ୍ଡିତ । ଆଉ କେବେ ଘରକୁ ଆସି ବାବା ମାଙ୍କୁ ମୋ ବିରୁଦ୍ଧରେ କିଛି କହିଲେ ଦେଖିବ !

ମାତାଲ୍‍ଙ୍କ ପରି ଟଳା ଟଳି ଭାନୁ ଡି. ଏମ୍‍ଙ୍କ ଘରକୁ ଫେରିଗଲା । ଗଙ୍ଗାଧର ପାପର ନୂତର ସଂଜ୍ଞା ଶୁଣି ପ୍ରଥମେ ସ୍ତମ୍ଭୀଭୂତ ହୋଇ ଯାଇଥିଲା । ପରେ ସେ ହସିଲା । ଟୋଲ୍‍ ରେ ପହଞ୍ଚିବା ଯାଏଁ ତା ମୁଖରେ ସ୍ମିତହାସ୍ୟ ଲାଗି ରହିଥାଏ ।

Image

 

ଗୌହାଟୀରେ ଏକ ରାତ୍ରି

 

ଚାକିରୀ କରିବିନି ବୋଲି ଠିକ୍‍ କରି ଦେବା ପରେ ମୁଁ ଭାରତ ସାରା ବୁଲିବାକୁ ଆରମ୍ଭ କରିଦେଲି । ଦୁଇ ତିନୋଟି ବହି ପ୍ରକାଶିତ ହୋଇ ସାରିଥିଲା. ସମାଲୋଚକମାନେ ପ୍ରଶଂସା କରିଥିଲେ, ପ୍ରକାଶକ କହିଥିଲେ, ଭଲ ବିକ୍ରୀ ହେଉଛି, ଆତ୍ମବିଶ୍ୱାସରେ, ହୃଦୟ ସ୍ଫୀତ ହୋଇ ଉଠିଥିଲା । ଅନ୍ତରାତ୍ମା କହୁଥିଲା—ପରିଶ୍ରମ ଓ ସାଧନା କଲେ ସବୁ କିଛି ମିଳିବ । ଲେଖିବା ପାଇଁ ସାମଗ୍ରୀ ଦରକାର, ଅନୁଭୂତି ପ୍ରୟୋଜନ, ବିଶୁଦ୍ଧ କଳ୍ପନା ସବୁ କିଛି କରିପାରିବନି । ଶରତ ଚାଟର୍ଜିଙ୍କ ଉପଦେଶ ମନେ ଥାଏ; ପର୍ଯ୍ୟଟନ କଲାବେଳେ ସବୁ ପ୍ରକାର ଅନୁଭୂତି ସଂଗ୍ରହ କରୁଥାଏ, ଲୋକଙ୍କ ସଙ୍ଗେ ମିଶୁଥାଏ, କିମ୍ୱଦନ୍ତୀ ଶୁଣୁଥାଏ, ସହରରେ ନ ରହି ଗାଁଗଣ୍ଡାରେ ରହି ଯାଉଥାଏ, ଏହିପରି ।

 

ଥରକର କଥା । ଆସାମରେ ବୁଲୁଥାଏ; ସହରରେ ରହିବାର ସ୍ପୃହା ନ ଥିଲେ ମଧ୍ୟ ଗୌହାଟୀଠି ଓହ୍ଲାଇଲି । ଟ୍ରେନ ବହୁତ ଡେରିରେ ସେ ଦିନ ପହଞ୍ଚିଲା । ରାତି ପ୍ରାୟ ଗୋଟାଏ ଉପରେ ହେବ । ଟାକ୍‍ସିରେ ହୋଟେଲ୍‍ ଇଣ୍ଡିଆକୁ ଗଲି । ବହୁ ପତ୍ର ପତ୍ରିକାରେ ବହୁ ବିଜ୍ଞାପିତ ହୋଟେଲ୍‍କୁ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ସାଧାରଣ ଦୁଇମହଲା କୋଠାଟିଏ, ରଙ୍ଗ ଛାଡ଼ି ଯାଇ ବାହାର କାନ୍ଥଗୁଡ଼ାକ ଛଉ ଛଉକା ଦିଶୁଥାଏ, ପରିଚାଳନା ଠିକ୍‍ ରୂପେ ହେଉନି ବୋଲି କାନ୍ଥ ବାଡ଼ ସବୁ ଜଣାଇ ଦେଉଥାନ୍ତି । ହୋଟେଲ୍‍ ବଦଳାଇବାକୁ ଇଚ୍ଛା ହେଲେ ମଧ୍ୟ ରାତ୍ରି ବହୁତ ହୋଇଯାଇଥିବାରୁ ଓ ବଡ଼ ଭୋକ କରୁଥିବାରୁ ସେ ଇଚ୍ଛାକୁ ଦମନ କରି ଟାକ୍‍ସି ଭଡ଼ା ଦେଇସାରି ହୋଟେଲ ମ୍ୟାନେଜରଙ୍କ ପାଖକୁ ଗଲି । ମୋତେ ଏତେ ରାତ୍ରିରେ ଦେଖି ସେ ସନ୍ତୁଷ୍ଟ ହେବା ଭଳି ମନେ ହେଲାନି । ଚାରିପାଞ୍ଚଜଣ ବସି ତାସ ଖେଳୁଥାନ୍ତି, ମ୍ୟାନେଜର ସାହେବ ଉପନ୍ୟାସରେ ମଗ୍ନ-। ତଥାପି ମୋ ଶୁଖିଲା ମୁହଁ ଓ ଚେହେରା ଦେଖି ତାଙ୍କର ଦୟା ହେଲା ବୋଧେ, ଘଣ୍ଟି ବଜାଇବାରୁ ଲୋକ ଆସି ମୋତେ ଗୋଟିଏ ରୁମ୍‍କୁ ନେଇଗଲା । ରୁମ୍‍ ରେ ସୁଟକେଶ୍‍ ଓ ବେଡ଼ିଂ ରଖିଦେଇ ସେ ପ୍ରଶ୍ନବାଚକ ଦୃଷ୍ଟିରେ ଚାହିଁବାରୁ ମୁଁ ତରତରରେ ଖାଇବାକୁ ମିଳିବ କି ନାହିଁ ବୋଲି ପଚାରିଲି । ଭୋକବିକଳରେ ଓଡ଼ିଆରେ ପଚାରି ଦେଲି, କିନ୍ତୁ ସେ ବୁଝିନେଇ ମୋତେ ଅନ୍ୟ ଏକ ଲମ୍ୱା ରୁମ୍‍କୁ ନେଇଗଲା, ଡାଇନିଂହଲ୍‍ ବୋଧେ ହେବ ।

 

ହଲ୍‍ଟିରେ ବଡ଼ ବଡ଼ ଦୁଇଟା ଟେବୁଲ୍‍ ପଡ଼ିଥିଲା, ପ୍ଲେଟ ସଜାହୋଇ ଥୁଆ ହୋଇଥିଲା, ଅଳ୍ପ ପାଓ୍ୱାରର ବଲ୍‍ବ ହଲ୍‍କୁ ଆଲୋକିତ କରିବା ସଙ୍ଗେ ସଙ୍ଗେ ନିର୍ଜ୍ଜନତାର ଆଭାସ ମଧ୍ୟ ଦେଉଥିଲା । ଦୁହେଁ ହଲ୍‍ ଭିତରକୁ ପଶିଯିବା ମାତ୍ରକେ ମୋତେ ନିର୍ଜ୍ଜନତା ଓ ନିକାଞ୍ଚନତା ବେଶି ଜଣାପଡ଼ିଲା, ଯେପରି ହଲ୍‍ ଆଗରୁ କେବେ ବ୍ୟବହୃତ ହୋଇ ନ ଥିଲା, କେହି କେବେ ସେ ଘରକୁ ଆସି ନ ଥିଲେ, ପ୍ରଥମ କରି ମୁଁ ଯାଇଛି । ମୁଁ ବସିପଡ଼ି ହଲ୍‍ ଚାରିଆଡ଼କୁ ଓ ମୋତେ ଆଣିଥିବା ଲୋକର ମୁହଁକୁ ଚାହିଁଲି ।

 

‘‘କଣ ଖାଇବେ ?’’ ସେ ମୋତେ ପଚାରିଲା ।

 

‘‘କଣ ଅଛି ?’’

 

‘‘ଅଣ୍ଡା, ପାଉରୁଟି...’’

 

‘‘ଡବଲ ଆମଲେଟ୍‍ ଗୋଟେ ଓ ଯୋଡ଼େ ସ୍ଲାଇସ୍‍ ଟୋଷ୍ଟ୍ ଆଣ ।’’

 

‘‘ବାବୁ, ଆପଣଙ୍କର ?’’

 

ସେ ବୁଲିପଡ଼ି ଅନ୍ୟ ଆଡ଼କୁ ଚାହିଁ ପଚାରିଲା । ତା କଥା ଶୁଣି ମୁଁ ବି ଆଶ୍ଚର୍ଯ୍ୟ ହୋଇ ସେ ଆଡ଼କୁ ଚାହିଁଲି । ସେ ରୁମ୍‍ର ଆଉ ଜଣେ ଭଦ୍ରବ୍ୟକ୍ତି ବସିଛନ୍ତି ବୋଲି ମୋର କଳ୍ପନା ନ ଥିଲା-। ରୁମ୍‍ର ଅଳ୍ପ ଅନ୍ଧକାର କୋଣରେ ସେ ଝରକା ପାଖରେ ଠିଆ ହୋଇଥିଲେ ।

 

‘‘ନା, ଆଉ କିଛି ନୁହେଁ ।’’

 

ବୟ ଚାଲିଗଲା । ମୁଁ ସେ ଭଦ୍ରବ୍ୟକ୍ତିଙ୍କ ଆଡ଼କୁ ଚାହିଁଲି । ଖୁବ୍‍ ଡେଙ୍ଗା ଓ ବଳିଷ୍ଟ ପରି ଜଣାପଡ଼ୁଥାନ୍ତି । ସୁଟ୍‍ ପିନ୍ଧିଥିଲେ । ମୁଁ ତାଙ୍କୁ ଚାହିଁ ରଖିବା ଦେଖି ସେ ମୋ ଟେବୁଲ୍‍ ପାଖକୁ ଧୀରେ ଧୀରେ ଚେୟାରଟିଏରେ ବସିଲେ । ବଡ଼ ବଡ଼ ଆଖି ତଳେ କଳାଦାଗ, ଛୋଟ କପାଳ, ପଛକୁ ବାଳ କୁଣ୍ଡାଇଥିଲେ । ଚେୟାରରେ ବସିବା ମାତ୍ରେ ତାଙ୍କର ପ୍ରଶ୍ନ ହେଲା—

 

‘‘ଆପଣ କଣ ଏ ସହରକୁ ନବାଗନ୍ତୁକ ?’’ ମୁହଁରୁ ତାଙ୍କର ଉତ୍କଟ ମଦଗନ୍ଧ ଭାସି ଆସୁଥାଏ ।

 

‘‘ହଁ ।’’

 

‘‘ମୁଁ କିନ୍ତୁ କାଲି ଏ ସହର ଛାଡ଼ି ଚାଲି ଯାଉଛି, ଆସାମରୁ ଚାଲି ଯାଉଛି ସବୁଦିନ ପାଇଁ, ଓଃ ଭଗବାନ୍‍ !’’ ଶେଷ ପଦ ଦୁଇଟିକୁ ସେ ଏଡ଼େ ଜୋରରେ କହିଲେ ଯେ ମୋତେ ହସ ଲାଗିଲା-

 

‘‘ଆପଣଙ୍କୁ କଣ ଆସାମ ଭଲ ଲାଗୁନି ?’’ ମୁଁ ପଚାରିଲି ।

 

‘‘ହଁ, ହଁ, ଭଲ ଲାଗୁଛି, ଖୁବ୍‍ ଭଲ ଜାଗା ।’’

 

‘‘କଣ ବହୁତ ଦିନ ହେଲା ଏଠି ରହିଛନ୍ତି ?’’

 

‘‘ବହୁତ ଦିନ ହେଲା, ବହୁତ ଦିନ ହେଲା ।’’

 

ମୋ ସାଧାରଣ ପ୍ରଶ୍ନରେ ତାଙ୍କର ଏତେ ଭାବାବେଗ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ସେ ଚେୟାରରୁ ଉଠି ପଡ଼ି ପୁଣି ସେହି ଝରକା ପାଖକୁ ଚାଲିଗଲେ ଓ କିଛି ସମୟ ଠିଆ ହୋଇ ମୋ ପାଖକୁ ଆସିଲେ । କେତେବେଳେ ଉପରକୁ ଚାହୁଁଥାନ୍ତି, କେତେବେଳେ ତଳକୁ । କେତେବେଳେ ବା ଓଠରେ ଓଠ ଚିପି କଣ ଦୃଢ଼ ନିଶ୍ଚୟ କରୁଥିବା ପରି ଜଣାପଡ଼ୁଥାନ୍ତି । ହଠାତ୍‍ ସେ ଜୋର୍‍ ରେ କହି, ଉଠିଲେ—

 

‘‘ବହୁତ ଦିନ ହେଲା, ବହୁତ ଦିନ ହେଲା ।’’

 

ଏହି ସମୟରେ ବୟ ଆମଲେଟ୍‍ ଥୋଇଦେଇ ଚାଲିଗଲା । ବୟ ଯିବା ଆସିବାରେ ତାଙ୍କର ଧ୍ୟାନ ମୋ ଆଡ଼କୁ ପୁଣି ଆକୃଷ୍ଟ ହେଲା । ସେ ପୂର୍ବରୁ ବସିଥିବା ଚେୟାରରେ ଆସି ପୁଣି ବସିଲେ ।

 

‘‘ମୋତେ ଆପଣ କ’ଣ ଭାବୁଛନ୍ତି ? ବ୍ୟବହାରରେ କିଛି ବିଶେଷତ, ଅସାଧାରଣତା ଦେଖୁଛନ୍ତି କି ?’’ ତାଙ୍କ ପ୍ରଶ୍ନରେ ମୁଁ ଆଶ୍ଚର୍ଯ୍ୟ ହୋଇଗଲି । କହିଲି ‘‘ନାଁ ତ ସେପରି କିଛି ନୁହେଁ ତ-।’’

 

‘‘ନା କିଛି ଦେଖୁଥିବେ ।’’ ଟେବୁଲ ଉପରେ କହୁଣୀ ଭରା ଦେଇ ସେ ମୋ ଆଡ଼କୁ ଝୁଙ୍କି ପଡ଼ି ଚାହିଁଲେ । ବଡ଼ ବଡ଼ ଆଖିରେ ଯେପରି ସେ ମନକୁ ଦରାଣ୍ଡିବାକୁ, ମୋ ମନକଥା ଜାଣିବାକୁ ଚେଷ୍ଟା କରୁଥାନ୍ତି ।

 

‘‘ଓଃ !’’ କହି ସେ କପାଳରୁ ଝାଳ ପୋଛି ଘୁଞ୍ଚିଯାଇ ଚଉକିରେ ଆଉଜି ବସିଲେ । କିଛି ସମୟ ରୁମାଲ୍‍ଟା କପାଳରେ ରଗଡ଼ିବା ପରେ ହଠାତ୍‍ ପଚାରିଲେ—

 

‘‘ଆପଣଙ୍କ ନା କଣ ?

 

ମୁଁ ମୋ ନାଁ କହିଲି ।

 

‘‘ମୋ ନାଁ ହୁକ୍‍ମତ୍‍ ଚୌଧୁରୀ ।’’

 

‘‘କଣ’ ଉତ୍ତର ପ୍ରଦେଶର... ?’’

 

‘‘ନା ନା, ପଞ୍ଜାବର । ’’

 

ମୁଁ ଆମଲେଟ୍‍ ଓ ଟୋଷ୍ଟ ଖାଇ ସାରିଥାଏ । ରାତ୍ରି ବହୁତ ହୋଇ ଯାଇଥିବାରୁ ବେଶି କିଛି ଖାଇବାର ଇଚ୍ଛା ନ ଥିଲା ।

 

‘‘ଆପଣ ସିଗାରେଟ୍‍ ପିଅନ୍ତି ?’’

 

‘‘ନା, ଧନ୍ୟବାଦ ।’’ ମୁଁ କହିଲି ।

 

ସିଗାରେଟ୍‍ ରେ ନିଆଁ ଲଗାଇ ସେ କିଛି ସମୟ ଛାତ କଡ଼ିକୁ ଚାହିଁଲେ ।

 

‘‘ନା, ଏଠି ବହୁତ ଦିନ ରହିଲିଣି, ବହୁତ ଦିନ ।’’

 

ହଠାତ୍‍ ତାଙ୍କର ଚେୟାରରୁ ଉଠିବାକୁ ବୋଧେ ଇଚ୍ଛା ହେଲା; କିନ୍ତୁ ସେ ତାକୁ ଦମନ କରିଦେଲେ ।

 

‘‘ଏଠି ମୁଁ ଚା ବଗିଚାରେ ଲେବର ଓ୍ୱୋଲ୍‍ ଫେୟାର୍‍ ଅଫିସର୍‍ । ଦୁଇ ବର୍ଷ ହେଲା ଆସିଛି । ଦିଲ୍ଲୀରୁ ସମାଜ—ବିଜ୍ଞାନ ପଢ଼ି ସାରିବା ପରେ ପରେ ଚାକିରୀ ମିଳିଗଲା, ଚାଲି ଆସିଲି-!’’

 

‘‘ଆପଣ କଣ ପଢ଼ିଛନ୍ତି ?’’

 

‘‘ଦର୍ଶନରେ ଏମ୍‍. ଏ. ।’’

 

‘‘ନନସେନ୍‍ସ । ଦର୍ଶନ କଣ ଗୋଟିଏ ବିଷୟ ? ’’ ତା’ପରେ ସେ ଆରମ୍ଭ କଲେ—

 

‘‘ଚା ବଗିଚାଟା ଏଠି ତିରିଶ ମାଇଲ ଦୂର ହେବ । ଅଫିସରମାନଙ୍କ ପାଇଁ କ୍ୱାଟରସ୍‍ ଅଲଗା ଥାଏ । ମୁଁ କିନ୍ତୁ ବଗିଚା ପାଖରେ ଗୋଟିଏ ଭଡ଼ାଘର ନେଇ ରହିଲି । ଘରଟା ପାହାଡ଼ ଉପରେ ଥିଲା, କେହି ରହୁ ନ ଥିବାରୁ ବେଶି ଭଡ଼ା ମଧ୍ୟ ପଡ଼ିଲାନି, ପାଖ ଗାଁର ପୂଜାରୀଟିଏ ସହିତ ମୁଁ ରହୁଥାଏ । ରାତ୍ରିରେ ଚନ୍ଦ୍ରକିରଣରେ ପାରାପେଟ୍‍ରୁ ଚା ବଗିଚାର ସୌନ୍ଦର୍ଯ୍ୟ ଥରେ ଦେଖିଲେ ଲୋକ ଭୁଲି ପାରିବନି । ଗରମ ଦିନରେ ମୁଁ ଖାଲି ଦେହରେ ଘଣ୍ଟା ଘଣ୍ଟା ଧରି ପାରାପେଟ୍‍କୁ ଆଉଜି ଠିଆ ହୁଏ । ବହୁ ଦୂରରେ ସହର—’’

 

ହଠାତ୍‍ ମୁଁ ହାଇ ମାରିଲି । ଯାତ୍ରା ଜନିତ କ୍ଳାନ୍ତି ଯୋଗୁଁ ମୋର ଜଲ୍‍ଦି ଶୋଇବାକୁ ଇଚ୍ଛା ହେଉଥିଲା ।

 

ମତେ ଅନ୍ୟମନସ୍କ ଦେଖି ସେ ମୋ ଆଡ଼କୁ ବିରକ୍ତ ହୋଇ ଚାହିଁଲେ ‘‘କଣ ନିଦ ଲାଗୁଛି ?’’

 

‘‘ନା, କୁହନ୍ତୁ ।’’

 

‘‘ସେ ଦିନ ପୂର୍ଣ୍ଣମୀ ହୋଇଥାଏ । ଘର ଭିତରେ ମଶା କାମୁଡ଼ିବାରୁ ମୁଁ ବାହାରେ ଆସି ଠିଆହେଲି । ବାହାରେ ମଧ୍ୟ ମଶାଙ୍କ ଦୌରାତ୍ମ୍ୟ କମିଲାନି । ପୂଜାରୀ ଘର ଭିତରେ ଶୋଇଥାଏ । ସିଡ଼ି ଦୁଆର ଖୋଲି ଛାତ ଉପରକୁ ଗଲି । ଚନ୍ଦ୍ରକିରଣ ଦେହରେ ବାଜିବାରୁ ଭଲ ଲାଗିଲା । ଛାତର ଦାଢ଼କୁ ଆସି ବାଡ଼କୁ ଧରି ତଳକୁ ଚାହିଁଲି । ତଳକୁ, ତଳକୁ, ଆହୁରି ତଳକୁ ଦୃଷ୍ଟି ଗଲା । ସବୁଆଡ଼େ ଚନ୍ଦ୍ରକିରଣ ପଡ଼ିଥାଏ । ପଞ୍ଜାବର ଶୀତଦିନର ପୂର୍ଣ୍ଣମୀ-ରାତ୍ରି ମନେ ପଡ଼ିଲା । ହଠାତ୍‍ ପଞ୍ଜାବ ଚାଲିଯିବାକୁ ଭାରି ଇଚ୍ଛା ହେଲା ।

 

ଏହି ସମୟରେ ହଠାତ୍‍ ମଣିଷ ସ୍ୱର ମୁଁ ଶୁଣିଲି । ପ୍ରଥମେ ଧୀରେ ଧୀରେ କେହି ଯେପରି କାହାକୁ ଫୁସ୍‍ ଫୁସ୍‍ କରି କ’ଣ କହୁଛି । ସେ ନିର୍ଜ୍ଜନତାରେ ସ୍ୱର ପରିଷ୍କାର ଶୁଣାଯାଉଥାଏ-। ମୁଁ ଆଶ୍ଚର୍ଯ୍ୟ ହୋଇଗଲି—ଏତେ ରାତ୍ରିରେ ପୁଣି ପାହାଡ଼ ତଳୁ କିଏ କଥାଭାଷା ହେଉଛି । ଅସମ୍ଭବ ! କଥାଭାଷା ବନ୍ଦ ହୋଇ ହଠାତ୍‍ ହସ ଶୁଭିଲା, ଯେପରି ଜଣେ କିଏ କିରିକିରି ହୋଇ ହସୁଛି—ଜଳରେ ତରଙ୍ଗ ପରି, ପବନରେ ଢେଉ ପରି ସେ ହସ । ମୁଁ ବାଡ଼ରେ ଭରାଦେଇ ପାହାଡ଼ ତଳକୁ ଚାହିଁଲି । ଦିନ ଭଳିଆ ସବୁ ଦିଶୁଥାଏ । ମୁଁ ଝୁଙ୍କି ପଡ଼ିବା ମାତ୍ରକେ ହସ ବନ୍ଦ ହୋଇଗଲା । ସତେ ଯେପରି ସେମାନେ ଦେଖିନେଲେ । ମୁଁ କିନ୍ତୁ ନିରୀକ୍ଷଣ କରୁଥାଏ, କାଳେ କିଏ ଦିଶିବ । କିଛି ସମୟ ପରେ ହସ ପୁଣି ଆରମ୍ଭ ହେଲା, ଏଥରକ ଜୋର୍‍ ରେ, ଧୀରେ ଧୀରେ ତାହା ବଡ଼ ଅଟ୍ଟହାସ୍ୟରେ ପରିଣତ ହେଲା । ଟହ ଟହ ହସରେ ମୋ ଛାତି ପାଣି ହୋଇଯିବା ପରି ମନେ ହେଲା, ଗୋଡ଼ତଳୁ ଝାଳ ବାହାରି ଠିଆ ହେବା ଜାଗାକୁ ଓଦା କରି ପକାଇଲା । ମୁଁ କିନ୍ତୁ ପ୍ରକୃତରେ ଭାରି ସାହାସୀ । ସେ ହସରେ ପୂଜାରୀ କିପରି ଉଠୁନାହିଁ ବୋଲି ମୁଁ ଆଶ୍ଚର୍ଯ୍ୟ ହେଉଥାଏ । ମୁଁ ଦମ୍ଭ ଧରି ଖୁବ୍‍ ଜୋର୍‍ ରେ ପଚାରିଲି—କିଏ ସେ ?

 

ମୋ ପ୍ରଶ୍ନର ଉତ୍ତରସ୍ୱରୂପ ହସ ପୁଣି ଶୁଣାଗଲା, ଆହୁରି ଜୋର୍‍ ରେ..କ୍ରମେ ଯେପରି ଜଣାଯାଉଥାଏ, ଲୋକଟା ହସି ହସି ବେଦମ୍‍ ହୋଇ ଯାଉଛି...ତେଣୁ ହସ ଭାଙ୍ଗି ପଡ଼ୁଥାଏ । ଲୋକଟା ନିଃଶ୍ୱାସ ନ ନେଇ ପାରି ଧଇଁ ସଇଁ ହେଲା ଭଳି ଜଣା ପଡ଼ୁଥାଏ ।

 

ମୁଁ ବିରକ୍ତ ହୋଇପଡ଼ିଲି । ରାତି ଅଧରେ ବଗିଚା ପାଖରେ ଏପରି ବଦମାସୀ କରୁଥିବାରୁ ମୋତେ ଭୀଷଣ ଚିଡ଼ି ଲାଗିଲା । ମୁଁ ତଳକୁ ଓହ୍ଲାଇ ସେ ଲୋକ ପାଖକୁ ଯିବାକୁ ବିଚାରୁଛି—

 

କରୁଣ ଚିତ୍କାର ବାୟୁମଣ୍ଡଳକୁ ଥରାଇ ଭାସିଆସିଲା । ଓଃ, ସତେ ଯେପରି କିଏ କାହାକୁ ମାରି ଦେଉଛି ଓ ମରୁଥିବା ଅସହାୟ ବ୍ୟକ୍ତି ବଞ୍ଚିବାକୁ ବୃଥା ପ୍ରୟାସ କରୁଥିବା ବେଳେ ଗୋଡ଼ହାତ ଛାଟି ଚିତ୍କାର କରୁଛି...ପ୍ରକୃତରେ ସେପରି ଚିତ୍କାର ମୁଁ କେବେ ଶୁଣି ନ ଥିଲି । ମୁଁ ଆଉ ସହି ପାରିଲିନି । ମୁଁ ଲୋକଟାକୁ ବଞ୍ଚାଇବା ପାଇଁ ରିଭଲ୍‍ଭର୍‍ ଧରି ପାହାଡ଼ ତଳକୁ ଦଉଡ଼ିଗଲି । ଠିକ୍‍ ଘର ସିଧା ପାହାଡ଼ ତଳକୁ ତ ଯାଇ ପାରିଲିନି, ଅନ୍ୟପଟେ ରାସ୍ତା ଥିଲା—ଚିତ୍କାର ଯେଉଁ ଦିଗରୁ ଶୁଣାଯାଉଥିଲା ସେ ଦିଗକୁ ଦଉଡ଼ିଗଲି; କିନ୍ତୁ ମୁଁ ସେ ଜାଗା ପାଖକୁ ଯିବା ବେଳକୁ ଚିତ୍କାର ବନ୍ଦ ହୋଇ ଯାଇଥିଲା । କିଛି ପାଇଲିନି, କାହାକୁ ଦେଖିଲିନି । ଗଛପତ୍ର, ରାସ୍ତା ଓ ମାଇଲପଥର, ସମସ୍ତଙ୍କ ଶରୀରରେ ଯେପରି ସେ ଚିତ୍କାର, ଭୟର ମୁଦ୍ରା ଅଙ୍କିତ କରି ଦେଇଥାଏ ।

 

ମୋତେ ରାତିରେ ଆଉ ନିଦ ହେଲାନି । କିପରି ସକାଳ ହେବ, ଯେଉଁ ଦିଗରୁ ଚିତ୍କାର ଆସିଥିଲା ସେ ଆଡ଼କୁ ଯାଇ ସବୁ ଦେଖିବି ଭାବି ଉଦ୍‍ବିଗ୍ନ ହୋଇ ରହିଥାଏ । ଫସର ଫାଟିବା ମାତ୍ରେ ମୁଁ ପଝାରୀକୁ ନ ଉଠାଇ ପାହାଡ଼ ତଳକୁ ଗଲି । ଚା ବଗିଚା ସେ ଆଡ଼କୁ ନ ଥିଲା । କିଛି ଦୂର ଓହ୍ଲାଇବା ପରେ ବହୁଦିନର ଏକମହଲା କୋଠାଟିଏ ଦେଖିଲି । ବାହାରୁ ତାଲା ପଡ଼ିଥାଏ । ଘରର କାନ୍ଥଗୁଡିକ ଭୁଷୁଡ଼ିବା ଉପରେ ରହିଥାନ୍ତି । ଧଉଳି ଛାଡ଼ି ଯାଇଥାଏ । ଫଟା କାନ୍ଥରେ ଅନେକ ଗଛ ଉଠିଥାନ୍ତି । ଆଗରୁ କେବେ ମୁଁ ପାହାଡ଼ର ସେ ଦିଗକୁ ଆସି ନ ଥିଲି । ଘରର ଚାରିପଟେ ବୁଲିବା ପରେ ଉପରକୁ ଚାହିଁଲି । ଉପର ମହଲାର ଝରକା ସବୁ ଭିତରୁ ବନ୍ଦ ଥାଏ । ମୁଁ ବୁଲିସାରିଲା ବେଳକୁ ଖରା ହୋଇ ଆସିଥାଏ । କାରଖାନାର ସାଇରେନ୍‍ ବାଜି ସାରିଥିଲା । ମୁଁ ତରବର ହୋଇ ଘରକୁ ଫେରି ଆସିଲି । ପୂଜାରୀ ଉଠିସାରି ରୋଷେଇ ଘରେ ବ୍ୟସ୍ତ ଥିଲା । ମୁଁ ତାକୁ ପାହାଡ଼ତଳ ଘର କଥା ପଚାରିଲି । ଅନେକ ଦିନ ତଳେ ସେଠାରେ ଜଣେ ପାଗଳ ରହୁଥିଲା ବୋଲି ସେ କହିଲା ।’’

 

ହଠାତ୍‍ ପଞ୍ଜାବୀ ଭଦ୍ରଲୋକ ଟେବୁଲ୍‍ ଉପରକୁ ଝୁଙ୍କିପଡ଼ି ମୋ ହାତକୁ ଧରିପକାଇ ଫୁସ୍‍ଫୁାସ୍‍ ହୋଇ କହିଲେ—‘‘ଜାଣ, ସେ ପାଗଳ କେବେ ମରିଥିଲା ?’’

 

‘‘କେବେ ?’’

 

‘‘କୋଡ଼ିଏ ବର୍ଷ ତଳେ, ହିଷ୍ଟିରିଆ ରୋଗରେ ।’’

 

ମୋ ହାତ ଛାଡ଼ିଦେଇ ସେ ଚେୟାର୍‍କୁ ଆଉଜି ବସିଲେ । ମୁହିଁ ଶେତା ପଡ଼ିଯାଇଥାଏ । ଆଖି ଦୁଇଟା ବେଶି ବଡ଼ ବଡ଼ ଦିଶୁଥାଏ ।

 

‘‘ସେ ଦିନଯାକ କାମରେ ମନ ଲାଗିଲାନି । ମୁଁ ମ୍ୟାନେଜରଙ୍କୁ ସେ ପାଗଳ କଥା ପଚାରିଲି । ସେ ପୂଜାରୀ କହିଥିବା କଥା କହିଲେ । ପାଗଳ କୋଡ଼ିଏ ବର୍ଷ ତଳେ ହଠାତ୍‍ ଦିନେ ହିଷ୍ଟିରିଆର ଆକ୍ରମଣ ପରେ ମରି ପଡ଼ିଥିଲା । ବହୁତଦିନ ଧରି ଅପସ୍ମାର ରୋଗରେ ସେ ପୀଡ଼ିତ ଥିଲା । ଫିଟ୍‍ସ ଆସିଲେ ପ୍ରଥମେ ସେ ହସେ, ତା ପରେ ଜୋର୍‍ ରେ, ତା ପରେ ଚିତ୍କାର କରି ମୂର୍ଚ୍ଛା ହୋଇଯାଏ । ଏହିପରି ଚିତ୍କାର କରି କରି ସେ ମରି ଯାଇଥିଲା । ମୁଁ ମ୍ୟାନେଜରଙ୍କୁ ରାତ୍ରିର ଘଟଣା କିଛି କହି ନ ଥିଲି । କହିଥିଲେ ସେ ହସିଥାନ୍ତେ, ମୁଁ ଅପଦସ୍ତ ହୋଇଥାନ୍ତି । ସେହିଦିନ ରାତ୍ରିରେ ମୁଁ ନ ଶୋଇ ଜଗି ରହିଲି । ରିଭଲ୍‍ଭର ପାଖରେ ରଖିଥାଏ । ସତର୍କ ଥାଏ; କିନ୍ତୁ କିଛି ହେଲାନି । ସାରା ରାତି କିଛି ଘଟି ନ ଥିଲା । ’’

 

‘‘ତା ହେଲେ ଆଉ କେବେ ସେପରି ହେଲାନି ?’’ —ମୁଁ ପଚାରିଲି । ମୋର ନିଦ ଛାଡ଼ି ଯାଇଥାଏ ସେତେବେଳକୁ ।

 

‘‘ନା, ମାସେ ଯାଏ ହେଲାନି । ଲାଗେ ଲାଗେ ଚାରି ପାଞ୍ଚଦିନ ରାତ୍ରି ଅନିଦ୍ରା ହୋଇ ଜଗିବା ପରେ ମୁଁ ଆଉ ଜଗିବା ଦରକାର ନାହିଁ ବୋଲି ଭାବିଲି । ଦିନରେ ବହୁତ ଖାଟେଣୀ ପଡ଼ୁଥାଏ । କ୍ରମେ ସେ ଘଟଣା ମୁଁ ଭୁଲିଯିବାକୁ ଲାଗିଲି । ଅବଶ୍ୟ ବେଳେ ବେଳେ ସେ ଘଟଣା କଥା ଭାବି ମୁଁ ଆଶ୍ଚର୍ଯ୍ୟ ହେଉଥାଏ । ଦିନେ ମୁଁ ଘର ଭିତରେ ଶୋଇଛି । ହଠାତ୍‍ ମୋତେ କିଏ ଉଠାଇଦେବା ଭଳି ମୋର ମନେ ହେଲା । ପାଖରେ କେହି ନ ଥିଲେ । ବାହାରେ ପୂଜାରୀ ଶୋଇଥିଲା । ମୁଁ କାହିଁକି ଉଠିଲି ଭାବି ମନେ ମନେ ଆଶ୍ଚର୍ଯ୍ୟ ହେଉଛି । ମଣିଷ ସ୍ୱର ଶୁଭିଲା । ମୁଁ ସତର୍କ ହୋଇଗଲି । ତା ପରେ ଧୀରେ ଧୀରେ ହସ ଆରମ୍ଭ ହେଲା....ମୋ ଲୋମ ଟାଙ୍କୁରି ଉଠୁଥାଏ । ହସ ବଢ଼ିବାକୁ ଲାଗିଲା.....ତା ପରେ ତୀବ୍ର ଆର୍ତ୍ତନାଦ । ତାହା ମଣିଷର କାନ୍ଦ ପରି ଜଣା ପଡ଼ୁ ନ ଥାଏ । କୌଣସି ପଶୁ ଯେପରି କଷ୍ଟ ପାଇ ବାହୁନୁଛି, ଆର୍ତ୍ତନାଦ କରୁଛି, ସେ ବିକଟନାଦ ହଠାତ୍‍ ନୁହେଁ ଧୀରେ ଧୀରେ ଲୋପ ହୋଇ ଆସୁଥାଏ । ଶେଷରେ କେତେବେଳେ ବନ୍ଦ ହୋଇଗଲା ତା ମୁଁ ଜାଣି ପାରିଲିନି । କାନ ଡେରିଲି, ଆଉ କିଛି ଶୁଭୁ ନ ଥାଏ । ମୋ ହାତଗୋଡ଼ ପଥର ହୋଇ ଯାଇଥାଏ । ମୋର ଶୋଇବା ଘର ଭିତରେ କାହାର ତୋଟି ଚିପି ମାରି ଦିଆ ଯାଉଥିବା ମୋତେ ଲାଗୁଥାଏ । ମୁଁ ଥରି ଥରି ତକିଆ ଭିତରେ ମୁଣ୍ଡ ଗୁଞ୍ଜି ଶୋଇ ପଡ଼ିଲି । କିନ୍ତୁ ଶୋଇଲେ କ’ଣ ସେ ଭୟରେ ନିଦ ଆସେ ? ହଠାତ୍‍ ମୋର ମନେପଡ଼ିଲା—ମ୍ୟାନେଜର କହିଥିଲେ, ପାଗଳକୁ କେବେ କେବେ ଫିଟ୍‍ସ ଆସୁଥିଲା, ପ୍ରତିଦିନ ନୁହେଁ । ମୁଁ ଶେଯରୁ ଉଠିପଡ଼ି ଲାଇଟ୍‍ ଲଗାଇ କ୍ୟାଲଣ୍ଡରକୁ ଚାହିଁଲି । ଅଠେଇଶ ଦିନ ପୂର୍ବେ ମୁଁ ପ୍ରଥମେ ଚିତ୍କାର ଶୁଣିଥିଲି । ସେଦିନ ପୂର୍ଣ୍ଣମୀ ଥିଲା, ଆଜି ମଧ୍ୟ ପୂର୍ଣ୍ଣମୀ । ପୂର୍ଣ୍ଣମୀ ଦିନ ପାଗଳମାନଙ୍କ ପାଗଳାମୀ ବଢ଼େ ବୋଲି ମୁଁ ଜାଣିଥିଲି । ଆପଣ ଜାଣିଥିବେ ତ ଚନ୍ଦ୍ରଙ୍କ ସହ ମନର ସମ୍ପର୍କ । ସବୁ କଥା ଜାଣିପାରିଲି-। ନିଶ୍ଚୟ ପ୍ରତି ପୂର୍ଣ୍ଣମୀ ଦିନ ପାଗଳର ଫିଟ୍‍ସ ଆସୁଛି । କ୍ୟାଲେଣ୍ଡରକୁ ପୁଣି ଚାହିଁ ପରବର୍ତ୍ତୀ ପୂର୍ଣ୍ଣମୀ କେବେ ପଡୁଛି ମୁଁ ଠିକ୍‍ କରିନେଲି ।

 

ମୁଁ ବାସ୍ତବରେ କେବେହେଲେ ଭୟାଳୁ ନ ଥିଲି । ବରଂ ପଞ୍ଜାବରେ ମୋର ସ୍କୁଲ ଜୀବନତକ ମୁଁ ଜଣେ ସାହସୀ ଛାତ୍ର ରୂପେ ବନ୍ଧୁମାନଙ୍କ ମଧ୍ୟରେ ବିଖ୍ୟାତ ଥିଲି । ଭଲ ହକି ଖେଳୁଥିଲି । ପୂର୍ଣ୍ଣିମା ଆସିଗଲା । ସକାଳୁ ମୁଁ ଲଣ୍ଠନଟିଏ ସଜାଡ଼ି ଶୋଇବା ଘରେ ରଖିଥାଏ । ରିଭଲ୍‍ଭର୍‍ ତ ଥାଏ । ସେଦିନ ଜଲଦି୍‍ ଖାଇ ଶୋଇ ପଡ଼ିଲି । ଏସବୁ ଆୟୋଜନର ପରେ ମୋତେ ବହୁତ ଦମ୍ଭ ଲାଗୁଥାଏ, ନିଜର ସାହସରେ ଆନନ୍ଦ ମଧ୍ୟ ଆସୁଥାଏ ।

 

ରାତ୍ରି କ୍ରମେ ବଢ଼ିବାକୁ ଲାଗିଲା । ମୁଁ ହଠାତ୍‍ ରାତି ଅଧରେ ସେହି ମଣିଷ ସ୍ୱର ଶୁଣିଲି । ଦୁଇଜଣ ଯେପରି କଥା ହେଉଛନ୍ତି । ତାପରେ କିରିକିରି ହସ । ମୁଁ ଶୁଣୁଥାଏ । ଅଟ୍ଟହାସ୍ୟ ମୋର କଲିଜାକୁ ଥରାଇଦେଲା; ଯେପରି ମୋ ଘର କାନ୍ଥ ଭିତରୁ କିଏ ହସୁଥିଲା—ମୁଁ କିନ୍ତୁ ଦମ୍ଭଧରି ବସିଥାଏ । ଗୋଡ଼ତଳେ ଲଣ୍ଠନଟା ଜଳୁଥାଏ । ତାପରେ ହୃଦୟଫଟା ଆର୍ତ୍ତନାଦ ଆସିବ ବୋଲି ମୁଁ ଜାଣିଥାଏ । କିନ୍ତୁ ଆର୍ତ୍ତନାଦ ଏଡ଼େ ଜୋରରେ ଏବଂ ଏପରି କରୁଣଭାବେ ଆସିଲା ଯେ ମୁଁ ଠିଆ ହୋଇ ପଡ଼ିଲି । ମୁହୂର୍ତ୍ତକ ମଧ୍ୟରେ ମୋର କର୍ତ୍ତବ୍ୟ ଠିକ୍‍ ହୋଇଗଲା । ଲଣ୍ଠନ ଓ ରିଭଲ୍‍ଭର୍‍ ଧରି ମୁଁ ପର୍ବତ ତଳକୁ ଦଉଡ଼ିବାକୁ ଲାଗିଲି । ଯେତେ ଯେତେ ଦଉଡ଼ୁଥାଏ ଚିତ୍କାର ସେତେ ସେତେ ନିକଟ ହୋଇ ଆସୁଥାଏ । ଏପରି ଜୋର୍‍ ରେ ବୋଧେ ମୁଁ କେବେ ଦଉଡ଼ି ନ ଥିଲି ସେ ଭଙ୍ଗାକୋଠା ପାଖକୁ ଆସିବା ବେଳକୁ ଚିତ୍କାର ତୀବ୍ର ଭାବେ ବଢ଼ି ଯାଇଥାଏ । କୋଠା ଭିତରୁ ଆର୍ତ୍ତନାଦ ଭାସି ଆସୁଥାଏ । ବାହାରୁ ତାଲା ପଡ଼ିଥିଲା । ମୁଁ ଗୋଇଠା ମାରି ମାରି କବାଟ ଭାଙ୍ଗି ଦେଇ ଉପର ମହଲାକୁ ଦଉଡ଼ିଗଲି । କବାଟ ଆଉଜା ହୋଇଥିଲା । ଧକ୍‌କାମାରି ତାକୁ ଖୋଲିଦେଲି । ଚିତ୍କାର ସରି ସରି ଆସୁଥାଏ । ଜହ୍ନ ଆଲୁଅରେ ମୁଁ ଝାପ୍‍ସା ଭାବେ ଦେଖିଲି ଗୋଟାଏ କୋଣରେ ପାଗଳାଟା ପଡି ପଡ଼ି ଧକାଉଥାଏ, କେହି ଯେପରି କ୍ଷଣକ ପୂର୍ବରୁ ତା ତୋଟି ଚିପିଦେଇ ଚାଲିଯାଇଛି । ହଠାତ୍‍ ଲଣ୍ଠନଆଡ଼କୁ ମୋର ନଜର ଗଲା । ଦଉଡ଼ା ଦଉଡ଼ିରେ ଲଣ୍ଠନଟି କେତେବେଳୁ ଲିଭି ଯାଇଥିଲା । ମୁଁ କିନ୍ତୁ ସକାଳଯାଏ ସେଇଠି ବସି ରହିଲି । ସେଇ ଦୁଆରମୁହଁରେ—ସତକଥା ଯେପରି ହେଲେ ଜାଣିବାକୁ ମୁଁ ଦୃଢ଼ପଣ କରିଥାଏ । ସକାଳ ହେଲା–ସେ ଘରେ କେହି ନ ଥିଲେ, ଗୋଟିଏ ଭଙ୍ଗା କାଠ ବାକ୍‍ସରେ କେତେଗୁଡ଼ିଏ ଲୁଗାପଟା ଓ କଂସା ବାସନ ଛଡ଼ା ମୁଁ ଆଉ କିଛି ଦେଖିଲିନି । ’’

 

ପଞ୍ଜାବୀ ଭଦ୍ରଲୋକ ମୁହଁରୁ ଝାଳ ପୋଛିଲେ । ଚଉକିକୁ ଆଉଜି ସେ ବସିଥାନ୍ତି । ଜଣାପଡ଼ୁଥାଏ ତାଙ୍କ ଶରୀରରେ ଯେପରି ଟିକିଏ ହେଲେ ଶକ୍ତି ନାହିଁ । ପିଲାଟିଏ ଠେଲିଦେଲେ ତଳେ ପଡ଼ି ଯିବେ ।

 

‘‘ତା ପରେ ?’’ ମୁଁ ପଚାରିଲି ।

 

‘‘ତାପରେ ମୁଁ ସେ କୋଠିରୁ ଅଫିସର୍‍ କ୍ୱାଟର୍ସକୁ ଚାଲି ଆସିଲି । ଶରୀର ସେହିଦିନୁ ଆଉଁ ଭଲ ରହୁ ନଥାଏ, ଦୁର୍ବଳ ଲାଗୁଥାଏ, ରାତିରେ ନିଦ ହେଉ ନ ଥାଏ । ପରବର୍ତ୍ତୀ ପୂର୍ଣ୍ଣିମାଦିନ ମୁଁ ଚଉକିରେ ବହି ପଢ଼ୁ ପଢ଼ୁ ଘୁମାଇ ପଡ଼ିଥିଲି । ପାଗଳାର ସ୍ୱରରେ ମୋ ନିଦ ଭାଙ୍ଗିଗଲା । ପୁଣି ସେହି ହସ, ପୁଣି ସେହି ବୁକୁଫଟା ଚିତ୍କାର । ତାପରେ ମୁଁ ଆଉ ଏକୁଟିଆ ନ ଶୋଇ ପୂଜାରୀକୁ ମୋ ରୁମ୍‍ ରେ ଶୋଇବାକୁ କହିଲି । ପୂର୍ଣ୍ଣିମା ଦିନ ମ୍ୟାନେଜର ସାହେବଙ୍କୁ ଖାଇବାକୁ ନିମନ୍ତ୍ରଣ କରିଥାଏ । ଦୁହେଁ ଖାଇବା ପରେ ମୋ ରୁମ୍‍ ରେ ବହୁତସମୟ ଯାଏ ଗପ କରି ଶେଷରେ ଶୋଇଗଲୁ । ହଠାତ୍‍ ମୋତେ କିଏ ଉଠାଇ ଦେବା ପରି ମୋର ମନେହେଲା । ପାଗଳା ହସୁଥାଏ-। ମୁଁ ମ୍ୟାନେଜରଙ୍କୁ ସଙ୍ଗେ ସଙ୍ଗେ ଉଠାଇ ‘‘କଣ ଶୁଣୁଛନ୍ତି’’ ବୋଲି ପଚାରିଲି ।

 

କିଛି ନୁହେଁ—କହି ସେ ପୁଣି ଶୋଇଗଲେ । ସେହି ସମୟକୁ ଆର୍ତ୍ତନାଦ ଆରମ୍ଭ ହୋଇଥାଏ । ମୁଁ ପୁଣି ତାଙ୍କୁ ଉଠାଇଦେଲି ।

 

‘‘ଶୁଣୁଛ, ଶୁଣୁଛ କିଏ ଯେପରି କାନ୍ଦୁଛି, ଓଃ !’’ ମୁଁ କାନରେ ହାତ ଦେଲି ।

 

‘‘ଆଜି ବେଶି ପିଇ ଦେଇଛ ବୋଧେ’’—ମ୍ୟାନେଜର କହିଲେ !

 

‘‘ସଟ୍‍ ଅପ୍‍, ୟୁ ଫୁଲ୍‍ ।’’ ମୁଁ ରାଗିଗଲି ।

 

ମ୍ୟାନେଜର ମୋତେ ପାଗଳ ବୋଲି ଭାବିଲେ । କିନ୍ତୁ କିଛି କହିଲେନି, ସେ କହିଥିଲେ ମୁଁ ନିଶ୍ଚେ ତାଙ୍କୁ ସେଠି ଗୁଳି କରି ମାରି ଦେଇଥାଆନ୍ତି । ମୁଁ ସକାଳୁ ଉଠି ଦେଖିଲି, ମ୍ୟାନେଜର ଶେଯରେ ଶୋଇ ନ ଥିଲେ ।

 

ତାପରେ ମୁଁ ଚାକିରୀ ଛାଡ଼ି ଦେଇ ଇମ୍ପାଲା ଚାଲିଗଲି । ଇମ୍ପାଲାରେ ମୋ ସ୍ୱାସ୍ଥ୍ୟର ଉନ୍ନତି ଘଟିଲା, ମୁଁ ଭାବିଲି ମୁଁ ପାଗଳାର ଚିତ୍କାର ଆଉ ଶୁଣିବିନି । କିନ୍ତୁ ପୂର୍ଣ୍ଣମୀ ପାଖ ହୋଇ ଆସିବାରୁ ମୋର ଆଶଙ୍କା ବଢ଼ିବଢ଼ି ଗଲା ଏବଂ ମୁଁ ମଣିପୁରରେ ମଧ୍ୟ ସେ ପାଗଳାର ଚିତ୍କାର ଶୁଣିଲି । ମୁଁ ଭୟାଳୁ ନୁହେଁ । ଯେ କୌଣସି ଶ୍ମଶାନକୁ ମୁଁ ରାତି ଅଧରେ ଯାଇ ପାରିବି । ଶାରୀରିକ ପରିଶ୍ରମ ମୁଁ ବହୁତ କରିପାରେ ହକି ମୁଁ ଖୁବ୍‍ ଭଲ ଖେଳୁଥିଲି; କିନ୍ତୁ ଯେତେହେଲେ ମୋର ଦେହ ତ ଆଉ ଲୁହା, ପଥରରେ ଗଢ଼ା ନୁହେଁ । ପ୍ରତି ପୂର୍ଣ୍ଣିମାରେ ପାଗଳାର ଚିତ୍କାର ଶୁଣିବାରୁ ମୁଁ କ୍ରମେ କ୍ରମେ ବେଶି ମଦ ପିଇଲି । କ୍ରମେ କ୍ରମେ ଆଉ ମୋଟେ ନିଦ ହେଲାନି । କେବଳ କେବେ ପୂର୍ଣିମା ଆସିବ, ସେହି ଚିନ୍ତା ମୋ ମନରେ ରହିଲା । ସବୁବେଳେ ଦିନ ଗଣେ । ପ୍ରତିଦିନ ମନେ ହେଉଥାଏ ହେଇ ପୂର୍ଣ୍ଣମୀ ପାଖ ହୋଇ ଆସିଲା, ପାଖ ହୋଇ ଆସିଲା । ’’ ସେ ଚୁପ୍‍ ହୋଇ ଝରକା ଆଡ଼କୁ ଚାହିଁଲେ ।

 

ମୁଁ କ’ଣ କହିବି ତାଙ୍କୁ କିଛି ଠିକ୍‍ କରି ପାରିଲିନି; କିଛି ସମୟ ଯାଏ ଦୁହେଁ ଚୁପ ରହିଲୁ-। ତାପରେ ମୁଁ ପଚାରିଲି—

 

‘‘ଶେଷ ପୂର୍ଣ୍ଣିମା କେବେ ହୋଇଥିଲା ।’’

 

‘‘ଚାରି ସପ୍ତାହ ତଳେ ।’’

 

ମୁଁ ଚମକି ପଡ଼ି ପଞ୍ଜାବୀ ଭଦ୍ରଲୋକଙ୍କ ଆଡ଼କୁ ଚାହିଁଲି ।

 

‘‘ମାନେ ! ଆଜି କଣ ପୂର୍ଣ୍ଣିମା ?’’

 

ସେ ମୋତେ କ୍ରୂରଭାବେ ଚାହିଁଲେ । ସତେ ଯେପରି ଆଜି ପୂର୍ଣ୍ଣିମା ବୋଲି ତାଙ୍କୁ ମୁଁ ଚେତାଇ ଦେଇଥିବାରୁ ସେ ମୋତେ ଘୃଣା କରୁ ଥିଲେ, ନିର୍ଦ୍ଦୟୀ ବୋଲି ଭାବୁଥିଲେ । କ୍ରମେ କ୍ରମେ ସବୁତକ ରକ୍ତ ତାଙ୍କ ମୁହଁକୁ ଆସିଗଲା । ରହି ରହି ବହୁ କଷ୍ଟରେ ସେ କହିଲେ—‘‘ହଁ, ଆଜି ପୂର୍ଣ୍ଣିମା-।’’

 

ଗଭୀର ଭୟରେ ତାଙ୍କର ମୁହଁ ବିବର୍ଣ୍ଣ ହୋଇ ଆସୁଥାଏ । ହଠାତ୍‍ ସେ ଉଠିପଡ଼ି ଚାଲିଗଲେ ତାଙ୍କର ଉପର ମହଲା ଘରକୁ । ସିଡ଼ିରେ ତାଙ୍କର ବୁଟ୍‍ ଶବ୍ଦ ଶୁଭୁଥାଏ ।

 

ମୁଁ ଅବାକ୍‍ ଓ ଭୀତ ହୋଇ କେବଳ ତାଙ୍କର ଯିବା ବାଟକୁ ଚାହିଁ ରହିଥାଏ ।

Image

 

ଉପପତି

 

ସଭା ସରି ଯାଇଛି । ଚାରିକୋଣିଆ ବିରାଟ ପଡ଼ିଆଟା ଭିତରେ ମୋଜାଇକ୍‍ କରା ହୋଇଥିବା ହଲ୍‍ଟି କ୍ରମେ କ୍ରମେ ଜନଶୂନ୍ୟ ହେବା ଉପରେ ।

 

ପାଞ୍ଚମିନିଟ୍‍ ହେଲା ସାଇକେଲ, ମଟରଗାଡ଼ି ଓ ପଦଚାରୀଙ୍କୁ ନିର୍ନିମେଷ ହୋଇ ତ ସେ ଦେଖୁଥିଲା; କିନ୍ତୁ ପାଞ୍ଚଶଠୁ ବେଶି ଲୋକ ଦୁଇ ଘଣ୍ଟା ଧରି ଚୁପ୍‍ ହୋଇ ବସିବାପରେ ପୁଣି ଚୁପ୍‍ କାହିଁକି ? ସମସ୍ତେ ତର ତର, ପଡ଼ିଆକୁ ଅତିକ୍ରମ କରି ରାଜପଥ ଉପରକୁ ଆସି ଯିବାକୁ ସମସ୍ତେ ବ୍ୟଗ୍ର । ମଟରରୁ ହର୍ଣ୍ଣ ଶୁଭୁନି, ସାଇକେଲ୍‍ରୁ ବେଲ୍‍ ମଧ୍ୟ ବାଜୁନି । ପଦଚାରୀମାନେ ପରସ୍ପର ମତାମତ ଆଦାନ ପ୍ରଦାନ କରୁନାହାନ୍ତି । ଖୁବ୍‍ ବେଶୀ ଭୟ ଯେପରି ସଭିଙ୍କୁ ଘେରି ଯାଇଛି । ଆଖପାଖରେ କୌଣସି କଥା ଘଟିବା ପୂର୍ବରୁ (ଯାହା ନିଶ୍ଚୟ ଘଟୁଛି ବୋଲି ସମସ୍ତଙ୍କର ଧାରଣା; ତାକୁ ଆଖିରେ ଦେଖିବାକୁ କି କାନରେ ଶୁଣିବାକୁ କେହି ପ୍ରସ୍ତୁତ ନୁହଁନ୍ତି !) ସୁରୁଖୁରୁରେ ଘରେ ପହଞ୍ଚିବା ଉଚିତ । ଝାଉଁ ଗଛର ମଣ୍ଡଳୀ ଭିତରେ ରହି, ଲୋକଙ୍କ ଯିବା ରାସ୍ତାକୁ ଚାହୁଁଥିବାବେଳେ, ପରିଷ୍କାର ଦେଖିପାରିଲା ଦେବେନ୍ଦ୍ର, ସେ ହଲ୍‍ରୁ ବାହାରିଲେ । ହଲ୍‍ର ଦରଓ୍ୱାନ୍‍କୁ ହୋ ହୋ ହୋଇ ହସି ସେ କଣ କହି ଯାଉଥିଲେ, ସତେ ଯେପରି ସବୁଦିନପରି ଆଜିମଧ୍ୟ, ସବୁ ସଭା ପରି ଆଜିର ସଭା ମଧ୍ୟ । ଦରଓ୍ୱାନ୍‍ କିନ୍ତୁ ନିଶ୍ଚୟ କିଛି ଶୁଣୁ ନଥିଲା, ଚାରିଆଡ଼କୁ ତରକି ଚାହିଁବାରୁ, ଦୁଆରେ ତାଲା ଠୁଙ୍କିବାର ଭଙ୍ଗୀ ତାର ସବୁ ଜଣାପଡ଼ି ଯାଉଥାଏ—ଦେବେନ୍ଦ୍ର ଏତେ ଦୂରରେ ରହି ଦରଓ୍ୱାନ୍‍ର ଛାତି ଧୁଡ଼୍‍ ଧୁଡ଼୍‍ ବି ଶୁଣି ପାରିବା ପରି ମନେହେଲା । ପଡ଼ିଆର ଗୋଟିଏ କୋଣରେ ଦରଓ୍ୱାନ୍‍ର ଘର, ଟାଇଲ୍‍ ଛପର ଦୁଇବଖରା । ଶ୍ୟାମଳୀ ବୋଲି ବିଧବା ଝିଅଟେ, ଆଉ ଦରଓ୍ୱାନ୍‍—କୋଡ଼ିଏ ବର୍ଷ ହେଲା, ଯେଉଁ ବର୍ଷ ଶ୍ୟାମଳୀ ଜନ୍ମ ହେଲା, ସେବଠୁ ଘନଶ୍ୟାମ ଟାଉନ୍‍ହଲ୍‍ ରେ ଦରଓ୍ୱାନ୍‍ ରହି ଆସିଛି ।

 

ଦରଓ୍ୱାନ୍‍ ପଛରେ ରହିଯାଇଛି । ଅତି ଆତଙ୍କରେ ସେ ଭଦ୍ରଲୋକ, (ଦେବେନ୍ଦ୍ର ନା ମନେ ପକାଇଲା, ତାଙ୍କର ନାଁ ପ୍ରତାପକେଶରୀ, କୌଣସି ଭୂତପୂର୍ବ ରାଜା) ହିଁ ପ୍ରତାପକେଶରୀ ଦେଓ, କିଛିକ୍ଷଣ ତଳେ ହୋ ହୋ ହୋଇ ଯାହା ହସୁଥିଲେ ତାହା ବନ୍ଦ ହୋଇ ଯାଇଛି, କାରଣ ଦରଓ୍ୱାନ୍‍ ପଛରେ କାର୍ଯ୍ୟ ବାହାନାରେ ରହିଗଲା । ବର୍ତ୍ତମାନ୍‍ ଏକୁଟିଆ, ଠିକ୍‍ ବେଳ ନାଁ ଠିକ୍‍ ବେଳ ନୁହେଁ । ପ୍ରତ୍ୟକ୍ଷଦର୍ଶୀ ହୋଇ ଦରଓ୍ୱାନ୍‍ ସାକ୍ଷ ଦେବ । ରାଜପଥରୁ ଲୋକେ ଝପଟି ଆସିବେ । ସମଗ୍ର ପଡ଼ିଆଟା ପ୍ରଖର ବିଦ୍ୟୁତ୍‍ ଆଲୋକରେ ଦିନପରି ଜଣା ପଡ଼ୁଛି ।

 

ପ୍ରତାପ କେଶରୀଙ୍କୁ ଅନୁସରଣ କରିବାକୁ ଲାଗିଲା ଦେବେନ୍ଦ୍ର । ରାଜା ସାହେବଙ୍କ ଦାମ୍ଭିକପାଦ ଅଳ୍ପ ଅସ୍ତବ୍ୟସ୍ତ ହୋଇ ପଡ଼ୁଛି । ପଡ଼ିଆ ମଝି । ବେଳେ ବେଳେ ପଛକୁ ସେ ଚାହୁଁଛନ୍ତି, କେତେବେଳେ ଦୁଇ କଡ଼କୁ । ପିନ୍ଧିଥିବା ଧୋତିର ଧଡ଼ି ଶାଢ଼ୀ ଧଡ଼ି ପରି ମୋଟା । ପଞ୍ଜାବୀ ଭିତରେ ରାଜାସାହେବ ସୁନ୍ଦର ଦିଶୁଛନ୍ତି । ଦେବେନ୍ଦ୍ରର ହୃଦୟ ନରମି ଆସିଲା । କିନ୍ତୁ ହୃଦୟ ନରମିବା ସଙ୍ଗେ ଐକଳ୍ପର କିଛି କ୍ଷତି ଘଟୁନି । ଘଟିବାକୁ ସେ ଦେବେନି । ରାଜାସାହେବଙ୍କୁ ସେ କୋଳରେ ଶୁଆଇ ଆଉଁସି ଆଉଁସି ତୋଟି ଚିପିଦେବ । ନିଷ୍ଠୁର ଭାବେ ନୁହେଁ । ଖୁବ୍‍ କୋମଳତା ସହ, ବା ତୋଟି ଚିପିବାକୁ ଯଦି କଷ୍ଟହେବ ବୋଲି ସେ ନାପସନ୍ଦ କରନ୍ତି ତାହେଲେ (ପକେଟରେ ହାତ ପୂରାଇଲା ଦେବେନ୍ଦ୍ର) ଛୁରାକୁ ପସନ୍ଦ କରିପାରନ୍ତି ।

 

ଉଡ଼ିଆସିବା ମେଘପରି, ଶବ୍ଦ ନାହିଁ, ପଡ଼ିଆ ଫାଟକ ପାଖରେ ରୋଲ୍‍ସ୍‍ରୟସ କାର୍‍ କାହୁଁ ଆସି ଠିଆହେଲା ସାବଲୀଳ ଭଙ୍ଗୀରେ । ଦେବେନ୍ଦ୍ର କିଛି ଭାବିବା ପୂର୍ବରୁ ପ୍ରତାପକେଶରୀ କାର୍‍ ଭିତରକୁ ପଶିଗଲେ, ଆଉ ଶବ୍ଦରହିତ ହୋଇ ରୋଲ୍‍ ସରୟସ୍‍ ନିମିଷକେ ବହୁଦୂରରୁ ଦେଖାଗଲା, ତାପରେ ରାସ୍ତା ମୋଡ଼ ।

 

କିନ୍ତୁ ତୁମର ରୋଲ୍‍ସରୟସ୍‍ ଯାନ ନୁହେଁ, ସଙ୍ଗୀନ୍‍ ଧାରୀ ଗୁର୍ଖା ଦରଓ୍ୱାନ୍‍ ନୁହେଁ, ଚାରି ଚାରିଟା ଆଲସେସିଆନ ମହାବଳ ନୁହେଁ, ରାଜ୍ୟ ପରିଚାଳନାର କୂଟନୀତି ନୁହେଁ, କି ପୋଲିସ କେହି ତୁମକୁ ଆଜି ଦେବେନ୍ଦ୍ର ଦାସଠୁ ରକ୍ଷା କରି ପାରୁ ନାହାନ୍ତି । ଅଧରାତିରେ ଆଜି ତୁମେ ଶୋଇଥାଅ ବା ଚେତାଥାଅ ତୁମେ ମରିବ, ଦେବେନ୍ଦ୍ର ଦାସ ହେବ ତୁମର ଘାତକ । ସାରା ସଭାରେ ତୁମେ ଆଜି ଦେବେନ୍ଦ୍ରକୁ ଯେଉଁ ଅପମାନ ଦେଇଛ ସେ ପାପର ପ୍ରାୟଶ୍ଚିତ୍ତ ତୁମକୁ କରିବାକୁ ହେବ, ରକ୍ତ ଦେଇ, ଜୀବନ ଦେଇ ।

 

ଦେବେନ୍ଦ୍ର ସଂକଳ୍ପକୁ ମନଭିତରେ ଆବୃତ୍ତି କରିଦେଇ ହାତଘଡ଼ିକୁ ଚାହିଁଲା । ସମୟ ସାଢ଼େ ଦଶଟା । ଆଜି ସେ ଘରକୁ ଫେରିବନି । ଘର ? ଆଜି ମଧ୍ୟ ତାର ସନ୍ତତି—ଏକମାତ୍ର ସନ୍ତାନ, ମା ପାଖରେ ଶୋଇ ତାର ଆସିବାକୁ ଅପେକ୍ଷା କରିଥିବ । ସନ୍ତତି ? ପତ୍ନୀ ଉଦବେଗ ହୋଇ ନାନା ସମ୍ଭବ କଳ୍ପନାରେ ତାର ନଆସିବାକୁ, ବିଳମ୍ୱ ପାଇଁ ନିଜ ମନକୁ ନିଜେ କୈଫିୟତ୍‍ ଦେଉଥିବ, ହୃଦୟକୁ ସାନ୍ତ୍ୱନା ଦେଉଥିବ । ପତ୍ନୀ ?

 

ଘର...ସନ୍ତତି...ପତ୍ନୀ ?

 

ଉଠି ଆସୁଥିବା ପ୍ରବଳ ବେଦନାକୁ ଦେବେନ୍ଦ୍ର ଛାତିଭିତରେ ଚାପି ଧରିଲା । ଗୋଟି ଗୋଟି କରି ମୁଣ୍ଡର ବାଳ ଛିଡ଼ାଇ ଦେବାକୁ, ଅଙ୍ଗପ୍ରତ୍ୟଙ୍ଗକୁ ନିଜର ଛିନ୍ନ ବିଚ୍ଛିନ୍ନ କରିଦେବାକୁ ତାର ଇଚ୍ଛା ହେଲା । ଦୁଇ ତିନି ଘଣ୍ଟା ପୂର୍ବେ ତାର ସବୁ ଥିଲା, ସବୁ....ସଂସାରରେ ଯାହା କିଛି ଜଣେ ଆଶା କରିପାରେ । ସ୍ତ୍ରୀ, ସନ୍ତାନ, ଐଶ୍ୱର୍ଯ୍ୟ, ପ୍ରତିପତ୍ତି । ସନ୍ଧ୍ୟା ଛଅଟା ବେଳେ ସେ ଯେତେବେଳେ ଟାଉନ୍‍ହଲ୍‍ ଭିତରକୁ ବନ୍ଧୁ ଗହଣରେ ପଶେ, କେତେ ତାର ନଥିଲା କଳ୍ପନା ! ସଂସାର କଣ ଥିଲା, ତିନୋଟି ଘଣ୍ଟା ଭିତରେ କଅଣ ହେଲା ! ରାଜାସାହେବଙ୍କର ସେ ପ୍ରତିଦ୍ୱନ୍ଦୀ ଥିଲା ସହରରେ, ଲୋକସଭାପାଇଁ ନିର୍ବାଚନ ! ଦେବେନ୍ଦ୍ର ଆଉ ଭାବି ପାରିଲାନି, ମୁଣ୍ଡଭିତରେ ହାତ ପୂରାଇ ବାଳକୁ ଭିଡ଼ିବାକୁ ଲାଗିଲା, ବେଦନାରେ ଦୁଇ ଆଖିରୁ ଲୁହ ବୋହି ଯାଉଥାଏ । ରାଜାସାହେବଙ୍କ ବ୍ୟଙ୍ଗରେ ଲୋକେ (ତାରି ବନ୍ଧୁମାନେ ମଧ୍ୟ !) ସହାନୁଭୂତି ଦେଖାଇବେ କଣ, ପ୍ରତିବାଦ କରିବେ କଣ, ହୋ ହୋ ହୋଇ ହସି ଉଠିଥିଲେ । କଥାଟା ସେମାନଙ୍କ ମନକୁ ପାଇଥିଲା ଯେପରି ! ଆଉ ସେ ମଧ୍ୟ କିପରି ଚୁପ୍‍ ରହିଗଲା ! କୁଆଡ଼େ ଗଲା ତାର ପ୍ରତିଭା, ବ୍ୟଙ୍ଗର ଯଥାର୍ଥ ପ୍ରତ୍ୟୁତ୍ତର ଦେବାକୁ ? ବ୍ୟଙ୍ଗ ପରେ ଦେବେନ୍ଦ୍ର ସଭାମଞ୍ଚ ଉପରକୁ ଡେଇଁ ପଡ଼ି ଲୋକଙ୍କୁ କିପରି ଚାହିଁଥିଲା କେଜାଣି (ବ୍ୟଙ୍ଗର ପ୍ରତ୍ୟୁତ୍ତର ନଦେଇ ସେ ରାଗିଗଲା ! ରାଜା କହି ସାରିବା ପରେ ସେ କହିବା କଥା କିନ୍ତୁ ରାଗରେ ସେ ସବୁ ଭୁଲିଗଲା), ଅତିମାନୁଷିକ କ୍ରୋଧ ସେତେବେଳେ ତାର ମୁହଁରୁ, ଆଖିରୁ କିପରି ପ୍ରକାଶ ପାଉଥିଲା କେଜାଣି, ପ୍ରତ୍ୟେକଙ୍କ ଅଧରରୁ ହସ ଲିଭିଗଲା, ପବନ ଧାପରେ ଦୀପ ଲିଭିଯିବା ପରି, ଆଉ ପ୍ରତ୍ୟେକ ସେଇ ମୁହୂର୍ତ୍ତରେ ସଂସାରରୁ ବିଦାୟ ନେବାର ସମୟ ଆସିଗଲା ବୋଲି ଭାବିଲେ । ଏକ ସମବେତ ମୂକ କ୍ରନ୍ଦନ, ମୋତେ ମାରନି, ମୋତେ ମାରନି, ମୁଁ ହସିନି, ମୋର ପଡ଼ୋଶୀ ହସିଛନ୍ତି, ତାଙ୍କୁ ମାର, ଯେପରି ସଭାଭିତରୁ ଉଠିଲା । ଗୋଟି ଗୋଟି କରି—ସହରର ଅନ୍ୟାନ୍ୟ ବାରିଷ୍ଟର ବନ୍ଧୁ ଶେଠ୍‌ ସାହୁକାର, ସାହିତ୍ୟିକ, ପଣ୍ଡିତ, ସବୁ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ କପାଳକୁ ଲକ୍ଷ୍ୟକରି ପିସ୍ତଲ ବୁଲିଗଲା, କିନ୍ତୁ ପିସ୍ତଲ ଗର୍ଜ୍ଜନ କଲାନି, ଧୂଆଁ ବାହାରିଲାନି । ରାଜାସାହେବ ଡାଏସ୍‌‌ ତଳକୁ ପଶିବାକୁ ସେତେବେଳେ ବୃଥା ଚେଷ୍ଟା କରୁଥିଲେ । କ୍ଷଣକ ପାଇଁ—ଦୁହେଁ ଚାରିଚକ୍ଷୁ ହେଲେ ରାଜା ସାହେବ ଓ ବାରିଷ୍ଟର ଦେବେନ୍ଦ୍ର । ତାପରେ ଝଡ଼ପରି ସଭାରୁ ଦେବେନ୍ଦ୍ର ବାହାରି ଆସିଛି ।

 

ପ୍ରତାପୀ ରାଜା କଣ ନ କଲା । କେତେଦୂର ସତ୍ୟ ତାର ବ୍ୟଙ୍ଗ ? ଆଉ କେଡ଼େ ଚାଲାକ ଭାଷାରେ ସେ ବ୍ୟଙ୍ଗ କରି ନଥିଲେ, ସେ ଓ ଅନ୍ୟ ଲୋକେ ସବୁ ବୁଝିଲେ, ଅଥଚ ରାଜାଙ୍କୁ କୋର୍ଟକୁ ନେଇ ହେବନି !

 

ରାଜପଥର ଧାରେ ଧାରେ ଦେବେନ୍ଦ୍ର ଚାଲୁଥିଲା । ଅନିର୍ଦ୍ଦିଷ୍ଟ ହୋଇ । ଛୋଟିଆ ସହରଟିର ଅଧିକାଂଶ ଘରୁ ସଭାକୁ ପ୍ରତିନିଧି ଆସିଥିଲେ ପ୍ରାୟ ! ଲୋକେ ଏତେବେଳକୁ ସବୁଆଡ଼େ ଖେଳିଯିବେଣି, ଘରେ ଘରେ ବ୍ୟଙ୍ଗକଥା ପ୍ରଚାରିତ ହୋଇଯିବଣି, ସମାଜ ଆଖିରେ ଏବେ ବାରିଷ୍ଟର ଦେବେନ୍ଦ୍ର ଧୀରେ ଧୀରେ ମରିଯାଉଥିବ, ତା ବଦଳରେ ଆଉ ଏକ ଅଦ୍ଭୁତ ଦେବେନ୍ଦ୍ର ଆବିର୍ଭାବ ହେଉଥିବ—

 

ଅଦ୍ଭୁତ ଦେବେନ୍ଦ୍ର ଅକାତକାତ ମାନସିକ ଦ୍ୱନ୍ଦ୍ୱରେ ବେଳାଭୂମିରୁ ମୁଠାଏ ବାଲି ଆଣି ପାଟିରେ ପୂରାଇଲା । ସେ ତ ଆଉ ଅନ୍ୟ ଲୋକ ପରି ନୁହଁ, ସମସ୍ତେ ଗୋଟେ ପଟେ, ସେ ଗୋଟେ ପଟେ । ତାର ଚାଲିଚଳଣ ସେଇ ଦୃଷ୍ଟିରୁ ସାଧାରଣ ଲୋକଠୁ ପ୍ରାୟ ଭିନ୍ନ ହେବା ଉଚିତ । ତେଣୁ ସେ ବାଲି ଖାଉ, ଲୁଣି ପାଣି ଆଞ୍ଜୁଳା ଆଞ୍ଜୁଳା କରି ପିଉ, ବେଳାଭୂମିରୁ ଉଠି ଆସି ଝାଉଁ ବଣଭିତରେ ଶୋଉ । ନିର୍ବାଚନ କଣ ସେ ଲଢ଼ିବ ?

 

* * *

 

ଜଳୁଥିବା ରିଷ୍ଟ୍‌ଓ୍ୟାଚ୍‌କୁ ଚାହିଁଲା ଦେବେନ୍ଦ୍ର । ରାତି ଦୁଇଟା । ଦୁଆରକୁ ଠେଲି ସେ ଶୋଇବା ଘରକୁ ପଶିଲା । ଗୁର୍ଖା ଦରଓ୍ୱାନ୍‌ର ଦୃଷ୍ଟି, ପୋଲିସର ପହରା, ସତର୍କ ଆଲ୍‌ ସେସିଆନଗୁଡ଼ିକର ଘ୍ରାଣ ଓ ଶ୍ରବଣ ଶକ୍ତି ସବୁକୁ ଏଡ଼ି । ପ୍ରତାପକେଶରୀ ଚିତ୍‌ ହୋଇ ଶୋଇଛନ୍ତି । ଲାଇଟ୍‌ ଜଳୁଛି ।

 

ପୁଅ ବନ୍ଧୁ, ତୁମକୁ ଉଠାଯିବନି, ଶାନ୍ତିରେ ତୁମକୁ ମରିବାକୁ ଦିଆଯିବ । ମାନୁଛି, ତୁମଠୁ ବିଚକ୍ଷଣ ବୁଦ୍ଧିମାନ ଲୋକ ଆଉ କେହି ନାହାନ୍ତି, ପୂର୍ଣ୍ଣ ସଭାରେ ଗୋଟିଏ ମାତ୍ର ବାକ୍ୟ କହି ତୁମେ ତୁମର ପ୍ରତିଦ୍ୱନ୍ଦୀକୁ ଯେପରି ପରାଜିତ କରିଛ ସେପରି ଆଉ କେହି କରିପାରି ନ ଥାନ୍ତା । କିନ୍ତୁ କେଡ଼େ ମିଛ କଥା ! ଯୁକ୍ତି ନାହିଁ, ପ୍ରମାଣ ନାହିଁ, ଏଡ଼େ ଗୁରୁତର କଥା କହିବାକୁ ତୁମେ ସାହସ କରି ପାରିଲ ? ପରିଣତ ତୁମେ ଭୋଗ କରିବ ।

 

ଭାବୁ ଭାବୁ ଶେଯର ନିକଟ ହୋଇ ଯାଇ ଉତ୍କଟ ଘୃଣାରେ ଦେବେନ୍ଦ୍ର ପ୍ରତାପକେଶରୀଙ୍କ ମୁହଁକୁ ଚାହିଁଲା । ସନ୍ଧ୍ୟା ସମୟର ସବୁ ଘଟଣା ଭୁଲି ଯାଇଛନ୍ତି ପରା । ନା, ପ୍ରଭୁଭକ୍ତ ସତର୍କ ପ୍ରହରୀ ଓ କୁକୁର ଗୁଡ଼ାକ ଉପରେ ଅତି ବିଶ୍ୱାସ ରଖି ଶୋଉ ଯାଇଛନ୍ତି । ଯୌବନ ସମୟରେ ଗାଲରେ ଅସ୍ତ୍ରୋପଚାର ହୋଇଥିବା ଚିହ୍ନ, ମୁହଁ ତୁଳନାରେ ଆଖି ବଡ଼ ବଡ଼, ଲମ୍ୱା ଓଠ-

 

ଲମ୍ୱା ଓଠ ! ନାକର ଗଢ଼ଣ ମଧ୍ୟ ସାଧାରଣଠୁ ଭିନ୍ନ । ନାକ... ! ନାକ ? ଦେବେନ୍ଦ୍ରର ବଡ଼ ବଡ଼ ଆଖି ଆହୁରି ବଡ଼ ବଡ଼ ହୋଇଗଲା । ମନ ଭିତରେ ଯେପରି ତୀବ୍ର ଟର୍ଚ୍ଚ ଆଲୁଅ ପଡ଼ି ଅନେକ କଥା ପରିଷ୍କାର ହୋଇ ଯାଉଛି, ଯାହାକୁ ଦେବେନ୍ଦ୍ର ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହେଁ । ନିଜ ନାକରେ ସେ ହାତ ବୁଲାଇ ଆଣିଲା । କଣ ଦେଖୁଛି ସେ ? ହା ଭଗବାନ୍‌ ! କଣ ଦେଖୁଛି ସେ ! ଏ କଥା କଣ ସମ୍ଭବ ? ଏ କଥା କଣ ସମ୍ଭବ ? ଆଗରୁ ତ ଏକଥା ତା ମନ ଭିତରକୁ କେବେ ଆସି ନ ଥିଲା ! ମନ ଭିତରକୁ କେବେ ଆସି ନ ଥିଲା । ମନଭିତର ଟର୍ଚ୍ଚକୁ ସେ ବନ୍ଦ କରିଦେଇ ପାଟିକଲା–

 

ପ୍ରତାପକେଶରୀ ଉଠ ! ପ୍ରତାପକେଶରୀ ! ପ୍ରତାପକେଶରୀ !!

 

ବାରିଷ୍ଟର ଦେବେନ୍ଦ୍ର ପ୍ରତାପକେଶରୀଙ୍କ କାନ୍ଧକୁ ଧରି ପାଗଳଙ୍କ ପରି ଝାଙ୍କିବାକୁ ଲାଗିଲା । ହାଉଳା ଖାଇ ରାଜାସାହେବ ଉଠି ପ୍ରଥମେ କିଛି ବୁଝି ପାରିଲେନି । ତାଙ୍କୁ ଝାଙ୍କୁ ଝାଙ୍କୁ ଦେବେନ୍ଦ୍ର ଚିତ୍କାର କରି ଚାଲିଥାଏ—ମୁଁ ଜାରଜ ? କୁହ ମହାରା୍‌ଜ୍‌, ସଭାରେ ମୋ ନାଁ ରେ ଯେଉଁ ଅପବାଦ ଆଣିଥିଲ ତା ଯଥାର୍ଥ ? ମୋର ମାର ବ୍ୟଭିଚାରରୁ ମୁ ଜନ୍ମ ?

 

ରାଜ୍ୟଶାସନ ଅଭିଜ୍ଞ ରାଜା ପ୍ରଥମ ହାଉଳିକୁ ସଂଯତ କରି ନେଇ କିଛି କିଛି ବୁଝିବାକୁ ଚେଷ୍ଟା କରୁଥିଲେ ।

 

କୁହ କୁହ......

 

ବାରିଷ୍ଟର ହାତରେ ଥିବା ଦୀର୍ଘ ଛୁରାକୁ ଚାହିଁ ରାଜାସାହେବଙ୍କ ବୋଧ ଶକ୍ତି ଉଠି ଆସୁ ଆସୁ ପୁଣି ଲୋପ ହେବା ଉପରେ । ଏଣେ ଦେବେନ୍ଦ୍ର ବ୍ୟାକୁଳତାର ସୀମା ଟପୁଛି ।

 

ତଡ଼ାକ୍‌ କରି ଶବ୍ଦ ହେଲା । ବାରିଷ୍ଟର ରାଜାସାହେବଙ୍କୁ ଚାପୁଡ଼ା ମାରିଥିଲା ।

 

କୁହ ମହାରାଜ୍‌, ଏଠି ଚୁପ୍‌ ରହିଲେ ଚଳିବନି, ଭରା ସଭାରେ ଯାହା କହିଥିଲ, ତାହା ସତ୍ୟ ?

 

ଚାପୁଡ଼ା ଯୋଗୁ ମହାରାଜଙ୍କର ତଟସ୍ଥତା ଦୂର ହୋଇ ଯାଇଥିଲା । ସେ ଯେ କୌଣସି ପ୍ରଶ୍ନର ଉତ୍ତର ଦେବାକୁ ନିଜକୁ ପ୍ରସ୍ତୁତ କରୁଥିଲେ । କିନ୍ତୁ ତାଙ୍କୁ ଡର ଲାଗୁଥିଲା, ହୁଏ ତ ସବୁକଥା ଜାଣିବାକୁ ଦେବେନ୍ଦ୍ର ଉପଯୁକ୍ତ ନୁହେଁ । ସବୁକଥା ପ୍ରଘଟ ହୋଇଯିବା ପରେ ମହା ଭୟଙ୍କର ଫଳ ସୃଷ୍ଟି ହୋଇପାରେ ।

 

ସତ୍ୟ ବାରିଷ୍ଟର୍‌, ତୁମେ ଜାରଜ ।

 

ମୋର ପିତା... ?

 

ମହାରାଜ ମୁର୍ଖଙ୍କ ପରି ବାରିଷ୍ଟରଙ୍କ ଦୀର୍ଘ ଶରୀର ଆଡ଼କୁ ଚାହିଁ ରହିଥାଆନ୍ତି ।

 

ମୋର ପ୍ରିତା ? ମୁଁ ଜାରଜ ହେବାର ପ୍ରମାଣ ?

 

ତଥାପି ରାଜା ନିରୁତ୍ତର । ପୁଣି ତଡ଼ାକ୍‌ର ଶବ୍ଦ ।

 

ବେଦନାରେ ରଜାଙ୍କ ମୁହଁ ବୁଲିଗଲା । ଗାଲରେ ବାରିଷ୍ଟରଙ୍କ ମାଡ଼ର ଚିହ୍ନ ।

 

ମୁଁ, ତୁମର ପିତା ମୁଁ ।

 

ଇଲେକଟ୍ରିକ୍‌ ସକ୍‌ ମାରିବା ପରି ବାରିଷ୍ଟର ଦୂରକୁ ଘୁଞ୍ଚିଗଲା । ପୁଣି ତଡ଼ାକ୍‌ ଶବ୍ଦକୁ ଆଶଙ୍କା କରି ରାଜା ସତର୍କ ହେବାକୁ ଯାଉଥିବା ବେଳେ ବାରିଷ୍ଟର ପଛକୁ ଘୁଞ୍ଚି ଯାଉଥିବା ଦେଖିଲେ ।

 

କିଛି ସମୟ ପୂର୍ବେ ରାଜାଙ୍କ ନାକ ଦେଖି ବାରିଷ୍ଟରର ହୃଦୟରେ ଯେଉଁ ଆଶଙ୍କା ସୃଷ୍ଟି ହୋଇଥିଲା, ତାହା ନିଷ୍ଠୁର ଭାବେ ଏପରି ସତ୍ୟ ହୋଇଯିବ ବୋଲି ସେ ଆଶା କରୁ ନଥିଲା । ସଂସାରରେ ଭଗବାନ୍‌ ବୋଲି କିଛି ଅଛି ? ମନର ଏତିକି କଳ୍ପନାକୁ ସେ ମିଛ କରି ଦେଇ ପାରିଲାନି । ପ୍ରତାପକେଶରୀ ତା ହେଲେ ଦେବେନ୍ଦ୍ରର ପିତା ! ସେଇଥିପାଇଁ ଏଡ଼େ ଦମ୍ଭରେ ସଭାରେ ସେ କହି ପାରିଲା, ବାରିଷ୍ଟର ଦାସ୍‌ ଜାରଜ ବୋଲି । ଓଃ ! ଓଃ ! ! ଦେବେନ୍ଦ୍ର ମୁଣ୍ଡର ଶିରା ଫାଟିଯିବା ପରି ଲାଗିଲା ।

 

ପ୍ରତାପକେଶରୀ ମୂକ ପଶୁ ପରି ଦେବେନ୍ଦ୍ରକୁ ଚାହୁଁଥାନ୍ତି । ସବୁ ବୁଝି ମଧ୍ୟ କିଛି ଯେପରି ସେ ବୁଝୁ ନ ଥିଲେ । କଣ ହୋଇଛି ? ତାଙ୍କରି ଶୋଇବା ଘରେ ସେ ଅଛନ୍ତି ତ ? କାହିଁ ସେ ଗୁର୍ଖା ଦରଓ୍ୱାନ ? କାହାନ୍ତି ଭୃତ୍ୟ, ଦାସ, ଅନୁଚର ? କିପରି ବାରିଷ୍ଟର ଆସିପାରିଲା ତାଙ୍କର ଶୋଇବା ଘର ଭିତରକୁ ? ରାଜ୍ୟଦୁର୍ଗା, ରକ୍ଷାକର । ଆକାଶରୁ ବଜ୍ର ପଡ଼ିବା ପରି ଘଡ଼ଘଡ଼ି ଶବ୍ଦରେ ରାଜାଙ୍କ ଭାବନାର ଶୃଙ୍ଖଳା ଭାଙ୍ଗିଗଲା । ସେ ଥରିବାକୁ ଲାଗିଲେ । ଦୁଇ ହାତରେ ତାଙ୍କ ବେକକୁ ଧରି ଦେବେନ୍ଦ୍ର ପଚାରୁଥିଲା, ଚକ ପରି ଆଖି ଡୋଳାକୁ ବୁଲାଇ ବୁଲାଇ କରି । ମହାରାଜ, ତୁମେ ମୋ ମା ଉପରେ ବଳତ୍କାର କରିଥିଲ ?

 

ନା, ନା, ବଳତ୍କାର ନୁହଁ, ତୁମ ମା ମୋର ପ୍ରେମିକା ଥିଲେ ମୋର ଉପପତ୍ନୀ ଥିଲେ । ତୁମେ ଜନ୍ମ ହେବା ପର୍ଯ୍ୟନ୍ତ ତାଙ୍କ ସହିତ ମୋର ସମ୍ୱନ୍ଧ ଥିଲା । ସେ ମୋତେ ଭଲ ପାଉଥିଲେ । ତୁମେ ଜନ୍ମ ହେବାର କିଛିଦିନ ପୂର୍ବରୁ ତୁମର ପିତାଙ୍କର ଅନ୍ୟ ଏକ ସହରକୁ ବଦଳି ହୋଇଗଲା । ତା ପରେ ଆଉ ସମ୍ୱନ୍ଧ ରହିନି । ସେ ମୋତେ ଭଲ ପାଉଥିଲେ ।

 

ଦେବେନ୍ଦ୍ର ହାତ ମୁଠା ହୁଗୁଳା ହୋଇ ଆସିଲା । ଆହତ ପରି ସେ ଚିତ୍କାର କରି ତଳେ ବସି ପଡ଼ିଲା । ଆଖିରୁ ଅଶ୍ରୁ, ମୁହଁରୁ ଫେଣ ଅନର୍ଗଳ ବାହାରୁଥାଏ ।

 

* * *

 

ତହିଁ ଆରଦିନ ସକାଳେ ସମୁଦ୍ରକୂଳ ଦକ୍ଷିଣ ଦିଗ ଶେଷରେ ଥିବା ଝାଉଁଗଛ ଚାରିକଡ଼େ ଲୋକେ ଜମିଥିଲେ । ବାରିଷ୍ଟର ବେକରେ ଦଉଡ଼ି ଲଗାଇ ଝୁଲୁଥାଏ ।

Image

 

ମୌନାବତୀ ରାତ୍ରି

 

ଘର ଭିତରେ ତିନିଜଣ—ସୁବୋଧ, ରାତ୍ରି ଓ ଅନ୍ୟ ଜଣେ । ରାତ୍ରି ରୁମ୍‌ ଭିତରକୁ ପ୍ରବେଶ ବିଷୟରେ ସୁବୋଧ କିନ୍ତୁ ପୂର୍ଣ୍ଣ ଅଚେତନ । ରାଜପଥରେ ଆଲୋକ ଅପର୍ଯ୍ୟାପ୍ତ ହୋଇ ବିଞ୍ଚି ପଡ଼ିଥିବା ବେଳୁ ସେ ଦୁଆର ଝରକା ସବୁ ବନ୍ଦ କରି ଦେଇଛି । ପର୍ଯ୍ୟାପ୍ତ ଆଲୋକ—ଦେଖିବାରେ, ବର୍ଣ୍ଣ ବିଚିତ୍ର ପୃଥ୍ୱୀ ଭୋଗ କରିବାରେ ସାହାଯ୍ୟ କରେ, କିନ୍ତୁ ହଠାତ୍‌ ବାହାର ସଂସାରକୁ ଦେଖୁ ଦେଖୁ ସୁବୋଧ ଆଲୋକକୁ, ନିଜକୁ, ପୃଥ୍ୱୀକୁ ଘୃଣା କରି—ନିହାତି ଘୃଣା କରି, ଆଲୋକଠୁଁ ଦୂରେଇ ଯିବାପାଇଁ ରୁମ୍‌ ଭିତରେ ଆଶ୍ରୟ ନେଇଛି । ଏକା ହୋଇ ସେ ସମାଧାନ କରିବ, ସବୁଦିନ ପାଇଁ ସେହିକଥା । ଏତେ ଅଶାନ୍ତି, ବ୍ୟଥା, ମାନସିକ ସଂଘାତ ଆଉ ସହି ହେଉନି-। କେତେଦିନ ତାର ଶାନ୍ତିରେ କଟିଥିବ ? ପନ୍ଦରଦିନ ହେବ । ପ୍ରାୟ ସେ ଭୁଲି ଯାଇଥିଲା ପନ୍ଦରଦିନ ତଳର ସେହି ଅପ୍ରୀତିକର ଆନ୍ତରିକ ବିଭତ୍ସ ଦ୍ୱନ୍ଦ୍ୱକୁ । କିନ୍ତୁ ଆଜି...ବେଶଭୂଷାକୁ ନିନ୍ଦିବ-? ସେହି ତରୁଣୀଟିର ସୁଗଠିତ, ବଳି ଦେଲାପରି ଅବୟବକୁ କାରଣ ବୋଲି କହିବ ? କାହା ଉପରେ ଦୋଷ ଲଦିଦେବା ଉଚିତ ?

 

ଗୋଲ୍‌ ବଜାରରେ ସେ ବୁଲୁଛି, ଇଲେକ୍‌ଟ୍ରିକ୍‌ ବଲ୍‌ବଟିଏ କିଣିବା ପାଇଁ । ଅପରାହ୍ନ । ରିକ୍‌ସାଟିଏରୁ ଜଣେ ତରୁଣୀ ଓହ୍ଲାଇଲେ, ସାଥିରେ ଅଭିଭାବକ ରୂପେ ବୟସ୍କ ଭଦ୍ର ପୁରୁଷ ଜଣେ । ତରୁଣୀଟିର ପଦକ୍ଷେପରେ ସହସା ଚକିତ ମୟୁରୀର ଭଙ୍ଗୀ । ଅନାଘ୍ରାତ ପୁଷ୍ପ । ସୁବୋଧର ନିରୀହ ପ୍ରଶଂସ ଦୃଷ୍ଟି ତରୁଣୀଟି ପଛେ ପଛେ ଦଉଡ଼ୁଥିବା ବେଳେ ହଠାତ୍‌ ସେ ବୁଲିପଡ଼ି ସୁବୋଧକୁ ଚାହିଁଦେଲେ । ପଛେ ପଛେ ଯେତିକି ବେଗରେ ଦୃଷ୍ଟି ଦଉଡ଼ିଥିଲା ତାହାଠୁ ଅଧିକ ବେଗରେ ତାହା ସୁବୋଧ ପାଖକୁ ଫେରି ଆସିଲା । ସେତିକି, ବଲବ୍‌ କିଣି ସେ ଘରକୁ ଫେରି ଆସିଛି । ବାହାରୁ ଦେଖିଲେ ଘଟଣା ସେତିକି ।

 

କେବଳ ବାହାରୁ ଦେଖିଲେ ଘଟଣା ସେତିକି ।

 

ସୁନ୍ଦରୀ ତରୁଣୀଟିଏ ସହିତ ଚାରିଚକ୍ଷୁ । କେଡ଼େ ସାମାନ୍ୟ ଆଉ କେଡ଼େ ଅବାନ୍ତର । କିନ୍ତୁ ପନ୍ଦର ଦିନ ତଳେ ଲାଗିପଡ଼ି ଯେଉଁ ରାକ୍ଷସକୁ ସେ ମାରି ଶୁଆଇ ଦେଇଥିଲା, ହଠାତ୍‌ ସେ ଜୀବନ୍ୟାସ ପାଇଲା ପରି ତା ପରେ ପରେ ଆଖି ମିଳିଲା । ଭୟାତୁର ହୋଇ ସୁବୋଧ ଚାହିଁଥାଏ । କେତେବେଳଠୁ ତରୁଣୀ, ତାଙ୍କର ଅଭିଭାବକ ଚାଲି ଯାଇଛନ୍ତି, କିନ୍ତୁ ଦୃଷ୍ଟି ସୁବୋଧର ସେତେବେଳକୁ ଭିତର ସଂସାରର ପ୍ରଶସ୍ତ ରାସ୍ତା ଉପରେ ବ୍ୟସ୍ତ । ସେଇ ରାସ୍ତାର ସେଇ କୋଠା, ସେଇ ନୃତ୍ୟର ସେଇ ଝଙ୍କାର, ତରୁଣୀଟି ମନେ ପକାଇ ଦେଇଥିଲେ । ବଜାରରୁ ରିକ୍‌ସା ଘରଆଡ଼େ ଚାଲିଥିବା ତାର ଖିଆଲ୍‌ ନାହିଁ । ଅଜାଣତରେ କେତେବେଳେ ସେ କହି ଦେଇଛି ଘରଆଡ଼େ ଯିବାପାଇଁ ।

 

ମନଭିତରୁ ଉଠି, ହାଇମାରି ଅଳସ ଭାଙ୍ଗି ସମାଲୋଚନାଶୀଳ ଦୃଷ୍ଟିରେ ସଦ୍ୟ ଜୀବନ୍ତ ରାକ୍ଷସଟି ସୁବୋଧକୁ ବହୁ ସମୟ ଧରି ଚାହିଁବା ଦେଖି ସୁବୋଧ ରାଗିଗଲା । ତାପରେ ଦୁହିଙ୍କ ମଧ୍ୟରେ ଯୁକ୍ତିତର୍କ । ସୁବୋଧର ଭୟାତୁର କଥାକୁ, ପ୍ରତିଦ୍ୱନ୍ଦୀର ଆତ୍ମ ବିଶ୍ୱାସପୂର୍ଣ୍ଣ ଉଦ୍ଧତ ସ୍ୱର । ଶେଷରେ ସୁବୋଧ ଦଉଡ଼ିଛି । କ୍ଷତବିକ୍ଷତ ହୋଇ, ଆର୍ତ୍ତ ଓ ପଳାତକ ।

 

କପାଳର ସ୍ନାୟୁଗୁଡ଼ାକ ଅସ୍ୱାଭାବିକ ରୂପେ ଫୁଲି ଉଠିଛି ସୁବୋଧର । ଭାବି ଭାବି ସେ ଯେପରି ପାଗଳ ହୋଇଯିବ । ଦୁଇଘଣ୍ଟା ହେଲା ମନ ସହିତ ସେ ଯୁକ୍ତି କରୁଛି, ସବୁଥର ଯୁକ୍ତି ପରେ ସେ ଭାବୁଛି, ଏଇଥର କଥା ତୁଟିଗଲା । ସେ ଏଥର ନିଶ୍ଚିନ୍ତରେ ଦୁଆର ଫିଟାଇ ଅନ୍ୟମାନଙ୍କ ପରି ମନଖୋଲା କଥାବାର୍ତ୍ତା କରିପାରିବ ବା କାହା ପାଖକୁ ଯାଇ ଦିଘଡ଼ି ବସି ପାରିବ । ନିଜକୁ ସେ ଗାଳିକରେ—ବାଜେ କଥା, ନିହାତି ବାଜେ କଥାରେ ମନ ବୁଲାଉଥିଲି, ଏତେ ବ୍ୟସ୍ତ ହେଉଥିଲି । କେଡ଼େ ସାମାନ୍ୟ କଥାକୁ କେଡ଼େ ବଡ଼କରି ଥୋଇବା ମୋର ଅଭ୍ୟାସ ନିର୍ବୋଧ ମୁଁ ।

 

ତାପରେ ଲମ୍ୱା ସୁସୁରୀ, କୌଣସି ସିନେମା ଗୀତକୁ ଅନୁକରଣ କରି, ସେହି ଅବସ୍ଥାରେ ମୁହଁ ପ୍ରସନ୍ନତାର ରୂପରେଖା ଆଣି ଦୁଆର ଫିଟାଇବାକୁ ଉଦ୍ୟମ; କିନ୍ତୁ ସେ ଜାଣିନି ଦୁଆର ପାଖକୁ ଯାଇ କେତେବେଳେ ସେ ସ୍ଥାଣୁ ହୋଇ ଯାଇଛି, ଆଉ କେତେବେଳେ ବନ୍ଦ ହୋଇ ଯାଇଛି ତାର ସୁସୁରୀ ଆପେ ଆପେ । ତାପରେ ରୁମ୍‌ ଭିତରେ ବୁଲିବା ଆରମ୍ଭ ହୋଇ ଯାଇଛି, ଏ କୋଣରୁ ସେ କୋଣ ଯାଏଁ । ମୁଣ୍ଡ ତଳକୁ ଝୁଙ୍କି ଯାଇଛି, ମୁହଁ ଅସ୍ୱାଭାବିକ ରୂପେ ଗମ୍ଭୀର ଓ ପୁରୁଣା ଯୁକ୍ତି ଯାହାକୁ ସେ ଦଶଥର ସରିକି ମନକୁ କହି ସାରିଥିବ, ସେହି ପୁରୁଣା ଯୁକ୍ତିର ପୁଣି ଅବତାରଣା । ମୁଣ୍ଡ ଝାଇଁ ଝାଇଁ ମାରୁଛି, ହାତ ଗୋଡ଼ରେ ଶିଥିଳତା, କିନ୍ତୁ ଭିତରେ ଚାଲିଛି ତର୍କ । କ୍ଳାନ୍ତହୋଇ ସୁବୋଧ ଖଟ ଉପରେ ବସି ପଡ଼ି କହିଲା—

 

—ଦେଖ, ଏଇ ଶେଷଥର । ଏହାପରେ ମୁଁ ଦୁଆର ଖୋଲି ମୋ କାମରେ ବ୍ୟସ୍ତ ରହିବି । ତୁମକୁ ମୁଁ ବହୁତ ସମୟ ଦେଲିଣି । ତୁମେ ଭଲ ଲୋକ ନୁହଁ, ବେଶି ସମୟ ତୁମ ସହିତ କଳି କଲେ ଲୋକ ପାଗଳ ହୋଇଯିବ !

 

ସାମନାରେ କିଏ ଯେପରି ଦାନ୍ତ ନିକୁଟିଲା ତାର ଶୋଚନୀୟ ଅବସ୍ଥା ଦେଖି । ସେ ଆଡ଼କୁ ନ ଚାହିଁ ନିଜ ପ୍ରଶ୍ନକୁ ନିଜେ ବୁଝିବାକୁ ଚେଷ୍ଟା କରୁଥିବା ପରି ପ୍ରାଞ୍ଜଳ ଭାବେ ସୁବୋଧ ପ୍ରଶ୍ନ କଲା—

 

—କଣ କହୁଛ ?

 

—କାଦମ୍ୱିନୀ ।

 

—କାଦମ୍ବିନୀର କୌଣସି କଥା ତୁମପାଇଁ ନୂତନ ନୁହେଁ । ଆଜକୁ ମାସକୁ ଦୁଇଥର କରି ତୁମେ ଆଠଥର ହେବ ଯାଇ ସାରିଛ ତାଙ୍କ ପାଖକୁ । ପ୍ରତ୍ୟେକଥର ରାତି ବାରଟାରୁ ସକାଳ ଛଅ, ଛଅଘଣ୍ଟା ହିସାବରେ ଆଠଥରକୁ ଅଠଚାଳିଶ ଘଣ୍ଟା ତାଙ୍କ ପାଖରେ କଟାଇଛ । କଣ ଆଉ ତାଙ୍କଠି ଅଛି ଯାହାକୁ ଆବିଷ୍କାର କରିବା ପାଇଁ ତୁମେ ଯିବ ?

 

—କିଛି ନାହିଁ ।

 

—କିଛି ନାହିଁଟି, ବେଶ୍‌ ।

 

—ସବୁ ଅଛି ।

 

—କଣ ଅଛି, କଣ ଅଛି ?

 

ସୁବୋଧର ଚିତ୍କାରରେ କାନ୍ଥ ଭୁଷୁଡ଼ି ଯିବାପାଇଁ ମନେ ହେଲା ।

 

ଏତେବଡ଼ ଚିତ୍କାର ପରେ କିନ୍ତୁ ତାର ପ୍ରତିଦ୍ୱନ୍ଦୀ ଅବିଚଳିତ ରହି ଦାନ୍ତ ନିକୁଟିଥାଏ । ଏପରି ଚିତ୍କାର ସହ ସେ ଯେପରି ଆଗରୁ ଭଲ ଭାବେ ଅଭ୍ୟସ୍ତ । ଚିତ୍କାର ପରେ ସୁବୋଧ ଧୀରେ ଧୀରେ ଶାନ୍ତ ହୋଇ ଆସିବା ଦେଖି ସେ କହିଲା—

 

—କାଦମ୍ୱିନୀ ମାନେ କଣ ତୁମକୁ ମୋତେ କହିବାକୁ ପଡ଼ିବ ସୁବୋଧ ?

 

—କାଦମ୍ୱିନୀ । ଥୁଃ ! ନାରୀ, ତୁଚ୍ଛ ନାରୀ ଜଣେ । ରକ୍ତମାଂସର ପିଣ୍ଡୁଳା, ସହରର ଅନେକ ନର୍ତ୍ତକୀ ଗାୟିକାମାନଙ୍କ ମଧ୍ୟରୁ ଜଣେ । ରୂପଜୀବୀ ବାରାଙ୍ଗନା ।

 

—ଚୁପ୍‌କର । ସେ ସାଧାରଣଙ୍କ ପରି ଶରୀର ବିକ୍ରୀ କରେନି, ସେ ନର୍ତ୍ତକୀ, ସେ ଗାୟିକା, ସେ ବିକ୍ରୀ କରେ ତାର କଳା । ତୁମକୁ ସେ ଭଲ ପାଉଛି । ତୁମକୁ ସେ ଭଲ ପାଏ ବୋଲି ତୁମେ ତାଠୁ ଗୀତନାଚ ଛଡ଼ା ଆଉ କିଛି ମଧ୍ୟ ପାଉଛ । ଭଲ ପାଇବା ତ ଭୁଲ୍‌ ନୁହେଁ । ସେପରି ତ ପ୍ରତ୍ୟେକ ନାରୀ କାହାକୁ ଭଲ ପାଏ ।

 

—ହଁ ହେଲା, ସେ ଆଉ ଏକ କିସମ୍‌ର ରୂପଜୀବୀ ।

 

—ମୁଁ କହୁଛି ବନ୍ଦକର । କୌଣସି ଭଦ୍ରମହିଳାଙ୍କ ପ୍ରତି ଯଦି ପୁଣି ଏପରି ଅଭଦ୍ର କଥା ତୁମଠୁ ମୁଁ ଶୁଣେ ତା ହେଲେ....

 

—ହେଲା, ହେଲା, ତୁମର ନର୍ତ୍ତକୀ ଗାୟିକା, ନର୍ତ୍ତକୀ ଗାୟିକା ଛଡ଼ା ପ୍ରେମିକା ଆଉ ସତୀ ମଧ୍ୟ । —ହିଃ—ସତୀ ଶବ୍ଦ ପାଟିରୁ ବାହାରି ଯାଇଥିବାରୁ ସୁବୋଧ ହସିଲା ।

 

—ତାହାହେଲେ ଯିବ ଚାଲ ।

 

ଏଥରକ ସୁବୋଧ ଅଳ୍ପ ଥରିଗଲା । —ଦେଖ, ତୁମକୁ ମୁଁ ପାରୁନି । କାନ୍ଦ କାନ୍ଦ ହୋଇ ସୁବୋଧ କହି ଚାଲିଥାଏ—କିନ୍ତୁ ମୁଁ କାଦମ୍ୱିନୀଙ୍କ ପାଖକୁ ଆଉ ଯିବିନି । ମୁଁ ପ୍ରତିଜ୍ଞା କରିଛି ସେ ପାପକାର୍ଯ୍ୟ ମୁଁ ଆଉ କରିବିନି । ମୋ ସାଙ୍ଗରେ ଆଉ ଲାଗନି ।

 

ସୁବୋଧର କାକୁତି କିନ୍ତୁ ପଥର କାନରେ ପଡ଼ିଲା । ପ୍ରତିଦ୍ୱନ୍ଦୀ ତାର ଅଥର୍ବ ପରି ବସି ରହିଲା ! ସୁବୋଧ ପୁଣି ଚେଷ୍ଟା କଲା—ସେ ପ୍ରେମିକା ଓ ସତୀ ହେଲେ, ମୁଁ କାହିଁକି ତାଙ୍କ ପାଖକୁ ଯିବି ? ନା, ବନ୍ଧୁ, ଆଉ ନୁହେଁ । ମୁଁ ମୋର ଜୀବନ ଧାରା ବଦଳାଇ ଦେଇଛି । ... ମଣିଷ କଣ ଥରେ ଖରାପ କାମ କଲେ ସବୁବେଳେ ଖରାପ ହୋଇ ରହିବାକୁ ବାଧ୍ୟ । ମୋତେ ଉପରକୁ ଉଠିବା ପାଇଁ ସୁବିଧା ଦିଆଯାଉ । ଦେଖ, ମୁଁ ତୁମ ସହିତ ଯୁକ୍ତି କରୁନି, କଥାଟା ବୁଝାଇ ଦେଉଛି । ସଂସାରଟା ଅଳୀକ ହେଉ କି ଚିରନ୍ତନ ହେଉ, ମଣିଷ ଜୀବନ ତ ସୀମିତ, କେତୋଟି ବର୍ଷ ମାତ୍ର । ନୁହେଁ ? ସେତିକି ସୀମା ମଧ୍ୟରେ ଜୀବନରେ ଅନ୍ୟ ଲାଇନ, ବୁଝିଛଟି ? କିଛି ଭଲ କାମ...

 

ପ୍ରତିଦ୍ୱନ୍ଦୀ ସେହିପରି ଅଥର୍ବ, ସ୍ଥାଣୁ ଓ ନୀରବ ।

 

—କିଛି ବଡ଼ ହେବାପାଇଁ ଚେଷ୍ଟା...

 

ପ୍ରତିଦ୍ୱନ୍ଦୀ ମୁହଁରେ ଅଳ୍ପ କୋମଳତାର ଉଦୟ ।

 

—ଆଉ ପୁଣି କଥାଟା ଠିକ୍‌ ନୁହେଁ...ସୁବୋଧ କହି ଚାଲିଥାଏ ।

 

ପ୍ରତିଦ୍ୱନ୍ଦୀ ସେହିପରି ନୀରବ ।

 

—ସମାଜ ତ ଠିକ୍‌ କରିଦେଇଛି, ବିବାହ କର...

 

ପ୍ରତିଦ୍ୱନ୍ଦୀ ମୁଖରେଖା କଠୋର ହୋଇ ଆସିଲା ।

 

—ମାନବିକତା କ୍ଷୁର୍ଣ୍ଣ ହୋଉନି ?

 

—ପାପ...

 

—ଯେଉଁଆଡ଼ୁ ଦେଖ ଯୁକ୍ତିସଙ୍ଗତ ନୁହଁ ? ...

 

—ଶାସ୍ତ୍ର କହୁଛି ପାପ...

 

—ଧର୍ମ କହୁଛି ବ୍ୟଭିଚାର...

 

—ବିବେକ କହୁଛି ଅନ୍ୟାୟ...

 

—ବୁଦ୍ଧି କହୁଛି ନିତାନ୍ତ ସ୍ୱାର୍ଥପରତା...

 

—କିଓ, ସ୍ତ୍ରୀ ସେପରି କଲେ ତାକୁ ତୁମେ ଭଲ କହିବ ?

 

—ଯଦି ନୁହଁ, ପୁରୁଷର ଠିକ୍‍ ସେୟା କରିବାକୁ କଣ ଅଧିକାର ଅଛି ?

 

—ବରଂ ବହୁ ବିବାହ ଠିକ୍‍...ପ୍ରତିଦ୍ୱନ୍ଦୀ ଏଥରକ ଜୋରରେ ମୁଣ୍ଡ ହଲାଇଲା ।

 

ସୁବୋଧ ପ୍ରତିଦ୍ୱନ୍ଦୀର ମୁଣ୍ଡ ହଲାଇବାରେ ଉତ୍ସାହିତ ହେଲା ।

 

—ସତରେ ମୁଁ ଆଜିଯାଏ କେଡ଼େ ଅନ୍ଧକାରରେ ନ ଥିଲି । ତୁମରି ସାହାଯ୍ୟ ପାଇ ମୁଁ ଏକ ନୂତନ ମାନବ ହେବାକୁ ଯାଉଛି ।

 

ଆଉ ଦ୍ୱନ୍ଦ ସଂଘାତ ନାହିଁ । ଆଉ ରାକ୍ଷସର ବିଭୀଷିକା ନାହିଁ । ସବୁ ଠିକ୍‍ ହୋଇ ଯାଇଛି । ପାପପଙ୍କିଳ ଜୀବନରୁ ସେ ଆଜି ମୁକ୍ତି ପାଇଛି । ଲକ୍ଷ ଲକ୍ଷ ଲୋକ ସାରା ଜୀବନ ଚେଷ୍ଟାକରି ଯେଉଁଥିରେ ଅସଫଳ ହୋଇ ରହି ଯାଉଛନ୍ତି, ସେଥିରେ ସେ ଆଜି କୃତକାର୍ଯ୍ୟ । ସୁବୋଧର ରୋମ ରୋମରେ ପୁଲକର ଶିହରଣ । ବନ୍ଧୁର ସହଯୋଗରୁ ସିନା ସବୁ ସମ୍ଭବ ହେଲା-। କୃତଜ୍ଞତାରେ ସୁବୋଧର ଶରୀର ଫାଟିପଡ଼ିବା ପରି ହେଲା । ସେ ଭାବାବେଶରେ ଖଟରୁ ଠିଆ ହୋଇଯାଇ କହିଲା—

 

—ମୁଁ...

 

ସୁବୋଧର କଥା କାଟି ଅନ୍ୟଜଣକ କହିଲେ—ଏଥରକ ଉଠ, ଡେରି ହେଉଛି, କାଦମ୍ୱିନୀ ଅପେକ୍ଷା କରିଥିବେ ।

 

ଓଠ ଦୁଇଫାଙ୍କରେ ବାକୀ କଥାତକ ରହି ଯାଇଛି, ନିରୀହ ଦୃଷ୍ଟିରେ ପ୍ରତିଦ୍ୱନ୍ଦୀ ଆଡ଼କୁ ଚାହିଁଲା ସୁବୋଧ ।

 

ଅଳ୍ପ କେତେକ୍ଷଣ ପରେ ଦୁଆର ଫିଟିଗଲା, ସୁବୋଧ ଓ ତାର ପ୍ରତିଦ୍ୱନ୍ଦୀ ଏକ ଶରୀର, ଏକପ୍ରାଣ ହୋଇ କୋମଳ ପାଦରେ ରାସ୍ତା ଉପରେ ଚାଲୁଥିଲେ ।

 

କାଦମ୍ୱିନୀର ଦୂତୀ ହୋଇ ଆସିଥିବା ମୌନାବତୀ ରାତ୍ରି ଖିଲ୍‍ ଖିଲ୍‍ ହୋଇ ଘର ଭିତରେ ହସୁଥିଲା ।

Image